ତ୍ରିବେଣୀ ସଙ୍ଗମ ଓ ଗାନ୍ଧୀଙ୍କ ଚିତାଭସ୍ମ

ରାତି ଏଗାରଟା ତିରିଶ ମିନିଟ, ଜାନୁଆରୀ ୩୦ ତାରିଖ, ୧୯୪୮ ମସିହା। ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁର ପ୍ରାୟ ୬ ଘଣ୍ଟା ପରର କଥା। ବିଶ୍ୱମାନବଙ୍କ ପାର୍ଥିବ ଶରୀରକୁ ସର୍ବସାଧାରଣଙ୍କ ଶେଷଦର୍ଶନ ପାଇଁ ଆଲବକର କ୍ୟୁ ରୋଡ୍‌‌ ସ୍ଥିତ ବିରଳା ଭବନର ବାଲକୋନିରେ ରଖାଯାଇଥିଲା। ଭିଡ଼ କ୍ରମାଗତ ଭାବେ ବଢ଼ୁଥିଲା। ଏହାମଧ୍ୟରେ ଆଲୋଚନା ଚାଲିଲା ଯେ ଗାନ୍ଧୀଙ୍କ ପାର୍ଥିବ ଶରୀରକୁ ପନ୍ଦରଦିନ ଯାଏଁ କୃତ୍ରିମ ଭାବେ ସଂରକ୍ଷିତ ରଖାଯିବ। ଏହି ପ୍ରସ୍ତାବ ପ୍ରତି ନେହେରୁ ଓ ମାଉଣ୍ଟବ୍ୟାଟନଙ୍କର ଆପତ୍ତି […]

ତ୍ରିବେଣୀ ସଙ୍ଗମ ଓ ଗାନ୍ଧୀଙ୍କ ଚିତାଭସ୍ମ
sakala article

ରାତି ଏଗାରଟା ତିରିଶ ମିନିଟ, ଜାନୁଆରୀ ୩୦ ତାରିଖ, ୧୯୪୮ ମସିହା। ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁର ପ୍ରାୟ ୬ ଘଣ୍ଟା ପରର କଥା। ବିଶ୍ୱମାନବଙ୍କ ପାର୍ଥିବ ଶରୀରକୁ ସର୍ବସାଧାରଣଙ୍କ ଶେଷଦର୍ଶନ ପାଇଁ ଆଲବକର କ୍ୟୁ ରୋଡ୍‌‌ ସ୍ଥିତ ବିରଳା ଭବନର ବାଲକୋନିରେ ରଖାଯାଇଥିଲା। ଭିଡ଼ କ୍ରମାଗତ ଭାବେ ବଢ଼ୁଥିଲା। ଏହାମଧ୍ୟରେ ଆଲୋଚନା ଚାଲିଲା ଯେ ଗାନ୍ଧୀଙ୍କ ପାର୍ଥିବ ଶରୀରକୁ ପନ୍ଦରଦିନ ଯାଏଁ କୃତ୍ରିମ ଭାବେ ସଂରକ୍ଷିତ ରଖାଯିବ। ଏହି ପ୍ରସ୍ତାବ ପ୍ରତି ନେହେରୁ ଓ ମାଉଣ୍ଟବ୍ୟାଟନଙ୍କର ଆପତ୍ତି ନଥିଲା। କିନ୍ତୁ ଏହିଭଳି ସମ୍ୱେଦନଶୀଳ ପ୍ରସଙ୍ଗକୁ ଅତି ସମ୍ମାନର ସହ ଏଡ଼ାଇ ଯାଇ ଗାନ୍ଧିଜୀଙ୍କ ସଚିବ ପ୍ୟାରେଲାଲ କହିଲେ ‘ମୃତ୍ୟୁପରେ ଶରୀରକୁ ସୁବାସିତ ଓ ରାସାୟନିକ ପ୍ରଲେପ ଦେଇ ସତେଜ ରଖିବା ଗାନ୍ଧୀଙ୍କ ଇଚ୍ଛାର ପରିପନ୍ଥୀ’। ପରିଶେଷରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା ଯେ ଜାନୁଆରୀ ୩୧ ତାରିଖରେ ଯମୁନା କୂଳର ରାଜଘାଟରେ ଗାନ୍ଧିଜୀଙ୍କ ଅନ୍ତିମ ସଂସ୍କାର କରାଯିବ।

