ଡିଲିମିଟେଶନ: ଚେନ୍ନାଇ ଗଲେ ବିରୋଧୀ ନେତା
ଭୁବନେଶ୍ୱର, ୨୨ା୩(ସୁନିତ୍ ମିଶ୍ର):ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ(ଡିଲିମିଟେଶନ) ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ କମିଟିର ପ୍ରଥମ ବୈଠକରେ ଓଡ଼ିଶାରୁ ଉଭୟ ବିଜେଡି ଏବଂ କଂଗ୍ରେସ ଯୋଗଦେବେ। ଏନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ଏବଂ ବିଜେଡି ପକ୍ଷରୁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକ ଚେନ୍ନାଇ ଗସ୍ତ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଯାଉଥିବା […] The post ଡିଲିମିଟେଶନ: ଚେନ୍ନାଇ ଗଲେ ବିରୋଧୀ ନେତା appeared first on Dharitri Odia News.
ଭୁବନେଶ୍ୱର, ୨୨ା୩(ସୁନିତ୍ ମିଶ୍ର):ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ(ଡିଲିମିଟେଶନ) ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ କମିଟିର ପ୍ରଥମ ବୈଠକରେ ଓଡ଼ିଶାରୁ ଉଭୟ ବିଜେଡି ଏବଂ କଂଗ୍ରେସ ଯୋଗଦେବେ। ଏନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ଏବଂ ବିଜେଡି ପକ୍ଷରୁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକ ଚେନ୍ନାଇ ଗସ୍ତ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଯାଉଥିବା ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା ଓଡ଼ିଶା ସମେତ ତାମିଲନାଡୁ, କର୍ନାଟକ, କେରଳ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟର ବ୍ୟାପକ କ୍ଷତି ହେବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା କ୍ଷତି ସହିବାକୁ ଥିବା ୮ ରାଜ୍ୟର ପ୍ରତିନିଧି ଚେନ୍ନାଇଠାରେ ପହଞ୍ଚିବା ପରେ ଷ୍ଟାଲିନ୍ ଏକ୍ସ’ରେ ଉଲ୍ଲେଖକରିଛନ୍ତି, ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ନେଇ ଚେନ୍ନାଇରେ ହେବାକୁ ଥିବା ପ୍ରଥମ ମିଳିତ କାର୍ଯ୍ୟାନୁଷ୍ଠାନ ବୈଠକକୁ କେରଳ, କର୍ନାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଞ୍ଜାବ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ବାଗତ। ଉକ୍ତ ବୈଠକକୁ ଜାତୀୟ ସଂଘବାଦ ପାଇଁ ଏକ ଏତିହାସିକ କାର୍ଯ୍ୟକ୍ରମ ରୂପେ ସେ ଅଭିହିତ କରିଛନ୍ତି।
ଚେନ୍ନାଇରେ ପହ଼ଞ୍ଚିବା ପରେ ବିଜେଡି ପ୍ରତିନିଧି ଦାସବର୍ମା କହିଛନ୍ତି, ଜନସଂଖ୍ୟା ଆଧାରରେ ଯଦି ୨୦୨୬ ସୁଦ୍ଧା ସୀମା ପୁନଃ ନିର୍ଦ୍ଧାରଣ ପରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ କରାଯାଏ ତେବେ ୮ ରାଜ୍ୟ ସଂସଦୀୟ ପ୍ରତିନିଧିତ୍ୱରେ କ୍ଷତି ସହିବେ। ସୂଚନାଯୋଗ୍ୟ, ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ୨ ଜଣ ପ୍ରତିନିଧି କିଛିଦିନ ତଳେ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ବୈଠକରେ ଯୋଗଦେବା ଲାଗି ଆମନ୍ତ୍ରଣ କରିଥିଲେ। ସମାନଭାବେ ପିସିସି ସଭାପତି ଭକ୍ତ ଦାସଙ୍କୁ ମଧ୍ୟ ଭେଟି ବୈଠକରେ ସାମିଲହେବାକୁ ନିମନ୍ତ୍ରଣ କରିଥିଲେ। କଂଗ୍ରେସ ଏହି ବୈଠକରେ ଯୋଗଦେବା ବଡ଼କଥା ନୁହେଁ। ବିଗତ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେଶର ବିରୋଧୀ ମେଣ୍ଟର କୌଣସି କାର୍ଯ୍ୟକ୍ରମରେ ସାମିଲ ନ ହୋଇ ଏନ୍ଡିଏର ବିଭିନ୍ନ ବିଷୟକୁ ସମର୍ଥନ କରିଆସୁଥିବା ବିଜେଡି ଆଭିମୁଖ୍ୟ ବଦଳିଥିବା ଚର୍ଚ୍ଚା ହେଉଛି। ରାଜ୍ୟରେ ଭାଜପା ସରକାରକୁ ଆସିବା ପରେ ବିଜେଡି ନିଜ ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହୋଇଛି। ପୂର୍ବରୁ ଏନ୍ଡିଏ ସହ ବିଜେଡି ଏକାଠି ଥିବା କଥା ଚର୍ଚ୍ଚା କରୁଥିବା ରାଜନୈତିକ ବିଶାରଦମାନେ ଏବେ ପରିବର୍ତ୍ତିତ ରଣନୀତିକୁ ଦେଖି ଭିନ୍ନମତ ଦେବା ଆରମ୍ଭ କଲେଣି। ଓଡ଼ିଶା କଂଗ୍ରେସ ଲୋକ ସଭାରେ ପ୍ରତିନିଧିତ୍ୱ ଶୂନ୍ୟ ହେବା ପରେ ଏନ୍ଡିଏ ବିରୋଧୀଙ୍କ ସହ ସାମିଲହେବାକୁ ବାଧ୍ୟ ହୋଇଗଲାଣି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ଭାଜପା ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାର ସବୁବେଳେ ଦେଶର ଲାଭ କଥା ଚିନ୍ତାକରୁଛନ୍ତି। କୌଣସି ରାଜ୍ୟର କ୍ଷତିକରିବା କଥା କେନ୍ଦ୍ର ସରକାର କେବେହେଲେ ଚିନ୍ତା କରନ୍ତି ନାହିଁ। ଦେଶରେ ଗୋଟେ ଭୟର ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି ରାଜନୀତି କରାଯାଉଛି। ବିଜେଡି ଏଥିରେ ଯୋଗଦେବାର କୌଣସି ଆବଶ୍ୟକଶତା ନାହିଁ। କେବଳ ରାଜନୀତି କରିବା ଲାଗି ବିଜେଡି ଏଥିରେ ଯୋଗଦେଇଥିବା ଗୋଲକ କହିଛନ୍ତି। ଅନ୍ୟପକ୍ଷେ ଏକମାତ୍ର ଭାଜପା ଶାସିତ ରାଜ୍ୟ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଡିଲିମିଟେଶନ୍ ବିରୋଧୀ ବୈଠକକୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଚେନ୍ନାଇ ଯାଉ ନାହାନ୍ତି।
The post ଡିଲିମିଟେଶନ: ଚେନ୍ନାଇ ଗଲେ ବିରୋଧୀ ନେତା appeared first on Dharitri Odia News.