ଟଙ୍କା ପାଇଁ ନାବାଳକଙ୍କୁ କରାଯାଇଥିଲା ଅପହରଣ, ମିଳିଲା ପୋଡ଼ା ମୃତଦେହ

ପ୍ରାଣ ହରାଥିବା ନାବାଳକ ଜଣଙ୍କ ହେଉଛନ୍ତି ନିଶ୍ଚିତ ଏ ଓ ସେ କ୍ରୀଷ୍ଟ ସ୍କୁଲରେ ୮ମ ଶ୍ରେଣୀରେ ପଢ଼ୁଥିଲେ।

ଟଙ୍କା ପାଇଁ ନାବାଳକଙ୍କୁ କରାଯାଇଥିଲା ଅପହରଣ, ମିଳିଲା ପୋଡ଼ା ମୃତଦେହ

ବୁଧବାର ଠାରୁ ନିଖୋଜ ଥିବା ଜଣେ ୧୩ ବର୍ଷୀୟ ପିଲାର ଦଗ୍ଧ ମୃତଦେହ ମିଳିଛି। ବେଙ୍ଗାଲୁରୁର କାଗାଲିପୁରା ରାସ୍ତାରେ ଥିବା ନିଛାଟିଆ ସ୍ଥାନରୁ ମୃତଦେକୁ ଜବତ କରାଯାଇଛି। ପ୍ରାଣ ହରାଥିବା ନାବାଳକ ଜଣଙ୍କ ହେଉଛନ୍ତି ନିଶ୍ଚିତ ଏ ଓ ସେ କ୍ରୀଷ୍ଟ ସ୍କୁଲରେ ୮ମ ଶ୍ରେଣୀରେ ପଢ଼ୁଥିଲେ।

ବୁଧବାର ଅପରାହ୍ନ ୫ଟାରେ ଟ୍ୟୁସନ ପାଇଁ ସେ ଘରୁ ବାହାରିଥିଲେ। କିନ୍ତୁ ଆରେକେରେ ୮୦ ଫିଟ ରୋଡରୁ ନିଖୋଜ ହୋଇଯାଇଥିଲେ। ନିଶ୍ଚିତଙ୍କ ବାପା ଜେସି ଅଚିତ ଗୋଟିଏ ଘରୋଇ କଲେଜରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ।

ବୁଧବାର ସନ୍ଧ୍ୟା ୭.୩୦ ଯାଏ ପୁଅ ଘରକୁ ନ ଫେରିବାରୁ ଅଚିତ ଓ ତାଙ୍କ ପତ୍ନୀ ଟ୍ୟୁସନ ଶିକ୍ଷକଙ୍କୁ ଯୋଗାଯୋଗ କରିଥିଲେ। ନିଶ୍ଚିତ କ୍ଲାସ ସରିବା ପରେ ଘରୁକୁ ଚାଲି ଯାଇଥିବା ଶିକ୍ଷକ କହିଥିଲେ। ପୁଅକୁ ଖୋଜିବା ସମୟରେ ଆରେକେରେ ଫ୍ୟାମିଲୀ ପାର୍କ ନିକଟରୁ ନିଶ୍ଚିତଙ୍କ ସାଇକେଲ ମିଳିଥିଲା।

ଏହାର କିଛି ସମୟ ପରେ ଗୋଟିଏ ଅଜଣା ନମ୍ବରରୁ ଅଚିତଙ୍କୁ ଫୋନ ଆସିଥିଲା ଓ ପୁଅର ମୁଣ୍ଡ ବଦଳରେ ୫ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ଏହାକୁ ଆଧାର କରି ହୁଲିମାଭୁ ପୁଲିସ୍ ଷ୍ଟେସନରେ ଗୋଟିଏ ନିଖୋଜ ଓ ଅପହରଣ ମାମଲା ରୁଜୁ କରାଯାଇଥିଲା। ପୁଲିସ୍‌ ଟିମ କଲ ଆସିଥିବା ନମ୍ବରକୁ ଟ୍ରାକ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। କିନ୍ତୁ ଗୁରୁବାର ସର୍ଚ୍ଚ ଅପରେସନ ବେଳେ ରାସ୍ତା କଡ଼ ନିଛାଟିଆ ସ୍ଥାନରୁ ପିଲାଟିର ମୃତଦେହ ମିଳିଥିଲା। ପୁଲିସ୍‌ ରାତି ତମାମ ଘଟଣାର ଯାଞ୍ଚ କରି କାଗାଲିପୁରା ରାସ୍ତରୁ ୨ ସନ୍ଦିଗ୍ଧକୁ ଉଠାଇଛି।

ଏମାନେ ପୁଲିସକୁ ଦେଖି ଖସି ଯିବାକୁ ଚେଷ୍ଟା କରିଥିଲେ। ଏପରି କି ସେମାନେ ପୁଲିସ୍‌ ଉପରକୁ ଗୁଳି ମଧ୍ୟ ଚଳାଇଥିଲେ। ପୁଲିସର ପାଲଟା ଗୁଳିମାଡ଼ରେ ଦୁଇ ଅଭିଯୁକ୍ତ ଗୁରୁମୂର୍ତ୍ତି ଓ ଗୋପାଲ କ୍ରିଷ୍ଣା ଆହତ ହୋଇଛନ୍ତି। ଗୁରୁମୂର୍ତ୍ତି ଉଭୟ ଗୋଡ଼ରେ ଗୁଳି ବାଜିଛି। ଗୋପାଲ କ୍ରିଷ୍ଣାର ଗୋଟିଏ ଗୋଡ଼ ଜଖମ ହୋଇଛି। ପୁଲିସ୍‌ ମୋଟ ୬ ରାଉଣ୍ଡ ଗୁଳି ଚଳାଇଥିବା କହିଛି।

ଗୁରୁମୂର୍ତ୍ତି ଏକଦା ଅଚିତଙ୍କ ଘରେ ଡ୍ରାଇଭର ଭାବେ କାମ କରୁଥିଲା। ପରିବାର ଲୋକଙ୍କ ସହ ସେ ବେଶ ପରିଚିତ ଥିଲା। ସେ ପୂରା ଅପହରଣ ଓ ହତ୍ୟାର ମାଷ୍ଟରମାଇଣ୍ଡ ବୋଲି କୁହାଯାଇଛି। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରିବା ସହ ଅପହରଣର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରୁଛି।