ଝରଣାର ନାଁ ପାପନାଶିନୀ

ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ରହିଛି ତୀର୍ଥକ୍ଷେତ୍ର ହରିଶଙ୍କର ଓ ନୃସିଂହନାଥ। ସୁଉଚ୍ଚ ପାହାଡ଼, ସଂକୀର୍ଣ୍ଣ ଗିରିପଥ, ଘଞ୍ଚ ଜଙ୍ଗଲ ଏବଂ ପ୍ରସ୍ତର ଦେହରେ ଘର୍ଘର ନାଦରେ କେଉଁ ଅନାଦି କାଳରୁ ବୋହିଯାଉଥିବା ଜୀବନଦାୟିନୀ ଝରଣାର ଅପୂର୍ବ ମନୋରମ ଦୃଶ୍ୟ ମଣିଷକୁ ଭିନ୍ନ ଏକ ରାଇଜକୁ ନେଇଯାଏ। ଗନ୍ଧମାର୍ଦ୍ଦନର ଉତ୍ତର ଦିଗ ପାଦଦେଶ ଅର୍ଥାତ୍‌ ବରଗଡ଼ ଜିଲା ପାଇକମାଲ ପଟରେ ରହିଛି ନୃସିଂହନାଥ ତୀର୍ଥକ୍ଷେତ୍ର ଏବଂ ପାହାଡ଼ର ଦକ୍ଷିଣ ଦିଗ ପାଦଦେଶ ଅର୍ଥାତ୍‌ ବଲାଙ୍ଗୀର ଜିଲା […] The post ଝରଣାର ନାଁ ପାପନାଶିନୀ appeared first on Dharitri Odia News.

