ଗ୍ରାମବିକାଶରେ ପଞ୍ଚାୟତର ଭୂମିକା

ଗ୍ରାମବହୁଳ ଦେଶ ଭାରତରେ ଗ୍ରାମସଂଖ୍ୟା ପ୍ରାୟ ୬, ୪୦, ୦୦୦। ଅତୀତରେ ଗ୍ରାମ ବିକାଶ ପାଇଁ କେତେକ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଆଶାନୁରୂପ ସଫଳତା ମିଳିପାରି ନ ଥିଲା। ୧୯୫୭ ମସିହାରେ ବଳବନ୍ତରାୟ ମେହେଟା କମିଟି ତ୍ରିସ୍ତରୀୟ ପଞ୍ଚାୟତ ପାଇଁ ଅନୁମୋଦନ କଲେ। ଏହି ଅନୁମୋଦନକ୍ରମେ ଗ୍ରାମ, ବ୍ଲକ ଓ ଜିଲ୍ଲା ସ୍ତରରେ ପଞ୍ଚାୟତ ଗଠନ ହେଲା ଏବଂ ରାଜ୍ୟମାନେ ନିଜନିଜର ପଞ୍ଚାୟତ ଆଇନ୍‌‌ ପ୍ରଣୟନ କଲେ। ଓଡ଼ିଶାରେ ୧୯୪୮ ମସିହାରେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ୍‌‌ […]

ଗ୍ରାମବିକାଶରେ ପଞ୍ଚାୟତର ଭୂମିକା
sakala article

ଗ୍ରାମବହୁଳ ଦେଶ ଭାରତରେ ଗ୍ରାମସଂଖ୍ୟା ପ୍ରାୟ ୬, ୪୦, ୦୦୦। ଅତୀତରେ ଗ୍ରାମ ବିକାଶ ପାଇଁ କେତେକ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଆଶାନୁରୂପ ସଫଳତା ମିଳିପାରି ନ ଥିଲା। ୧୯୫୭ ମସିହାରେ ବଳବନ୍ତରାୟ ମେହେଟା କମିଟି ତ୍ରିସ୍ତରୀୟ ପଞ୍ଚାୟତ ପାଇଁ ଅନୁମୋଦନ କଲେ। ଏହି ଅନୁମୋଦନକ୍ରମେ ଗ୍ରାମ, ବ୍ଲକ ଓ ଜିଲ୍ଲା ସ୍ତରରେ ପଞ୍ଚାୟତ ଗଠନ ହେଲା ଏବଂ ରାଜ୍ୟମାନେ ନିଜନିଜର ପଞ୍ଚାୟତ ଆଇନ୍‌‌ ପ୍ରଣୟନ କଲେ। ଓଡ଼ିଶାରେ ୧୯୪୮ ମସିହାରେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ୍‌‌ ପ୍ରଣୀତ ହୋଇଥିଲା। ପରବର୍ତ୍ତୀ ସମୟରେ ଏଥିରେ କିଛି ସଂଶୋଧନ କରାଯାଇଥିଲା। ୧୯୬୧ ମସିହାରେ ତ୍ରିସ୍ତରୀୟ ପଦ୍ଧତିରେ ପରିଷଦ, ସମିତି ଏବଂ ଗ୍ରାମ ପଞ୍ଚାୟତ ମଧ୍ୟରେ ସହଯୋଗ ରକ୍ଷା କରି କାର୍ଯ୍ୟ କରିବା ଲାଗି ସ୍ଥିର କରାଗଲା।

ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍‌‌ ୧୯୬୪ରେ ପ୍ରଣୀତ ହେଲା। ପଞ୍ଚାୟତକୁ ପରାମର୍ଶ ଏବଂ କାର୍ଯ୍ୟକ୍ରମଗୁଡ଼ିକର ଅନୁମୋଦନ ନିମନ୍ତେ ପଲ୍ଲୀସଭା ଓ ଗ୍ରାମସଭା ଗଠନ କରାଗଲା। ଗ୍ରାମସଭା ବର୍ଷରେ ଅନ୍ତତଃ ଫେବୃୟାରୀ ଓ ଜୁନ ମାସରେ ଦୁଇଥର ବୈଠକ ବସାଇ ଗ୍ରାମ ଶାସନ ବ୍ୟବସ୍ଥା କରାଗଲା। ପଞ୍ଚାୟତ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଯୋଜନା ପ୍ରଣୟନ, ପ୍ରକଳ୍ପ ପ୍ରସ୍ତୁତି ଏବଂ କାର୍ଯ୍ୟକ୍ରମ ସ୍ଥିର କରି ଏଗୁଡ଼ିକ ଗ୍ରାମସଭା ଦ୍ୱାରା ମଞ୍ଜୁର କରାଇବା ବ୍ୟବସ୍ଥା ରହିଲା। ମୌଳିକ ଭାବରେ ଗ୍ରାମ ପଞ୍ଚାୟତ ହାତରେ ୨୯ ଗୋଟି ବିଷୟ ସମ୍ୱଳିତ କ୍ଷମତା ରଖାଯାଇଛି। ସେଥିମଧ୍ୟରେ ମୁଖ୍ୟ ବିକାଶମୂଳକ ବିଷୟଗୁଡ଼ିକ ହେଲା ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, କୃଷି ବିକାଶ, ପ୍ରାଣୀ ସମ୍ପଦ ବିକାଶ, ପ୍ରାଥମିକ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗୃହ ନିର୍ମାଣ, ଦାରିଦ୍ର୍ୟ ଦୂରୀକରଣ, ସର୍ବସାଧାରଣ ବଣ୍ଟନ, ମହିଳା ଓ ଶିଶୁ ବିକାଶ। ଜଳସେଚନ କ୍ଷେତ୍ରରେ ୪୦ ହେକ୍ଟର ସେଚନର ସୁବିଧା ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପଞ୍ଚାୟତ କାର୍ଯ୍ୟକାରୀ କରିବେ ବୋଲି ନିୟମ ପ୍ରଣୟନ କରାଗଲା।

ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମାବଳୀ ୧୯୬୮ ନିୟମ ୩ ଓ ୨୦ ଅନୁଯାୟୀ ଗ୍ରାମସଭା ଓ ପଲ୍ଲୀସଭା ବୈଠକ ଅନୁଷ୍ଠିତ ହେବାର ଉଲ୍ଲେଖ କରାଯାଇଛି। ନିୟମ ୩୧ ଓ ୩୨ ଅନୁସାରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ନିଷ୍ପାଦନ କରାଯିବା ପାଇଁ ଉଲ୍ଲେଖ ରହିଛି। ନିୟମ ୬୯ ଅନୁସାରେ କୃଷିଜାତ ଦ୍ରବ୍ୟର ବିକ୍ରିବଟା ବ୍ୟବସ୍ଥା ରହିଥିବା ବେଳେ ନିୟମ ୮୦ ଅନୁଯାୟୀ କୃଷି ଫସଲରେ ରୋଗ ପୋକ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯିବ। ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସାତୋଟି ଲେଖାଏଁ ସ୍ଥାୟୀ କମିଟି ଗଠନ କରିବେ। ଏହି କମିଟିଗୁଡ଼ିକ ହେଲା (କ) ଯୋଜନା, ଅର୍ଥ, ଦାରିଦ୍ର୍ୟ ନିରାକରଣ ଓ ସମନ୍ୱୟ; (ଖ) କୃଷି, ପଶୁପାଳନ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ କୃଷି, ଜଳବିଭାଜିକା ଓ ମାଛ ଚାଷ; (ଗ) ନିର୍ମାଣ, ଜଳସେଚନ, ବିଦ୍ୟୁତ, ପାନୀୟଜଳ ଯୋଗାଣ ଓ ଗ୍ରାମ୍ୟ ସ୍ୱାସ୍ଥ୍ୟ; (ଘ) ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ସାମାଜିକ କଲ୍ୟାଣ; (ଙ) ସାଧାରଣ ବଣ୍ଟନ ବ୍ୟବସ୍ଥା, ଦୁର୍ବଳ ଶ୍ରେଣୀ କଲ୍ୟାଣ, ଜଙ୍ଗଲ, ଜାଳେଣି ଓ ଗୋଖାଦ୍ୟ; (ଚ) ହସ୍ତ କର୍ମ, କୁଟୀର ଶିଳ୍ପ, ଗ୍ରାମ ଉଦ୍ୟୋଗ ଓ ଗ୍ରାମ୍ୟ ଗୃହ ନିର୍ମାଣ, ଏବଂ (ଛ) ଶିକ୍ଷା, କ୍ରୀଡ଼ା ଓ ସଂସ୍କୃତି ସ୍ଥାୟୀ କମିଟି। ପ୍ରତି ସ୍ଥାୟୀ କମିଟିର କାର୍ଯ୍ୟ କାଳ ଦୁଇ ବର୍ଷ। ସମ୍ପୃକ୍ତ ବିଷୟରେ ଯୋଜନା ଓ ପ୍ରକଳ୍ପ ସ୍ଥାୟୀ କମିଟି ପ୍ରସ୍ତୁତ କରି ପଞ୍ଚାୟତକୁ ଅନୁମୋଦନ କରିବେ। ଏହି କମିଟିଗୁଡ଼ିକରେ ନିର୍ବାଚିତ ଓ ମନୋନୀତ ସଦସ୍ୟ ୭ ରୁ ୯ ପର୍ଯ୍ୟନ୍ତ ରହି ପାରିବେ।

