ଗିରଫ ଡିଏସ୍‌ପିଙ୍କୁ ନେଇ ଆସିଥିଲା ସାଂଘାତିକ ତଥ୍ୟ, ପୂର୍ବତନ ବସ୍‌ ବି ଟଣା ହେବେ!

ଗିରଫ ପରେ ଡିଏସପି ପଦ ହରାଇଥିବା ପ୍ରଣୀତ ଜେରା ବେଳେ କହିଛନ୍ତି ଯେ ସେ ତାଙ୍କ ପୂର୍ବତନ ବସ୍‌ଙ୍କ କଥାରେ ପଡ଼ି ୫୦ଟି ହାର୍ଡ ଡିସ୍କ ଧ୍ୱଂସ କରିଦେଇଥିଲେ।

ଗିରଫ ଡିଏସ୍‌ପିଙ୍କୁ ନେଇ ଆସିଥିଲା ସାଂଘାତିକ ତଥ୍ୟ, ପୂର୍ବତନ ବସ୍‌ ବି ଟଣା ହେବେ!

ତେଲଙ୍ଗାନାର ବରିଷ୍ଠ ପୁଲିସ୍‌ ଅଧିକାରୀ ପ୍ରଣୀତ ରାଓଙ୍କ ଗିରଫଦାରୀ ପରେ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଗିରଫ ପରେ ଡିଏସପି ପଦ ହରାଇଥିବା ପ୍ରଣୀତ ଜେରା ବେଳେ କହିଛନ୍ତି ଯେ ସେ ତାଙ୍କ ପୂର୍ବତନ ବସ୍‌ଙ୍କ କଥାରେ ପଡ଼ି ୫୦ଟି ହାର୍ଡ ଡିସ୍କ ଧ୍ୱଂସ କରିଦେଇଥିଲେ।

ଏଥିରେ ଲକ୍ଷାଧିକ ଗୁଇନ୍ଦା ତଥ୍ୟ ଥିଲା। ହାର୍ଡ ଡ୍ରାଇଭଗୁଡ଼ିକ ଗତବର୍ଷ ଡିସେମ୍ବର ୪ରେ ନଷ୍ଟ କରାଯାଇଥିଲା। ଏହାର ଦିନକ ପୂର୍ବରୁ ତେଲଙ୍ଗାନା ବିଧାନସଭା ନିର୍ବାଚନର ରେଜଲ୍ଟ ଘୋଷଣା ହୋଇଥିଲା ଓ କଂଗ୍ରେସ କ୍ଷମତାକୁ ଫେରିଥିଲା।

ଜେରା ବେଳେ ପ୍ରଣୀତ ଅବସରପ୍ରାପ୍ତ ଆଇପିଏସ ଅଫିସର ଟି ପ୍ରଭାକର ରାଓଙ୍କ ନାଁ ନେଇଛନ୍ତି। ସେ ଏକଦା ତେଲଙ୍ଗାନା ରାଜ୍ୟ ଗୁଇନ୍ଦା ବ୍ୟୁରୋରର ମୁଖ୍ୟ ଥିଲେ। ମଙ୍ଗଳବାର ରାତିରେ ଏସଆଇବି(ରାଜ୍ୟ ଗୁଇନ୍ଦା ବ୍ୟୁରୋ)ର ଡିଏସ୍‌ପି ଭାବେ କାମ କରୁଥିବା ପ୍ରଣୀତ ରାଓଙ୍କୁ ଗିରଫ କରାଯାଇଥିଲା।

ଏସ୍‌ଆଇବିର ଅତିରିକ୍ତ ଏସ୍‌ପି ଡ ରମେଶଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା। ଅଫିସରୁ ଏକାଧିକ ଫାଇଲ ଓ ବୈଦ୍ୟୁତିକ ଦସ୍ତାବିଜ ଗାଏବ ହୋଇଯିବା ପରେ ଡ ରମେଶ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରିଥିଲେ। ଏହାକୁ ଆଧାର କରି ପ୍ରଣୀତଙ୍କୁ ଗିରଫ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ ପ୍ରଣୀତ ରାଓ ବେଆଇନ ଭାବେ ରାଜ୍ୟର ପ୍ରାୟ ୫୦ ଜଣ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଫୋନକୁ ଟ୍ୟାପ କରିଥିଲେ। ଏମାନଙ୍କ ମଧ୍ୟରେ କିଛି ବିରୋଧୀ ଦଳର ନେତା ଥିଲେ। ଏହି ସମୟରେ ବିଆରଏସ କ୍ଷମତାରେ ରହିଥିଲା। ବିଆରଏସ୍‌ ସହ ଜଡ଼ିତ କିଛି ଲୋକଙ୍କ ପରିବାର ସଦସ୍ୟଙ୍କ ଫୋନ ମଧ୍ୟ ସେ ଟ୍ୟାପ କରିଥିଲେ।

ନକ୍ସଲଙ୍କ ଉପରେ ନଜର ରଖିବା ପାଇଁ ଏସ୍‌ଆଇବି ଟ୍ୟାପ କରିବାର ଅଧିକାର ପାଇଥିଲା। କିନ୍ତୁ ପ୍ରଣୀତ ରାଓଙ୍କ ନେତୃତ୍ୱାଧୀନ ଟିମ ବେଆଇନ ଭାବେ ରାଜନୀତିକ ତଥ୍ୟ ଓ ବିରୋଧୀ ଦଳର ନେତାମାନେ କରିଥିବା ନେଣଦେଣର ତଥ୍ୟ ସଂଗ୍ରହ କରିଥିଲା।

ନିର୍ବାଚନ ପରେ ପ୍ରଣୀତ କେବଳ ୧୦ ଲକ୍ଷ କଲ ରେକର୍ଡକୁ ଡିଲିଟ କରି ନଥିଲେ, ବରଂ ହାର୍ଡ ଡ୍ରାଇଭ ରଖାଯାଇଥିବା ସ୍ଥାନର ସିସିଟିଭିକୁ ମଧ୍ୟ ବନ୍ଦ କରି ଦେଇଥିଲେ। ସିସିଟିଭି ବନ୍ଦ କରି ସେ ପୁରୁଣା ହାର୍ଡ ଡ୍ରାଇଭ ସ୍ଥାନରେ ନୂଆ ହାର୍ଡ ଡ୍ରାଇଭ ରଖିଥିଲେ।

ଏସ୍‌ଆଇବିରେ ପ୍ରଣୀତ ନିଜ ପାଇଁ ଦୁଇଟି ରୁମ ରଖିଥିଲେ। ସେ ୧୭ଟି କମ୍ପ୍ୟୁଟର ବ୍ୟବହାର କରୁଥିଲେ। ଏବେ ପୁଲିସ୍‌ ତାଙ୍କୁ ୧୪ ଦିନ ରିମାଣ୍ଡରେ ଆଣି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।