ମାଉଣ୍ଟବ୍ୟାଟନଙ୍କ ନିର୍ଦ୍ଦେଶକ୍ରମେ ଅନ୍ତିମ ସଂସ୍କାର ବ୍ୟବସ୍ଥାର ଉତ୍ତରଦାୟିତ୍ୱ ନ୍ୟସ୍ତ ଥିଲା ଭାରତର ନୂଆ ସେନାଧ୍ୟକ୍ଷ ଜେନେରାଲ ଆର. ବୁଚରଙ୍କ ଉପରେ। ଯୋଜନା ଅନୁଯାୟୀ ଗାନ୍ଧିଜୀଙ୍କ ଶବାଧାର ଶୋଭାଯାତ୍ରା ଜାନୁଆରୀ ୩୧ ପୂର୍ବାହ୍ନ ୧୧.୩୦ରେ ବାହାରି ବେଲାରୋଡ – ଦିଲ୍ଲୀଗେଟ – ଜାତୀୟ ଆଭେନ୍ୟୁ – ଲର୍ଡ ଜର୍ଜ ପ୍ରତିମୂର୍ତ୍ତି ଛକ ଦେଇ ପହଞ୍ଚିବ ଯମୁନାକୂଳରେ। ମୁଖାଗ୍ନି ସମୟ ରହିବ ଅପରାହ୍ନ ୪ଟାରୁ ୫ ମଧ୍ୟରେ। ଗାନ୍ଧିଜୀଙ୍କ ପାର୍ଥିବ ଶରୀରକୁ ଏକ ବିଶାଳ ମିଲିଟାରୀ ଟ୍ରକ ଉପରେ ନବନିର୍ମିତ ପ୍ଲାଟଫର୍ମରେ ରଖାଯିବ। ପ୍ଲାଟଫର୍ମ ପାଖରେ ଅଳ୍ପ ଲୋକ ବସିବା ପାଇଁ ଏକ ଛୋଟ କୋଠରି ନିର୍ମିତ ହେବ। ଇଞ୍ଜିନ ବନ୍ଦ ଥିବା ଟ୍ରକକୁ ଟାଣିବେ ୨୦୦ ସୈନିକ। ଜଳ, ସ୍ଥଳ ଓ ଆକାଶ ବାହିନୀର ସମୁଦାୟ ୬ ହଜାର ସୈନ୍ୟ ଶୋଭାଯାତ୍ରାର ଆଗରେ ଓ ପଛରେ ଚାଲିବେ। ଆକାଶରୁ ହେଲିକପ୍ଟରରେ ପୁଷ୍ପ ବୃଷ୍ଟି ହେବ। ଟ୍ରକ ସହ ଏକ ସୁରକ୍ଷା ଗାଡ଼ି ମଧ୍ୟ ଯିବ।

ସମୟ ବଡ଼ିଭୋର ୩ଟା, ଜାନୁଆରୀ ୩୧ ତାରିଖ ୧୯୪୮ ମସିହା। ଗାନ୍ଧିଜୀଙ୍କ ମୃତ୍ୟୁର ଦଶଘଣ୍ଟା ପରେ ତାଙ୍କ ମୃତ ଶରୀରକୁ ଥଣ୍ଡା ପାଣିରେ ସଫା କରାଗଲା। ରକ୍ତ ଜୁଡୁବୁଡୁ ଚଦର ଆଉ ଧୋତି ଖୋଲି ଦେଲା ପରେ ଦେଖାଗଲା ଗାନ୍ଧୀଙ୍କ ଛାତି ଓ ତଳି ପେଟରେ ଗଭୀର କ୍ଷତ। ବିଷାଦ ମଧ୍ୟରେ ଗୀତା ପାଠ ହେଉଥିଲା। କିନ୍ତୁ କୌଣସି ବ୍ୟକ୍ତି ଗାନ୍ଧିଜୀଙ୍କ ହତ୍ୟାକାରୀକୁ ଅଭିଶାପ ଦେଉ ନ ଥିଲେ। କାରଣ ଗାନ୍ଧୀବାଣୀ ଥିଲା ‘ଦୁଃଖ ଆସିଲେ ଯନ୍ତ୍ରଣାକୁ ଆଲିଙ୍ଗନ କର, ନିଜକୁ କଷ୍ଟ ଦିଅ, ନିଜ ଦୁଃଖ ପାଇଁ ଆଉ କାହାକୁ ଦୋଷୀ କରନା।’ ଗାନ୍ଧିଜୀଙ୍କ ମର ଶରୀରକୁ ସଫା କରିବା ପରେ ଦେହରେ ଚନ୍ଦନ, ମୁଣ୍ଡରେ ସିନ୍ଦୂର ଟୋପା, ବେକରେ ସୁତା ମାଳି ଓ ନୂଆ ଖଦିର ଧୋତି ପିନ୍ଧାଗଲା। କାର୍ଯ୍ୟକ୍ରମ ନିର୍ଘଣ୍ଟ ଅନୁଯାୟୀ ଶୋଭାଯାତ୍ରା ଆରମ୍ଭ ହେଲା। ଦଶ ଲକ୍ଷରୁ ଅଧିକ ଜନସମାଗମର ଅସମ୍ଭବ ଭିଡ଼। ବରିଷ୍ଠ ଗାନ୍ଧିବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା ନିଜ ପୁସ୍ତକ ‘ଗାନ୍ଧୀ ମହାତ୍ମା’ରେ ଉଲ୍ଲେଖ କରିଛନ୍ତି ଯେ ‘ଗାନ୍ଧୀଙ୍କ ମରଶରୀରର ଶୋଭାଯାତ୍ରାର ପଟ୍ଟାନ୍ତର ନଥିଲା। ମନେ ହେଉଥିଲା, ମଧ୍ୟଯୁଗୀୟ ଇଟାଲୀର ସମ୍ରାଟମାନେ ଯେମିତି ତାଙ୍କର ଯୁଦ୍ଧ ବିଜୟ ଶୋଭାଯାତ୍ରା କରନ୍ତି, ଠିକ୍‌‌ ସେମିତି ଥିଲା ଏ ଶୋଭାଯାତ୍ରା।’ ଏକ ମିନିଟର ନିରବ ପ୍ରାର୍ଥନା ପରେ ଅପରାହ୍ନ ୪.୪୫ ମିନିଟରେ ଗାନ୍ଧୀଙ୍କ ଚିତାକୁ ତୃତୀୟ ପୁତ୍ର ରାମଦାସ ମୁଖାଗ୍ନି ଦେଲେ। ଗାନ୍ଧୀଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇ ସନ୍ଧ୍ୟା ୬ଟା ସୁଦ୍ଧା ଚିତା ଶୀତଳ ହୋଇସାରିଥିଲା। ତେରଦିନ ପରେ ଅର୍ଥାତ୍‌‌ ୧୯୪୮ ମସିହା ଫେବୃଆରୀ ୧୨ ତାରିଖ ଦିନ ଆହ୍ଲାବାଦ(ପ୍ରୟାଗରାଜ) ରେ ଗାନ୍ଧୀଙ୍କ ଚିତା ଭସ୍ମ ବିସର୍ଜନ ପାଇଁ ଦିନ ସ୍ଥିର କରାଗଲା। ଗାନ୍ଧିଜୀଙ୍କ ଅନ୍ତିମ ସଂସ୍କାର ପରେ ରାଜଘାଟ ଅନେକଙ୍କ ପାଇଁ ଏକ ପବିତ୍ର ସ୍ଥାନରେ ପରିଣତ ହୋଇଥିଲା। ଏପରିକି ନେହେରୁଙ୍କୁ କିଛି ଘଟଣା ବିଷୟରେ ସୂଚନା ମିଳିଥିଲା, ଯେଉଁଠାରେ ଲୋକମାନେ ଚିତା ସ୍ଥଳରୁ ବାଲି ଓ ମାଟି ନେଉଥିଲେ। ଗବେଷକ ଶ୍ରୀପରିଡ଼ାଙ୍କ ମନ୍ତବ୍ୟରେ ୧୯୨୧ ମସିହାରେ କଟକ ଆଗମନରେ ମଧ୍ୟ ଅନୁରୂପ ଘଟଣା ଦେଖାଯାଇଥିଲା। ଲୋକମାନେ ଗାନ୍ଧିଜୀ ଠିଆହୋଇ ଦେଇଥିବା ଭାଷଣ ସ୍ଥଳର ମାଟିକୁ ପବିତ୍ର ଭାବି ଘରକୁ ନେଇଯାଇଥିଲେ ଏବଂ ଏହା ଚୋରାରେ ବିକ୍ରି ହେଉଥÒବାର ଅଭିଯୋଗ ହେଇଥିଲା। ରାଜଘାଟରୁ ମାଟି ନେବା ପରିପ୍ରେକ୍ଷୀରେ ନେହେରୁ କ୍ୟାବିନେଟକୁ ଏକ ପରାମର୍ଶପତ୍ରରେ ଲେଖିଲେ ‘ଗାନ୍ଧିଜୀଙ୍କ ସତ୍କାର ସ୍ଥଳ ଅନେକଙ୍କ ପାଇଁ ଏକ ପବିତ୍ର ପୃଥିବୀରେ ପରିଣତ ହୋଇସାରିଛି। ଏହାର ସୁରକ୍ଷା ନିତାନ୍ତ ଆବଶ୍ୟକ। ତେଣୁ ଏହାର ଚାରିପାଖରେ ୧୫ ଫୁଟର ଏକ ସିମେଣ୍ଟ ପ୍ଲାଟଫର୍ମ ସହିତ ରେଲିଂ ଥିବା ଦୁଇ ଫୁଟ ଉଚ୍ଚ କାନ୍ଥ ରହିବା ଉଚିତ୍‌‌। ପ୍ରତି ୧୫ରୁ ୧୭ ବର୍ଷରେ ସେହି ସ୍ଥଳରେ ଯମୁନା ନଦୀରେ ବନ୍ୟା ହୁଏ। ତେଣୁ ଗାନ୍ଧୀଙ୍କ ଅନ୍ତିମ ସଂସ୍କାର ସ୍ଥଳରେ କୌଣସି କୋଠା ନିର୍ମାଣ ପାଇଁ ଅନୁମତି ନ ଦେବା ଉଚିତ ହେବ।’ କଳାକାର ନନ୍ଦଲାଲ ବୋଷଙ୍କୁ ରାଜଘାଟର ଡିଜାଇନ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା।

ଏହା ପରେ ପରେ ଗାନ୍ଧିଜୀଙ୍କ ଚିତାଭସ୍ମକୁ ନେଇ ଆଉ ଏକ ସମସ୍ୟା ଉପୁଜିଲା। ସମସ୍ୟାଟି ଥିଲା – ଗାନ୍ଧିଜୀଙ୍କ ସାନପୁଅ ଦେବଦାସ ଗାନ୍ଧୀ ଲଣ୍ଡନର ପ୍ରସିଦ୍ଧ ଡାକ୍ତର ଚୁନି ଲାଲ କାଟିଆଲଙ୍କୁ ଅଳ୍ପ ପରିମାଣର ମହାତ୍ମାଙ୍କ ଚିତାଭସ୍ମ ଦେଇଥିଲେ। ଏହା ଜାଣିବା ପରେ ଇଂଲଣ୍ଡର ଉଚ୍ଚାୟୁକ୍ତ ଭି କେ କ୍ରିଷ୍ଣା ମେନନଙ୍କୁ ନେହେରୁ ଏକ ଜରୁରି ଟେଲିଗ୍ରାମ କଲେ। ସେଥିରେ ନିର୍ଦ୍ଦେଶ ଥିଲା ଯେ ଲଣ୍ଡନରେ ଅବସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ୱାରା ଅସ୍ଥି ବିସର୍ଜନ ପାଇଁ କୌଣସି ସମାରୋହ କିମ୍ୱା ପ୍ରାୟୋଜକଙ୍କୁ ଅନୁମତି ଦିଆଯିବ ନାହିଁ। କାରଣ ଭାରତ ସରକାର ଗାନ୍ଧୀଙ୍କ ଚିତାଭସ୍ମକୁ ତ୍ରିବେଣୀ ସଙ୍ଗମରେ ବିସର୍ଜନ କରିବାକୁ ଆନୁଷ୍ଠାନିକ ଭାବେ ଯୋଜନା କରିଛନ୍ତି। ଏହାମଧ୍ୟରେ ଦେବଦାସ ଗାନ୍ଧୀ ମଧ୍ୟ ଡାକ୍ତର ଚୁନି ଲାଲ କାଟିଆଲଙ୍କୁ ଲଣ୍ଡନରେ ଚିତାଭସ୍ମ ବିସର୍ଜନ ନ କରିବାକୁ ଅନୁରୋଧ କରିସାରିଥିଲେ।

