ଭୂମି ଓ ଭୂମାର ଭବିଷ୍ୟତ
ଭୂମି ଓ ପୃଥିବୀର ଜନ୍ମ ପ୍ରାୟତଃ ୪.୫ ବିଲିୟନ ବର୍ଷ ପୂର୍ବରୁ ବୋଲି ଜଣାଯାଏ। ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଭୂବିଜ୍ଞାନୀମାନେ ଏହା ଉପରେ ଗଭୀର ଅନୁଧ୍ୟାନ କରି ନ ଥିଲେ। ଧର୍ମଗ୍ରନ୍ଥକୁ ବିଶ୍ୱାସ କରି ଇଂରେଜମାନେ ପୃଥିବୀର ଜନ୍ମ ଛଅହଜାର ବର୍ଷ ପୁରୁଣା ବୋଲି କହୁଥିଲେ, ଯାହାକି ଅବିଶ୍ୱସନୀୟ। ଭୂମା ବା ମହାଶୂନ୍ୟର ସୃଷ୍ଟି ନିଶ୍ଚେ ମାନବର ଆକଳନର ବାହାରେ। ତଥାପି ଜ୍ୟୋତିର୍ବିଜ୍ଞାନୀଙ୍କର ମତଭିନ୍ନତା ଭିତରେ ପ୍ରଥମ ମହାକାଶ ବୟସ ଓ ଦ୍ୱିତୀୟ ମହାକାଶ ବୟସର ବିଭକ୍ତିକରଣ […]

ଭୂମି ଓ ପୃଥିବୀର ଜନ୍ମ ପ୍ରାୟତଃ ୪.୫ ବିଲିୟନ ବର୍ଷ ପୂର୍ବରୁ ବୋଲି ଜଣାଯାଏ। ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଭୂବିଜ୍ଞାନୀମାନେ ଏହା ଉପରେ ଗଭୀର ଅନୁଧ୍ୟାନ କରି ନ ଥିଲେ। ଧର୍ମଗ୍ରନ୍ଥକୁ ବିଶ୍ୱାସ କରି ଇଂରେଜମାନେ ପୃଥିବୀର ଜନ୍ମ ଛଅହଜାର ବର୍ଷ ପୁରୁଣା ବୋଲି କହୁଥିଲେ, ଯାହାକି ଅବିଶ୍ୱସନୀୟ। ଭୂମା ବା ମହାଶୂନ୍ୟର ସୃଷ୍ଟି ନିଶ୍ଚେ ମାନବର ଆକଳନର ବାହାରେ। ତଥାପି ଜ୍ୟୋତିର୍ବିଜ୍ଞାନୀଙ୍କର ମତଭିନ୍ନତା ଭିତରେ ପ୍ରଥମ ମହାକାଶ ବୟସ ଓ ଦ୍ୱିତୀୟ ମହାକାଶ ବୟସର ବିଭକ୍ତିକରଣ ହୋଇଛି ଊନବିଂଶ ଶତାବ୍ଦୀରେ। ଭୂମି ଓ ଭୂମାର ବୈଜ୍ଞାନିକ ଅନୁଶୀଳନକୁ ଏଇଥି ପାଇଁ ଏବେ ଗୁରୁତ୍ୱ ଦିଆଯାଉଛି ଯେ ଏହାର ସ୍ଥାୟିତ୍ୱ ଏକ ପ୍ରଶ୍ନବାଚୀ, ଏହାର ସମ୍ପର୍କ ଏକ ବିତର୍କ ଏବଂ ମାନବ ସମାଜର ଭବିଷ୍ୟତ ଏହା ଉପରେ ନିର୍ଭରଶୀଳ।
