ଠିକାଦାରଙ୍କ ଉପରେ ରହୁନି ଅଧିକାରୀଙ୍କ କର୍ତ୍ତୃତ୍ୱ
ବାସୁଦେବପୁର,୩।୭(ନାରାୟଣ ପ୍ରସାଦ ବାରିକ୍): ବାସୁଦେବପୁରରେ ଗତ କିଛିବର୍ଷ ଧରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ଓ ଅଧିକାରୀଙ୍କ ସଂଖ୍ୟା କମି କମି ଯାଉଥିବା ବେଳେ ବିଭାଗ ଅଧୀନରେ ଆସୁଥିବା କାର୍ଯ୍ୟକୁ ତଦାରଖ କରାଯାଇପାରୁ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବାସୁଦେବପୁର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ। ବାଲିନଗର ଛକ ନିକଟରେ ଥିବା ଏହି କାର୍ଯ୍ୟାଳୟରେ ଜଣେ ଏସ୍ଡିଓ ଏବଂ ୩ ଯନ୍ତ୍ରୀ ପଦବୀ ଥିବାବେଳେ ବର୍ତ୍ତମାନ ସମସ୍ତ ପଦବୀ ଖାଲି ପଡ଼ିଛି। ୨୦୨୩ ନଭେମ୍ବରଠାରୁ ଏସ୍ଡିଓ […] The post ଠିକାଦାରଙ୍କ ଉପରେ ରହୁନି ଅଧିକାରୀଙ୍କ କର୍ତ୍ତୃତ୍ୱ appeared first on Dharitri Odia News.
ବାସୁଦେବପୁର,୩।୭(ନାରାୟଣ ପ୍ରସାଦ ବାରିକ୍): ବାସୁଦେବପୁରରେ ଗତ କିଛିବର୍ଷ ଧରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ଓ ଅଧିକାରୀଙ୍କ ସଂଖ୍ୟା କମି କମି ଯାଉଥିବା ବେଳେ ବିଭାଗ ଅଧୀନରେ ଆସୁଥିବା କାର୍ଯ୍ୟକୁ ତଦାରଖ କରାଯାଇପାରୁ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବାସୁଦେବପୁର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ। ବାଲିନଗର ଛକ ନିକଟରେ ଥିବା ଏହି କାର୍ଯ୍ୟାଳୟରେ ଜଣେ ଏସ୍ଡିଓ ଏବଂ ୩ ଯନ୍ତ୍ରୀ ପଦବୀ ଥିବାବେଳେ ବର୍ତ୍ତମାନ ସମସ୍ତ ପଦବୀ ଖାଲି ପଡ଼ିଛି। ୨୦୨୩ ନଭେମ୍ବରଠାରୁ ଏସ୍ଡିଓ ପଦବୀ ଫାଙ୍କା ପଡ଼ିଛି। ଏଠାରେ କାର୍ଯ୍ୟରତ ଏସ୍ଡିଓ ଅବସର ନେବା ପରେ ସ୍ଥାୟୀ ଏସ୍ଡିଓ ନାହାନ୍ତି। ପୂର୍ବରୁ ୨ ଯନ୍ତ୍ରୀ ପଦବୀ ଖାଲି ପଡ଼ିଥିଲା। ୨୦୨୩ ନଭେମ୍ବରରେ ଅନ୍ୟ ଜଣେ ଯନ୍ତ୍ରୀ ଅବସର ନେବା ପରେ ତାହା ମଧ୍ୟ ଖାଲିପଡ଼ିଛି। ସାମୟିକ ଭାବେ ଚାନ୍ଦବାଲି ପୂର୍ତ୍ତ ବିଭାଗର ଏସ୍ଡିଓ ଏବଂ ଜଣେ ଯନ୍ତ୍ରୀ ବାସୁଦେବପୁର ବିଭାଗର ଦାୟିତ୍ୱ ଅସ୍ଥାୟୀ ଭାବେ ବୁଝୁଛନ୍ତି। ବାସୁଦେବପୁରରୁ ଚାନ୍ଦବାଲିର ଦୂରତା ପ୍ରାୟ ୭୦ କି.ମି.ରୁ ଊର୍ଦ୍ଧ୍ୱ। ଚାନ୍ଦବାଲିର ଏସ୍ଡିଓ ଓ ଯନ୍ତ୍ରୀ ବାସୁଦେବପୁରରେ ନିର୍ମାଣାଧୀନ ପ୍ରକଳ୍ପ ତଦାରଖ କରିବା କଷ୍ଟକର ହେଉଥିବା ସହ ସେମାନଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳୁନାହିଁ। ଏଠାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତଦାରଖ ଠିକ୍ ଭାବେ ହେଉନାହିଁ। ଫଳରେ ଏହାର ସୁଯୋଗରେ ଠିକାଦାରମାନେ ନିମ୍ନମାନର ଓ ମନମୁଖୀ କାର୍ଯ୍ୟ କରି ମୁନାଫା ଉଠାଉଛନ୍ତି। ଠିକାଦାରଙ୍କ କାର୍ଯ୍ୟ ଉପରେ ବିଭାଗୀୟ ଅଧିକାରୀଙ୍କ କର୍ତ୍ତୃତ୍ୱ ରହୁ ନ ଥିବାରୁ ନିର୍ମାଣାଧୀନ ରାସ୍ତା, ପୋଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କମାରଗାଁ-ବାଲିମେଦ, ବେକମୋଡ଼ି-ଆରୁହା, ଇଚ୍ଛାପୁର- ବାସୁଦେବପୁର, ବାସୁଦେବପୁର-ବାଲିଛନ୍ଦା