ଆହ୍ଲାବାଦର ତ୍ରିବେଣୀ ସଙ୍ଗମରେ ଗାନ୍ଧିଜୀଙ୍କ ଅସ୍ଥି ଓ ଚିତା ଭସ୍ମ ବିସର୍ଜନ ନିମନ୍ତେ ନେହେରୁ ଫେବୃଆରୀ ୩ ତାରିଖ ୧୯୪୮ ମସିହାରେ ଜେନେରାଲ ବୁଚରଙ୍କୁ ଏକ ଚିଠି ଲେଖିଲେ। ଚିଠିରେ ନେହେରୁଙ୍କ ପ୍ରମୁଖ ଚିନ୍ତା ଥିଲା ସେହି ବର୍ଷ ହେଉଥିବା ଆହ୍ଲାବାଦରେ କୁମ୍ଭମେଳା(ଅର୍ଦ୍ଧକୁମ୍ଭ )। ୬ ବର୍ଷ ପୂର୍ବରୁ ହୋଇଥିବା ୧୯୪୨ ମସିହାର ପୂର୍ଣ୍ଣ କୁମ୍ଭମେଳାରେ ଦଳାଚକଟା ଓ ଅବ୍ୟବସ୍ଥା ଯୋଗୁଁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ତେଣୁ ଗାନ୍ଧିଜୀଙ୍କ ଚିତାଭସ୍ମ ବିସର୍ଜନ ପାଇଁ ଉଭୟ ବିଶାଳ ଶୋଭାଯାତ୍ରା ଏବଂ କୁମ୍ଭମେଳାର ଭିଡ଼ ସ୍ଥାନୀୟ ପ୍ରଶାସନ ପାଇଁ ଏକ ଆହ୍ୱାନ ଥିଲା। ନେହେରୁ ଜେନେରାଲ ବୁଚରଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଥିଲେ ଯେ, ‘ଗାନ୍ଧୀଙ୍କ ଚିତାଭସ୍ମ ଗଙ୍ଗା-ଯମୁନା-ସରସ୍ୱତୀର ତ୍ରିବେଣୀ ସଂଗମରେ ବିସର୍ଜନ କରିଯିବାର ବ୍ୟବସ୍ଥା ହୋଇଛି। ୧୧ ଫେବୃଆରୀ ରାତିରେ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଗାନ୍ଧୀଙ୍କ ଚିତାଭସ୍ମ ଦିଲ୍ଲୀରୁ ବାହାରି ୧୨ ଫେବୃଆରୀ ସକାଳେ ଆହ୍ଲାବାଦରେ ପହଞ୍ଚିବ। ବିସର୍ଜନ ଶୋଭାଯାତ୍ରା ପାଇଁ ଆହ୍ଲାବାଦ ରେଳ ଷ୍ଟେସନରୁ ନଦୀ ପଠା ପର୍ଯ୍ୟନ୍ତ ପ୍ରବଳ ଜନସମାଗାମ ହେବାର ସମ୍ଭାବନା ଅଛି। ଯେହେତୁ କୁମ୍ଭମେଳା ଚାଲିଛି ଭିଡ଼ ଆହୁରି ବଢ଼଼ିପାରେ। ତେଣୁ ଦିଲ୍ଲୀରେ ଗାନ୍ଧୀଙ୍କ ଅନ୍ତିମ ସଂସ୍କାର ଭଳି ଆଉ ଏକ ସଂଗଠିତ ବ୍ୟବସ୍ଥା କରିବା ଆପଣଙ୍କ ପାଇଁ ଜରୁରୀ। ଏହା ସହ ଶୋଭାଯାତ୍ରାକୁ କାର୍ଯ୍ୟକାରୀ କରିବା ପାଇଁ ପୁନର୍ବାର ସେନା ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ମୁଁ ଆଶା କରୁଛି।’

