ଦଳୀୟ ବିଧାୟିକାଙ୍କ ବିରୋଧରେ ନବୀନଙ୍କୁ ଫେରାଦ ହେଲେ କର୍ମୀ

‘ଗତ ୫ ବର୍ଷ ଧରି ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ କେବଳ ପିସି ନେଇଛନ୍ତି।’

ଦଳୀୟ ବିଧାୟିକାଙ୍କ ବିରୋଧରେ ନବୀନଙ୍କୁ ଫେରାଦ ହେଲେ କର୍ମୀ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଜେଡିରେ ଗୋଷ୍ଠୀ କନ୍ଦଳ। ନିଜ ଅଞ୍ଚଳର ବିଧାୟିକାଙ୍କ ବିରୋଧରେ ଦଳ ବଳ ଧରି ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫେରାଦ
ହୋଇଛନ୍ତି ଶତାଧିକ ବିଜେଡି କର୍ମୀ।

ବିଜେଡି ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ହଟାଇବା ସହ ଖଲ୍ଲିକୋଟ ବଞ୍ଚାଅ ଆଦି ନାରାବାଜି ଦେଇ ଭୁବନେଶ୍ୱର ଆସିଥିଲେ ଖଲ୍ଲିକୋଟ ଅଞ୍ଚଳର କର୍ମୀ। ପ୍ରଥମେ ମନ୍ତ୍ରୀ ଉଷା ଦେବୀଙ୍କୁ ଭେଟି ଦାବିପତ୍ର ଦେବା ପରେ ନବୀନ ନିବାସ ଯାଇଥିଲେ। 

ସଂପୃକ୍ତ ବିଜେଡି କର୍ମୀଙ୍କ ଅଭିଯୋଗ, ଗତ ୫ ବର୍ଷ ଧରି ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ କେବଳ ପିସି ନେଇଛନ୍ତି। ବାଲି ମାଫିଆ, ଜମି ମାଫିଆ ଓ ମଦ ମାଫିଆଙ୍କ ସହ
ମିଶି ଖଲ୍ଲିକୋଟରେ ଅରାଜକତା ସୃଷ୍ଟି କରିଛନ୍ତି।

ଜଣେ ବିଜେଡି କର୍ମୀ କହିଛନ୍ତି, ବିଧାୟିକା ଗୁଣ୍ଡାରାଜ ଚଲାଇଛନ୍ତି। ବିଧାୟିକା ହେଉ ହେଉ ସେ ତାଙ୍କ କ୍ଷମତାର ଅପବ୍ୟବହାର ଆରମ୍ଭ କରି ଦେଲେ। ତାଙ୍କ ସ୍ୱାମୀଙ୍କୁ ଚେୟାରମ୍ୟାନ କରି ଦଳର ସାଂଘାତିକ କ୍ଷତି କଲେ। ଖଲ୍ଲିକୋଟର ବିଭିନ୍ନ ଅଞ୍ଚଳରୁ ଏବେ ତାଙ୍କ ବିରୋଧରେ ବିଦ୍ରୋହର ସ୍ୱର ଉଠୁଛି। 

ସୂର୍ଯ୍ୟମଣିଙ୍କ ସ୍ୱାମୀ ଦୈତାରୀ ବେହେରା ବିଜେଡିର ଜଣେ ବିଶୃଙ୍ଖଳିତ କର୍ମୀ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଦଳୀୟ କର୍ମୀ। ତେବେ ଏନେଇ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ
ପ୍ରତିକ୍ରିୟା ମିଳି ନ ଥିବା ବେଳେ ତାଙ୍କ ସ୍ୱାମୀ ଦୈତାରୀ ବେହେରା କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ।