ଗୁରୁଙ୍କ ଠାରୁ ମିଳିଥିବା ପ୍ରେରଣାଦାୟୀ ବାର୍ତ୍ତାରୁ ବିଶ୍ୱକୁ ନୂଆ ମାର୍ଗ ଦେଖାଇବା – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର, ଜାନୁଆରୀ ୨୨ – ପୂଜ୍ୟ ଗୁରୁ ନାନକ ଦେବଙ୍କ ସମେତ ଶିଖ୍ ସମ୍ପ୍ରଦାୟର ଧର୍ମଗୁରୁ ଏବଂ ବୀର ସୁରେନ୍ଦ୍ର ସାଏ ଓ ବାଜି ରାଉତଙ୍କ ପରି ଅନେକ ସଂଗ୍ରାମୀମାନେ ଦେଶ ପାଇଁ ଅନେକ ତ୍ୟାଗ ଓ ବଳିଦାନ ଦେଇଛନ୍ତି । ସେହି ଗୁରୁ ଓ ସଂଗ୍ରାମୀମାନଙ୍କ ଧର୍ମ, ଆଦର୍ଶ, ସଂସ୍କାର ତଥା ପ୍ରେରଣାଦାୟୀ ବାର୍ତ୍ତାରୁ ଅନୁପ୍ରାଣିତ ହୋଇ ଆମର ଯୁବପିଢିମାନେ ବିଶ୍ୱକୁ ନୂଆ ମାର୍ଗ ଦେଖାଇବା ଦିଗରେ ଆଗଭର ହୁଅନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା […] The post ଗୁରୁଙ୍କ ଠାରୁ ମିଳିଥିବା ପ୍ରେରଣାଦାୟୀ ବାର୍ତ୍ତାରୁ ବିଶ୍ୱକୁ ନୂଆ ମାର୍ଗ ଦେଖାଇବା – ଧର୍ମେନ୍ଦ୍ର ପ୍ରଧାନ appeared first on Odisha.News.

ସମ୍ବଲପୁର, ଜାନୁଆରୀ ୨୨ – ପୂଜ୍ୟ ଗୁରୁ ନାନକ ଦେବଙ୍କ ସମେତ ଶିଖ୍ ସମ୍ପ୍ରଦାୟର ଧର୍ମଗୁରୁ ଏବଂ ବୀର ସୁରେନ୍ଦ୍ର ସାଏ ଓ ବାଜି ରାଉତଙ୍କ ପରି ଅନେକ ସଂଗ୍ରାମୀମାନେ ଦେଶ ପାଇଁ ଅନେକ ତ୍ୟାଗ ଓ ବଳିଦାନ ଦେଇଛନ୍ତି । ସେହି ଗୁରୁ ଓ ସଂଗ୍ରାମୀମାନଙ୍କ ଧର୍ମ, ଆଦର୍ଶ, ସଂସ୍କାର ତଥା ପ୍ରେରଣାଦାୟୀ ବାର୍ତ୍ତାରୁ ଅନୁପ୍ରାଣିତ ହୋଇ ଆମର ଯୁବପିଢିମାନେ ବିଶ୍ୱକୁ ନୂଆ ମାର୍ଗ ଦେଖାଇବା ଦିଗରେ ଆଗଭର ହୁଅନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବୁଧବାର ସମ୍ବଲପୁର ଜିଲ୍ଲା ଖେତରାଜପୁର ସ୍ଥିତ ଗୁରୁ ନାନକ ପବ୍ଲିକ ସ୍କୁଲ ସମ୍ବଲପୁରର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂଜ୍ୟ ଗୁରୁ ନାନକ ଦେବଙ୍କ ନାମରେ ନାମିତ ଏହି ସ୍କୁଲ ଦୀର୍ଘ ୫୦ ବର୍ଷରେ ପଦାର୍ପଣ କରିବା ଏକ ଗୌରବମୟ ଉପଲବ୍ଧି । ଗୁରୁ ନାନକଙ୍କ ଯେଉଁଭଳି ଆଦର୍ଶ, ବିଚାର, ସିଦ୍ଧାନ୍ତ ଏବଂ ସେବା ମନୋଭାବର ସମର୍ପଣ ଥିଲା, ତାଙ୍କ ସଂସ୍କାର ଆଧାରରେ ସ୍କୁଲଟି ପରିଚାଳିତ ହେବା ଆନନ୍ଦର ବିଷୟ । ଯେତେବେଳେ ଭାରତୀୟ ସଂସ୍କୃତିକୁ ନଷ୍ଟ କରିବା ପାଇଁ ଉଦ୍ୟମ ହେଉଥିଲା, ସେହି ସମୟରେ ଗୁରୁ ନାନକ ସମାଜକୁ ଏକାଠି କରି ଭାରତର ସଂସ୍କୃତିର ସୁରକ୍ଷା ପାଇଁ ଦାୟିତ୍ୱ ନେଇଥିଲେ । ସେ ସମାଜରେ ସମାନତା, ଭାଇଚାରା ଓ ଏକତାର ଶିକ୍ଷା ଦେଇଥିଲେ । ବିଭିନ୍ନ ସାମାଜିକ କଳୁଷତାକୁ ଦୂର କରିବା ଲାଗି ସଂଘର୍ଷ କରିଥିଲେ।
