‘ଡନ୍’ ନିର୍ଦ୍ଦେଶକଙ୍କ ପରଲୋକ
‘ଡନ୍’ ଜରିଆରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ ଚନ୍ଦ୍ର ବାରୋଟ।
୧୯୭୮ରେ ରିଲିଜ୍ ହୋଇଥିବା ଅମିତାଭ ବଚ୍ଚନଙ୍କ ଅଭିନୀତ ସୁପରଫିଟ୍ ଫିଲ୍ମ ‘ଡନ୍’ର ନିର୍ଦ୍ଦେଶକ ତଥା ଭେଟେରାନ୍ ଚଳଚ୍ଚିତ୍ର ନିର୍ମାତା ଚନ୍ଦ୍ର ବାରୋଟଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲ।
ଚନ୍ଦ୍ର ବାରୋଟଙ୍କ ପତ୍ନୀ ଦୀପା ବାରୋଟ କହିଛନ୍ତି ପ୍ରାୟ ୭ ବର୍ଷ ହେଲା ସେ ଫୁସଫୁସ ଜନିତ ସମସ୍ୟା ଦେଇ ଗତି କରୁଥିଲେ।
‘ଡନ୍’ ଜରିଆରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ ଚନ୍ଦ୍ର ବାରୋଟ। ତା’ପୂର୍ବରୁ ସେ ମନୋଜ କୁମାରଙ୍କ ଅଭିନୀତ ଫିଲ୍ମ ‘ପୂରବ ଔର ପଶ୍ଚିମ’, ‘ଶୋର୍’, ‘ରୋଟି କପ୍ଡା ଔର ମକାନ’ ଏବଂ ‘ୟାଦଗାର’ରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ।
‘ଡନ୍’ ପରେ ତାଙ୍କ ଫିଲ୍ମ କ୍ୟାରିୟର ସେମିତି କିଛି ଉଜ୍ଜ୍ୱଳ ନଥିଲା। ୧୯୮୯ ମସିହାରେ ବେଙ୍ଗଲୀ ଫିଲ୍ମ ‘ଆଶ୍ରିତ’ର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ଭଲ ବ୍ୟବସାୟ କରିଥିଲା। ତା’ପରେ ୧୯୯୧ରେ ସେ ‘ପ୍ୟାର ଭରା ଦିଲ୍’ର ନିର୍ଦ୍ଦେଶନା ଦେଇଥିଲେ। କିନ୍ତୁ ତାହା ‘ଡନ୍’ ସ୍ତରର ଫିଲ୍ମ ନଥିଲା। ସେହିଭଳି ତାଙ୍କର ଆଉ କିଛି ଫିଲ୍ମ ‘ହଂକଂ ୱାଲି ସ୍କ୍ରିପ୍ଟ’ ଓ ‘ନୀଲ କୋ ପକଡ୍ନା ଇମ୍ପୋସିବଲ’ ରିଲିଜ୍ ହୋଇପାରିନାହିଁ।