ଘୋଷଣାକୁ ବର୍ଷେ ପୂରିବାକୁ ଯାଉଛି : ମାଗଣା ମହାପ୍ରସାଦ ବଣ୍ଟନ କେବେ?
ପୁରୀ : କେବେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ? ଗତବର୍ଷ ଅଗଷ୍ଟ ମାସରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରଦ୍ଧାଳୁଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବ ବୋଲି ଘୋଷଣା କରିଥିଲେ। ହେଲେ ମନ୍ତ୍ରୀଙ୍କ ଘୋଷଣାକୁ ଏବେ ବର୍ଷେ ପୂରିବାକୁ ଯାଉଛି। ହେଲେ ଏଯାଏଁ ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ କିଛି ସ୍ପଷ୍ଟ ହେଲାନି। କେବେଠୁ ଏବଂ କେମିତି ଶ୍ରଦ୍ଧାଳୁ ମହାପ୍ରସାଦ ପାଇବେ, ସେନେଇ ସ୍ୱତନ୍ତ୍ର ଭାବେ ବୈଠକ ବସିନାହିଁ କିମ୍ବା ଏ ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇ […]

ପୁରୀ : କେବେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ? ଗତବର୍ଷ ଅଗଷ୍ଟ ମାସରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରଦ୍ଧାଳୁଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବ ବୋଲି ଘୋଷଣା କରିଥିଲେ। ହେଲେ ମନ୍ତ୍ରୀଙ୍କ ଘୋଷଣାକୁ ଏବେ ବର୍ଷେ ପୂରିବାକୁ ଯାଉଛି। ହେଲେ ଏଯାଏଁ ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ କିଛି ସ୍ପଷ୍ଟ ହେଲାନି। କେବେଠୁ ଏବଂ କେମିତି ଶ୍ରଦ୍ଧାଳୁ ମହାପ୍ରସାଦ ପାଇବେ, ସେନେଇ ସ୍ୱତନ୍ତ୍ର ଭାବେ ବୈଠକ ବସିନାହିଁ କିମ୍ବା ଏ ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇ ନଥିବା ଜଣାପଡ଼ିଛି।
ଶ୍ରୀମନ୍ଦିରକୁ ଦୈନିକ ହଜାରହଜାର ଶ୍ରଦ୍ଧାଳୁ ଆସିଥା’ନ୍ତି। ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିସାରିବା ପରେ ପ୍ରାୟ ପ୍ରତ୍ୟେକଙ୍କ ମହାପ୍ରଭୁଙ୍କ ମହାପ୍ରସାଦ ପାଇବାକୁ ଇଚ୍ଛା ଥାଏ। ହେଲେ ସମସ୍ତେ ଆନନ୍ଦ ବଜାରରୁ ଅବଢ଼ା କିଣି ଖାଇବାକୁ ସମର୍ଥ ହୋଇନଥା’ନ୍ତି। କିଏ ଆର୍ଥିକ ଦୃଷ୍ଟିକୋଣରୁ ତ ଆଉ କେହି ସମୟ ଅଭାବରୁ ଦର୍ଶନ ସାରି ଫେରିଯାଆନ୍ତି। ତେଣୁ ମହାପ୍ରସାଦ ପାଇବା ପାଇଁ ଆଶା ରଖିଥିବା ଶ୍ରଦ୍ଧାଳୁଙ୍କୁ ମାଗଣାରେ କଣିକାଏ ଅବଢ଼ା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଥିଲା। ୨୦୧୬ ମସିହା ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲା ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ। ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ମିଳିତ ସହଯୋଗରେ ବାଇଶି ପାହାଚରେ ଦୁଇ ବଡ଼ ଆଟିକାରେ ପ୍ରତ୍ୟହ ଏହି ମହାପ୍ରସାଦ ବଣ୍ଟନ କରାଯାଉଥିଲା। ଆନନ୍ଦ ବଜାରରୁ ଅବଢ଼ା କିଣି ନପାରିଲେ ମଧ୍ୟ ଭକ୍ତମାନେ କଣିକାଏ ଲେଖାଏଁ ମହାପ୍ରସାଦ ପାଇ ଆନନ୍ଦ ମନରେ ଫେରୁଥିଲେ। ପ୍ରାୟ ୮ବର୍ଷ ହେବ ବନ୍ଦ ରହିଛି ଏହି ମାଗଣା ମହାପ୍ରସାଦ ବଣ୍ଟନ। ପୁଣି ଏହି ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଗତବର୍ଷ ଘୋଷଣା କରିଥିଲେ ଆଇନ ମନ୍ତ୍ରୀ।
ଗତବର୍ଷ ଅଗଷ୍ଟରେ ପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ମାଗଣା ମହାପ୍ରସାଦ ମିଳିବ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ଏହା ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ମିଳିବ। ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ଯୋଜନା କରାଯାଉଛି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ଏ ବାବଦରେ ୧୪ରୁ ୧୫କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନିଆଯିବ। ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରିବେ। ଏଥିଲାଗି ଭକ୍ତ ସମାଜକୁ ଅନୁରୋଧ କରିଛୁ, ଅନେକ ଭକ୍ତ ଆସି ସହଯୋଗର ହାତ ବି ବଢ଼ାଇଛନ୍ତି। କାର୍ତ୍ତିକ ମାସ ପରେ ଏହି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଥିଲେ ଆଇନ ମନ୍ତ୍ରୀ। ହେଲେ ମନ୍ତ୍ରୀ କଥା ଦେଇଥିବା କାର୍ତ୍ତିକ ଯାଇ ଆଉ ଗୋଟିଏ କାର୍ତ୍ତିକ ମାସ ଆସିବାକୁ ବସିଛି। ଏପର୍ଯ୍ୟନ୍ତ ମାଗଣା ମହାପ୍ରସାଦ ବଣ୍ଟନର ରୂପରେଖ କିଛି ସ୍ପଷ୍ଟ ହୋଇନି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇନାହିଁ। ପୁରୁଣା କମିଟିର କାର୍ଯ୍ୟକାଳ ପ୍ରାୟ ୧୦ମାସ ହେଲା ପୂରିଗଲାଣି। ନୂଆ କମିଟି କେବେ ଗଠନ କରାଯିବ ସେନେଇ କୌଣସି ସ୍ପଷ୍ଟତା ନାହିଁ। ଏଭଳି ସ୍ଥିତିରେ ମନ୍ତ୍ରୀଙ୍କ ଘୋଷଣା କେବେଠାରୁ କାର୍ଯ୍ୟକାରୀ ହେବ, ତାକୁ ନେଇ ସନ୍ଦେହ ଦେଖାଦେଇଛି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁମାନେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଭକ୍ତ ବାବୁଲି ମହାନ୍ତି କହିଛନ୍ତି, ମନ୍ତ୍ରୀ ଯେଉଁ ଢଙ୍ଗରେ ଘୋଷଣା କରିଥିଲେ, ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ସେହିପରି ଭାବେ ଉଦ୍ୟମ କରିନାହାନ୍ତି। କେବଳ ଘୋଷଣା କରିଦେଲେ ହେବ ନାହିଁ, ଏହା କିପରି ବାସ୍ତବତାର ରୂପ ନେବ ସେ ଦିଗରେ ପଦକ୍ଷେପ ନେବା ଦରକାର।