ଝାଟିମାଟି କୁଡ଼ିଆର ପଲିଥିନ ତଳେ ଅସହାୟ ବୃଦ୍ଧା

ବରଗଡ଼,୧୫।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଉପାନ୍ତ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଶନିବାର ସାମ୍ନାକୁ ଆସିଛି। ଗ୍ରାମର ଚତୁର୍ଭୁଜ ମହାନନ୍ଦ(୭୦)ଙ୍କ ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ପରେ ମୃତଦେହ ସତ୍କାର ପାଇଁ ତାଙ୍କୁ ଚାରିକାନ୍ଧ ମିଳି ନ ଥିଲା। ୨ଜଣ ସମ୍ପର୍କୀୟ ମୃତଦେହକୁ ବୋହି ନେଇ ସତ୍କାର କରିଥିଲେ। ଅନ୍ୟପଟେ ସ୍ବାମୀ ଚାଲିଗଲା ପରେ ବୃଦ୍ଧା ସ୍ତ୍ରୀ ସକୃତା(୬୫) ଭାଙ୍ଗି ପଡ଼ିଛନ୍ତି। ତାଙ୍କ ଦୁଃଖ ପୂର୍ବାପେକ୍ଷା ବହୁଗୁଣିତ ହୋଇ ପଡ଼ିଛି। ଝାଟିମାଟି କୁଡ଼ିଆର […] The post ଝାଟିମାଟି କୁଡ଼ିଆର ପଲିଥିନ ତଳେ ଅସହାୟ ବୃଦ୍ଧା appeared first on Dharitri Odia News.

ଝାଟିମାଟି କୁଡ଼ିଆର ପଲିଥିନ ତଳେ ଅସହାୟ ବୃଦ୍ଧା

ବରଗଡ଼,୧୫।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଉପାନ୍ତ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଶନିବାର ସାମ୍ନାକୁ ଆସିଛି। ଗ୍ରାମର ଚତୁର୍ଭୁଜ ମହାନନ୍ଦ(୭୦)ଙ୍କ ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ପରେ ମୃତଦେହ ସତ୍କାର ପାଇଁ ତାଙ୍କୁ ଚାରିକାନ୍ଧ ମିଳି ନ ଥିଲା। ୨ଜଣ ସମ୍ପର୍କୀୟ ମୃତଦେହକୁ ବୋହି ନେଇ ସତ୍କାର କରିଥିଲେ। ଅନ୍ୟପଟେ ସ୍ବାମୀ ଚାଲିଗଲା ପରେ ବୃଦ୍ଧା ସ୍ତ୍ରୀ ସକୃତା(୬୫) ଭାଙ୍ଗି ପଡ଼ିଛନ୍ତି। ତାଙ୍କ ଦୁଃଖ ପୂର୍ବାପେକ୍ଷା ବହୁଗୁଣିତ ହୋଇ ପଡ଼ିଛି। ଝାଟିମାଟି କୁଡ଼ିଆର ପଲିଥିନ ତଳେ ସେ ଏକାକୀ ଜୀବନ ଅତିବାହିତ କରୁଛନ୍ତି। ତେବେ ସ୍ବାମୀ ଚାଲିଗଲା ପରେ ଏଭଳି ସମସ୍ୟା ଉପୁଜିଛି, ତାହା ନୁହେଁ। ବର୍ଷ ବର୍ଷ ଧରି ବୃଦ୍ଧ ଦମ୍ପତି ଦୁର୍ବିସହ ଜୀବନ ଅତିବାହିତ କରୁଥିଲେ ଏବଂ ସେମାନଙ୍କ ପ୍ରତି କାହାର ନଜର ନ ପଡ଼ିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ପୃକ୍ତ ବୃଦ୍ଧ ଦମ୍ପତିଙ୍କ ଝିଅପୁଅ କେହି ନାହାନ୍ତି। ଗାଁ ମୁଣ୍ଡରେ ଝାଟିମାଟି କୁଡ଼ିଆଟିଏ କରି ପଲିଥିନ ତଳେ ଉଭୟ ରହୁଥିଲେ। ଘରକୁ ବିଦ୍ୟୁତ୍‌ ସଂଯୋଗ ତ ଦୂରର କଥା, ଯେଉଁ ଝାଟିମାଟି କୁଡ଼ିଆଟିଏ ରହିଛି, ସେହି ଘରର ୩ ପାର୍ଶ୍ୱ ଖୋଲା ରହିଛି। ଘରେ ଅଳ୍ପ କିଛି ବାସନକୁସନ, ବସ୍ତ୍ର ରହିଛି। ଏଭଳି ଏକ କୁଡ଼ିଆରେ ଖରାବର୍ଷା, ଶୀତକାକରରେ ବୃଦ୍ଧ ଦମ୍ପତି ରହୁଥିଲେ ଏବଂ ଦିନକ ତଳେ ବୃଦ୍ଧ ସ୍ବାମୀ ଚାଲିଗଲା ପରେ ବୃଦ୍ଧାଙ୍କ ସମସ୍ୟା ବଢ଼ି ଚାଲିଛି। ତାଙ୍କ ଏଭଳି ସମସ୍ୟା ଜାଣିବା ପରେ ଶନିବାର ସ୍ଥାନୀୟ ବାରପାହାଡ଼ କୃଷକ ସଙ୍ଗଠନର ସଭାପତି ଇଶାନ୍ତ ଭୋଇ ତାଙ୍କ ପାଖରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ସେ ବୃଦ୍ଧାଙ୍କ ସମସ୍ୟା ନେଇ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଭୋଇ କହିଛନ୍ତି। ସେ ଆହୁରି କହିଛନ୍ତି, ମୃତ ଚତୁର୍ଭୁଜ ଛତିଶଗଡ଼ ରାଜ୍ୟ ଲୁକାପରାର ମୂଳ ବାସିନ୍ଦା। ବୁଙ୍ଗାପାଲି ଗ୍ରାମକୁ ଆସି ଘରଜ୍ୱାଇଁ ଭାବେ ରହୁଥିଲେ। ତାଙ୍କ ଅଳ୍ପ କିଛି ଜମି ରହିଛି। ତାହା ଭାଗଚାଷରେ ଲଗାଇଛନ୍ତି। ସେହିପରି ବାର୍ଦ୍ଧକ୍ୟ ଭତ୍ତା ଏବଂ ଚାଉଳ ପାଉଥିଲେ। ବାର୍ଦ୍ଧକ୍ୟ ଭତ୍ତା, ଚାଉଳ ଏବଂ ଭାଗଚାଷରୁ ଯାହା ମିଳୁଥିଲା, ସେଥିରେ ବୃଦ୍ଧ ଦମ୍ପତି ଚଳୁଥିଲେ ବୋଲି ଭୋଇ କହିଛନ୍ତି। ତେବେ ସକୃତା ଯେଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚତ୍ତ ନ ହେବେ, ସେ ନେଇ ପଦକ୍ଷେପ ନେବା ପାଇଁ ବାରପାହାଡ଼ କୃଷକ ସଙ୍ଗଠନ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ଉଦ୍ୟମ ଜାରି ରଖିବ ବୋଲି ଭୋଇ କହିଛନ୍ତି।

The post ଝାଟିମାଟି କୁଡ଼ିଆର ପଲିଥିନ ତଳେ ଅସହାୟ ବୃଦ୍ଧା appeared first on Dharitri Odia News.