ଏମିତିରେ ବିଶ୍ୱ ବ୍ରହ୍ମାଣ୍ଡର ବୟସ ୧୩.୮ ବିଲିୟନ ବର୍ଷ କୁହାଗଲେ ମଧ୍ୟ ଏହା ଏକ ଅନୁମାନ। ଏଥିରେ ଅନିଶ୍ଚିତତାର ସଂଖ୍ୟା ହେଉଛି ୨୦୦ ବିଲିୟନ ବର୍ଷ। ୧୯୯୯ ମସିହା ପୂର୍ବରୁ ୭ ରୁ ୨୦ ବିଲିୟନ ବର୍ଷ ବୟସ୍କ ବୋଲି ଧରାଯାଉଥିବା ପୃଥିବୀର ବୟସ ଆଜି ଦିନରେ ୧୩.୭ ବିଲିୟନ ବର୍ଷ ପୁରୁଣା ବୋଲି କୁହାଯାଉଛି। ଏହା ହିଁ ଭୂମି ଓ ଭୂମା ସୃଷ୍ଟିର ଅତୀତ। ଏହାର ଅବତାରଣା ନିଶ୍ଚେ ତା’ର ଭବିଷ୍ୟତକୁ ଆକଳନ କରିବାରେ ସାହାଯ୍ୟ କରିବ। ଭୂମିରେ କେବଳ ଜୀବନ ସଞ୍ଚରିତ ବୋଲି ଜଣାଯାଏ ଏ ପର୍ଯ୍ୟନ୍ତ। ପୃଥିବୀର ୭୦.୮ ଭାଗ ଜଳ ଓ ୨୯.୨ ଭାଗ ଭୂମି ବା ମାଟି। ଏହି ମାଟିର ଅଧିକାଂଶ ପୁଣି ସନ୍ତସନ୍ତିଆ। ଜଳ କଥାକୁ ଆସିଲେ ମେରୁ ଅଂଶରେ ଥିବା ହିମ ମରୁଭୂମିରେ ଥିବା ଜଳ ସବୁଠାରୁ ବେଶୀ। ଏପରିକି ଏହାର ଉପରି ଭାଗରେ ଥିବା ଜଳ ପୃଥିବୀର ସମୁଦାୟ ସମୁଦ୍ର, ନଦୀ, ହ୍ରଦ, ଭୂତଳଜଳ ଏପରିକି ବାୟୁମଣ୍ଡଳରେ ଥିବା ଜଳୀୟକଣାର ସମଷ୍ଟିଠାରୁ ମଧ୍ୟ ଅଧିକ। ଏଠାରେ ପ୍ରଶ୍ନ ଉଠେ ଏହି ହିମଗିରିର ବରଫ ଯଦି ସମ୍ପୂର୍ଣ୍ଣ ତରଳି ଯାଏ ତେବେ ଭୂମିର ଭବିଷ୍ୟତ କ’ଣ ହେବ?
ଆକାଶରେ ପ୍ରତୀୟମାନ ସୂର୍ଯ୍ୟଠାରୁ ଦୂରତାରେ ତୃତୀୟ ଗ୍ରହ ହେଉଛି ପୃଥିବୀ। ସୂର୍ଯ୍ୟରେ ଘଟୁଥିବା ଅନ୍ତଃଝଡ଼ରେ ନିଶ୍ଚେ ପ୍ରଭାବିତ ଆମ ଭୂମି। ଏହାର କାରଣ ହୁଏତ ଅବାଞ୍ଛିତ ଅଥଚ ସ୍ୱତଃପ୍ରକ୍ରିୟା। କିନ୍ତୁ ମାନବ ହାତରେ ଥିବା ରକ୍ଷଣାବେକ୍ଷଣର ଦାୟିତ୍ୱ ଠିକ୍ ଭାବରେ ପ୍ରତିପାଦିତ ହେଉଛି ତ? ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ ନିଜେ ମନୁଷ୍ୟ ହିଁ ଭୂମି ଓ ଭୂମାର ସହନଶକ୍ତିକୁ ଦୁର୍ବଳ କରିଦେଉଛି। ଭୂମି ଉପରେ ଥିବା ବାୟୁମଣ୍ଡଳ ଯଦିଓ ଅଦୃଶ୍ୟ, ତଥାପି ଦୃଶ୍ୟମାନ ତା’ର ଚଳନ, ତା’ର ଦହନ, ତାର ଗମନ ଓ ଶୋଷଣ। ଚଳନ, ଯେପରିକି ବୃକ୍ଷଲତାର ପତ୍ରର ହଲିବା, ମେଘପୁଞ୍ଜର ଗତି, ତା’ର ଦହନର ପ୍ରମାଣ ମରୀଚିକା, ଗମନର ପ୍ରମାଣ ନିର୍ଦ୍ଧାରଣ ଦିଗକୁ ବହିବା ଏବଂ ଶୋଷଣର ପ୍ରମାଣ ସରଳ ସୂର୍ଯ୍ୟରଶ୍ମୀ, ବାଷ୍ପର ଊର୍ଦ୍ଧ୍ବଗମନ। ଏହାସହିତ ଘୂର୍ଣ୍ଣନର ପ୍ରମାଣ ଖଣ୍ଡିଆଭୂତ। ଭୂମି ଓ ଭୂମା ମଧ୍ୟରେ ଥିବା ସ୍ତରସ୍ତରରେ ବାୟୁମଣ୍ଡଳ ବାସ୍ତବିକ ସ୍ୱରୂପର ସ୍ୱଚ୍ଛ। କିନ୍ତୁ ଏହାର ଧାରଣର ପ୍ରକାର ଭିନ୍ନ ଭିନ୍ନ। ଜଳ କଣିକା ଧାରଣ ସକାରାତ୍ମକ ଓ ଧୂଳି ଧୂଆଁର ଧାରଣ ନକାରାତ୍ମକ।
ବର୍ତ୍ତମାନର ଚିନ୍ତା ପ୍ରଦୂଷଣ ଓ ତାପମାତ୍ରା ବୃଦ୍ଧି। ବ୍ଲଟିଂପେପର ସିନା ଧୂଳିକୁ ଗିଳି ପାରିବ, ମାତ୍ର ପ୍ଲାଷ୍ଟିକ ବର୍ଜ୍ୟ ଓ ଆବର୍ଜନାକୁ ଶୋଷିବାକୁ କଷ୍ଟ, ହଜମ କରିବା ବି ଦୁରୁହ ବ୍ୟାପାର। ଆମ କଳକାରଖାନାର ଧୂଆଁ, ଯାନବାହନରୁ ନିର୍ଗତ ଧୂଆଁ ଇତ୍ୟାଦି ବାୟୁମଣ୍ଡଳର ତାପ ବଢ଼଼ାଇବା ସଂଗେ ସଂଗେ ସୂର୍ଯ୍ୟରଶ୍ମୀ ଛାଣିବାର କ୍ଷମତାକୁ ହ୍ରାସ କରୁଛି। ପୁଣି ନାଳ ନର୍ଦ୍ଦମାଠାରୁ କଳକାରଖାନାର ଦୂଷିତ ଜଳ ଭୂମି ଓ ଭୂତଳ ଜଳକୁ ପ୍ରଦୁଷିତ କରି ସେମାନଙ୍କର ପ୍ରାକୃତିକ ଶକ୍ତିକୁ ହ୍ରାସ କରିଦେଉଛି। ମାନବ ନିଜର କାର୍ଯ୍ୟସିଦ୍ଧି ପାଇଁ ଜଳ, ବାୟୁ ଓ ମାଟିର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। କିନ୍ତୁ ପ୍ରକାରାନ୍ତରେ ନିଜର ହିଁ କ୍ଷତି କରିଚାଲୁଛି।
ସାରା ଭୂମା ବା ଆକାଶକୁ ଆମେ ରକେଟ୍, ଉପଗ୍ରହ, ମହାକାଶଯାନ ପ୍ରକ୍ଷେପଣ ଦ୍ୱାରା ନିଶ୍ଚେ ତା’ର ପ୍ରାକୃତିକ ଅବସ୍ଥାରେ ବାଧା ସୃଷ୍ଟି କରୁଛନ୍ତି। ଏବେ ନିର୍ଦ୍ଦିଷ୍ଟ ଆକର୍ଷଣକୁ ବିକର୍ଷଣରେ ପରିଣତ କରିବା ଏକ ଚିନ୍ତାର ବିଷୟ। ସୌରମଣ୍ଡଳରେ କୃତ୍ରିମଝଡ଼ର ବାତାବରଣ ନିଶ୍ଚେ ଆକାଶକୁ, ଭୂମାକୁ ଓ ବ୍ରହ୍ମାଣ୍ଡକୁ ଅସ୍ଥିର କରୁଛି। ଜୀବନଧାରଣ ପାଇଁ ଆବଶ୍ୟକ ଭୂମି ଜଳବାୟୁ ଯଦି ଶୁଦ୍ଧ ନ ହେବ, ତେବେ ଆମେ ଓ ଆମ ଜୀବଜଗତ ଅକର୍ମଣ୍ୟ ଅଥବା ଲୋପ ପାଇଯିବ। ପୃଥିବୀର ଉତ୍ତାପ ବଢ଼଼ିବାର ଅର୍ଥ ଜଳମଗ୍ନ ହୋଇଯିବା। ମେରୁ ମରୁଭୂମିର ବରଫ ତରଳିବାକୁ ଆରମ୍ଭ କଲେ ଯେଉଁ ସତୁରୀ ଭାଗ ଜଳ ଉପରିସ୍ତରରେ ଅଛି, ତାହା ସମଗ୍ର ପୃଥିବୀକୁ କବଳିତ କରିବ ଏବଂ ଭୂମିର ସତ୍ତା ରହିବ ନାହିଁ। ଏହା ହିଁ ସତ୍ୟ। କାରଣ ଏହି ସତୁରୀ ଭାଗ ଜଳ କେବଳ ତରଳ ଅବସ୍ଥାରେ ନାହିଁ। ସରଳ ଭାବରେ କହିଲେ ବରଫ ହୋଇଥିବା ଓ ବାଷ୍ପ ଆକାରରେ ରହିଥିବା ଜଳ ଯଦି ତରଳ ଅବସ୍ଥାକୁ ଆସିଯାଏ, ତେବେ ଭୂମିର ମାଟି ମିଳେଇଯିବ।
ଏଠାରେ ଆମେ ପୌରାଣିକ କଥାବସ୍ତୁକୁ ଆସିବା। ପ୍ରଳୟର ଅର୍ଥ ସାରା ପୃଥିବୀ ଜଳମଗ୍ନ ହୋଇଯିବ। ପୃଥିବୀ ଉପରେ ଜଳ, ଭିତରେ ଜଳ, ଏପରି ଯଦି ସବୁ ଜଳ ଏକତ୍ରିତ ହୋଇଯାଏ, ତା’ ହେଲେ ପ୍ରଳୟର ଅବସ୍ଥା। ଏମିତିରେ ମାଟି ଉପରେ ମଣିଷର କାର୍ଯ୍ୟକଳାପ ଯଦି ଅସନ୍ତୁଳିତ, ତେବେ ଆଗ୍ନେୟଗିରିର ଉଦ୍ଗୀରଣ ଅବଶ୍ୟମ୍ଭାବୀ। ପ୍ରଳୟ ଏକ ଅନିୟନ୍ତ୍ରିତ ଅବସ୍ଥା, ଯାହାକୁ ମାନବ ନିଜ ନିୟନ୍ତ୍ରଣରେ ରଖି ନ ପାରେ। ସେହିପରି ଭୂମାରେ ଅମ୍ଳଜାନର ସ୍ତର ଅହିତକାରୀ ରାସାୟନିକ ବାଷ୍ପ ଦ୍ୱାରା ପ୍ରଭାବିତ। ପ୍ରଦୂଷଣ ବୋଇଲେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଆବର୍ଜନା, ଧ୍ୱନି ପ୍ରଦୂଷଣ, ପ୍ଲାଷ୍ଟିକ ପ୍ରଦୂଷଣ, ମାଟି ପ୍ରଦୂଷଣ, ବିଷାକ୍ତକରଣ ବିକିରଣ, କଳକାରଖାନା ଜ୍ୱଳନର ପ୍ରଦୂଷଣ, ଆଲୋକ ପ୍ରଦୂଷଣ ଓ ଦୃଷ୍ଟି ପ୍ରଦୂଷଣ।
ମନୁଷ୍ୟକୃତ ପ୍ରଦୂଷଣ ହିଁ ଭୂମିର ଆୟୁଷ କ୍ଷୟ କରିଚାଲିଛି, ବାୟୁର ଆକାର ଓ ପ୍ରକାରକୁ ପ୍ରଭାବିତ କରିଛି। ପୁଣି ଜଳକୁ ଦୂଷିତ କରୁଛି। ଫଳତଃ ଆକାଶରୁ ସୌରଶକ୍ତିର କୁପ୍ରଭାବକୁ ପ୍ରତିହତ କରିବାରେ ପୃଥିବୀ ବିଫଳ ହେଉଛି। ପ୍ରାକୃତିକ ନିୟମରେ ବାଧା ସୃଷ୍ଟି କଲେ, କୃତ୍ରିମତା ମାତ୍ରା ବଢ଼଼ିଲେ, ମାନବ ସମାଜର ଅସ୍ତିତ୍ୱ ଲୋପ ପାଇଯିବ। ତତ୍ ସଂଗେ ସଂଗେ ସମସ୍ତ ଜୀବଜଗତ ମଧ୍ୟ ପ୍ରଭାବିତ ହେବ। ଜଙ୍ଗଲକୁ ନଷ୍ଟ କରି ଜଳକୁ ପ୍ରଦୂଷିତ କରି, ଜମିକୁ ବିଷାକ୍ତ କରି କୌଣସି ଜୀବନର ସ୍ଥାୟିତ୍ୱ ଆସିବ ହିଁ ନାହିଁ।
