ଜନ୍ମଦିନ ପାର୍ଟିକୁ ଡ଼ାକି ଉଲଗ୍ନ କରି ପିଟିଲେ, ମୁହଁରେ ପରିସ୍ରା କଲେ: ଝୁଲି ପଡ଼ିଲେ ନାବଳକ

ଜଣେ ଦଳିତ ନାବାଳକକୁ ଜନ୍ମଦିନ ପାର୍ଟିକୁ ଡାକି ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି ଚାରି ଜଣ ଦୁର୍ବୃତ୍ତ।

ଜନ୍ମଦିନ ପାର୍ଟିକୁ ଡ଼ାକି ଉଲଗ୍ନ କରି ପିଟିଲେ, ମୁହଁରେ ପରିସ୍ରା କଲେ: ଝୁଲି ପଡ଼ିଲେ ନାବଳକ

ସୀମା ଟପିଲା ବର୍ବରତା। ଜନ୍ମଦିନ ପାର୍ଟିକୁ ଡାକି ଉଲଗ୍ନ କଲେ। ନିର୍ଧୁମ ମାଡ଼ ମଧ୍ୟ ମାରିଲେ। କେବଳ ଏତିକିରେ ମନ ଭରିଲାନି, ଦଳିତ ନାବାଳକଙ୍କ ମୁହଁରେ ପରିସ୍ରା ମଧ୍ୟ କଲେ। ଏହି ପୂରା ଘଟଣାର ଭିଡିଓ କରି ଭାଇରଲା କରିବୁ ଧମକ ଦେଲେ। ଶେଷରେ ଏସବୁ ସହିନପାରି ଝୁଲି ପଡିଲେ ନାବାଳକ। ଏଭଳି କିଛି ବର୍ବର କାଣ୍ଡ ଘଟିଛି ଉତ୍ତରପ୍ରଦେଶରେ।

ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାର କପ୍ତାନଗଞ୍ଜ ଥାନା ଅଞ୍ଚଳର କୋଝଲପୁରା ଗାଁ। ଏଠାକର ଜଣେ ୧୭ ବର୍ଷୀୟ ନାବାଳକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କ ଆତ୍ମହତ୍ୟା କରିବା ପଛର କାରଣ ଏବେ ସମସ୍ତଙ୍କୁ ଚକିତ କରିଦେଇଛି।

ଡିସେମ୍ବର ୨୦-୨୧ ରାତିରେ ଉକ୍ତ ନାବାଳକଙ୍କୁ ତାଙ୍କର ଜଣେ ସାଙ୍ଗ ଫୋନ୍‌ କରି ଜନ୍ମଦିନ ପାର୍ଟିକୁ ଡାକିଥିଲେ। ସେଠାରେ ନାବାଳକ ପହଞ୍ଚିବା ପରେ ପାର୍ଟିରେ କେବଳ ୪ ଜଣ ଯୁବକ ଥିଲେ। ପ୍ରଥମେ ଏମାନେ ନାବାଳକଙ୍କୁ ଉଲଗ୍ନ କରି ନିର୍ଧୁମ ମାଡ଼ ମାରିଥିଲେ ଏହାପରେ ତାଙ୍କ ମୁହଁରେ ପରିସ୍ରା କରିଥିଲେ। କେବଳ ସେତିକି ନୁହେଁ ଏହି ପୂରା ଘଟଣା ଭିଡିଓ ମଧ୍ୟ ରେକର୍ଡିଂ କରିଥିଲେ। ଯଦି ସେ ଏ ବିଷୟରେ କାହାକୁ କୁହେ ତେବେ ଭାଇରାଲ କରି ଦେବାକୁ ଧମକ ଦେଇଥିଲେ।

ଘରକୁ ଫେରି ନାବାଳକ ଜଣକ ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ପରେ ଏସବୁ ସହି ନପାରି ୧୭ ବର୍ଷୀୟ ନାବାଳକ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୂରା ଗାଁରେ ଉତ୍ତେଜନା ଦେଖାଦେଇଛି। ମାମଲା ରୁଜୁ କରିବାକୁ ମନା କରିବାରୁ ମୃତଦେହ ରଖି ଥାନା ସାମ୍ନାରେ ପରିବାର ଲୋକେ ଧାରଣା ଦେଇଛନ୍ତି। ପରେ ପୁଲିଲ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।