ଚିକିତ୍ସା ଅଭାବରୁ ଆଖି ବୁଜିଲେ ପ୍ରସୂତି-ଶିଶୁକନ୍ୟା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଚିକିତ୍ସା ଅଭାବରୁ ଜଣେ ପ୍ରସୂତି ଏବଂ ଜନ୍ମିତ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜୟପୁର କଲୋନୀ ଦଳିତ ସାହିର ନମିତା ନାୟକ(୩୫) ଏବଂ ତାଙ୍କ ନବଜାତକ ଶିଶୁକନ୍ୟା । ସୂଚନାନୁଯାୟୀ, ନମିତା ଗର୍ଭବତୀ ଥିବା ବେଳେ ସାମୀ ସୁରେନ୍ଦ୍ର ନାୟକ କିଛିମାସ ପୂର୍ବେ ଦାଦନ ଶ୍ରମିକ ଭାବେ ମୁମ୍ବାଇ ଯାଇଥିଲେ। […] The post ଚିକିତ୍ସା ଅଭାବରୁ ଆଖି ବୁଜିଲେ ପ୍ରସୂତି-ଶିଶୁକନ୍ୟା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି appeared first on Dharitri Odia News.
ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଚିକିତ୍ସା ଅଭାବରୁ ଜଣେ ପ୍ରସୂତି ଏବଂ ଜନ୍ମିତ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜୟପୁର କଲୋନୀ ଦଳିତ ସାହିର ନମିତା ନାୟକ(୩୫) ଏବଂ ତାଙ୍କ ନବଜାତକ ଶିଶୁକନ୍ୟା ।
ସୂଚନାନୁଯାୟୀ, ନମିତା ଗର୍ଭବତୀ ଥିବା ବେଳେ ସାମୀ ସୁରେନ୍ଦ୍ର ନାୟକ କିଛିମାସ ପୂର୍ବେ ଦାଦନ ଶ୍ରମିକ ଭାବେ ମୁମ୍ବାଇ ଯାଇଥିଲେ। ସୋମବାର ପୂର୍ବାହ୍ନ ପ୍ରାୟ ୧୧ ଟା ରେ ନମିତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ଅଟୋ ଯୋଗେ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଉପସ୍ଥିତ ଡାକ୍ତର ଯନ୍ତ୍ରଣା ଉପଶମ ପାଇଁ ମେଡିସିନ ଦେଇଥିଲେ। କିନ୍ତୁ ଯନ୍ତ୍ରଣା କମି ନଥିଲା। ପରେ ତାଙ୍କୁ ପ୍ରସବ କରାଯାଇଥିଲା। ତାଙ୍କର ଏକ ମୃତ ଶିଶୁକନ୍ୟା ଜନ୍ମ ହେବା ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ରାତି ପ୍ରାୟ ୧୧ ଟାରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକେ ଗାଁକୁ ଖବର ଦେଇଥିଲେ। ବିଳମ୍ବିତ ରାତିରେ ମୃତଦେହ ଗାଁ ରେ ପହଞ୍ଚିବା ପରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। ଚିକିତ୍ସା ଅଭାବରୁ ଦୁଇ ଦୁଇଟି ଜୀବନ ଚାଲିଯାଇଛି। ଏହାକୁ ନେଇ ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗ ପଦସ୍ଥ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ପଞ୍ଚାୟତ ନାଏବ ସରପଞ୍ଚ ଜୟନ୍ତି ନାୟକ,ସାମାଜିକ କର୍ମୀ ରାମକୃଷ୍ଣ ନାୟକ ଏବଂ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବାହନ ଦାସଙ୍କୁ ପଚାରିବାରୁ ସୋମବାର ସେ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ଥିଲେ। ସେ ଏନେଇ କିଛି ଜାଣି ନ ଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ରର କୌଣସି କର୍ମଚାରୀ ଉକ୍ତ ଘଟଣା ସମ୍ପର୍କରେ ତାଙ୍କୁ ଜଣାଇ ନ ଥିବା କହିଛନ୍ତି।
The post ଚିକିତ୍ସା ଅଭାବରୁ ଆଖି ବୁଜିଲେ ପ୍ରସୂତି-ଶିଶୁକନ୍ୟା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି appeared first on Dharitri Odia News.