ଛତିଶଗଡ଼ରେ ବଡ଼ ଏନ୍‌କାଉଣ୍ଟର, ୮ ନକ୍ସଲ ନିହତ

ସୁକମା, ଦନ୍ତେୱାଡା, ବିଜାପୁର ଆଦି ତିନି ଜିଲ୍ଲାର ପୁଲିସ ସହିତ CRPFର କୋବ୍ରା ଜବାନମାନେ ମିଳିତ ଭାବେ ଏହି ବଡ଼ ଧରଣର ଅପରେସନ କରିଥିଲେ।

ଛତିଶଗଡ଼ରେ ବଡ଼ ଏନ୍‌କାଉଣ୍ଟର, ୮ ନକ୍ସଲ ନିହତ

ଛତିଶଗଡ଼ରେ ପୁଣି ଏକ ବଡ଼ ଏନ୍‌କାଉଣ୍ଟର। ନିହତ ହୋଇଛନ୍ତି ୮ ନକ୍ସଲ। ଗଙ୍ଗଲୁର ଥାନା ପିଡ଼ିଆ ଜଙ୍ଗଲରେ ହୋଇଛି ଏହି ଏନ୍‌କାଉଣ୍ଟର।
ରାଜ୍ୟ ପୁଲିସ ଏବଂ ସିଆର୍‌ପିଏଫ୍‌ର କୋବ୍ରା ଯବାନଙ୍କୁ ମିଳିଛି ଏହି ବଡ଼ ସଫଳତା। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି। 

ପିଡ଼ିଆ ଜଙ୍ଗଲରେ ୩୦ରୁ ୪୦ ଜଣ ନକ୍ସଲ ଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ସେମାନେ ସେଠାରେ କିଛି ଦିନ ହେବ କ୍ୟାମ୍ପ କରି ରହିଥିଲେ। ବିଶେଷ ସୂତ୍ରରୁ ଖବର ପାଇବା ପରେ ସୁକମା, ଦନ୍ତେୱାଡା ଓ ବିଜାପୁର ଆଦି ତିନି ଜିଲ୍ଲାର ପୁଲିସ ସହିତ CRPFର କୋବ୍ରା ଯବାନମାନେ ମିଳିତ ଭାବେ ଏହି ବଡ଼ ଧରଣର ଅପରେସନ କରିଥିଲେ। ବସ୍ତର ପୁଲିସ୍ ଆଇଜି ସୁନ୍ଦରରାଜ ପି. ଙ୍କ ନେତୃତ୍ୱରେ ଏହି ଅପରେସନ ହୋଇଥିଲା। ସେହିଭଳି ତିନି ଜିଲ୍ଲାର SPଙ୍କ ସମେତ ବସ୍ତର DIG ଏହି ଅପରେସନ ଉପରେ ନଜର ରଖିଥିଲେ। 

ମୃତ ନକ୍ସଲଙ୍କଠାରୁ ଅତ୍ୟାଧୁନିକ ବନ୍ଧୁକ ମିଳିଛି। ଆହୁରି ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି। ସେଥିରୁ ଅନୁମାନ କରାଯାଉଛି ଯେ ସେମାନେ କ୍ୟାଡର ନକ୍ସଲ ହୋଇଥିବେ। 

ଗତ ଏପ୍ରିଲ ୧୬ ତାରିଖରେ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟର୍‌ରେ ପ୍ରାଣ ହରାଇଥିଲେ ୨୯ ନକ୍ସଲ। ସେହି ନିହତ ନକ୍ସଲଙ୍କ ମଧ୍ୟରେ ଥିଲେ ସଂଗଠନର ଟପ କମାଣ୍ଡର ଶଙ୍କର ରାଓ। ତା’ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଗତ ଦୁଇ ତିନି ମାସ ଭିତରେ ଛତିଶଗଡ଼ରେ ଏନ୍‌କାଉଣ୍ଟରେ ପ୍ରାୟ ୮୦ ନକ୍ସଲ ନିହତ ହୋଇସାରିଲେଣି।