ଅନେକ ସମୟରେ ଅଦୃଶ୍ୟ ହାନିକାରକ ଜୀବାଣୁର ଉତ୍ପତ୍ତି ଓ ସେମାନଙ୍କର କାୟା ପରିବର୍ତ୍ତନ ନିଶ୍ଚେ ଆମର ଅପରିଣାମଦର୍ଶିତାର ପରିଣତି। ଆମର ପ୍ରଦୂଷଣ, ସେମାନଙ୍କର ଅଭ୍ୟୁଦୟର କାରଣ। ସେ କରୋନା ଭୂତାଣୁ ହେଉ କି ଏବେକାର ନୂଆ ନୂଆ ଭୂତାଣୁର ସ୍ଥିତି କେବଳ ପ୍ରଦୂଷଣର ଫଳାଫଳ। ଅସଲରେ ଭୂମାର ଭବିଷ୍ୟତ କ’ଣ ଓ ଭୂମିର ଭବିଷ୍ୟତ କ’ଣ ବୋଲି ପ୍ରଶ୍ନ ମନକୁ ଆସେ। ଭୂମା ଏତେ ବିଶାଳ ଯେ ତା’ର ଭବିଷ୍ୟତ ହୁଏତ ମାନବ ହାତରେ ନାହିଁ। କିନ୍ତୁ ଭୂମିର ଭବିଷ୍ୟତ ଯେ ଅନ୍ଧାର, ତାହା ଜଳଜଳ ଦିଶୁଛି। ଯେହେତୁ ଭୂମି ଓ ପୃଥିବୀ ସୌରମଣ୍ଡଳ ବା ଭୂମାର ଅଂଶବିଶେଷ, ସେହି କାରଣରୁ ଏହାର କୁପ୍ରଭାବ ମଧ୍ୟ ଭୂମା ଉପରେ ପଡ଼ିବ।
ସାମାଜିକ ବିଧିବ୍ୟବସ୍ଥାରେ ମନୁଷ୍ୟ ନିଜର ମାତାଙ୍କୁ ଭୂମି ସହିତ ଓ ପିତାଙ୍କୁ ଭୂମା ସହିତ ତୁଳନା କରେ। ଏବେକାର ସାଂସ୍କୃତିକ ଅବକ୍ଷୟରେ ପ୍ରଭାବିତ ସେହି ପିତା ଓ ମାତା। ଏହା ଏକ ବିଡ଼ମ୍ବନାର ବିଷୟ ଯେ ବୃଦ୍ଧ ବା ବୟୋଜ୍ୟେଷ୍ଠ ପିତାମାତାଙ୍କୁ ଅଣହେଳା କରିବା ଏକ ଅଘୋଷିତ ନିୟମ ହୋଇଗଲାଣି। ଅପସଂସ୍କୃତି ଏକ ପ୍ରଦୂଷଣ। ଏକ ମହାନ ସମ୍ପର୍କକୁ ଆମେ ଫୁ କରିଚାଲିଲେ ଆମ ସଂସାରରେ ଭୂମା ଓ ଭୂମି ନିଶ୍ଚିତ ଜୀବନଯୁଦ୍ଧରେ ଆହତ ହେବେ। ସବୁଠାରୁ ବଡ଼ କଥା ହେଉଛି ସଭ୍ୟତା ନାମରେ ଅସଭ୍ୟ ଆଚରଣ କେତେ ଦୂର ସମୀଚୀନ?
ଏବେ ଏମିତି ଏକ ଦୁଃସମୟରେ ଆମକୁ ତର୍ଜମା କରିବାକୁ ପଡ଼ିବ ଭୂମି ଓ ଭୂମା ଦୁର୍ଦ୍ଦଶାର ନିରାକରଣ ସମ୍ପର୍କରେ। ଜନନୀ ଓ ଜନ୍ମଦାତା ପରି ଭୂମି ଓ ଭୂମାଙ୍କର ଭବିଷ୍ୟତ ଯଦି ଅନ୍ଧକାର, ତେବେ ଆମର ଭବିଷ୍ୟତ ବି ଅନ୍ଧାରରେ ବୁଡ଼ିଯିବ। କାହିଁକି ଜୀବଦଶାରେ ପ୍ରଳୟକାଳକୁ ଆମନ୍ତ୍ରିତ କରିବା?
ବିଜୟ ଦାସ
ଭୁବନେଶ୍ୱର, ମୋ: ୯୩୪୮୮୯୩୭୫୨