ଜଳାତଙ୍କ କ’ଣ, ଏହା କିପରି ବ୍ୟାପେ ଜାଣନ୍ତୁ…

‘ଓ୍ବାଲର୍‌ଡ ରାବିଜ୍‌ ଡେ’ ବା ବିଶ୍ୱ ଜଳାତଙ୍କ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖରେ ପାଳନ କରାଯାଇଥାଏ। ଏହି ଦିନ ଜଳାତଙ୍କର ପ୍ରତିଷେଧକ ଟିକା ଉଦ୍ଭାବନ କରିଥିବା ଲୁଇ ପାଶ୍ଚରଙ୍କ ପରଲୋକ ଘଟିଥିଲା। ଏହି ଦିବସରେ ବିଭିନ୍ନ ଗଣମାଧ୍ୟମ ଏବଂ ଅନୁଷ୍ଠାନ ମାଧ୍ୟମରେ ଜନସାଧାରଣଙ୍କୁ ଉକ୍ତ ରୋଗର କାରଣ ଓ ନିରାକରଣର ଉପାୟ ତଥା ଚିକିତ୍ସା ବିଷୟରେ ଅବଗତ କରାଯାଇଥାଏ। ତେବେ ଚଳିତ ବର୍ଷ ପାଇଁ ବିଶ୍ୱ ଜଳାତଙ୍କ ଦିବସର ସ୍ଲୋଗାନ ରହିଛି ‘ଜଳାତଙ୍କକୁ ନିୟନ୍ତ୍ରଣରେ ରଖିବା’। […] The post ଜଳାତଙ୍କ କ’ଣ, ଏହା କିପରି ବ୍ୟାପେ ଜାଣନ୍ତୁ… appeared first on Dharitri Odia News.

ଜଳାତଙ୍କ କ’ଣ, ଏହା କିପରି ବ୍ୟାପେ ଜାଣନ୍ତୁ…

‘ଓ୍ବାଲର୍‌ଡ ରାବିଜ୍‌ ଡେ’ ବା ବିଶ୍ୱ ଜଳାତଙ୍କ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖରେ ପାଳନ କରାଯାଇଥାଏ। ଏହି ଦିନ ଜଳାତଙ୍କର ପ୍ରତିଷେଧକ ଟିକା ଉଦ୍ଭାବନ କରିଥିବା ଲୁଇ ପାଶ୍ଚରଙ୍କ ପରଲୋକ ଘଟିଥିଲା। ଏହି ଦିବସରେ ବିଭିନ୍ନ ଗଣମାଧ୍ୟମ ଏବଂ ଅନୁଷ୍ଠାନ ମାଧ୍ୟମରେ ଜନସାଧାରଣଙ୍କୁ ଉକ୍ତ ରୋଗର କାରଣ ଓ ନିରାକରଣର ଉପାୟ ତଥା ଚିକିତ୍ସା ବିଷୟରେ ଅବଗତ କରାଯାଇଥାଏ। ତେବେ ଚଳିତ ବର୍ଷ ପାଇଁ ବିଶ୍ୱ ଜଳାତଙ୍କ ଦିବସର ସ୍ଲୋଗାନ ରହିଛି ‘ଜଳାତଙ୍କକୁ ନିୟନ୍ତ୍ରଣରେ ରଖିବା’।

ଡାକ୍ତରମାନେ ଏହି ରୋଗକୁ ‘ହାଇଡ୍ରୋଫୋବିଆ’ ବା ‘ରାବିଜ’ ବୋଲି କହିଥାନ୍ତି। ଏହା ପଶୁଜନିତ ଏକ ଭୂତାଣୁ ରୋଗ। ଏହି ରୋଗରେ କେନ୍ଦ୍ରୀୟ ସ୍ନାୟୁ ତନ୍ତ୍ର ବା ରୋଗୀର ସୁଷୁମ୍ନା କାଣ୍ଡ ଓ ମସ୍ତିଷ୍କ ଆକ୍ରାନ୍ତ ହୋଇପଡ଼େ। ରୋଗ ହେଲେ ମୃତ୍ୟୁ ପ୍ରାୟ ନିଶ୍ଚିତ। ପୃଥିବୀର କେତେକ ରାଷ୍ଟ୍ର ଜଳାତଙ୍କରୁ ମୁକ୍ତ। କିନ୍ତୁ ଏକ ଆକଳନରୁ ଜଣାପଡିଛି, ଆମ ଦେଶରେ ପ୍ରତି ଅଧଘଣ୍ଟାରେ କେହି ନା କେହି ଜଳାତଙ୍କରେ ମୃତ୍ୟୁମୁଖରେ ପଡ଼ିଥାଆନ୍ତି।