ନିର୍ବାଚିତ ପଞ୍ଚାୟତଗୁଡ଼ିକର ବିକେନ୍ଦ୍ରୀକରଣ ଯୋଜନା ନିମନ୍ତେ ୧୯୯୨ ମସିହାରେ ୭୩ ତମ ସମ୍ୱିଧାନ ସଂଶୋଧନ କରାଗଲା। ଏହି ସାମ୍ୱିଧାନିକ କ୍ଷମତା ବଳରେ ପଞ୍ଚାୟତ ନିଜର ଯୋଜନା ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିପାରିବେ। ଧାରା ୨୪୩ ଏ ଅନୁସାରେ ରାଜ୍ୟ ସରକାର ପଞ୍ଚାୟତଗୁଡ଼ିକୁ ବହୁକ୍ଷମତା ଓ ଦାୟିତ୍ୱ ଦେବାର ବ୍ୟବସ୍ଥା ରହିଲା। ଗ୍ରାମ, ବ୍ଲକ ଓ ଜିଲ୍ଲା ପଞ୍ଚାୟତ ନିଜ ଇଲାକାର ସାମାଜିକ ଏବଂ ଅର୍ଥନୈତିକ ଯୋଜନା ପ୍ରସ୍ତୁତ ସହିତ ଏହାର କାର୍ଯ୍ୟକାରିତା ପାଇଁ ଉତ୍ତରଦାୟୀ। ସମ୍ୱିଧାନର ଧାରା ୨୪୩(ଗ) ଅନୁଯାୟୀ ପଞ୍ଚାୟତ ସମ୍ପ୍ରସାରଣ ପଞ୍ଚମ ସୂଚୀ ଅନ୍ତର୍ଭୁକ୍ତ ରାଜ୍ୟରେ ଆଦିବାସୀଙ୍କ ନିମନ୍ତେ ପେସା ଆଇନ୍‌‌ ୧୯୯୬ ରେ ପ୍ରଣୟନ କରାଯାଇଛି। ଏଯାଏଁ ସାତଗୋଟି ରାଜ୍ୟ ପେସା ନିୟମ ପ୍ରଣୟନ କରିଥିଲେ ମଧ୍ୟ ଓଡ଼ିଶା ଓ ଝାଡ଼ଖଣ୍ଡ ଏହି ନିୟମ ପ୍ରଣୟନ କରି ନାହାନ୍ତି। ସୂଚନା ମିଳିଛି ଯେ ବର୍ତ୍ତମାନର ଓଡ଼ିଶା ସରକାର ଶୀଘ୍ର ପେସା ଆଇନ୍‌‌ ପ୍ରଣୟନ କରିବେ। ନିକଟରେ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନା କ୍ୟାବିନେଟ ଅନୁମୋଦନ ଲାଭ କରିଛି। ଏଥିରେ ଦେଶର ୬୩୦୦୦ ଜନଜାତି ଗ୍ରାମର ସାମୂହିକ ବିକାଶ ପାଇଁ ୭୯୧୫୭ କୋଟି ଟଙ୍କାର ବ୍ୟୟ ଲକ୍ଷ୍ୟ ରଖାଯାଇଛି। ଏକଦା ଦେବଗଡ଼଼ ଜିଲ୍ଲାର ୭୦ ପଞ୍ଚାୟତ ପାଇଁ ପରୀକ୍ଷାମୂଳକ ଭାବରେ ୟୁନିସେଫ ସହାୟତାରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯୋଜନା କମିଟି ଓ ସ୍ଥାୟୀ କମିଟି ପଞ୍ଚାୟତ ଦ୍ୱାରା ଗଠନ କରାଇ ପ୍ରତି ଗ୍ରାମରେ ଅଣୁ ଯୋଜନା ପ୍ରସ୍ତୁତ କରି ଏହାକୁ ପଲ୍ଲୀସଭାରେ ଅନୁମୋଦନ କରିବା ପରେ ଏହାକୁ ଗ୍ରାମସଭା ସ୍ୱତନ୍ତ୍ର ବୈଠକରେ ମଞ୍ଜୁର କରାଗଲା। ଏହାପରେ ପଞ୍ଚାୟତ ସମିତି ଯୋଜନା ଓ ନଗରାଞ୍ଚଳ ଯୋଜନା ପ୍ରସ୍ତୁତ କରିବା ପରେ ଜିଲ୍ଲା ପରିଷଦ ଯୋଜନା ସହିତ ଏଗୁଡ଼ିକୁ ଏକୀଭୂତ କରି ସମନ୍ୱିତ ଜିଲ୍ଲା ଯୋଜନା ପ୍ରସ୍ତୁତ କରାଗଲା। ଏହି ସମସ୍ତ କାର୍ଯ୍ୟ ପାଇଁ ବୈଷୟିକ ଦଳକୁ ପ୍ରାୟ ୬ ମାସ ସମୟ ଲାଗିଥିଲା। ଏହା ଉପରେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିଲା।