ଘାଟ ରାସ୍ତାର ପ୍ରଶସ୍ତୀକରଣ ତଥା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ଠିକ୍ ଭାବେ ଓ ନିୟମିତ ତଦାରଖ କରୁନାହାନ୍ତି। ରାସ୍ତାର ସୁରକ୍ଷା ପାଇଁ କମାରଗାଁ-ବାଲିମେଦ ରାସ୍ତାର ସାଇଡ୍ୱାଲ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ବେଳେ ଏହି ଗାଡ୍ୱାଲ ପାଖରୁ ମାଟି ଖୋଳି ରାସ୍ତା ପାଖ ଖାଲ ପୂରଣ କରାଯାଉ ଥିବାରୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟ ରାସ୍ତାଗୁଡ଼ିକରେ ମଧ୍ୟ ଠିକ୍ ଭାବେ ତଦାରଖ ହେଉ ନ ଥିବାରୁ ଠିକାଦାର ମନଇଚ୍ଛା ନିମ୍ନମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସେହିପରି ମନ୍ତେଇ ନଦୀର ଚାରିବାଟିଆ, କରଞ୍ଜଆଡ଼ିଆ ଘାଟ ନିକଟରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସ୍ଥାୟୀ ଏସ୍ଡିଓ ଓ ଯନ୍ତ୍ରୀ ନ ଥିବାରୁ ତଦାରଖ କରାଯାଇପାରୁ ନାହିଁ।
ଜଳସେଚନ ବିଭାଗର ଅବସ୍ଥା ମଧ୍ୟ ତଦୃପ। ୧ ବର୍ଷରୁ ଊର୍ଦ୍ଧ୍ୱ ହେବ ଏଠାରେ ଏସ୍ଡିଓ ପଦବୀ ଖାଲିପଡ଼ିଛି। ସେହିପରି ଯନ୍ତ୍ରୀ ପଦବୀ ମଧ୍ୟ ଖାଲି ପଡ଼ିଥିବାରୁ ନିର୍ମାଣାଧୀନ ପ୍ରକଳ୍ପ ଠିକ୍ ରୂପରେଖ ନେଇପାରୁ ନାହିଁ। ବାସୁଦେବପୁର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଏହାର ସଂଖ୍ୟାଧିକ ପଞ୍ଚାୟତର ସୀମା ସିଧାସଳଖ ବଙ୍ଗୋପସାଗରକୁ ଭେଦ କରିଥିବା ବେଳେ ଐତିହାସିକ ଇଷ୍ଟକୋଷ୍ଟ କେନାଲ ମଧ୍ୟ ବାସୁଦେବପୁର ମଧ୍ୟଭାଗ ଦେଇ କୋଲକାତାର ହୁଗୁଳି ପର୍ଯ୍ୟନ୍ତ ଲମ୍ବିଛି। ଏହାର ସୁରକ୍ଷା ଓ ବଙ୍ଗୋପସାଗର କୂଳେ କୂଳେ ଥିବା ଲୁଣାବନ୍ଧର ସୁରକ୍ଷା ଦାୟିତ୍ୱ ଜଳସେଚନ ବିଭାଗ ଅଧୀନରେ ରହୁଥିବା ବେଳେ ବାସୁଦେବପୁର ଜଳସେଚନ ବିଭାଗର ଏସ୍ଡିଓ ପଦବୀ ବର୍ଷେରୁ ଊର୍ଦ୍ଧ୍ୱ ଖାଲିପଡ଼ିବା ନେଇ ଜନଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ଭଦ୍ରକ ଜିଲାର ଅଧୀକ୍ଷଣ ଯନ୍ତ୍ରୀ(ଏସ୍ଇ) ଦୀପକ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ବାସୁଦେବପୁରସ୍ଥିତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଏସ୍ଡିଓ ଏବଂ ୩ ଯନ୍ତ୍ରୀ ପଦବୀ ଖାଲି ପଡ଼ିଥିବାରୁ ଉନ୍ନୟମୂଳକ କାର୍ଯ୍ୟ ତଦାରଖରେ ବାଧା ଉପୁଜୁଥିବା ସ୍ବୀକାର କରିଥିଲେ। ଏହି ପଦବୀ ପୂରଣ ପାଇଁ ପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଜିଲାପାଳଙ୍କୁ ଅବଗତ କରାଯାଇଛି। ଏହାସହ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏ ବାବଦରେ ଅବଗତ କରିଛନ୍ତି। ଏହି ପଦବୀ ସମେତ ଜିଲାର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
The post ଠିକାଦାରଙ୍କ ଉପରେ ରହୁନି ଅଧିକାରୀଙ୍କ କର୍ତ୍ତୃତ୍ୱ appeared first on Dharitri Odia News.