ଯେଉଁ ତ୍ରିବେଣୀରେ ସ୍ନାନ କରି ଭାରତକୁ ପରିବର୍ତ୍ତନ କରିବାର ଶପଥ ନେଇଥିଲେ, ୩୩ ବର୍ଷ ପରେ ସେହି ତ୍ରିବେଣୀ ସଙ୍ଗମରେ ସମ୍ପୂର୍ଣ୍ଣ ଲୀନ ହେବାକୁ ଯାଉଥିଲେ ମହାତ୍ମା। ଏଠି ଜାଣି ରଖିବାକୁ ହେବ ଯେ ୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରୁ ଆସିବା ପରେ ଗାନ୍ଧୀଙ୍କୁ ଭାରତ ଭ୍ରମଣ ସହ ବିଭିନ୍ନ ଧର୍ମ, ସଂସ୍କୃତି, ଭାଷା ସମ୍ପର୍କରେ ଅନୁଭୂତି ନେବା ପାଇଁ ଗୁରୁ ଗୋଖଲେ ପରାମର୍ଶ ଦେଇଥିଲେ। ଭାରତ ଭ୍ରମଣରେ ଗାନ୍ଧିଜୀ ହରଦ୍ୱାର ମଧ୍ୟ ଗଲେ। ସେହି ସମୟରେ ବାରବର୍ଷରେ ପଡ଼ିଥିବା ପୂର୍ଣ୍ଣ କୁମ୍ଭମେଳା ହେଉଥାଏ। ୧ ୭ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥାଏ। କୁମ୍ଭମେଳାରେ ଗାନ୍ଧୀ ଜାଣିବାକୁ ପାଇଲେ ଯେ ଧର୍ମକୁ ଜୀବନର ଏକ ଉପାଦାନ ଭାବେ ଗ୍ରହଣ କରିଥିବା ଲୋକଙ୍କ ସଂଖ୍ୟା କମ୍‌‌ ଏବଂ ଧର୍ମାନ୍ଧଙ୍କ ଓ ଧର୍ମ ବେପାରିଙ୍କ ସଂଖ୍ୟା ଅଧିକ। ଅବଶ୍ୟ ହରଦ୍ୱାରର କାଂଗ୍ରୀ ଆଶ୍ରମର ସାଧୁ ମୁନ୍‌‌ସିରାମ ଓରଫ ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ଦ୍ୱାରା ଗାନ୍ଧିଜୀ ବିଶେଷ ଅନୁପ୍ରାଣିତ ହୋଇଥିଲେ ବୋଲି ସ୍ୱୀକାର କରିଛନ୍ତି।

ଫେବୃଆରୀ ୧୨ ତାରିଖ ୧୯୪୮ ମସିହାରେ ତ୍ରିବେଣୀ ସଙ୍ଗମରେ ଗାନ୍ଧିଜୀଙ୍କ ଚିତା ଭସ୍ମ ବିସର୍ଜନ ହୋଇଥିଲା। ‘ସିଲେକ୍ଟଡ ୱାର୍କସ ଅଫ ନେହେରୁ’ ଅନୁଯାୟୀ ସେଦିନର ଶୋଭାଯାତ୍ରା ‘ଆମର ଏକକ ପ୍ରୟାସ ହିଁ ଏକତା ଆଣିବ’ର ବାର୍ତ୍ତା ବହନ କରିଥିଲା। ଆଜିର ପୁଣ୍ୟତିଥିରେ ବିଶ୍ୱମାନବ ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଡକ୍ଟର ଅବଶ ପରିଡ଼ା
ଭୁବନେଶ୍ୱର, ମୋ: ୮୪୫୬୮୭୯୫୨୨