ତର ସହୁ ନାହିଁ
ତର ସହୁ ନାହିଁ। ଅନୁରାଗର ଆକାଶରେ ସିନ୍ଦୂରା ଫାଟିଲାଣି। ସକାଳ ପରେ ସକାଳର ଜିଜ୍ଞାସା ଖିଅ ଧରୁଛି। ଏଠାରୁ ସେଠାଯାଏ, ସେଠାରୁ ଏଠାଯାଏ, ଏହି ଜିଜ୍ଞାସାର ଖିଅ, ଏହି ଅନୁରାଗ ଆକାଶର ସିନ୍ଦୂରା। ସମାଜ ଏଠି ସଂସାର ଏହି ପୃଥ୍ବୀ ଯାହାକୁ ଯେତେ। ଯାହାର ଅନ୍ତ ଯେତେବଡ଼, ତା’ ଅନୁରାଗ ଆକାଶର ଚଉହଦୀ ସେତେ ବଡ଼। ସେହି ଚଉହଦୀରେ ଗାଁ ଥାଏ ଗାଁ ନ ଥାଏ, ଦେଶ ଥାଏ ଦେଶ ନ ଥାଏ, ସକଳ ଭିଆଣରେ ଆଉ […] The post ତର ସହୁ ନାହିଁ appeared first on Dharitri Odia News.
ତର ସହୁ ନାହିଁ। ଅନୁରାଗର ଆକାଶରେ ସିନ୍ଦୂରା ଫାଟିଲାଣି। ସକାଳ ପରେ ସକାଳର ଜିଜ୍ଞାସା ଖିଅ ଧରୁଛି। ଏଠାରୁ ସେଠାଯାଏ, ସେଠାରୁ ଏଠାଯାଏ, ଏହି ଜିଜ୍ଞାସାର ଖିଅ, ଏହି ଅନୁରାଗ ଆକାଶର ସିନ୍ଦୂରା। ସମାଜ ଏଠି ସଂସାର ଏହି ପୃଥ୍ବୀ ଯାହାକୁ ଯେତେ। ଯାହାର ଅନ୍ତ ଯେତେବଡ଼, ତା’ ଅନୁରାଗ ଆକାଶର ଚଉହଦୀ ସେତେ ବଡ଼। ସେହି ଚଉହଦୀରେ ଗାଁ ଥାଏ ଗାଁ ନ ଥାଏ, ଦେଶ ଥାଏ ଦେଶ ନ ଥାଏ, ସକଳ ଭିଆଣରେ ଆଉ ଏକ ବାସ୍ନା ଭରପୂର ହୋଇ ରହିଥାଏ। ଏହି ସଂସାର ଏହି ପୃଥ୍ବୀରେ କେତେ କେତେ ମଣିଷ ଆତଯାତ ହେଉଥିଲେ ମଧ୍ୟ ଆକାଶର ସିନ୍ଦୂରାକୁ ଅଳପ କେଇଜଣଙ୍କର କେବଳ ହେତୁ ପାଏ। ଅନେକେ ଆଡ଼ ଆଡ଼ ହୋଇ ଉଠନ୍ତି। ହଁ, ଏହିପରି ଅଳପ କେଇଜଣଙ୍କ ଭିତରୁ ଓଡ଼ିଶାର ଚିତ୍ତରଞ୍ଜନ ଦାସ ଥିଲେ (ଚିତ୍ତଭାଇ) ଅନୁରାଗ ଆକାଶରେ ପ୍ରତ୍ୟକ୍ଷ କରୁଥିବା ସକାଳର ବିଭୋର ବାସ୍ନାକୁ ଆଉଜଣେ କତିକୁ ନାଗି ନାଗି ଆସୁଥିବା ସୁହୃଦ୍। ସୁହୃଦ୍ର ବିଭୋର ମଣିଷ। ଜାତି ଯାଇଥିଲା, ମାତ୍ର ଅଜାତିଆର ଗୌରବପଣରେ ସେ ଥିଲେ ମରମଭେଦୀ। ମରମକୁ ଭେଦୁଥିଲେ, ମରମକୁ ହେଜୁଥିଲେ, ମରମକୁ ହାଣି ସକାଳର ଆକାଶକୁ କେଡ଼େ ବାଗରେ ଫର୍ଚ୍ଚା କରି ଆଣୁଥିଲେ।
ଅବିଭକ୍ତ କଟକ ଜିଲା ବାଗଲପୁର ଅଧିବାସୀ ହାରାମଣି ଦେବୀ ଓ ଖୁସାଲି ଚରଣ ଦାସଙ୍କର ପୁଅ ଚିତ୍ତରଞ୍ଜନ ବଂଶବୁନିଆଦିର ଚିତ୍ତକୁ ରଞ୍ଜନ କରିବା ସହ ମଣିଷର ବଂଶ ବୁନିଆଦି ଆହୁରି କେତେ କେତେ ସମ୍ଭାବନାକୁ ଗୌରବୋଜ୍ଜ୍ୱଳ କରି ଆଣିବ, ତାହାର ଏକ ପ୍ରତିଜ୍ଞାବଦ୍ଧ ନମୁନା ରୂପେ କାଳ କାଳକୁ ନଜିର ହୋଇଯାଇଥିଲେ। କଟକ ଜେଲରେ ସ୍ବାଧୀନତାରେ ବନ୍ଦୀ ଜୀବନ କାଟୁଥିବା ବେଳେ ସେ ଲେଖିଛନ୍ତି ଶତାଧିକ କବିତା। ଏଗୁଡ଼ିକ କେବଳ ଯେ ଲେଖିବା ପାଇଁ ଲେଖାଯାଇଛି ତା’ ନୁହେଁ, ଆଲୁଅକୁ ଆଘ୍ରାଣ କରୁଥିବା ଜଣେ ସମଦରଦୀ ବନ୍ଧୁ ରୂପେ ଏସବୁ କବିତା ତାଙ୍କ ବ୍ୟଥିତ ପ୍ରାଣାକାଶର ନମୁନା।
