ଦର୍ଶକଙ୍କ ତାଳି ମୋ ପାଇଁ ଭାତଥାଳି: ବ୍ରଜ ବିହାରୀ ସୁବୁଦ୍ଧି
ପେସାରେ ସେ ଜଣେ ଶିକ୍ଷକ । ମାତ୍ର ନିଶାରେ ସେ ଶିଶୁସାହିତି୍ୟକ, ବ୍ୟଙ୍ଗକବି, ହାସ୍ୟ ଅଭିନେତା, ଆକାଶବାଣୀ ଓ ଦୂରଦର୍ଶନର କଳାକାର। ଏକାଧିକ ଘରୋଇ ଟିଭି, ରେଡିଓ, ସିରିଏଲ ଓ ସିନେମାରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଭିନ୍ନ ପରିଚୟ ସୃଷ୍ଟିକରିପାରିଛନ୍ତି। ଦୀର୍ଘ ଦୁଇଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟିଉଠିଛି ବହୁ ବ୍ୟଙ୍ଗ ଓ ହାସ୍ୟ ରସପୂର୍ଣ୍ଣ ଶିଶୁ ହାସ୍ୟକବିତା । ବିଶେଷକରି ସାମାଜରେ ଘଟୁଥିବା ବିଭିନ୍ନ କୁସଂସ୍କାରକୁ ଦୂର କରିବା ପାଇଁ ବ୍ୟଙ୍ଗାତ୍ମକ ଲେଖାରେ […] The post ଦର୍ଶକଙ୍କ ତାଳି ମୋ ପାଇଁ ଭାତଥାଳି: ବ୍ରଜ ବିହାରୀ ସୁବୁଦ୍ଧି appeared first on Dharitri Odia News.
ପେସାରେ ସେ ଜଣେ ଶିକ୍ଷକ । ମାତ୍ର ନିଶାରେ ସେ ଶିଶୁସାହିତି୍ୟକ, ବ୍ୟଙ୍ଗକବି, ହାସ୍ୟ ଅଭିନେତା, ଆକାଶବାଣୀ ଓ ଦୂରଦର୍ଶନର କଳାକାର। ଏକାଧିକ ଘରୋଇ ଟିଭି, ରେଡିଓ, ସିରିଏଲ ଓ ସିନେମାରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଭିନ୍ନ ପରିଚୟ ସୃଷ୍ଟିକରିପାରିଛନ୍ତି। ଦୀର୍ଘ ଦୁଇଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟିଉଠିଛି ବହୁ ବ୍ୟଙ୍ଗ ଓ ହାସ୍ୟ ରସପୂର୍ଣ୍ଣ ଶିଶୁ ହାସ୍ୟକବିତା । ବିଶେଷକରି ସାମାଜରେ ଘଟୁଥିବା ବିଭିନ୍ନ କୁସଂସ୍କାରକୁ ଦୂର କରିବା ପାଇଁ ବ୍ୟଙ୍ଗାତ୍ମକ ଲେଖାରେ ଜନସଚେତନ ସୃଷ୍ଟି କରିଥାନ୍ତି। ତାଙ୍କର ବହୁମୁଖୀ ପ୍ରତିଭାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ବ୍ରଜ ବିହାରୀ ସୁବୁଦ୍ଧି । ଜନ୍ମ ୭ା୧ା୧୯୬୮ମସିହାରେ। ମାତା ଲକ୍ଷ୍ମୀପ୍ରିୟା ସୁବୁଦ୍ଧି, ପିତା ଭ୍ରମରବର