ଟ୍ରମ୍ପଙ୍କ ଗାଜା କୂଟନୀତି

ଆମେରିକାର ରାଷ୍ଟ୍ରପତି ପଦରେ ଅବସ୍ଥାପିତ ହେବା ପରେ ଡୋନାଲ୍ଡ ଟ୍ରମ୍ପ ନିଜକୁ ବିଶ୍ୱର ସର୍ବଶକ୍ତିମାନ ନେତା ରୂପେ ଉପସ୍ଥାପିତ କରିବା ପାଇଁ ଏକାଧିକ ଅବାସ୍ତବ ଘୋଷଣା କରିଛନ୍ତି। ସେଧିମଧ୍ୟରୁ ଗାଜାରେ ନିଜର ମାଲିକାନା ଜାହିର କରି ସେଠାରେ ‘ବିଚ୍‌‌ ରିସର୍ଟ’ ସ୍ଥାପନ କରି ତାହାକୁ କୋଟିପତିଙ୍କ ସ୍ୱର୍ଗରେ ପରିଣତ କରିବେ। ସେ ନିଜେ ଓ ତାଙ୍କ ଜାମାତା ରିୟଲ ଇଷ୍ଟେଟ୍‌‌ ବେପାରୀ ହୋଇଥିବାରୁ ତାଙ୍କର ଏହି ଘୋଷଣା ପଛରେ ସତ୍ୟତା ଅଛି ବୋଲି ଅନେକ ବିଶ୍ୱାସ କଲେ। […]

ଟ୍ରମ୍ପଙ୍କ ଗାଜା କୂଟନୀତି
sakala editorial

ଆମେରିକାର ରାଷ୍ଟ୍ରପତି ପଦରେ ଅବସ୍ଥାପିତ ହେବା ପରେ ଡୋନାଲ୍ଡ ଟ୍ରମ୍ପ ନିଜକୁ ବିଶ୍ୱର ସର୍ବଶକ୍ତିମାନ ନେତା ରୂପେ ଉପସ୍ଥାପିତ କରିବା ପାଇଁ ଏକାଧିକ ଅବାସ୍ତବ ଘୋଷଣା କରିଛନ୍ତି। ସେଧିମଧ୍ୟରୁ ଗାଜାରେ ନିଜର ମାଲିକାନା ଜାହିର କରି ସେଠାରେ ‘ବିଚ୍‌‌ ରିସର୍ଟ’ ସ୍ଥାପନ କରି ତାହାକୁ କୋଟିପତିଙ୍କ ସ୍ୱର୍ଗରେ ପରିଣତ କରିବେ। ସେ ନିଜେ ଓ ତାଙ୍କ ଜାମାତା ରିୟଲ ଇଷ୍ଟେଟ୍‌‌ ବେପାରୀ ହୋଇଥିବାରୁ ତାଙ୍କର ଏହି ଘୋଷଣା ପଛରେ ସତ୍ୟତା ଅଛି ବୋଲି ଅନେକ ବିଶ୍ୱାସ କଲେ। ଏହାର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଲା, ସେଠାରେ ଅବସ୍ଥାନ କରୁଥିବା ୨୦ ଲକ୍ଷ ପାଲେଷ୍ଟାଇନ୍‌‌ଙ୍କୁ ପଡ଼ୋଶୀ ଜୋର୍ଡାନ ଓ ମିଶରରେ ଅବସ୍ଥାପିତ କରାଯିବ। ଟ୍ରମ୍ପ ଭୁଲିଯାଇଥିଲେ ଯେ ଦୀର୍ଘ ୧୪ ମାସ କାଳ ଇସ୍ରାଏଲ ଆକ୍ରମଣର ମୁକାବିଲା କରି ଯେଉଁ ହମାସ ଗାଜାରେ ନିଜର ସ୍ଥିତି ଏବେ ମଧ୍ୟ ଜାହିର କରୁଛି, ସେମାନଙ୍କୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରି ସେଠାରୁ ପାଲେଷ୍ଟାଇନ୍‌‌ଙ୍କୁ ହଟାଇବା ଏତେ ସହଜ ନୁହେଁ। ଏକଥା ବୁଝିବାକୁ ତାଙ୍କୁ ବେଶୀ ସମୟ ଲାଗିନି। ଗାଜା ଯୋଜନାକୁ ନେଇ ବିଶ୍ୱବ୍ୟାପୀ ପ୍ରକାଶ ପାଇଥିବା ପ୍ରତିକ୍ରିୟା ତାଙ୍କ ଶୁଳ୍କ ବୃଦ୍ଧି ପ୍ରୟାସକୁ ଶେଷରେ ଭଣ୍ଡୁର କରିଦେବା କିଛି ବିଚିତ୍ର ନୁହେଁ। ତେଣୁ ଗୁରୁବାର ଦେଇଥିବା ଏକ ପ୍ରତିକ୍ରିୟାରେ ଗାଜା ଗଣହତ୍ୟାକୁ ସେ ସ୍ୱୀକାର କରିଛନ୍ତି। ତିନିପିଢ଼ିର ସଭ୍ୟତାକୁ ସେଠାରେ ଧ୍ୱଂସ କରାଯାଇଛି। ସେଠାରେ ପୁନର୍ବାସନ ଓ ପୁନର୍ନିମାଣର ବ୍ୟୟବହୁଳ ଯୋଜନା ନା ଇସ୍ରାଏଲ୍‌‌ ନା ଆମେରିକା କେହି ହାତକୁ ନେବା ପାଇଁ ପ୍ରସ୍ତୁତ ନାହାନ୍ତି। ଟ୍ରମ୍ପଙ୍କ ଗାଜା ଦଖଲ ଚାପରେ ପଶ୍ଚିମ ଏସିଆରେ ବିତ୍ତଶାଳୀ ରାଷ୍ଟ୍ର ଏହି ଦାୟିତ୍ୱ ହାତକୁ ନେଇ କାର୍ଯ୍ୟାରମ୍ଭର ପଥ ପରିଷ୍କାର ହୋଇଛି।

ଇସ୍ରାଏଲ୍‌‌ ପ୍ରଧାନମନ୍ତ୍ରୀ ବେଜାମିନ୍‌‌ ନେତାନ୍ୟାହୁ ଓ ଟ୍ରମ୍ପଙ୍କ ଆଲୋଚନା ପ୍ରେକ୍ଷାପଟ୍ଟରେ ଶନିବାର ସୁଦ୍ଧା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବା ସକାଶେ ହମାସ ଉପରେ ଚାପ ପଡ଼ିଥିଲା। ଏପରିକି ସମ୍ଭାବୀ ଆକ୍ରମଣ ସକାଶେ ଇସ୍ରାଏଲ ପକ୍ଷରୁ ଧମକ ମଧ୍ୟ ଦିଆଯାଇଥିଲା। ଅଥଚ ନିଜ ପ୍ରତିରକ୍ଷା ବାହିନୀ ମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ପରିସ୍ଥିତି ଯାହା ହେଉନା କାହିଁକି ଯୁଦ୍ଧ ବିରତି ଭଙ୍ଗ କରି ସାମରିକ କାର୍ଯ୍ୟାନୁଷ୍ଠାନ ସକାଶେ ସେମାନେ ପ୍ରସ୍ତୁତ ନାହାନ୍ତି। ଅନ୍ୟପକ୍ଷରେ ହମାସ ସନ୍ଧିର ସର୍ତ୍ତ ଅତୁଟ ରଖିଲେ ସେମାନେ କେବଳ ତିନି ଜଣଙ୍କୁ ମୁକ୍ତ କରିବାର ସୂଚନା ଦେଇଛନ୍ତି। ଏଥିମଧ୍ୟରେ ବିଭିନ୍ନ ରାଷ୍ଟ୍ରରୁ ରନ୍ଧନ ଗ୍ୟାସ, ଜାଳେଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସିଥିବା ୧୦୮ଟି ଟ୍ରକକୁ ଇସ୍ରାଏଲ ଅଟକ ନ ରଖି ଗାଜା ଯିବା ପାଇଁ ଅନୁମତି ଦେଇଛି। ଏହି ଘଟଣାକ୍ରମକୁ ଅନୁଶୀଳନ କଲେ ମନେ ହୁଏ ଆଉ ଯୁଦ୍ଧ ନୁହେଁ, ଶାନ୍ତି ପ୍ରତିଷ୍ଠା ମାଧ୍ୟମରେ ପୁନଃନିର୍ମାଣ ସକାଶେ ସୁଯୋଗ ସୃଷ୍ଟି କରିବାକୁ ଉଭୟ ପକ୍ଷ ମାନସିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଘଟଣା ପ୍ରବାହର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଲା ଜୋର୍ଡାନ ଓ ମିଶର ସମେତ ଅନ୍ୟ ପଡ଼ୋଶୀ ରାଷ୍ଟ୍ର ଆମେରିକା ଚାପରେ ପାଲେଷ୍ଟିନୀୟଙ୍କୁ ସ୍ଥାୟୀ ଥଇଥାନ କରିବାକୁ ପ୍ରସ୍ତୁତ ନାହାନ୍ତି। ସେମାନେ ଯେଉଁଠି ରହିବେ ସେଠାରେ ସ୍ୱତନ୍ତ୍ର ପାଲେଷ୍ଟାଇନ ଗଠନ ଦାବିରେ ବିଦ୍ରୋହ ଓ ଆନ୍ଦୋଳନ ଜାରି ରଖିବେ। ଏଭଳି ଏକ ପରିସ୍ଥିତିକୁ ସମ୍ମୁଖୀନ ହେବା ଅପେକ୍ଷା ମିଳିତ ଭାବେ ସେମାନେ ଗାଜାରେ ପୁନର୍ବାସନ ଓ ପୁନଃନିର୍ମାଣ କାର୍ଯ୍ୟ ହାତକୁ ନେବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି। ଟ୍ରମ୍ପଙ୍କ ଗାଜା ଯୋଜନା ପଛରେ ଏଭଳି ଏକ ଉଦ୍ଦେଶ୍ୟ ଥିଲାଭଳି ମନେହୁଏ।

