ଟୁରିଷ୍ଟ ହୋଇ ବିଳମ୍ବିତ ରାତିରେ ଅଟୋରେ ବସିଲେ ଏସିପି ସୁକନ୍ୟା, ଘଟିଲା ଏମତି ଘଟଣା

ମହିଳା ସୁରକ୍ଷାର ସ୍ଥିତି ଯାଞ୍ଚ ପାଇଁ ସେ ରେଳ ଷ୍ଟେସନରୁ ଗୋଟିଏ ଅଟୋ ଭଡ଼ା କରିଥିଲେ। ଅଟୋ ଆସିବା ପରେ ସେ କେଉଁଠିକୁ ଯିବେ ଡ୍ରାଇଭରଙ୍କୁ କହିଥିଲେ ଓ ଭଡ଼ା ଛିଡ଼ାଇ ସେଥିରେ ବସିଥିଲେ।

ଟୁରିଷ୍ଟ ହୋଇ ବିଳମ୍ବିତ ରାତିରେ ଅଟୋରେ ବସିଲେ ଏସିପି ସୁକନ୍ୟା, ଘଟିଲା ଏମତି ଘଟଣା

ସାଦା ପୋଷାକ ପିନ୍ଧିଥିଲେ ଓ ନିଜକୁ ଜଣେ ସାଧାରଣ ପର୍ଯ୍ୟଟକର ପରିଚୟ ଦେଇ ରାତିର ସ୍ଥିତି ପରଖିଛନ୍ତି ଆଗ୍ରାର ଜଣେ ବରିଷ୍ଠ ମହିଳା ପୁଲିସ୍‌ ଅଧିକାରୀ। ସହରରେ ମହିଳା କେତେ ସୁରକ୍ଷିତ ଓ ପୁଲିସ୍‌ ତା’ କାମ ଠିକ ଭାବେ କରୁଛି କି ନାହିଁ, ତା’ର ଯାଞ୍ଚ କରିବା ପାଇଁ ଏସିପି ସୁକନ୍ୟା ଶର୍ମା ରାତି ବେଳା ଅଟୋରେ ବୁଲିଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଉପଲବ୍ଧ ଥିବା ୧୧୨ ନମ୍ବର ରାତି ବେଳା ସେବା ଯୋଗାଉଛି କି ନାହିଁ, ସେକଥା ମଧ୍ୟ ପରଖିଛନ୍ତି।

୩୩ ବର୍ଷୀୟ ଏସିପି ସୁକନ୍ୟା ପ୍ରଥମେ ଆଗ୍ରା କ୍ୟାଣ୍ଟ ରେଳବାଇ ଷ୍ଟେସନରେ ସାଦା ପୋଷାକରେ ପହଞ୍ଚିଥିଲେ। ତାଜ ମହଲର ସହରରେ ସେ ନିଜକୁ ଜଣେ ସାଧାରଣ ପର୍ଯ୍ୟଟକର ପରିଚୟ ଦେଇ ପ୍ରଥମେ ପୁଲିସ୍‌କୁ ସହାୟତା ପାଇଁ ଫୋନ କରିଥିଲେ।

ଏସିପି ସୁକନ୍ୟା ୧୧୨ ନମ୍ବରକୁ ଫୋନ କରି ବିଳମ୍ବିତ ରାତି ଓ ଖାଁ ଖାଁ ରାସ୍ତା ଯୋଗୁ ତାଙ୍କୁ ଡର ଲାଗୁଛି ବୋଲି ପୁଲିସ୍‌କୁ ଜଣାଇଥିଲେ। ଏଥିସହ ପୁଲିସ୍‌ର ସହାୟତା ଲୋଡ଼ିଥିଲେ। ହେଲଲାଇନ ଅପରେଟର କାଳ ବିଳମ୍ବ ନ କରି ତୁରନ୍ତ ସୁକନ୍ୟାକୁ ସୁରକ୍ଷିତ ସ୍ଥାନରେ ଛିଡ଼ା ହେବା ସହ ତାଙ୍କ ଠିକଣା ସମ୍ପର୍କରେ ପଚାରିଥିଲେ।