ସାଧାରଣତଃ ଗୋଟିଏ ଗ୍ରାମର ଅଣୁ ଯୋଜନା ପ୍ରସ୍ତୁତ କରିବା ପାଇଁ ଏକ ଯୋଜନାଦଳକୁ ୫ ଦିନ ସମୟ ଲାଗେ। କାରଣ ଏଥିରେ ବହୁ ସହଭାଗୀ ଗ୍ରାମ୍ୟ ଅବଧାରଣା କୌଶଳ ବ୍ୟବହାର କରିବାକୁ ପଡ଼େ। କେନ୍ଦ୍ର ସରକାର ୨୦୦୮ ମସିହାରେ ସମନ୍ୱିତ ଜିଲ୍ଲା ଯୋଜନା ପ୍ରସ୍ତୁତି ପାଇଁ ୧୭୩ ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ କରିଥିଲେ। ଯେହେତୁ ଗ୍ରାମ ପଞ୍ଚାୟତ ସମ୍ୱିଧାନର ଏକାଦଶ ସୂଚୀ ଅନୁଯାୟୀ ୨୯ ବିଷୟ ଉପରେ ନିଜର ବିକାଶ ଯୋଜନା ପ୍ରଣୟନ କରିବା ସହିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯୋଜନା ସହିତ ସଂଯୋଜନା କରିବାର ଆବଶ୍ୟକତା ଅଛି, ସେହି ହିସାବରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରଣୟନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କଲେ। ଆମ ଓଡ଼ିଶାରେ ଏହି ୨୯ ବିଷୟ ମଧ୍ୟରୁ ୧୧ ଗୋଟି ବିଭାଗର ୨୧ ବିଷୟ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି।

ପ୍ରତି ପଞ୍ଚାୟତ ନିଜସ୍ୱ ଆୟ ସହିତ କେନ୍ଦ୍ରୀୟ ଅର୍ଥ ଆୟୋଗ ଓ ରାଜ୍ୟ ଅର୍ଥ ଆୟୋଗ ଅନୁଦାନ ଏବଂ ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ରୋଜଗାର ଯୋଜନା ଇତ୍ୟାଦିରୁ ବର୍ଷକୁ ପ୍ରାୟ ଏକ କୋଟି ଟଙ୍କା ପାଏ। ପଞ୍ଚାୟତ କାର୍ଯ୍ୟକାରୀ କରୁଥିବା କେତେକ ମୁଖ୍ୟ ଯୋଜନା ହେଲା – ମନରେଗା, ଜାତୀୟ ଗ୍ରାମୀଣ ଜୀବିକା ମିଶନ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଇତ୍ୟାଦି। କେନ୍ଦ୍ରୀୟ ଅର୍ଥ ଆୟୋଗ ଓ ରାଜ୍ୟ ଅର୍ଥ ଆୟୋଗ ଅନୁଦାନ ପାନୀୟ ଜଳଯୋଗାଣ, ରାସ୍ତା ଆଲୋକୀକରଣ ଏବଂ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ପାଇଁ ଉଦ୍ଦିଷ୍ଟ। ଆମର ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଏ ବିଷୟରେ ସଚେତନ ହୋଇ ଜନସହଭାଗିତା ସହ ନିଜସ୍ୱ ଅର୍ଥନୈତିକ ଯୋଜନା ଓ ସାମାଜିକ ନ୍ୟାୟ ଯୋଜନା ପ୍ରଣୟନ କରି ଏହାର କାର୍ଯ୍ୟକାରିତା କଲେ ପଞ୍ଚାୟତଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ହେବା ସହିତ ଲୋକଙ୍କର ଆଶା ପୂରଣ ହେବ। ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଓ ସାଂସଦ ଆଦର୍ଶ ଗ୍ରାମ ଯୋଜନା ଏହି ବାବଦରେ କିଛିଟା ପଥପ୍ରଦର୍ଶକ ହେବାର ଆଶା କରାଯାଏ।

ଆମ ରାଜ୍ୟର ୫୦୯୨୬ ଗ୍ରାମ, ୬୭୯୪ ପଞ୍ଚାୟତ, ୩୧୪ ପଞ୍ଚାୟତ ସମିତି, ୩୦ ଜିଲ୍ଲା ପରିଷଦ ଏବଂ ୧୦୬୪୮୭ ନିର୍ବାଚିତ ପ୍ରତିନିଧି ଚାହିଁଲେ ପଞ୍ଚାୟତଗୁଡ଼ିକର ସାମୂହିକ ବିକାଶ ହୋଇ ପାରିବ। ଅତୀତରେ କେତେକ ନିର୍ବାଚିତ ପ୍ରତିନିଧିଙ୍କୁ କେରଳର କିଲ୍ଲା ଓ ଗୁଜରାଟକୁ ପ୍ରଶିକ୍ଷଣ ନିମନ୍ତେ ପଠା ଯାଇଥିଲା। ବର୍ତ୍ତମାନ ଏହି ନିର୍ବାଚିତ ପ୍ରତିନିଧିଙ୍କୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଅନୁଷ୍ଠାନ ଭୁବନେଶ୍ୱର, କେନ୍ଦୁଝର ଓ ଭବାନୀପାଟଣାଠାରେ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦେବାର ସମୟ ଆସିଛି।

ବିଦ୍ୟାଧର ମହାରଣା
ଭୁବନେଶ୍ୱର, ମୋ:୯୪୩୭୦୭୧୧୯୦