ଦମ୍ପତିଙ୍କ କାର୍‌କୁ ଅଟକାଇ ଭଙ୍ଗାରୁଜା କଲେ, ୫ ବର୍ଷର ପିଲା ଆହତ: ଦେଖନ୍ତୁ ଭିଡିଓ

କାଚ ମାଡ଼ ହେବାରୁ ପଛ ସିଟରେ ବସିଥିବା ଅନୁପଙ୍କ ପୁଅ କାନ୍ଦିବା ଆରମ୍ଭ କରିଥିଲେ। ତା’ ଦେହରୁ ରକ୍ତ ବାହାରିବାରୁ ଅନୁପ ଚିତ୍କାର କରିଥିଲେ।

ଦମ୍ପତିଙ୍କ କାର୍‌କୁ ଅଟକାଇ ଭଙ୍ଗାରୁଜା କଲେ, ୫ ବର୍ଷର ପିଲା ଆହତ: ଦେଖନ୍ତୁ ଭିଡିଓ

ବିଚ୍‌ ରାସ୍ତାରେ ଦୁଇ ଜଣ ଯୁବକ ଖେଳାଇଛନ୍ତି ଆତଙ୍କ। ସେମାନେ କାରରେ ଯାଉଥିବା ଦମ୍ପତିଙ୍କୁ ପିଛା କରି ଅଟକାଇବା ସହ ଦାଦାଗିରି ଦେଖାଇଛନ୍ତି। ସେମାନେ କାରକୁ ଭଙ୍ଗାରୁଜା କରିବାରୁ ପଛ ସିଟ୍‌ରେ ବସିଥିବା ଦମ୍ପତିଙ୍କ ୫ ବର୍ଷର ପିଲାଟି ଆହତ ହୋଇଛି। ବେଙ୍ଗାଲୁରୁର ଗୋଟିଏ ଜନଗହଳୀପୂର୍ଣ୍ଣ ରାସ୍ତାରେ ଘଟିଥିବା ଏହି ଘଟଣାର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବାଇକରେ ଥିବା ଦୁଇ ଜଣ ଯୁବକ କାର୍‌ରେ ଯାଉଥିବା ଦମ୍ପତିଙ୍କୁ ଦୁଇ ଥର ଅଟକାଇବା ସହ ଆହତ ପିଲାଟିର ବାପା ଅନୁପଙ୍କୁ ଝରକା କାଚ ତଳକୁ ଖସାଇବା ପାଇଁ କହିଥିଲେ। ସେ କାର୍‌ର କାଚ ତଳକୁ ନ କରିବାରୁ ଦୁଇ ଯୁବକ ଗୋଟିଏ ପଥର ଦ୍ୱାରା ଏହାକୁ ଭାଙ୍ଗି ଦେଇଥିଲେ।

କାଚ ମାଡ଼ ହେବାରୁ ପଛ ସିଟରେ ବସିଥିବା ଅନୁପଙ୍କ ପୁଅ କାନ୍ଦିବା ଆରମ୍ଭ କରିଥିଲେ। ତା’ ଦେହରୁ ରକ୍ତ ବାହାରିବାରୁ ଅନୁପ ଚିତ୍କାର କରିଥିଲେ। ଏହାପରେ ପିଲାଟିକୁ ହସ୍ପିଟାଲ ନିଆଯାଇଥିଲା।

ଅନୁପ କହିଛନ୍ତି ଯେ ସେମାନେ ଘର ଠାରୁ ୨ କିମି ଦୂରରେ ଥିବା ବେଳେ ଦୁଇ ଯୁବକ ସେମାନଙ୍କୁ ବାଇକରେ ପିଛା କରିବା ସହ ଆକ୍ରମଣ କରିଥିଲେ। ସେ କହିଛନ୍ତି, “ମୋ ପୁଅ କାର୍‌ର ପଛ ସିଟରେ ବସିଥିଲା। ତା’ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେଣୁ ୩ଟି ଷ୍ଟିଚ ପଡ଼ିଛି। ରକ୍ତସ୍ରାବ ଯୋଗୁ ଡାକ୍ତରମାନେ ତା’କୁ ହସ୍ପିଟାଲରେ ରଖିଛନ୍ତି। ଘଟଣା ପରେ ମୋ ପୁଅ ପୂରା ସ୍ତବ୍ଧ ହୋଇଯାଇଛି।”

ଘଟଣାକୁ ମନେପକାଇ ଅନୁପଙ୍କ ପତ୍ନୀ କହିଛନ୍ତି, “ରାସ୍ତା ଜନଗହଳୀପୂର୍ଣ୍ଣ ଥିଲେ ସୁଦ୍ଧା ୨ ଯୁବକ ଆକ୍ରମଣ କରିବାକୁ ପଛାଇ ନଥିଲେ। ସେମାନେ ଏତେ ଭୟଙ୍କର ଡଙ୍ଗରେ ଆକ୍ରମଣ କରିଥିଲେ ଯେ ମୋ ପୁଅ ଗୁରୁତର ଆହତ ହୋଇଛି। ଆମେ ହସ୍ପିଟାଲରେ ରହିଛୁ।”

ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଏବେ ତଦନ୍ତ ଆରମ୍ଭ କରିଛି।