ଜଳାତଙ୍କ କିପରି ବ୍ୟାପେ?
ମୁଖ୍ୟତଃ ପାଗଳା କୁକୁର, ବିରାଡ଼ି, ବିଲୁଆ ଓ ଗଧିଆଙ୍କ ଲାଳରେ ଏହି ଭୂତାଣୁ ରହିଥାଏ। କିନ୍ତୁ ଏହି ଜନ୍ତୁମାନେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନ ଥିଲେ ସେମାନଙ୍କ ଲାଳରେ ରୋଗର ଭୂତାଣୁ ନ ଥାଏ। ରୋଗ କରାଇବାରେ ପାଗଳା କୁକୁର ମୁଖ୍ୟତଃ ଦାୟୀ ହୋଇଥିବାରୁ ଏହି ରୋଗକୁ ସାଧାରଣ ଲୋକେ ‘କୁକୁର କାମୁଡ଼ା ରୋଗ’ ଓ ରୋଗର ପ୍ରତିଷେଧକ ଟିକାକୁ ‘କୁକୁର କାମୁଡ଼ା ଟିକା’ ବୋଲି କହିଥାନ୍ତି। ପାଗଳା କୁକୁର କାମୁଡ଼ି ରୋଗୀଠାରେ ଗଭୀର କ୍ଷତ ସୃଷ୍ଟି କରିଦେଲେ କି ନଖରେ ଆମ୍ପୁଡ଼ି ଦେଲେ କିମ୍ବା ରୋଗୀ ଶରୀରର କୌଣସି କ୍ଷତ ସ୍ଥାନକୁ ଚାଟିଦେଲେ କୁକୁରର ଲାଳରେ ଥିବା ଜଳାତଙ୍କ ଭୂତାଣୁ ସୁସ୍ଥ ଲୋକର ଦେହ ଭିତରକୁ ପ୍ରବେଶ କରିଯାଏ। ତା’ ପରେ ଭୂତାଣୁ କ୍ଷତ ସ୍ଥାନର ଉପରକୁ ଉପରକୁ ଉଠି ପହଞ୍ଚିଯାଏ ବ୍ୟକ୍ତିର ସୁଷୁମ୍ନାକାଣ୍ଡରେ ଏବଂ ମସ୍ତିଷ୍କରେ। ଶରୀରରେ ଭୂତାଣୁ ପ୍ରବେଶ କରିବାର ୧ମାସରୁ ୩ମାସ ଭିତରେ ବ୍ୟକ୍ତିଠାରେ ପ୍ରକାଶ ପାଏ ରୋଗର ଲକ୍ଷଣ। ସ୍ଥଳ ବିଶେଷରେ ଏହି ଅବଧି ହୋଇପାରେ ମାତ୍ର ସାତଦିନ। ଆଉ କାହା କାହା କ୍ଷେତ୍ରରେ ରୋଗର ଲକ୍ଷଣ ଜାତ ହେବା ନିମନ୍ତେ ଲାଗିଯାଏ ଏକାଧିକ ବର୍ଷ।