ଆରବ ଲିଗ୍‌‌ ନେତୃତ୍ୱରେ ସାଉଦୀ ଆରବ, ଆରବ ଏମିରେଟ୍‌‌, ୟେମେନ, ଲେବାନନ, ଜୋର୍ଡାନ, କାତାର ଓ ମିଶର ପାଲେଷ୍ଟାଇନ ପ୍ରସଙ୍ଗରେ ଆମେରିକାର ଚାପ ନିକଟରେ ମୁଣ୍ଡ ନଇଁବାକୁ ପ୍ରସ୍ତୁତ ନଥିବା ବେଳେ ଟ୍ରମ୍ପ ମଧ୍ୟ ଇସ୍ରାଏଲ ସ୍ୱାର୍ଥ ରକ୍ଷା ପାଇଁ ସେମାନଙ୍କୁ ଅସନ୍ତୁଷ୍ଟ କରିବା ଚାହାନ୍ତିନି। ତେବେ ଏବେ ମଧ୍ୟ ଇରାନ୍‌‌ ଆମେରିକା ସକାଶେ ଚିନ୍ତାର କାରଣ ହୋଇ ରହିଛି। ସେଠାକାର କ୍ଷମତା କେନ୍ଦ୍ରରେ ପରିବର୍ତ୍ତନ ସକାଶେ ଆମେରିକା ବିଦ୍ରୋହୀଙ୍କୁ ସବୁପ୍ରକାର ଶକ୍ତି ଓ ସାମର୍ଥ୍ୟ ଯୋଗାଇ ଆସିଛି। ସେମାନଙ୍କ ବିରୋଧରେ କଠୋର ଦମନମୂଳକ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଇରାନ୍‌‌ରେ ବିଦ୍ରୋହ ଓ ବିଦ୍ୱେଷ ବଳବତ୍ତର ରହିଛ। ଏକଥା ସତ ଯେ ରୁଷର ଅନ୍ୟତମ ସହଯୋଗୀ ରାଷ୍ଟ୍ର ଇରାନ। ନିଜର ସାମରିକ ଶକ୍ତି ବୃଦ୍ଧି ପାଇଁ ପୁଟିନଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ମଧ୍ୟପ୍ରାଚ୍ୟରେ ଇରାନ ହେଉଛି ଆମେରିକା ଓ ରୁଷର ଶକ୍ତି ପରୀକ୍ଷା କେନ୍ଦ୍ର। ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଟ୍ରମ୍ପଙ୍କ ସୁସମ୍ପର୍କ ସତ୍ତ୍ବେ ଦୁଇରାଷ୍ଟ୍ର ମଧ୍ୟରେ ପରସ୍ପର ବିରୋଧୀ କୂଟନୈତିକ ଗୋଟିଚାଳନା ଜାରିରହିଛି ଓ ଆଗକୁ ରହିବ ମଧ୍ୟ। ପୁଟିନଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଟ୍ରମ୍ପ ଆମେରିକା ପ୍ରସ୍ତୁତ କରୁଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ବିଷୟରେ ସୂଚନା ଦେଇଛନ୍ତି। ଏହାର ପୃଷ୍ଠଭାଗରେ ରହିଛି ଇରାନ ବିରୋଧରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ। ହେଜବୋଲ୍ଲା ମୁଖିଆଙ୍କ ହତ୍ୟା ଘଟଣାରେ କ୍ଷୁବ୍ଧ ହୋଇ ଇରାନ କରିଥିବା କ୍ଷେପଣାସ୍ତ୍ର ମାଡ଼ର ସଠିକ ଉତ୍ତର ଦେବା ପାଇଁ ଏବେ ମଧ୍ୟ ଅପେକ୍ଷା କରିଛି ଇସ୍ରାଏଲ୍‌‌। ପୁଟିନଙ୍କୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରର ଇଙ୍ଗିତରେ ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣର ସୂଚନା ଦେଇଛନ୍ତି ଟ୍ରମ୍ପ।