ସୁବୁଦ୍ଧି। ଘର ଖୋର୍ଦ୍ଧା ଜିଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ କପାସିଆ ଗାଁରେ। ସେ କୁହନ୍ତି, ଆମର ଏକ ଶିକ୍ଷକ ପରିବାର। ପରିବାରରେ ଆମେ ୬ ଭାଇ, ମୋର ଗୋଟିଏ ଭଉଣୀ। ବଡ଼ଭାଇ ଶିକ୍ଷକ, ସାନଭାଇ ଡାକ୍ତର, ଭାଉଜ, ସାନବୋହୂ ଶିକ୍ଷୟିତ୍ରୀ। ସେତେବେଳେ ଜେଜେ ଓ ବଡ଼ଭାଇ ଗାଁ ଡ୍ରାମାରେ ଅଭିନୟ କରୁଥିଲେ । ମତେ ଡ୍ରାମା ଦେଖିବାକୁ ଭଲ ଲାଗେ ଓ ଭାରି ଇଛା ହୁଏ ଅଭିନୟ କରିବାକୁ। ଦିନେ ଏମିତି ପରିସ୍ଥିତି ହେଲା ମତେ ଅଭିନୟ କରିବାର ସୁଯୋଗ ମିଳିଲା। ତା’ପରଠାରୁ ଯେବେ ଡ୍ରାମା ହୁଏ ହାସ୍ୟ ଅଭିନେତା ଭାବେ ଅଭିନୟ କରେ। ଗାଁ ସ୍କୁଲରେ ୧ମରୁ ୫ମ, ତା’ପରେ ୬ରୁ୧୦ମ ବାମନ ଉଚ୍ଚବିଦ୍ୟାଳୟ ବୋଲଗଡ଼ରେ ପଢ଼ାସାରି ୧୯୮୬ମସିହାରେ ରାଜସୁନାଖଳା କଲେଜରେ ଯୁକ୍ତ୨ପଢିଲି। ସେହି କଲେଜ ଡ୍ରାମାରେ ବି ହାସ୍ୟ ଅଭିନେତା ଭାବେ ଅଭିନୟ କରିଥିଲି। ସେଦିନ ବିଚାରକ ଭାବେ ଥିବା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଦୁଃଖୀରାମ ସ୍ବାଇଁଙ୍କଠାରୁ ମୁଁ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲି। ଯାହା ମୋତେ ବେଶ୍ ପ୍ରେରଣା ଦେଇଥିଲା। ଥରେ କଲେଜ ମାଗାଜିନ ପାଇଁ ଲେଖାଟିଏ ଦେବାକୁ ଗୋଟିଏ କବିତା ଲେଖିଥିଲି। ଯେବେ ଛାପା ଅକ୍ଷରରେ ମୋର ଗାଁ ସହ ସେହି ଲେଖାଟି ପ୍ରକାଶିତ ହୋଇଥିବାର ଦେଖିଲି ଭାରିଖୁସି ଲାଗିଲା। ପୁଣିସାଙ୍ଗମାନଙ୍କ ନାଁରେ ପଠେଇ ଥିବା ଏକାଧିକ କବିତା ସେହି ମାଗାଜିନରେ ବାହାରିଥିବାରୁ ସାଙ୍ଗମାନେ ଖୁସି ହେବା ସହ ନିଜେ ଖୁସି ହୋଇଥିଲି। ପରବର୍ତ୍ତୀ ସମୟରେ ନିଜ ଲେଖାଗୁଡ଼ିକୁ ସାଇତି ହାସ୍ୟକବିତା ସଂକଳନ-ସାଂଘାତିକ କିଳା, ହାସ୍ୟ ଶିଶୁକବିତା ସଂକଳନ ‘ଗୀତରେ ଗପକହେ’, ‘ରାଜନୀତିରେ ପଲିଟିକ୍ସ, ‘ବ୍ୟଙ୍ଗହାବେଳି’ ଆଦି ପୁସ୍ତକ ପ୍ରକାଶିତ ହୋଇସାରିଛି। ୧୯୯୧ମସିହାରେ ଆକାଶବାଣୀ ବିବିଧ ଭାରତୀର ଅନ୍ବେଷଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲି। ଆକାଶବାଣୀରୁ ନିମନ୍ତ୍ରଣ ପାଇ ପ୍ରଥମକରି ସେତେବେଳେ କଟକ ଯାଇଥିଲି, ବାଦାମବାଡ଼ିରେ ଜଣେ ଅଣଓଡ଼ିଆ ରିକ୍ସାବାଲା ହାବୁଡ଼ରେ ପଡ଼ିଗଲି । ରେଡିଓ ଷ୍ଟେଶନକୁ ଯିବାକୁ ତାଙ୍କୁ କହିଲି, ହେଲେ ସେ ମୋତେ ରେଡିଓ ଷ୍ଟେଶନରେ ଓହ୍ଲାଇଦେବ କ’ଣ, ମତେ ନେଇ ରେଲଓ୍ବେ ଷ୍ଟେଶନରେ ଓହ୍ଲେଇ ଦେଲେ। ଏକଥା ମୁଁ ଏଯାଏ ଭୁଲି ପାରିନି। ୧୯୯୪ରୁ ଆକାଶବାଣୀ କଟକ କେନ୍ଦ୍ରର-ଶିଶୁସଂସାର,ଚକାଚକା ଭଉଁରି, ଧ୍ୱନି, ଯୁବବାଣୀ, ଚହଟଚମ୍ପାରେ ଭାଗନେଇ ଆସିଛି। ଆକାଶବାଣୀ ହେଉଛି ମୋର ଗୁରୁ। ନିୟମିତ ରେଡିଓ ଶୁଣେ, ରେଡିଓକୁ ଭୁଲି ପାରେନା। ଏଠାରେ ଯଶସ୍ବୀ ଲେଖକମାନଙ୍କ ଦ୍ୱାରା ପ୍ରଭାବିତ ହୋଇଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର- କିଶୋର ସଂସାର, ସରଦଶଶୀ, କଲ୍ୟାଣୀ, ଏସ୍ଆଇଟି- ଥଟ୍ଟାମଜା ପ୍ରାୟୋଜିତ କାର୍ଯ୍ୟକ୍ରମ ସମେତ କେତେକ ଘରୋଇ ଟିଭି ଚ୍ୟାନେଲରେ ହାସ୍ୟକବି ସମ୍ମିଳନୀ, ଉଦ୍ଧବ କେତେ ତୁ ପଚାରୁ, ଦି ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ବୋଲଗଡ଼ ଏକ୍ସପ୍ରେସ ନଁାରେ ମୋର ଭିନ୍ନ ପରିଚୟ ସୃଷ୍ଟି ହୋଇଛି। ଦୂରଦର୍ଶନ ଧାରାବାହିକ- କଥାଟିଏ କହୁ, କଲ୍ୟାଣୀ, କାନ୍ଦୁଥା ଯାହା ପାଇଲେ ବାନ୍ଧୁଥା, ସେହିପରି ଓଡ଼ିଆ ଚଳଚ୍ଚିତ୍ର- ଦୃଷ୍ଟାନ୍ତ, ଯୋଗୀ, ଭୁଲିପାରୁନି ମୋ ପ୍ରଥମ ପ୍ରେମ, ଗାଁର ନାଁଁ ଗାଲୁଆପୁରରେ ଅଭିନୟ କରିସାରିଛି। ପୁରସ୍କାର ଭାବେ – ଦୁର୍ମୁଖ ତରଫରୁ ହାସ୍ୟକବି, ଗୋଳମାଳ ପତ୍ରିକା ତରଫରୁ ବିଶିଷ୍ଟ ହାସ୍ୟକବି, ତୀରତରଙ୍ଗ, ୧୦ମ ରାଜଧାନୀ ପୁସ୍ତକମେଳା, ଦୂରଦର୍ଶନ କଲ୍ୟାଣୀ, ସାଂଘାତିକ ହାସ୍ୟକବି, ଇ-ଟିଭି ଟାଇମ୍ପାସ,ବୋଲଗଡ଼ ମହୋତ୍ସବରୁ ବୋଲଗଡ଼ ରତ୍ନ ଆଦିରୁ ଶତାଧିକ ପୁରସ୍କାର ଓ ସମ୍ମାନ ମିଳିଛି। ଥରେ ଗୋଟେ ମଞ୍ଚରେ ମୋର ହାସ୍ୟରସ କାର୍ଯ୍ୟକ୍ରମ ଚାଲିଥାଏ। ଲୋକମାନେ ମଜା ନେଉଥାନ୍ତି। ଏପଟେ ଖାଇବା ସମୟ ଗଡ଼ିଗଲାଣି, ଟେଣ୍ଟବାଲା ଅନ୍ୟଆଡ଼େ ଭଡ଼ା ରଖିଥାଏ । ସେଥିଯୋଗୁ ସେଠାରୁ ଯେଉଁ ଦର୍ଶକ ଟିକେ ଉଠିଯାଉଥାନ୍ତି ତାଙ୍କରି ଚୌକିକୁ ସେ ଥାକ କରିବାରେ ବ୍ୟସ୍ତ ରହିଥାଏ। ଏହି କାର୍ଯ୍ୟକ୍ରମ ଦେଖୁଥିବା ଦର୍ଶକ ସେଦିନ ତାକୁ ମାରିବାକୁ ଘେରିଯିବାରୁ ସେ ଦୌଡ଼ି ପଳାଇଲା। ଆଉ ଥରେ ମୁଁ ଏକ ଷ୍ଟେଜ୍ରେ କହୁଥିଲି ବାଞ୍ଛା ସାହୁ ପୁଅ ବାଙ୍କା। ହରିଆ ଝିଅକୁ ଫେରମ କରୁଛି ସୁଧକୁ ଆଣିଛି ଟଙ୍କା। ସଂଯୋଗ ବଶତଃ ମଞ୍ଚ ତଳେ ବାଞ୍ଛା ସାହୁ ନାମଧାରୀ ଜଣେ ବ୍ୟକ୍ତିଙ୍କ ପୁଅ ବାଙ୍କା ବସିଥିଲା । ସେ ହରିଆ ସାର୍ଙ୍କ ଝିଅକୁ ଚୋରା ପ୍ରେମ କରୁଥିଲା। ଦର୍ଶକମାନେ ତାଙ୍କ ଚାରିପଟେ ଘେରିଗଲେ। ଏମିତି ଅବସ୍ଥା ହେଲା ମୁଁ ନିଜେ ହସେଇବି କ’ଣ ତାଙ୍କର ହସ ଗମାତ ଦେଖିଲି।
କହିବାକୁଗଲେ ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ରାଜନୀତିକୁ ନେଇ ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମ ମତେ ସର୍ବାଧିକ ଲୋକପ୍ରିୟତା ଦେଇଛି। ଏବେ ମୁଁ ଚକ୍ରଧର ପ୍ରସାଦ ହାଇସ୍କୁଲରେ ଶିକ୍ଷକଭାବେ କାର୍ଯ୍ୟକରୁଛି। ମୋର ଲକ୍ଷ୍ୟ ଦର୍ଶକଙ୍କ ମନ ଜିଣି ତାଙ୍କ ହୃଦୟରେ ସ୍ଥାନଟିଏ ପାଇବା। ତେଣୁ ହସ ବାଣ୍ଟିବାର ପ୍ରୟାସ ଜାରି ରଖିଥିବି। ତେବେ ଦର୍ଶକଙ୍କ ତାଳି ମୋ ପାଇଁ ଭାତଥାଳି। ସେଥିରେ ମୋ ପେଟ ପୂରିଯାଏ ।
-ବନବିହାରୀ ବେହେରା
The post ଦର୍ଶକଙ୍କ ତାଳି ମୋ ପାଇଁ ଭାତଥାଳି: ବ୍ରଜ ବିହାରୀ ସୁବୁଦ୍ଧି appeared first on Dharitri Odia News.