ଦେଶ ସ୍ବାଧୀନ ହେଲା। ଜଣେ ତରୁଣ ସେତେବେଳେ ଅନେକ ସ୍ବପ୍ନର ଅଧିକାରୀ ଦେଶପାଇଁ। ଦେଶ ଓ ଦଶ ତାଙ୍କ ପାଇଁ ସ୍ବପ୍ନର କେତେକ ଶବ୍ଦ ପୁଞ୍ଜ ନ ଥିଲେ। ଏହି ଭୂଇଁକୁ କେନ୍ଦ୍ର କରି ତାଙ୍କ ଅଭୀପ୍ସାର ମହିମା ଉକୁଟି ଉଠୁଥିଲା। ସେଥିଲାଗି କେନ୍ଦ୍ର ସରକାରଙ୍କ ବାରବାର ବିଦେଶ-ସେବାର ଅନୁରୋଧ ପତ୍ରକୁ ସେ ପ୍ରାପ୍ତି-ସ୍ବୀକାର କରୁ ନ ଥିଲେ। ଜଣେ ଶିକ୍ଷକର ବାସ୍ନାକୁ ସେ ଆତ୍ମସ୍ଥ କରିସାରିଥିଲେ ସେତେବେଳକୁ। ମାଳତୀ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀଙ୍କର ମମତା ଅଙ୍ଗନରେ ସେ ଶିକ୍ଷାର ଜୀବନକୁ ବିଦ୍ୟାଳୟ ରୂପରେ ପ୍ରକାଶ ଦେବାପାଇଁ ମଗ୍ନ ମଣିଷର ଭୂମିକା ନିର୍ବାହ କରୁଥିଲେ।
ଦେଶ ସ୍ବାଧୀନତା ସମୟର ସକାଳ ସରିଆସି ସଞ୍ଜ ଆସି ଯାଉଥିଲା କି! ମାତ୍ର ଚିତ୍ତରଞ୍ଜନ ସକାଳ ଓ ସଞ୍ଜର ମିତପଣକୁ ସାଉଁଟି ନେଉଥିଲେ ଝରା ଶେଫାଳୀକୁ ତୋଳିଧରିଲା ପରି। କେତେ କେତେ ଲୋଭ ଓ ଉପଦ୍ରବର ଫଟାଭୂଇଁକୁ ଆର୍ଦ୍ରକରି ଆଣିବାରେ ଚିତ୍ତରଞ୍ଜନ ନିଜ ‘କତି’ ପଣର ଖୁବ୍ ଭାଗୀଦାରି କରାଇପାରିଛନ୍ତି। ଏଥିରେ ଓଡ଼ିଶାରେ ହାତଗଣତି କେଇଜଣ ତାଙ୍କୁ ବୁଝିଛନ୍ତି, ମାତ୍ର ଅନେକଙ୍କୁ ବୁଝାଇଛନ୍ତି ଜୀବନର ଶେଷ ନିଃଶ୍ୱାସ ରଖିବା ପର୍ଯ୍ୟନ୍ତ।
ହଁ ଏକଥାକୁ ଦେଖି ହେଉଥିଲା ଯେ, ଚିତ୍ତରଞ୍ଜନ ଯେତିକି ପରିମାଣରେ ସାବଲୀଳ ଥିଲେ, ତା’ଠାରୁ ଅନେକ ବେଶି ଥିଲେ ଗତିଶୀଳ। ଝଲକାଏ ଖରାରେ ସେ ଲାଗୁଥିଲେ କେତେ ଉଜ୍ଜ୍ୱଳ ସମସ୍ତଙ୍କ ଭିତରେ, ସମସ୍ତଙ୍କ ଅଲକ୍ଷ୍ୟରେ। ଏହି ଗତିଶୀଳ ଜୀବନ ପଣରେ ଶ୍ରୀଅରବିନ୍ଦ, ରବୀନ୍ଦ୍ର ନାଥ, ଗାନ୍ଧୀ, ସ୍ପିନୋଜା, କ୍ରିଷ୍ଣେନ୍ କଲ୍ଲ ପ୍ରମୁଖଙ୍କୁ ଯେମିତି ହୃଦୟଗ୍ରାହୀ କରି ବାଣ୍ଟିଦେଉଥିଲେ, ତାହା ଭିଡ଼ ଭିତରର ମଣିଷଙ୍କୁ ସତରେ ଅନେକ ଦୂର। ଯହୁଁ ଯହୁଁ ଖରା ବଢ଼ୁଥିଲା, ଚିତ୍ତରଞ୍ଜନ ଅଣନିଃଶ୍ୱାସୀ ହୋଇଯାଉଥିଲେ ମାତ୍ର ତାଙ୍କ ଆଲୋଚନା ଓ ଆବେଦନ ତର ସହୁ ନ ଥିଲା। ମନେପକାଇ ଗୋଟି ଗୋଟି କରି ଖୋଜୁଥିଲେ, ଏ ମୁଣ୍ଡରୁ ସେମୁଣ୍ଡ ଯାଏ, ଏ କାନିରୁ ସେ କାନି ଯାଏ। ସକାଳର ମହିମାରେ, ସକଳର ପ୍ରାର୍ଥନାରେ।
ପୁରୁଣା ଭୁବନେଶ୍ୱର
ମୋ:୮୨୪୯୬୫୭୭୭୮
The post ତର ସହୁ ନାହିଁ appeared first on Dharitri Odia News.