ତେଲଙ୍ଗାନାରେ ନିଲାମ ହେଉଛି ସରପଞ୍ଚ ପଦ

ହାଇଦ୍ରାବାଦ: ତେଲଙ୍ଗାନା ରାଜ୍ୟ ନିର୍ବାଚନ ଆୟୋଗ (ଟିଜିଏସ୍‌ଇସି) ଦ୍ୱାରା ଖୁବ୍‌ଶୀଘ୍ର ରାଜ୍ୟର ଗ୍ରାମ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା କରାଯିବ। ତେବେ ଗ୍ରାମଗୁଡ଼ିକରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସହ ନିର୍ବାଚନ ଖର୍ଚ୍ଚ ବଞ୍ଚାଇବା ଉଦ୍ଦେଶ୍ୟରେ ସରପଞ୍ଚ ପଦ ପାଇଁ ସର୍ବସମ୍ମତି ନିର୍ବାଚନକୁ ତେଲଙ୍ଗାନା ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ୫ ହଜାରରୁ ଅଧିକ ଜନସଂଖ୍ୟା ଥିବା ପଞ୍ଚାୟତ ପାଇଁ ୧୫ ଲକ୍ଷ ଟଙ୍କା ଏବଂ ୫ ହଜାରରୁ କମ୍‌ ଜନସଂଖ୍ୟା ଥିବା ପଞ୍ଚାୟତ ପାଇଁ ୧୦ […] The post ତେଲଙ୍ଗାନାରେ ନିଲାମ ହେଉଛି ସରପଞ୍ଚ ପଦ appeared first on Dharitri Odia News.

ତେଲଙ୍ଗାନାରେ ନିଲାମ ହେଉଛି ସରପଞ୍ଚ ପଦ

ହାଇଦ୍ରାବାଦ: ତେଲଙ୍ଗାନା ରାଜ୍ୟ ନିର୍ବାଚନ ଆୟୋଗ (ଟିଜିଏସ୍‌ଇସି) ଦ୍ୱାରା ଖୁବ୍‌ଶୀଘ୍ର ରାଜ୍ୟର ଗ୍ରାମ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା କରାଯିବ। ତେବେ ଗ୍ରାମଗୁଡ଼ିକରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସହ ନିର୍ବାଚନ ଖର୍ଚ୍ଚ ବଞ୍ଚାଇବା ଉଦ୍ଦେଶ୍ୟରେ ସରପଞ୍ଚ ପଦ ପାଇଁ ସର୍ବସମ୍ମତି ନିର୍ବାଚନକୁ ତେଲଙ୍ଗାନା ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ୫ ହଜାରରୁ ଅଧିକ ଜନସଂଖ୍ୟା ଥିବା ପଞ୍ଚାୟତ ପାଇଁ ୧୫ ଲକ୍ଷ ଟଙ୍କା ଏବଂ ୫ ହଜାରରୁ କମ୍‌ ଜନସଂଖ୍ୟା ଥିବା ପଞ୍ଚାୟତ ପାଇଁ ୧୦ ଲକ୍ଷ ଟଙ୍କାର ନଗଦ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥାଏ। ଆର୍ଥିକ ପ୍ରୋତ୍ସାହନକୁ ଦୃଷ୍ଟିରେ ରଖି କେତେକ ଗ୍ରାମରେ ସରପଞ୍ଚ ପଦ ନିଲାମ ହୋଇଥିବାର ଖବର ସାମ୍‌ନାକୁ ଆସିଛି।
ରାଜ୍ୟର ଜୋଗୁଲମ୍ବା-ଗୋଡ଼ଓ୍ବାଲ ଜିଲା ମନୋପାଡ଼ୁ ବ୍ଲକ୍‌ସ୍ଥିତ ଗୋକୁଲପାଡୁ ଗ୍ରାମରେ ସର୍ବସମ୍ମତି କ୍ରମେ ସରପଞ୍ଚ ଚୟନ ପାଇଁ ଗ୍ରାମର ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ୱାବଧାନରେ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ୧୨ ଜଣ ଅଂଶଗ୍ରହଣକାରୀ ଏହି ନିଲାମରେ ଭାଗ ନେଇଥିଲେ। ୨୭.୫୦ ଲକ୍ଷ ଟଙ୍କାରେ ଗୋକୁଲପାଡୁ ସରପଞ୍ଚ ପଦ ନିଲାମ ହୋଇଥିଲା। ସର୍ବସମ୍ମତି କ୍ରମେ ସରପଞ୍ଚ ମନୋନୀତ ହୋଇଥିବା ବ୍ୟକ୍ତି ସମ୍ପୃକ୍ତ ପଞ୍ଚାୟତକୁ ନିଲାମ ରାଶି ପ୍ରଦାନ କରିବାକୁ ସହମତ ହୋଇଛନ୍ତି। ଏହି ଗ୍ରାମରେ ୫୫୦ ଜଣ ମତଦାତା ରହିଥିବାବେଳେ ନିଲାମ ରାଶି ଗଁାର ମନ୍ଦିର ନିର୍ମାଣ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ନିଲାମ ନେଇ ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲୁନାହାନ୍ତି। କେବଳ ଗୋକୁଲପାଡୁ ଗ୍ରାମରେ ନୁହେଁ, ନାଲ୍‌ଗୋଣ୍ଡା, କରିମନଗର, ଆଦିଲାବାଦ ଆଦି ଜିଲାର ବିଭିନ୍ନ ଗ୍ରାମରେ ସରପଞ୍ଚ ପଦ ପାଇଁ ସର୍ବସମ୍ମତି ପ୍ରାର୍ଥୀ ବାଛିବା ଉଦ୍ଦେଶ୍ୟରେ ନିଲାମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଘୋଷଣା ହେବା ପରେ ନିଲାମରେ ସର୍ବାଧିକ ଟଙ୍କା ଲଗାଇଥିବା ବ୍ୟକ୍ତି ହିଁ ଯେପରି ପ୍ରାର୍ଥୀ ହେବେ ଏବଂ ଅନ୍ୟମାନେ ପ୍ରାର୍ଥୀପତ୍ର ଦାଖଲ କରିବେ ନାହିଁ ସେନେଇ ଗ୍ରାମର ମୁରବୀମାନେ ନିଷ୍ପତ୍ତି ନେଇଥାନ୍ତି। ରାଜନୈତିକ ଦଳଗୁଡ଼ିକ ଏଥିରେ ଆପତ୍ତି ପ୍ରକାଶ କରନ୍ତି ନାହିଁ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ଗତ ତେଲଙ୍ଗାନ ଗ୍ରାମପଞ୍ଚାୟତ ନିର୍ବାଚନରେ ମଧ୍ୟ ସର୍ବସମ୍ମତିକ୍ରମେ ନିର୍ବାଚନ ହୋଇଥିଲା, ଯେଉଁଥିରେ ୧୦ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ସରପଞ୍ଚ ପଦ ହୋଇଥିଲା ବୋଲି ରାଜ୍ୟ ପଞ୍ଚାୟତିରାଜ ବିଭାଗର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି। ସାଧାରଣତଃ ହାଇଦ୍ରାବାଦଠାରୁ ଦୂରଦୂରାନ୍ତର ପଞ୍ଚାୟତରେ ଏହି ପ୍ରକାର ନିଲାମକୁ ବିରୋଧ କରାଯାଏ ନାହିଁ ବୋଲି ସେ କହିଛନ୍ତି। ତେବେ ରାଜ୍ୟରେ ସରପଞ୍ଚ ପଦ ପାଇଁ ବଢ଼ି ଚାଲିଥିବା ନିଲାମ ଜନିତ ମାମଲାକୁ ଦୃଷ୍ଟିରେ ରଖି ଏହା ଉପରେ ନଜର ରଖିବାକୁ ସମସ୍ତ ଜିଲାପାଳଙ୍କୁ ରାଜ୍ୟ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଛି।

The post ତେଲଙ୍ଗାନାରେ ନିଲାମ ହେଉଛି ସରପଞ୍ଚ ପଦ appeared first on Dharitri Odia News.