ଥମୁନି ହିଂସା, ଗୁଳିମାଡ଼ରେ ୪ ପୁଲିସ କମାଣ୍ଡୋ ଓ ଜଣେ ଯବାନ ଆହତ

ସୋମବାର ହୋଇଥିବା ହିଂସାରେ ୪ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହପରେ ଅନେକ ଜିଲ୍ଲାରେ ପୁଣି କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଥମୁନି ହିଂସା, ଗୁଳିମାଡ଼ରେ ୪ ପୁଲିସ କମାଣ୍ଡୋ ଓ ଜଣେ ଯବାନ ଆହତ

ମଣିପୁରରେ ଥମୁନି ହିଂସା। ମଣିପୁର ତେଙ୍ଗୋପାଲ ଜିଲ୍ଲାର ମୋରେହ ସହରରେ ପୁଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିମାଧ ବୋମା ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳ ଦୋହଲି ଉଡିଛି। ଏହି ଗୁଳିମାଡ଼ରେ ୪ ଜଣ ପୁଲିସ କମାଣ୍ଡୋ ଓ ଜଣେ ବିଏସ୍‌ଏଫ୍‌ ଯବାନ ଆହତ ହୋଇଛନ୍ତି। ‌ଥୌବାଲ ଜିଲ୍ଲାର ଲିଲୋଙ୍ଗ ଅଞ୍ଚଳରେ ଅଜଣା ବନ୍ଧୁକଧ‌ାରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଉପୁଜି ୪ ଜଣ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯିବାର ଗୋଟାଏ ଦିନ ପରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି।

ମିଆଁମାର ସୀମା ନିକଟସ୍ଥ ମୋରେହ ଅଭିମୁଖେ ଯାଉଥିବା ବେଳେ ବନ୍ଧୁକଧାରୀମାନେ ପୁଲିସ କମାଣ୍ଡୋ ଗାଡ଼ିକୁ ଟାର୍ଗେଟ କରିଥିଲେ। ଏହି ସମୟରେ ଉଭୟ ପକ୍ଷରେ ପ୍ରବଳ ଗୁଳିମାଡ଼ ହୋଇଥିଲା। କେବଳ ସେତିକି ନୁହେଁ ଚରୋଟ ବୋମା ବିସ୍ଫୋରଣ ମଧ୍ୟ ହୋଇଥିଲା। ସେପଟେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବନ୍ଧୁକଧାରୀମାନେ ରାଜ୍ୟ କମାଣ୍ଡୋଙ୍କ ଆରପିଜି ଉପରେ ଗୁଳି ଚଳାଇଥିଲେ। ଏଥିରେ ଜଣେ ବିଏସ୍‌ଏଫ୍‌ ଯବାନ ଆହତ ହୋଇଛନ୍ତି। ସମସ୍ତ ଆହତ ପୁଲିସ ଓ ସୁରକ୍ଷା ଅଧିକାରୀଙ୍କୁ ଆସାମ ରାଇଫଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ବିଏସ୍‌ଏଫ୍ ଯବାନଙ୍କ ଅବସ୍ଥା ସ୍ଥିର ରହିଛି। ତାଙ୍କୁ ଚିକିତ୍ସା ପାଇଁ ଇମ୍ପାଲ ସ୍ଥାନାନ୍ତର କରାଯାଇଛି।

ସୋମବାର ମଧ୍ୟ ମଣିପୁରରେ ପୁଣିଥରେ ହିଂସା ଘଟିଥିଲା। ଏଥିରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜ୍ୟ ସରକାର ଥୌବାଲ ଏବଂ ଇମ୍ଫାଲ ପଶ୍ଚିମ ଜିଲ୍ଲାଗୁଡ଼ିକରେ ପୁଣି କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଚାରି ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ।

ପରେ ଏକ ଭିଡିଓ ବାର୍ତ୍ତାରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହ ଲିଲୋଙ୍ଗ ଲୋକଙ୍କୁ ଆଉ ଅଧିକ ହିଂସା ନକରିବାକୁ ଏବଂ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ। ୪ ସାଧାରଣ ନାଗରିକଙ୍କ ହତ୍ୟାରେ ଦୋଷୀ ଥିବା ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥି‌ଲେ।