ସୂଚନା ମିଳିବା ପରେ ଭୟ ନ କରି ଛିଡ଼ା ହେବାକୁ ଅପରେଟର କହିଥିଲେ। ଏହାର କିଛି ସମୟ ପରେ ମହିଳା ପ୍ୟାଟ୍ରୋଲିଂ ଟିମ ପକ୍ଷରୁ ସୁକନ୍ୟାଙ୍କୁ ଫୋନ ଯାଇଥିଲା। ସେମାନେ ସୁକନ୍ୟାଙ୍କୁ ନ ଡରି ଛିଡ଼ା ହେବାକୁ କହିବା ସହ ଆମେ ଆପଣଙ୍କୁ ଆଣିବାକୁ ଯାଉଥିବା କହିଥିଲେ।

ଏକଥା ଶୁଣି ସୁକନ୍ୟା ପୂରା ଖୁସି ହୋଇଯାଇଥିଲେ ଓ ପ୍ୟାଟ୍ରୋଲିଂ ଟିମକୁ ନିଜର ପରିଚୟ ଦେଇଥିଲେ। ସେ କହିଥିଲେ ଯେ ମୁଁ କେବଳ ଜରୁରୀ ସେବା କାର୍ଯ୍ୟ କରୁଛି କି ନାହିଁ, ତା’କୁ ଦେଖିବାକୁ ଚାହୁଁଥିଲି। ଆପଣମାନେ ଏଥିରେ ପାସ୍‌ ହୋଇଛନ୍ତି।

ଏହାପରେ ମହିଳା ସୁରକ୍ଷାର ସ୍ଥିତି ଯାଞ୍ଚ ପାଇଁ ସେ ରେଳ ଷ୍ଟେସନରୁ ଗୋଟିଏ ଅଟୋ ଭଡ଼ା କରିଥିଲେ। ଅଟୋ ଆସିବା ପରେ ସେ କେଉଁଠିକୁ ଯିବେ ଡ୍ରାଇଭରଙ୍କୁ କହିଥିଲେ ଓ ଭଡ଼ା ଛିଡ଼ାଇ ସେଥିରେ ବସିଥିଲେ।

ସେ ନିଜର ପରିଚୟ ସାର୍ବଜନୀନ ନ କରି ଅଟୋ ଡ୍ରାଇଭରଙ୍କ ସହ ମହିଳା ସୁରକ୍ଷା ସମ୍ପର୍କରେ କଥା ହୋଇଥିଲେ। ଅଟୋ ଡ୍ରାଇଭର ଜଣଙ୍କ କହିଥିଲେ ଯେ ପୁଲିସ୍‌ ତାଙ୍କର ଯାଞ୍ଚ କରି ସାରିଛି ଓ ସେ ଖୁବଶୀଘ୍ର ୟୁନିଫର୍ମ ପିନ୍ଧି ଗାଡ଼ି ଚଳାଇବେ। ଏହାପରେ ଅଟୋ ଡ୍ରାଇଭର ଜଣଙ୍କ ସୁରକ୍ଷିତ ଭାବେ ଏସିପି ସୁକନ୍ୟାଙ୍କୁ ତାଙ୍କ ଠିକଣାରେ ଛାଡ଼ିଥିଲେ ଓ ଟେଷ୍ଟରେ ପାସ୍‌ କରିଥିଲେ।

ସାମଜସେବୀ ଦୀପିକା ନାରାୟଣ ଭରଦ୍ୱାଜ ଏହାକୁ ପ୍ରଶଂସା କରିବା ସହ ଏସିପି ସୁକନ୍ୟା ଶର୍ମା ମହିଳା ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି। ଏଥିସହ ସବୁ ସହରରେ ପୁଲିସ୍‌ ଏପରି ପଦକ୍ଷେପ ନେବା ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି।