ଗୋଟିଏ ମ୍ୟାଚ୍ରୁ ବାସନ୍ଦ ହେଲେ କେକେଆର୍ର ଏହି ଦ୍ରୁତ ବୋଲର
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମେ’ ୩ ତାରିଖ ମ୍ୟାଚ୍ରେ ସେ ଖେଳି ପାରିବେ ନାହିଁ।
ଆଇପିଏଲ ଟିମ କୋଲକାତା ନାଇଟ ରାଇଡର୍ସକୁ ବଡ଼ ଝଟକା। ଗୋଟିଏ ମ୍ୟାଚ୍ରୁ ବାସନ୍ଦ ଦଣ୍ଡ ପାଇଛନ୍ତି ଦଳର ଦ୍ରୁତ ବୋଲର ହର୍ଷିତ ରାଣା। ଏହାର ଅର୍ଥ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମେ’ ୩ ତାରିଖ ମ୍ୟାଚ୍ରେ ସେ ଖେଳି ପାରିବେ ନାହିଁ।
ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ହର୍ଷିତ ରାଣା ଦମଦାର ପ୍ରଦର୍ଶନ କରିବା ସହ ଦୁଇଟି ୱିକେଟ ନେଇଥିଲେ। ସେ ସଫଳତା ପାଇବା ପରେ ଅତ୍ୟନ୍ତ ଉତ୍ସାହିତ ହୋଇ ଉତ୍ତେଜିତ ଢଙ୍ଗରେ ବ୍ୟାଟରଙ୍କୁ ଇଙ୍ଗିତ କରିଥିଲେ। ସେ ଏପରି କରି ଆଇପିଏଲର ଆଚରଣ ବିଧି ଉଲ୍ଲଙ୍ଘନ କରିଥିଲେ।
ଏଥିପାଇଁ ୨୨ ବର୍ଷୀୟ ରାଣାଙ୍କ ମ୍ୟାଚ୍ ଫି’ ମଧ୍ୟ ୧୦୦% କାଟି ଦିଆଯାଇଛି। ସେ ଧାରା ୨.୫ର ଲେଭଲ ୧ ଅପରାଧ ଘଟାଇଛନ୍ତି। ଏହାକୁ ସେ ସ୍ୱୀକାର ମଧ୍ୟ କରି ନେଇଛନ୍ତି। ମ୍ୟାଚ୍ ରେଫରୀଙ୍କ ସୁପାରିସକ୍ରମେ ତାଙ୍କ ଉପରେ ଏପରି ଦଣ୍ଡବିଧାନ କରାଯାଇଛି।
ଏହାପୂର୍ବରୁ ମଧ୍ୟରେ ରାଣା ମାର୍ଚ୍ଚ ୨୩ ତାରିଖ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମଧ୍ୟ ଆଇପିଏଲର ଆଚରଣ ବିଧି ଉଲ୍ଲଙ୍ଘନ କରିଥିଲେ। ଏଥିପାଇଁ ତାଙ୍କ ମ୍ୟାଚ୍ ଫି’ ୬୦% କାଟି ଦିଆଯାଇଥିଲେ।
ସେ ଦ୍ୱିତୀୟ ଥର ପାଇଁ ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ଗୋଟିଏ ମ୍ୟାଚ୍ରୁ ବାସନ୍ଦ କରାଯାଇଛି ଓ ତାଙ୍କ ମ୍ୟାଚ୍ ଫି’କୁ ସଂପୂର୍ଣ୍ଣ ଭାବେ କାଟି ଦିଆଯାଇଛି।