ଆମକୁ ଏଠାରେ ସ୍ୱୀକାର କରିବାକୁ ପଡ଼ିବ ଯେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୪୫ ହଜାରରୁ ଊର୍ଦ୍ଧ୍ବ ଆବାଳବୃଦ୍ଧବନିତା ନିହତ ହୋଇଛନ୍ତି। ଏଭଳି ଏକ ଅମାନବୀୟ ନରସଂହାର ବିରୋଧରେ ବିଶ୍ୱଜନମତ ସୃଷ୍ଟି ହୋଇଥିଲେ ମଧ୍ୟ ଯୁଦ୍ଧ ଜାରି ରହିଥିଲା। ଏଥିସକାଶେ କେବଳ ଇସ୍ରାଏଲ୍‌‌ ନୁହେଁ, ଆମେରିକା ମଧ୍ୟ ସମ ପରିମାଣରେ ଦାୟୀ। ଆମେରିକା ଅନ୍ୟତମ ପକ୍ଷ ହୋଇଯାଇଥିବାରୁ ଏହି ଯୁଦ୍ଧର ବିରାମ ବା ବିରତି କେବେ ଘଟିବ ସେନେଇ ଅନିଶ୍ଚିତତା ଲାଗି ରହିଥିଲା। ଟ୍ରମ୍ପଙ୍କ ଅହଂକାର ଓ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କରୁଥିବା ଅନମନୀୟ ମନୋଭାବ ସତ୍ତ୍ବେ ସ୍ୱୀକାର କରିବାକୁ ପଡ଼ିବ ଯେ ରାଷ୍ଟ୍ରପତି ରୂପେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ କୂଟନୈତିକ ଚାପ ପ୍ରୟୋଗ କରି ୧୪ ମାସ ଧରି ଚାଲିଥିବା ଯୁଦ୍ଧରେ ବିରାମ ଆଣିଛନ୍ତି। ସର୍ତ୍ତ ସମ୍ମିଳିତ ଯୁଦ୍ଧକୁ ଉଭୟପକ୍ଷ ଗ୍ରହଣ କରିଛନ୍ତି। ପରିବର୍ତ୍ତିତ ଘଟଣାକ୍ରମ ଏବେ ଯେଉଁ ଦିଗକୁ ଗତି କରୁଛି, ସେଥିରେ ମନେ ହେଉଛି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନ ହେଲେ ମଧ୍ୟ ପୁଣିଥରେ ଯୁଦ୍ଧ ଘନଘଟା ମୁଣ୍ଡ ଟେକିବାର ସମ୍ଭାବନା ଊଣା। ଏଠାରେ କହିବାକୁ ପଡୁଛି ଯେ ଗାଜା ଇସ୍ରାଏଲର ନିଜସ୍ୱ ଅଞ୍ଚଳ ନୁହେଁ ଯେ ତାହାକୁ ନେତାନ୍ୟାହୁ ଉପହାର ସୂତ୍ରରେ ଟ୍ରମ୍ପଙ୍କୁ ଦେଇପାରିବେ। ଟ୍ରମ୍ପ ଏଭଳି ଏକ ଦୋଛକିରେ ରହିଛନ୍ତି, ଯେଉଁଠାରୁ ସେ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସାକାର କରିପାରିବେ ନାହିଁ କି ଗାଜା-ଅଭିଯାନରୁ ଓହରି ପାରିବେ ନାହିଁ। ଏହି ପୃଷ୍ଠଭୂମିରେ ମିଳିତ ଜାତିସଂଘ ଅନୁମୋଦିତ ଇସ୍ରାଏଲ ଓ ପାଲେଷ୍ଟାଇନର ସ୍ୱତନ୍ତ୍ର ସ୍ଥିତିକୁ ବଳବତ୍ତର ରଖÒବା ହିଁ ଉଚିତ ମଣିଛନ୍ତି। ବୋଧହୁଏ ଏହା ହିଁ ଟ୍ରମ୍ପଙ୍କ ବିକଳ୍ପବିହୀନ ଗାଜା କୂଟନୀତି ।