ଏହି ରୋଗକୁ କିପରି ଚିହ୍ନିବ :
ଯଦି ପ୍ରାଣୀଟି ପାଗଳା ହୋଇ ନ ଥାଏ ବା ତା’ ଲାଳରେ ଜଳାତଙ୍କ ଭୂତାଣୁ ନ ଥାଏ, ତେବେ ରୋଗ ହେବାର କୌଣସି ଆଶଙ୍କା ନାହିଁ। କିନ୍ତୁ କୁକୁର କାମୁଡ଼ା ଯୋଗୁ ବ୍ୟକ୍ତିଟି ଭୂତାଣୁ ସଂକ୍ରମିତ ହୋଇ ପଡ଼ିଥିଲେ, କେତେକ ମାମୁଲି ପ୍ରାଥମିକ ଲକ୍ଷଣ ପ୍ରକାଶ ପାଇଥାଏ। ଯେପରିକି ମୁଣ୍ଡବିନ୍ଧା, ଦେହ ଘୋଳାବିନ୍ଧା, ତଣ୍ଟିରେ ଘାଆ ଏବଂ ଦେହରେ ସାମାନ୍ୟ ଜ୍ୱର। ଏହି ଲକ୍ଷଣମାନ ମାତ୍ର ୩-୪ ଦିନ ପାଇଁ ରହେ। ଅନେକ ରୋଗୀଙ୍କ କ୍ଷେତ୍ରରେ କାମୁଡ଼ା ସ୍ଥାନରେ ଅନୁଭୂତ ହୁଏ ଯନ୍ତ୍ରଣା ଓ ଛୁଞ୍ଚି ଫୋଡ଼ି ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ପରେ ପରେ ସ୍ନାୟୁତନ୍ତ୍ରର ସମସ୍ତ ଅଂଶ ଉଦ୍ଦୀପିତ ତଥା ଉତ୍ତେଜିତ ହୋଇପଡ଼େ। ଉଚ୍ଚ ଶବ୍ଦ, ତୀବ୍ର ଆଲୋକ ଓ ଶୀତୁଆ ପବନକୁ ରୋଗୀ ସହି ପାରେନି। ଦେହରେ ପବନ ବାଜିବା ରୋଗୀକୁ ଅସହ୍ୟ ହେଉଥିଲେ ଜଳାତଙ୍କ ହୋଇଛି ବୋଲି ସନ୍ଦେହ କରିବା ଯଥେଷ୍ଟ କାରଣ ଅଛି। କାହା କାହାଠାରେ ଦେହରୁ ଝାଳ ବହେ। ପାଟିରୁ ଲାଳ ଗଡ଼େ। ଆଖିରୁ ଲୁହ ଝରେ। ରୋଗୀଠାରେ ପରିଲକ୍ଷିତ ହୁଏ କ୍ରୋଧ, ବିରକ୍ତି, ମାନସିକ ଅବସାଦ ଏବଂ ମୃତ୍ୟୁ ଭୟ। ଲକ୍ଷଣମାନ କ୍ରମେ ବଢ଼ି ବଢ଼ି ଯାଏ। ସେ ଯେତେ ଚେଷ୍ଟା କଲେ ବି ଜଳ ସମେତ କୌଣସି ତରଳ ପଦାର୍ଥ ଢୋକି ପାରେନି। ଏହି କାରଣରୁ ରୋଗୀ ଜଳକୁ ଦେଖିଲେ ଆସନ୍ନ ଯନ୍ତ୍ରଣା କଥା ଭାବି ଆତଙ୍କିତ ହୋଇପଡ଼େ। ସେଥିପାଇଁ ଏହି ରୋଗକୁ ଜଳ(ହାଇଡ୍ରୋ-) ପ୍ରତି ଆତଙ୍କ (ଫୋବିଆ) ବା ‘ହାଇଡ୍ରୋଫୋବିଆ’ ବୋଲି କୁହନ୍ତି। ରୋଗ ମାତ୍ର ୨-୩ ଦିନ କିମ୍ବା କଦବା କେମିତି ୫-୬ ଦିନ ରହି ରୋଗୀ ମୃତ୍ୟୁବରଣ କରିଥାନ୍ତି।

ଜଳାତଙ୍କ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ଏହାର ନିରାକରଣ ପାଇଁ ରୋଗର ମାରାତ୍ମକତା ଏବଂ ନିରାକରଣମୂଳକ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନା କରିବା ଏକାନ୍ତ ଅପରିହାର୍ଯ୍ୟ।

The post ଜଳାତଙ୍କ କ’ଣ, ଏହା କିପରି ବ୍ୟାପେ ଜାଣନ୍ତୁ… appeared first on Dharitri Odia News.