ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବାସଭବନରୁ ବହାରିଲା ସାପ !
ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସାପଟି ବଗିଚା ଭିତରେ ବୁଲୁଥିଲା।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବାସଭବନରେ ସାପ। ଭୁବନେଶ୍ୱର ୟୁନିଟ୍-୬ରେ ଥିବା ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଆବଣ୍ଟିତ ନୂଆ ସରକାରୀ ବାସଭବନରେ ଏବେ ନବୀକରଣ କାମ ଚାଲୁଥିବାବେଳେ ସେଠାରୁ ଏକ ସାପ ଉଦ୍ଧାର ହୋଇଛି। କ୍ୱାର୍ଟର ଭିତରେ ଥିବା କର୍ମଚାରୀ ମାନେ କବାଟ ଖୋଲିବା ବେଳକୁ ଏକ ବଡ ସାପ କବାଟ ପାଖରେ ଦେଖି ଭୟଭୀତ ହୋଇ ଯାଇଥିଲେ।
ପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସାପଟି ବଗିଚା ଭିତରେ ବୁଲୁଥିଲା। ଷ୍ଟାଫମାନେ ସାପଟିକୁ ଜଗି ରହିଥିଲେ। ସାଢେ଼ ୫ ଫୁଟ ଲମ୍ବର ଢମଣା ସାପଟିକୁ ଶୁଭେନ୍ଦୁ ମଲ୍ଲିକ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରିଥିଲେ। ପରେ ସାପଟିକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।