ଝରଣାର ନାଁ ପାପନାଶିନୀ

ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ରହିଛି ତୀର୍ଥକ୍ଷେତ୍ର ହରିଶଙ୍କର ଓ ନୃସିଂହନାଥ। ସୁଉଚ୍ଚ ପାହାଡ଼, ସଂକୀର୍ଣ୍ଣ ଗିରିପଥ, ଘଞ୍ଚ ଜଙ୍ଗଲ ଏବଂ ପ୍ରସ୍ତର ଦେହରେ ଘର୍ଘର ନାଦରେ କେଉଁ ଅନାଦି କାଳରୁ ବୋହିଯାଉଥିବା ଜୀବନଦାୟିନୀ ଝରଣାର ଅପୂର୍ବ ମନୋରମ ଦୃଶ୍ୟ ମଣିଷକୁ ଭିନ୍ନ ଏକ ରାଇଜକୁ ନେଇଯାଏ। ଗନ୍ଧମାର୍ଦ୍ଦନର ଉତ୍ତର ଦିଗ ପାଦଦେଶ ଅର୍ଥାତ୍‌ ବରଗଡ଼ ଜିଲା ପାଇକମାଲ ପଟରେ ରହିଛି ନୃସିଂହନାଥ ତୀର୍ଥକ୍ଷେତ୍ର ଏବଂ ପାହାଡ଼ର ଦକ୍ଷିଣ ଦିଗ ପାଦଦେଶ ଅର୍ଥାତ୍‌ ବଲାଙ୍ଗୀର ଜିଲା ଖପ୍ରାଖୋଲ ପଟରେ ରହିଛି ପ୍ରସିଦ୍ଧ ହରିଶଙ୍କର ପୀଠ। ଏଠାକାର ମନୋରମ ପରିବେଶ ଏବଂ ପ୍ରାକୃତିକ ଶୋଭାରାଶି ପ୍ରାଚୀନ କାଳରୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସିଛି। ଗନ୍ଧମାର୍ଦ୍ଦନ ପାହାଡ଼ରୁ ଝରିପଡୁଛି ପ୍ରାୟ ୩୨ଟି ଚିରସ୍ରୋତା ଝରଣା। ପ୍ରସିଦ୍ଧ ହରିଶଙ୍କର ମନ୍ଦିର ନିକଟ ଦେଇ ବହିଯାଇଥିତ୍ବା ଝରଣାର ନଁା ପାପନାଶିନୀ। ଏହି ଝରଣା ପାପ ହରଣ କରେ ବୋଲି ବିଶ୍ୱାସ ରହିଛି। ଏଣୁ ଜାଣତରେ ହେଉ କି ଅଜାଣତରେ କରିଥିବା ପାପରୁ ମୁକ୍ତି ପାଇଁ ଶ୍ରଦ୍ଧାଳୁମାନେ ଏଠାକୁ ଆସି ବୁଡ ପକାନ୍ତି। ଅନେକେ ଏହି ପାପନାଶିନୀ ଝରଣାରେ ଅସ୍ଥି ବିସର୍ଜନ କରିବା ସହ ଶୁଦ୍ଧି କର୍ମ ସମ୍ପାଦନ କରିଥାନ୍ତି। ସାଧାରଣ ଲୋକଙ୍କ ଭାଷାରେ ଏହା ହେଉଛି ମା’ ଗଙ୍ଗା। ମୁଖ୍ୟତଃ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ଶ୍ରଦ୍ଧାଳୁମାନେ ଏଠାକୁ ଆସିବା ଦେଖିବାକୁ ମିଳିଥାଏ। ହରିଶଙ୍କର ଭଳି ନୃସିଂହନାଥ ମନ୍ଦିର ନିକଟ ଦେଇ ଝରଣା ବହିଯାଇଛି। ଝରଣାରେ ବିଶେଷକରି ଗୋହତ୍ୟା ଦୋଷରୁ ମୁକ୍ତି ପାଇଁ ପୂଜାର୍ଚ୍ଚନା କରାଯାଏ। ଅସ୍ଥି ବିସର୍ଜନ, ଚୁଟି ପକା (ଛୋଟ ଶିଶୁଙ୍କ ମୁଣ୍ଡନ କର୍ମ) ଝରଣା କୂଳରେ କରାଯାଏ। ଏହାସହ ବିବାହ, ବ୍ରତ, ବିଭିନ୍ନ ପୂଜାକର୍ମ, ଯଜ୍ଞ ଆଦି କରାଯାଏ। ସେହିପରି ବହୁ ବୈଦ୍ୟ ଓ ଉଦ୍ଭିଦ ବିଜ୍ଞାନୀଙ୍କ ମତରେ ଗନ୍ଧମାର୍ଦ୍ଦନରେ ୧ ହଜାରରୁ ଊର୍ଦ୍ଧ୍ୱ ବିରଳ ଔଷଧୀୟ ଗୁଳ୍ମ, ଜଡିବୁଟି ରହିଛି। ସେହି ଔଷଧୀୟ ଗୁଳ୍ମଲତା ଏବଂ ବିଭିନ୍ନ ଖଣିଜ ଧାତୁରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଦନର ମାଟି ଓ ପଥରରେ ଘଷିହୋଇ ଝରଣା ବୋହି ଯାଉଥିବାରୁ ଏଥିରେ ସ୍ନାନକଲେ ବିଭିନ୍ନ ଚର୍ମରୋଗ ଭଲ ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି। ଗନ୍ଧମାର୍ଦ୍ଦନର ପାପନାଶିନୀ ଝରଣାର ଚିରନ୍ତନୀ ସ୍ରୋତ ବାସ୍ତବରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରାଣ ସଞ୍ଜିବନୀ କହିଲେ ଅତ୍ୟୁକ୍ତି ହେବନାହିଁ।
ରିପୋର୍ଟ : ବୀରେନ୍ଦ୍ର କୁମାର ଝାଙ୍କର, ବଲାଙ୍ଗୀର

The post ଝରଣାର ନାଁ ପାପନାଶିନୀ appeared first on Dharitri Odia News.