ଦିବ୍ୟାଙ୍ଗଙ୍କ ଶ୍ରୀଜଗନ୍ନାଥ ଦର୍ଶନ

ଅନେକ ଦିନ ପୂର୍ବରୁ ଦିବ୍ୟାଙ୍ଗମାନଙ୍କୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ଜିଲା ପ୍ରଶାସନ ଏଂ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଦାୟିତ୍ୱ ହୋଇଥିବାରୁ ସର୍ବୋପରି ଶ୍ରୀଜଗନ୍ନାଥ ମନ୍ଦିରର ଆଭ୍ୟନ୍ତରୀଣ ସ୍ଥିତି ଏବଂ ଶ୍ରୀଜୀଉମାନଙ୍କର ଦୈନିକ ଓ ବାର୍ଷିକ ନୀତି କ୍ରାନ୍ତିରେ ସ୍ବତନ୍ତ୍ରତା ଯୋଗୁ ଏହା ସମ୍ପୂର୍ଣ୍ଣ ସମ୍ଭବ ହୋଇପାରୁ ନ ଥିବା ସମ୍ଭବତଃ ସତ୍ୟ। ଶ୍ରୀମନ୍ଦିର ପରିଚାଳନା କମିଟିରେ ସେହି ଆଦେଶକୁ କାର୍ଯ୍ୟକାରୀ କରିବାପାଇଁ ଅନେକ […] The post ଦିବ୍ୟାଙ୍ଗଙ୍କ ଶ୍ରୀଜଗନ୍ନାଥ ଦର୍ଶନ appeared first on Dharitri Odia News.

ଦିବ୍ୟାଙ୍ଗଙ୍କ ଶ୍ରୀଜଗନ୍ନାଥ ଦର୍ଶନ

ଅନେକ ଦିନ ପୂର୍ବରୁ ଦିବ୍ୟାଙ୍ଗମାନଙ୍କୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ଜିଲା ପ୍ରଶାସନ ଏଂ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଦାୟିତ୍ୱ ହୋଇଥିବାରୁ ସର୍ବୋପରି ଶ୍ରୀଜଗନ୍ନାଥ ମନ୍ଦିରର ଆଭ୍ୟନ୍ତରୀଣ ସ୍ଥିତି ଏବଂ ଶ୍ରୀଜୀଉମାନଙ୍କର ଦୈନିକ ଓ ବାର୍ଷିକ ନୀତି କ୍ରାନ୍ତିରେ ସ୍ବତନ୍ତ୍ରତା ଯୋଗୁ ଏହା ସମ୍ପୂର୍ଣ୍ଣ ସମ୍ଭବ ହୋଇପାରୁ ନ ଥିବା ସମ୍ଭବତଃ ସତ୍ୟ। ଶ୍ରୀମନ୍ଦିର ପରିଚାଳନା କମିଟିରେ ସେହି ଆଦେଶକୁ କାର୍ଯ୍ୟକାରୀ କରିବାପାଇଁ ଅନେକ ବୈଠକରେ ଆଲୋଚନା ସତ୍ତ୍ୱେ କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନିର୍ଦ୍ଧାରିତ ହୋଇପାରିନାହିଁ। ଏଠାରେ ଗୋଟିଏ କଥା ସ୍ପଷ୍ଟ କରାଯାଇପାରେ ଯେ ଶ୍ରୀମନ୍ଦିର ନିକଟ ଅତୀତରେ ବା ସାଧୀନୋତ୍ତର ଭାରତ ଅବଧି ମଧ୍ୟରେ ନିର୍ମିତ ହୋଇନାହିଁ। ହୁଏତ ଶତାଧିକ ବର୍ଷ ପୂର୍ବରୁ ନିର୍ମିତ ଶ୍ରୀମନ୍ଦିର ସମେତ ସମସ୍ତ ମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ପାଇଁଁ ସ୍ବତନ୍ତ୍ର ପ୍ରବେଶ ବ୍ୟବସ୍ଥା ନାହିଁ। କିନ୍ତୁ ପ୍ରତ୍ୟେକ ମନ୍ଦିରରୁ ଦେବଦେବୀମାନେ ଗ୍ରାମ ପରିକ୍ରମା କରିଥାନ୍ତି। ତେଣୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ କରିଥିବାର ତଥ୍ୟ ଅନୁସନ୍ଧାନ ସାପେକ୍ଷ। ଏବେ ରାସ୍ତାର ସୁବିଧା ତଥା ସୁଲଭ ଯାତାୟାତ ସୁଯୋଗ ଯୋଗୁ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ମଧ୍ୟ ପୁରୀ ଆସି ପାରୁଛନ୍ତି। ଶ୍ରୀକ୍ଷେତ୍ର ଆସିଲେ ଶ୍ରୀଜୀଉମାନଙ୍କ ଦର୍ଶନ ପ୍ରତ୍ୟେକ ବ୍ୟକ୍ତିର ଅଭିଳାଷ ଥାଏ। ସେହି ଉଦ୍ଦେଶ୍ୟରେ ଆସୁଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନେ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହୋଇ ଭଗ୍ନ ମନରେ ଫେରୁଛନ୍ତି। ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଅବଶ୍ୟ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରୁଥିଲେ ତାହା ପର୍ଯ୍ୟାପ୍ତ ବା ସନ୍ତୋଷକାରକ ହୋଇପାରୁନାହିଁ । ଏଠାରେ ସୂଚନାଯୋଗ୍ୟ ଯେ, ଦେବ ଦର୍ଶନ ହେଉଛି ଆନ୍ତରିକ ଭକ୍ତିଭାବର ଅଦମ୍ୟ ମାନସିକତା। କିନ୍ତୁ ଧାର୍ମିକ ଆଧାରରେ ବିଚାର କଲେ ଦର୍ଶନ ଭକ୍ତି ନିବେଦନର ଏକମାତ୍ର ମାଧ୍ୟମ ନୁହେଁ। ପୁରାଣ ବର୍ଣ୍ଣିତ ନବଧା ଭକ୍ତିରୁ ଦର୍ଶନ ହେଉଛି ଅନ୍ୟତମ। ଅପରପକ୍ଷରେ ଶ୍ରୀଜୀଉ ହେଉଛନ୍ତି ଭକ୍ତ ବତ୍ସଳ । ଶାସ୍ତ୍ରୀୟ ମତ ରହିଛି ଯେ ‘ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନଂ। ରଥେତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ’। ଶ୍ରୀଜୀଉମାନଙ୍କୁ ରତ୍ନ ସିଂହାସନରେ ଦର୍ଶନ ପରିବର୍ତ୍ତେ ଦୋଳ ପୂର୍ଣ୍ଣମୀରେ ଦୋଳବେଦିରେ, ଚନ୍ଦନ ଯାତ୍ରାରେ ଚାପ ଉପରେ ବା ଶ୍ରୀଗୁଣ୍ଡିଚା ସମୟରେ ରଥରେ ଦର୍ଶନ କଲେ ଅଧିକ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଶ୍ରୀଜଗନ୍ନାଥ ହେଉଛନ୍ତି କରୁଣାର ପାରାବାର। ତାଙ୍କୁ ରତ୍ନ ସିଂହାସନରେ ବାର୍ଦ୍ଧକ୍ୟ, ବିଧର୍ମ ବା ଦିବ୍ୟାଙ୍ଗ ଯୋଗୁ ଯେଉଁମାନେ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି ସେମାନଙ୍କ ଦର୍ଶନ ପାଇଁ ସ୍ନାନବେଦି ଓ ବଡ଼ଦାଣ୍ଡକୁ ସ୍ବୟଂ ମହାପ୍ରଭୁ ଆସିଥାନ୍ତି। ସେଥିପାଇଁ ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ୟ ନାମ ପତିତପାବନ ଯାତ୍ରା। ନିଜକୁ ପତିତ ମନେକରି ଯେଉଁମାନେ ଭାବପୂର୍ଣ୍ଣ ହୋଇ ସମର୍ପିତ ମାନସିକତାରେ ରଥାରୂଢ ଶ୍ରୀଜୀଉଙ୍କ ଦର୍ଶନ କରନ୍ତି ସେମାନେ ଯଥେଷ୍ଟ କରୁଣା ପାଇଥାନ୍ତି।
