ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ

ଟ୍ରକ୍‌ ତଳେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର ସୁରେଶ କୁମାର ଗୁରୁ। 

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ

ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଯୋକରାପଲ୍ଲୀ ନିକଟରେ ଏକ ହଳଦୀ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ଘାଟି ତଳକୁ ଖସି ଓଲଟି ପଡ଼ିବାରୁ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସୁରେଶ କୁମାର ଗୁରୁ। ତାଙ୍କ ଘର ନୟାଗଡ଼ ଜିଲ୍ଲାର ସରପଡ଼ାରେ।

ଟ୍ରକ୍‌ଟି ମୋହନା ଅଞ୍ଚଳରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କୌଣସି କାରଣରୁ ଟ୍ରକ୍‌ଟି ଘାଟି ତଳକୁ ଖସିପଡ଼ିଥିଲା। ଟ୍ରକ୍‌ ତଳେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର ସୁରେଶ କୁମାର ଗୁରୁ। ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭର‌ଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। 

ପାଟପୁର ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।