ଚର୍ଚ୍ଚାରେ ରାଜଧାନୀର କୁନି ବୈଜ୍ଞାନିକ

ଗର୍ଭବତୀ ମହିଳାଟିଏ କିଭଳି ବସ୍‌ରେ ସୁରକ୍ଷିତ ଭାବେ ଯାତ୍ରା କରିପାରିବ, ସେଥିପାଇଁ ରିଷିତା ତିଆରି କରିଛନ୍ତି ଏକ ଡିଭାଇସ୍। ଯାହାକୁ ପ୍ରତି ବସ ଷ୍ଟପରେ ଖଞ୍ଜାଯିବ।

ଚର୍ଚ୍ଚାରେ ରାଜଧାନୀର କୁନି ବୈଜ୍ଞାନିକ

କୁହାଯାଏ, ଆବଶ୍ୟକତା ହିଁ ଉଦଭାବନର ଜନନୀ। ଏଠି କିନ୍ତୁ ଜଣେ ମାଆର ଯନ୍ତ୍ରଣାକୁ ସହିନପାରି କୁନି ବୈଜ୍ଞାନିକ ବାହାର କଲେ ବଡ଼ ବାଟ। ଆଉ ତିଆରି କଲେ ଏମିତି ଏକ ଡିଭାଇସ୍, ଯାହାକୁ କେବଳ ନିଜ ସହର କି ରାଜ୍ୟ ନୁହେଁ, ବରଂ କେନ୍ଦ୍ରସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଇଛି। ଆସନ୍ତୁ ଜାଣିବା କିଏ ସେ କୁନି ବୈଜ୍ଞାନିକ? କଣ ତାଙ୍କର ଉଦଭାବନ?

ସିଏ ହେଉଛନ୍ତି ରିଷିତା ସାମନ୍ତରାୟ। ରାଜଧାନୀ ଭୁବନେଶ୍ୱରରେ ନବମ ଶ୍ରେଣୀରେ ପଢୁଛନ୍ତି। ସେ ଏବେ ଜାତୀୟ ସ୍ତରରେ ଚର୍ଚ୍ଚାରେ ଅଛନ୍ତି। ନିଜ ଦ୍ୱାରା ନିର୍ମିତ ଏକ ଡିଭାଇସକୁ ନେଇ ସେ ଚର୍ଚ୍ଚାରେ। ଗର୍ଭବତୀ ମହିଳାଟିଏ କିଭଳି ବସ୍‌ରେ ସୁରକ୍ଷିତ ଭାବେ ଯାତ୍ରା କରିପାରିବ, ସେଥିପାଇଁ ରିଷିତା ତିଆରି କରିଛନ୍ତି ଏକ ଡିଭାଇସ୍। ଯାହାକୁ ପ୍ରତି ବସ ଷ୍ଟପରେ ଖଞ୍ଜାଯିବ। ଯାହାଫଳରେ ଗର୍ଭବତୀ ମହିଳାଟିଏ ଉପକୃତ ହୋଇପାରିବ। ଏହି କୃତିତ୍ୱ ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ କୌଶଳ ମନ୍ତ୍ରାଳୟ ପକ୍ଷରୁ ରିଷିତାଙ୍କୁ ଦିଆଯାଇଛି ଏପିଜେ ଅବଦୁଲ କଲାମ ପୁରସ୍କାର। ଏହାସହ ଅନେକ ରାଜ୍ୟସ୍ତରୀୟ ପୁରସ୍କାର ଜିତିଛନ୍ତି ସେ।

ଡିଭାଇସ୍ ସମ୍ପର୍କରେ ରିଷିତା ସାମନ୍ତରାୟଙ୍କ କହିବା କଥା, ଯେତେବେଳେ ଗର୍ଭବତୀ ମହିଳାମାନେ ବସ୍‌ରେ ଯାତ୍ରା କରନ୍ତି, ସେତେବେଳେ ସେମାନଙ୍କ ପାଇଁ ହମ୍ପ୍ସ ରାସ୍ତା ସୁରକ୍ଷିତ ନୁହେଁ। ମିସ୍‌କେରେଜ ହେବାର ଭୟ ଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ମୁଁ ଗୋଟିଏ ଡିଭାଇସ୍‌ ତିଆରି କରିଛି। ସେହି ଡିଭାଇସ୍‌ଟି ପ୍ରତି ବସ୍‌ଷ୍ଟପ୍‌ରେ ଇନ୍‌ଷ୍ଟଲ ହେଲେ ଷ୍ଟାଣ୍ଡରେ ଅପେକ୍ଷା କରିଥିବା ଗର୍ଭବତୀଙ୍କ ସମ୍ପର୍କରେ ବସ୍‌ ଡ୍ରାଇଭର ଓ ହେଲ୍‌ପରଙ୍କ ପାଖକୁ ସୂଚନା ଯିବ। ତା’ପରେ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଧୀରେଧୀରେ ବସ୍‌ ଚଲାଇବେ। ଆଉ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବେ ବୋଲି ରିଷିତା କହିଛନ୍ତି।

ରିଷିତାଙ୍କ ଏହି ଡିଭାଇସ୍ ପଛରେ ରହିଛି ଏକ ମାଆର କରୁଣ କାହାଣୀ। ତାଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କ ଝିଅ ଗର୍ଭବତୀ ଥିବା ସମୟରେ ବସରେ ଯିବାଆସିବା ଯୋଗୁ ବାରମ୍ବାର ଗର୍ଭପାତ ହୋଇଥିଲା। ଏହା ଜାଣିବା ପରେ ରିଷିତା ଏଭଳି ଏକ ଡିଭାଇସ୍ ତିଆରି କରିବାକୁ ଚିନ୍ତା କରିଥିଲେ।