ଟେନିସରୁ ଅବସର ଘୋଷଣା କଲେ ରାଫେଲ ନାଡାଲ

୨୨ ଥର ଗ୍ରାଉଣ୍ଡ ସ୍ଲାମ ଜିତିଥିବା ଏହି ଷ୍ଟାର ଟେନିସ ଖେଳାଳି ଜଣଙ୍କ ରେକର୍ଡ ୧୪ ଥର ଫ୍ରେଞ୍ଚ ଓପନ ଜିତିଛନ୍ତି।

ଟେନିସରୁ ଅବସର ଘୋଷଣା କଲେ ରାଫେଲ ନାଡାଲ

ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେନିସ ଖେଳାଳି ରାଫେଲ ନାଡାଲ ଆଜି ନିଜର ପ୍ରିୟ ଖେଳକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଛନ୍ତି। ୨୨ଥର ଗ୍ରାଣ୍ଡସ୍ଲାମ ବିଜେତା ନାଡାଲ ବେଶ ଭାବବିହ୍ୱଳ ହୋଇ ଗୋଟିଏ ଭିଡିଓ ଜାରି କରି ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି।

ଯେଉଁ ଖେଳ ଦ୍ୱାରା ସେ ନିଜର ପରିଚୟ ସୃଷ୍ଟି କରିଥିଲେ ଓ ସର୍ବକାଳୀନ ସମସ୍ତଙ୍କ ପସନ୍ଦର ଖେଳାଳି ହୋଇ ପାରିଥିଲେ ଏବେ ସେ ସେହି ଖେଳକୁ ଅବଲିବାଦ କହିବାକୁ ଯାଉଛନ୍ତି। ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଡାଭିସ କପ ହେବ ସ୍ପେନ ପାଇଁ ତାଙ୍କର ଶେଷ ଟେନିସ ଟୁର୍ଣ୍ଣାମେଣ୍ଟ। ଏହାପରେ ସେ ଆଉ ଦେଶ ପାଇଁ ଟେନିସ ଖେଳୁଥିବାର କେହି ଦେଖିବାକୁ ପାଇବେ ନାହିଁ।

୨୨ ଥର ଗ୍ରାଉଣ୍ଡ ସ୍ଲାମ ଜିତିଥିବା ଏହି ଷ୍ଟାର ଟେନିସ ଖେଳାଳି ଜଣଙ୍କ ରେକର୍ଡ ୧୪ ଥର ଫ୍ରେଞ୍ଚ ଓପନ ଜିତିଛନ୍ତି। ନାଡାଲଙ୍କ ନାଁରେ ମୋଟ ୯୨ ଏଟିପି ଟାଇଟଲ୍ସ ରହିଛି।

ଏହା ମଧ୍ୟରେ ୩୬ ମାଷ୍ଟର୍ସ ଟାଇଟଲ୍ସ ସହ ଗୋଟିଏ ଅଲିମ୍ପିକ୍ସ ମେଡାଲ ରହିଛି। ସିଙ୍ଗଲ୍ସରେ କ୍ୟାରିୟର ଗୋଲଡେନ ସ୍ଲାମ ଶେଷ କରିଥିବା ଟେନିସ ଇତିହାସର ୩ ଖେଳାଳିଙ୍କ ମଧ୍ୟରେ ମଧ୍ୟ ନାଡାଲ ରହିଛନ୍ତି।

ଭିଡିଓ ଜାରି କରି ନାଡାଲ କହିଛନ୍ତି, “ମୁଁ ପ୍ରଫେସନାଲ ଟେନିସରୁ ଅବସର ନେଉଛି। ବାସ୍ତବ କଥା ହେଲା, କିଛି ବର୍ଷ ମୋ ପାଇଁ ବେଶ କଷ୍ଟକର ରହିଛି। ବିଶେଷ କରି ଶେଷ ୨ ବର୍ଷ। ନିଶ୍ଚିତ ଭାବେ ଏହା ଏକ କଷ୍ଟକର ନିଷ୍ପତ୍ତି। ଏହାକୁ ସୁଧାରିବା ପାଇଁ ମୋତେ କିଛି ସମୟ ଲାଗିବ। କିନ୍ତୁ ଏଇ ଜୀବନରେ ସବୁ କିଛିର ଆରମ୍ଭ ଓ ଶେଷ ରହିଛି।”

ଆହତ ସମସ୍ୟା ଯୋଗୁ ନାଡାଲ ଗତ ମାସରେ ଲାଭେର କପ ୨୦୨୪ରୁ ନିଜ ନାଁକୁ ପ୍ରତ୍ୟାହାର କରି ନେଇଥିଲେ। ସମ୍ଭବତଃ ଏହା ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହେବାର ଥିଲା। ପ୍ୟାରିସ ଅଲିମ୍ପିକ୍ସ ପରେ ନାଡାଲ କହିଥିଲେ ଯେ ଲାଭେର କପରେ ସେ ନଜର ଆସିବେ।

ବର୍ଲିନରେ ଅନୁଷ୍ଠିତ ଲାଭେର କପରେ ନାଡାଲ ୪ର୍ଥ ଥର ପାଇଁ ନଜର ଆସିଥାଆନ୍ତେ। ସେ ୨୦୧୭ ଓ ୨୦୧୯ ପରେ ସେ ୨୦୨୨ରେ ଚୀରପ୍ରତିଦ୍ୱନ୍ଦ୍ୱୀ ରୋଜର ଫେଡେରରଙ୍କ ସହ ତାଙ୍କର ଶେଷ ମ୍ୟାଚ୍‌ରେ ଡବଲ୍ସରେ ନଜର ଆସିଥିଲେ।