‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
ନୂଆଦିଲ୍ଲୀ: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଆସନ୍ତା ଶୀତ ଅଧିବେଶନରେ ସରକାର ଏ ସଂପର୍କିତ ବିଲକୁ ସଂସଦରେ ଉପସ୍ଥାପନ କରିବେ। ଦେଶରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କରାଇବାର ସମ୍ଭାବନା ଉପରେ ସମସ୍ତ ଦିଗକୁ ପରିଖି ଏକ ରିପୋର୍ଟ ଦେବାକୁ ୨୦୨୩ ସେପ୍ଟେମ୍ବର ମାସରେ ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ କେନ୍ଦ୍ର ସରକାର। ବିଭିନ୍ନ […]

ନୂଆଦିଲ୍ଲୀ: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଆସନ୍ତା ଶୀତ ଅଧିବେଶନରେ ସରକାର ଏ ସଂପର୍କିତ ବିଲକୁ ସଂସଦରେ ଉପସ୍ଥାପନ କରିବେ। ଦେଶରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କରାଇବାର ସମ୍ଭାବନା ଉପରେ ସମସ୍ତ ଦିଗକୁ ପରିଖି ଏକ ରିପୋର୍ଟ ଦେବାକୁ ୨୦୨୩ ସେପ୍ଟେମ୍ବର ମାସରେ ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ କେନ୍ଦ୍ର ସରକାର। ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଓ ବିଶେଷଜ୍ଞଙ୍କ ପରାମର୍ଶ ଏବଂ ୧୯୧ ଦିନର ଗବେଷଣା ପରେ ଏହି କମିଟି ୧୮,୬୨୬ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା। କମିଟି ଗତ ମାର୍ଚ୍ଚ ମାସରେ ତା’ର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲା। କେନ୍ଦ୍ର କ୍ୟାବିନେଟ ଆଜି ଏହି ରିପୋର୍ଟ ଉପରେ ମୋହର ମାରିଛନ୍ତି। କମିଟି ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଦୁଇଟି ପର୍ଯ୍ୟାୟରେ ସାରା ଦେଶରେ ନିର୍ବାଚନ ହେଉ। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉ। ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଲୋକସଭା ଓ ବିଧାନସଭା ନିର୍ବାଚନ ଶେଷ ହେବାର ଶହେ ଦିନ ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ କରାଯାଉ। ‘ୱାନ ନେସନ, ୱାନ ଇଲେକ୍ସନ’ ୨୦୨୯ରୁ ଆରମ୍ଭ କରିବାକୁ ସର୍ବସମ୍ମତ ରାୟ ପ୍ରକାଶ ପାଇଥିବା କମିଟି କହିଛି। ଏଥିପାଇଁ ୪୭ଟି ରାଜନୀତିକ ଦଳର ମତାମତ ନିଆଯାଇଥିବା ବେଳେ ୩୨ଟି ଏହା ସପକ୍ଷରେ ଯାଇଥିଲେ। କଂଗ୍ରେସ ସମେତ ୧୫ଟି ଦଳ ଏହାକୁ ବିରୋଧ କରିଛନ୍ତି।