ତୁଟୁନି ସମସ୍ୟା, ବଢୁଛି ଅସନ୍ତୋଷ

ବରଗଡ଼,୩।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଥମିବାର ନାଁ ନେଉନାହିଁ। ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୧ଦିନ ବିତିଛି। କିନ୍ତୁ ଆରମ୍ଭରୁ ଦେଖାଯାଇଥିବା ସମସ୍ୟା ସମାଧାନ ହୋଇ ପାରିନାହିଁ। ଟୋକନ କଟକଣା, ଗନିବ୍ୟାଗ୍‌ (ବସ୍ତା), କଟନୀଛଟନୀ ସମସ୍ୟା ଲାଗି ରହିଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିଥିବାବେଳେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି କ୍ରମରେ ସୋମବାର ଜିଲାର ବିଭିନ୍ନ ଅଞ୍ଚଳର କୃଷକ ସଙ୍ଗଠନର ପ୍ରତିନିଧି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ […] The post ତୁଟୁନି ସମସ୍ୟା, ବଢୁଛି ଅସନ୍ତୋଷ appeared first on Dharitri Odia News.

ତୁଟୁନି ସମସ୍ୟା, ବଢୁଛି ଅସନ୍ତୋଷ

ବରଗଡ଼,୩।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଥମିବାର ନାଁ ନେଉନାହିଁ। ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୧ଦିନ ବିତିଛି। କିନ୍ତୁ ଆରମ୍ଭରୁ ଦେଖାଯାଇଥିବା ସମସ୍ୟା ସମାଧାନ ହୋଇ ପାରିନାହିଁ। ଟୋକନ କଟକଣା, ଗନିବ୍ୟାଗ୍‌ (ବସ୍ତା), କଟନୀଛଟନୀ ସମସ୍ୟା ଲାଗି ରହିଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିଥିବାବେଳେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି କ୍ରମରେ ସୋମବାର ଜିଲାର ବିଭିନ୍ନ ଅଞ୍ଚଳର କୃଷକ ସଙ୍ଗଠନର ପ୍ରତିନିଧି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ସେମାନେ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ରଙ୍କୁ ପୃଥକ୍‌ ଭାବେ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଅମ୍ବାଭୋନା ବ୍ଲକର ଲାଲ ବାହାଦୁର ଶାସ୍ତ୍ରୀ କୃଷକ ସଂଘ ଦେଇଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଚାଷୀମାନଙ୍କୁ ମିଳିଥିବା ଟୋକନରେ ଜମି ଅନୁପାତରେ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ କମ୍‌ ରହିଛି। ଫଳରେ ଏହାକୁ ସଂଶୋଧନ କରିବାକୁ ଦାବି ହୋଇଛି। ସେହିପରି ଚାଷୀଙ୍କୁ ଗନିବ୍ୟାଗ, ସୁତୁଲି ଯୋଗାଇବା, ଧାନର ଗୁଣମାନ ପରୀକ୍ଷା ପାଇଁ ମଣ୍ଡିରେ ଟେଷ୍ଟିଂ ମେଶିନ ରଖିବା, ବର୍ଷା ଯୋଗୁ ଟୋକନ ଅବଧିକୁ ବିଳମ୍ବ କରା ନ ଯିବା, ବର୍ଷାରେ କ୍ଷତିଗ୍ରସ୍ତ ଧାନ ବାବଦ କ୍ଷତିପୂରଣ ଯୋଗାଇବାକୁ ଲାଲ ବାହାଦୁର ଶାସ୍ତ୍ରୀ କୃଷକ ସଂଘ ଦାବି କରିଛି। ସଂଘର ଠାକୁରରାମ ପଟେଲ, ଶଙ୍କର ଖମାରୀଙ୍କ ନେତୃତ୍ୱରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।
ସେହିପରି ବରଗଡ଼ ବ୍ଲକ କଲାପାଣି ଅଞ୍ଚଳର ଚାଷୀମାନେ ପୃଥକ୍‌ ଭାବେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଟୋକନ ସମସ୍ୟାର ତୁରନ୍ତ ସମାଧାନ, ଜମି ଅନୁପାତରେ ଚାଷୀଙ୍କୁ ଟୋକନ ପ୍ରଦାନ, ମଣ୍ଡିରେ ଚାଷୀଙ୍କୁ ବସ୍ତା ଯୋଗାଇବା, ଧାନର ଗୁଣମାନ ପରୀକ୍ଷା ପାଇଁ ଗ୍ରେନ ଏନାଲାଇଜର ମେଶିନ ବ୍ୟବହାରକୁ ବନ୍ଦ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଆସନ୍ତା ୩ଦିନ ମଧ୍ୟରେ ଉକ୍ତ ଦାବି ସମୂହ ପୂରଣ ନ ହେଲେ ସେମାନେ କଲାପାଣି ମଣ୍ଡି ସମ୍ମୁଖ ରାଜପଥରେ ଧାନ ପକାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଚାଷୀନେତା ସୁରେଶ ନେକାଣ୍ଟି, ରମଣୀ ଦନ୍ତା, ଗୋପବନ୍ଧୁ ଗୁରାଣ୍ଡି, ସରୋଜ ପ୍ରଧାନ, ସୁଶାନ୍ତ ପାତ୍ର ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।
ବରଗଡ଼ ବ୍ଲକ ଗଣ୍ଡପାଲି ଗ୍ରାମର ଚାଷୀମାନେ ମଧ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲାପାଳ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଗ୍ରାମଠାରୁ ମଣ୍ଡି ଦୂରରେ ରହିଥିବାରୁ ଧାନବିକ୍ରିରେ ହଟହଟା ହେବାକୁ ପଡୁଛି ବୋଲି ଚାଷୀମାନେ କହିଛନ୍ତି। କୁରୁଆଁ ମଣ୍ଡି ଉପରେ ସେମାନେ ନିର୍ଭର କରୁଛନ୍ତି। କିନ୍ତୁ ଉକ୍ତ ମଣ୍ଡି ଗ୍ରାମଠାରୁ ଦୂରରେ ଥିବା ଯୋଗୁ ସେଠାକୁ ଧାନ ପରିବହନରେ ସମସ୍ୟା ଉପୁଜୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କୁରୁଆଁ ଗ୍ରାମର ଚାଷୀମାନେ ଉକ୍ତ ମଣ୍ଡିରେ ନିର୍ଭର କରୁଛନ୍ତି ଏବଂ ମଣ୍ଡିକୁ ବିକ୍ରି ପାଇଁ ଆଣି ଧାନ ଗଦା କରୁଛନ୍ତି। ଏଭଳିସ୍ଥଳେ କୁରୁଆଁ ଗ୍ରାମର ଚାଷୀଙ୍କ ଧାନରେ ମଣ୍ଡି ପରିସର ପୂରିଯାଉଛି ଏବଂ ସ୍ଥାନାଭାବ ଦେଖାଯାଉଛି। ଫଳରେ ଗଣ୍ଡପାଲି ଗ୍ରାମରେ ଏକ ଧାନମଣ୍ଡି ଖୋଲିବାକୁ ନରେନ୍ଦ୍ର କର୍ଣ୍ଣ, ରବିନ୍ଦ୍ର ନାଏକଙ୍କ ସମେତ ଅନେକ ଚାଷୀ ଦାବି କରିଛନ୍ତି।

The post ତୁଟୁନି ସମସ୍ୟା, ବଢୁଛି ଅସନ୍ତୋଷ appeared first on Dharitri Odia News.