ଶିଖ ପରମ୍ପରାରେ ଗୁରୁ ପରମ୍ପରାର ଆଦର୍ଶ ଓ ବଳିଦାନକୁ ଭୁଲି ହେବ ନାହିଁ । ଭାରତୀୟ ପରମ୍ପରାରେ ଶିଖ ସମୁଦାୟର ଧର୍ମଗୁରୁଙ୍କ ଅବଦାନ ଅତୁଳନୀୟ । ଶିଖ ବନ୍ଧୁ ମାନେ ସମ୍ବଲପୁର ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ରହି ଅଞ୍ଚଳର ବିକାଶ ପାଇଁ ଯେଉଁ କାମ କରୁଛନ୍ତି, ତାହା ପ୍ରଶଂସନୀୟ। ସେଇ ପରମ୍ପରାର ଅଂଶ ଭାବରେ ଏହି ସ୍କୁଲ ଗଢି ଉଠିଛି । ଏହାବ୍ୟତୀତ ଆମ ଶିଖ ସମାଜ ସହ ଓଡ଼ିଶାର ଅନନ୍ୟ ସମ୍ପର୍କ ରହିଛି ।
ଶ୍ରୀ ପ୍ରଧାନ କହିଛନ୍ତି ଶିଖ୍ ସମ୍ପ୍ରଦାୟର ଅନେକ ଗୁରୁଙ୍କ ସହିତ ଅବିଭକ୍ତ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ, ଧ୍ରୁବ ସାଏ, ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କରୁଣାକର ସିଂହ ନାଏକ, ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ, ହଟେ ସିଂହ, ଶହୀଦ ମଧୁ ଗଡତିଆ ଦେଶ ପାଇଁ ବଳିଦାନ ଦେଇଥିଲେ ।
ଆଜି ଦେଶ ଯେତେବେଳେ ନୂଆ ଉଚ୍ଚତାକୁ ଯାଉଛି, ସେହି ସମୟରେ ମାତୃଭୂମି ପାଇଁ ସମସ୍ତ ନାଗରିକ ବିଶେଷ ଭାବରେ ଯୁବପିଢିଙ୍କ ଦାୟିତ୍ୱ ଅଧିକ । ଯୁବଶକ୍ତିମାନେ ଟେକ୍ନୋଲୋଜି ଜରିଆରେ ବିଶ୍ୱକୁ ଅନ୍ୱେଷଣ କରିବା ଦରକାର । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ । ଏହି ସମୟରେ ଆମକୁ ଦେଶ ପାଇଁ ବଞ୍ଚିବାକୁ ପଡ଼ିବ, ବିକଶିତ ରାଷ୍ଟ୍ର ଗଢ଼ିବାକୁ ପଡ଼ିବ। ଏଥିପାଇଁ ଆଜିର ପିଢ଼ି ଆଗକୁ ଆସିବା ଦରକାର । ନିଜ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ଦାୟିତ୍ୱ ନେବା ଦରକାର ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
The post ଗୁରୁଙ୍କ ଠାରୁ ମିଳିଥିବା ପ୍ରେରଣାଦାୟୀ ବାର୍ତ୍ତାରୁ ବିଶ୍ୱକୁ ନୂଆ ମାର୍ଗ ଦେଖାଇବା – ଧର୍ମେନ୍ଦ୍ର ପ୍ରଧାନ appeared first on Odisha.News.