ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ
ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ) ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ ସମୟରେ ଚାଷୀ ତା’ର ଅମଳ ଧାନକୁ କାଟି ମଣ୍ଡିରେ ନେଇ ବିକ୍ରି କରିଥାନ୍ତା, ସେହି ସମୟରେ ଧାନ ବିଲରେ ପାଣିରେ ପଡ଼ିରହିଛି ଏକର ଏକର ଧାନ। ଜମିରେ କଟା ହୋଇ ପଡ଼ିରହିଥିବା ଧାନ ଉଠାଇବା ଚାଷୀଙ୍କ ପକ୍ଷେ ସମ୍ଭବ ହେଉନି। ଏଭଳି ସ୍ଥିତିରେ ଫସଲ ପାଇଁ ଋଣ ଆଣିଥିବା ଚାଷୀମାନେ, […] The post ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ appeared first on Dharitri Odia News.
ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ)
ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ ସମୟରେ ଚାଷୀ ତା’ର ଅମଳ ଧାନକୁ କାଟି ମଣ୍ଡିରେ ନେଇ ବିକ୍ରି କରିଥାନ୍ତା, ସେହି ସମୟରେ ଧାନ ବିଲରେ ପାଣିରେ ପଡ଼ିରହିଛି ଏକର ଏକର ଧାନ। ଜମିରେ କଟା ହୋଇ ପଡ଼ିରହିଥିବା ଧାନ ଉଠାଇବା ଚାଷୀଙ୍କ ପକ୍ଷେ ସମ୍ଭବ ହେଉନି। ଏଭଳି ସ୍ଥିତିରେ ଫସଲ ପାଇଁ ଋଣ ଆଣିଥିବା ଚାଷୀମାନେ, ଋଣ ଭାର ପରିଶୋଧ କରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି। ଧାନ ସବୁ ବର୍ଷାପାଣିରେ ଭିଜି ଥିବାରୁ ଗଜା ହୋଇ ଆଉ ସେଥିରୁ କିଛି ଆଦାୟ ହେବ ନାହିଁ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ଚାଷୀ ବର୍ଷକର ଆହାର ହରାଇବା ଭୟରେ ଦୁଃଖରେ ଭାଙ୍ଗି ପଡିଛି। ଅନ୍ୟପଟେ ଚଳିତ ବର୍ଷ ରାଜ୍ୟ ସରକାର କେବଳ ଏଫ୍ଏକ୍ୟୁ ମାନର ଧାନ ହିଁ କିଣିବେ ବୋଲି ସ୍ପଷ୍ଟ କରିଛନ୍ତି। ଯାହା ଏବେ ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଖୋର୍ଦ୍ଧା ଜିଲାର ବାଣପୁର, ଜଟଣୀ ଏବଂ ନିରାକାରପୁର ଅଞ୍ଚଳର ବହୁ ଚାଷୀଙ୍କ ଜମିରେ ପାଣି ଜମି ରହିଥିବାରୁ ଧାନ ଉଠିପାରୁ ନାହିଁ। ଫଳରେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ ସହାୟତା ପାଇଁ ସାଧାରଣରେ ଦାବି ହେଉଛି।
ହାତୀଙ୍କ ଉପଦ୍ରବ ଏବଂ ବର୍ଷା ନିରାକାରପୁର ଅଞ୍ଚଳର ଚାଷୀଙ୍କ ଚିନ୍ତା ବଢ଼ାଇଛି। ହାତୀପଲ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେବା ସହ ଲୋକଙ୍କ ବାରି ଏବଂ କ୍ଷେତରେ ପଶି ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି। ବର୍ଷକର ଆହାରକୁ କିଭଳି ହାତୀଦାଉରୁ ରକ୍ଷା କରିବେ ସେ ନେଇ ପାଳିକରି କ୍ଷେତରେ ଜଗି ରହୁଥିବା ବେଳେ ବର୍ଷା ସବୁ ଉଜାଡ଼ିଦେଲା ବୋଲି ଚାଷୀମାନେ କହିଛନ୍ତି। ସତ୍ୟାନନ୍ଦ ପ୍ରଧାନଙ୍କ ଦେଢ଼ ଏକର ଜମିର ୫ଶହରୁ ଊର୍ଦ୍ଧ୍ୱ ଥିବା କଳେଇ ଗଦାକୁ ହାତୀ ଖାଇଦେଇଥିବା ଅଭିଯୋଗ ହୋଇଛି। ସେହପରି ରଙ୍କ ପ୍ରଧାନ, ରମେଶ ମହାପାତ୍ର, ସନାତନ ସାମନ୍ତରାୟଙ୍କ କଳେଇ ମଧ୍ୟ ହାତୀପଲ ଖାଇଦେଇଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ କ’ଣ କରିବୁ ଭାବି ଆଖିକୁ ନିଦ ନାହିଁ ବୋଲି ଚାଷୀ ସତ୍ୟାନନ୍ଦ ପ୍ରଧାନ କହିଛନ୍ତି। ବନ ବିଭାଗ ଓ କୃଷି ବିଭାଗ ପକ୍ଷରୁ ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇଦେବା ଲାଗି ଦାବି ହେଉଛି। ସେହିପରି ଜଟଣୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର କ୍ଷେତରେ ବର୍ଷାପାଣି ଜମି ରହିଥିବାରୁ ଧାନ ଗଜା ହେବା ନେଇ ଆଶଙ୍କା ଦେଖାଦେଇଛି। ବ୍ଲକ ପ୍ରଶାସନ ସୂଚନା ମୁତାବକ, ଜଟଣୀ ବ୍ଲକରେ ମୋଟ୍ ୬୫୫୩ ହେକ୍ଟର ଚାଷଜମି ମଧ୍ୟରୁ ୧୪୭ ହେକ୍ଟର ଜମିରେ ଧାନ ରହିଥିବା ବେଳେ ୧୩୨ ହେକ୍ଟର ଧାନ କଟାଯାଇଛି। ୩୨୦ ହେକ୍ଟର ଜମିରୁ ଧାନକାଟି ଚାଷୀ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। ଅଧିକାଂଶ ସ୍ଥାନରେ ହୋଇଥିବା ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ ପଦନପୁର ପଞ୍ଚାୟତରେ ୭ରୁ ୮ଏକର ଧାନକ୍ଷେତ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସେହିପରି ବାଣପୁର ବ୍ଲକ ଅଞ୍ଚଳର ଚାଷଜମିରେ ପାଣି ଜମି ରହିଥିବା ବେଳେ ପାଚିଲା ଧାନ ତଳେ ପଡିଯିବାରୁ ଗଜା ହେବାକୁ ବସିଲାଣି । ସେପଟେ ଲଗାଣ ବର୍ଷା ଚାଷକୁ ପ୍ରଭାବିତ କରିଥିବା ବେଳେ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀ ଦାବି କରିଛନ୍ତି।
The post ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ appeared first on Dharitri Odia News.