ସୂଚନାଯୋଗ୍ୟ ଯେ, ଆମର ଧର୍ମଶାସ୍ତ୍ରୀୟ ବ୍ୟବସ୍ଥାରେ ଶ୍ରୀଜଗନ୍ନାଥଙ୍କ ସହ ପ୍ରତ୍ୟେକ ମନ୍ଦିରରେ ଦର୍ଶନ ପାଇଁ କିଛି ସ୍ବତନ୍ତ୍ର ବିଧି ରହିଛି। ସେଥିପାଇଁ ମନ୍ଦିରମାନଙ୍କରେ ନିଯୁକ୍ତ ପ୍ରଶାସନିକ ଅଧିକାରୀ ବା ପରିଚାଳକମାନେ ଦର୍ଶନାର୍ଥୀ ଭକ୍ତଙ୍କୁ ସେ ସମ୍ପର୍କରେ ଧାର୍ମିକ ଭାବନାରେ ସଚେତନ କରିବା ଆବଶ୍ୟକ। ସମସ୍ତ ସମସ୍ୟାର ସମାଧାନ ଆଇନ ପରିସରକୁ ନେବା ଜରୁରୀ ନୁହେଁ। ଭକ୍ତି ହେଉଛି ଭାବର ପ୍ରକାଶ। ଭାବ ଓ ଭକ୍ତି ହୃଦୟରେ ଥାଏ। ବ୍ୟାସଦେବଙ୍କ କୃତ ପଦ୍ମପୁରାଣରେ ଭଗବାନ କହିଛନ୍ତି ଯେ ‘ନାହଂ ବସାମି ବୈକୁଣ୍ଠେ ଯୋଗୀନାଂ ହୃଦୟେ ନ ଚ। ମଦ ଭକ୍ତ୍ୟା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ’। ତେଣୁ ଦେବଦର୍ଶନ ପାଇଁଁ ଆନ୍ତରିକ ଭକ୍ତିଭାବ ହିଁ ସର୍ବାଦୌ ଆବଶ୍ୟକ। ଏହି ଭକ୍ତିଭାବ କୌଣସି ଅଦାଲତି ଆଦେଶ ବା କ୍ଷମତା ବଳୟରେ ମିଳି ନ ଥାଏ। ଆମର ଧାର୍ମିକ ପରମ୍ପରାର ରକ୍ଷକ ଓ ମାର୍ଗଦର୍ଶକ ହେଉଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ସର୍ବୋଚ୍ଚ ନ୍ୟାୟାଳୟ ଯେବେ ଦିବ୍ୟାଙ୍ଗମାନଙ୍କ ଦର୍ଶନର ସୁବନ୍ଦୋବସ୍ତ ପାଇଁଁ ଆଦେଶ ଦେଲେ ତା’ର ଧାର୍ମିକ ଦିଗ ପ୍ରତି ଧ୍ୟାନ ଦିଆଗଲା ନାହିଁ ବା ଏହାର କାର୍ଯ୍ୟକାରିତା ପାଇଁ ଶଙ୍କରାଚାର୍ଯ୍ୟଙ୍କଠାରୁ କୌଣସି ପରାମର୍ଶ ନିଆଗଲା ନାହିଁ। ବରଂ ବହୁ ଅର୍ଥ ବ୍ୟୟ କରାଯାଇ ଉତ୍ତର ଦ୍ବାରଠାରୁ ଘୋଷରା ପାହାଚ ନିର୍ମାଣ କରାଗଲା। କିନ୍ତୁ ସେଇ ବାଟଦେଇ ଦିବ୍ୟାଙ୍ଗମାନଙ୍କୁ ନେବାରେ କିଛି ବାଧକ ରହିବାରୁ ତାହା ଫଳଦାୟକ ହେଲାନାହିଁ। ନିକଟରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଦିବ୍ୟାଙ୍ଗ ମାନଙ୍କୁ ନେବାପାଇଁ ଚଉକି ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। କିନ୍ତୁ ଧାର୍ମିକ ବ୍ୟବସ୍ଥାରେ କୌଣସି ଯାନ ବା ଆସନରେ ବସି ଦେବଦର୍ଶନ ନିଷେଧ ଅଛି। ଭକ୍ତି ଓ ମାନସିକତା ଉଭୟକୁ ବଜାୟ ରଖି ବାସ୍ତବ ଗ୍ରହଣୀୟ ପନ୍ଥା ନିର୍ଦ୍ଧାରଣ ଜଗଦ୍‌ଗୁରୁଙ୍କ ପରାମର୍ଶ କ୍ରମେ କରାଯିବା ଉଚିତ।
ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ତାଙ୍କର ଆଦେଶରେ ପ୍ରତ୍ୟେକ ଧାର୍ମିକ ନିର୍ଣ୍ଣୟ ପାଇଁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ଗୁରୁତ୍ୱ ଦେଇଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଯେ ଯେଉଁମାନଙ୍କ ପାଇଁ ଚତୁର୍ଦ୍ଧା ବିଗ୍ରହ ରତ୍ନସିଂହାସନ ଛାଡ଼ି ସ୍ବୟଂ ବଡ଼ଦାଣ୍ଡକୁ ଆସନ୍ତି ସେମାନେ ରଥ ଉପରେ ଶ୍ରୀଜୀଉମାନଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିବା ଉଚିତ। ଏପରି ଏକ ଦିବ୍ୟ ଯାତ୍ରା ଅନ୍ୟ କେଉଁଠି ଅନୁଷ୍ଠିତ ହେଉ ନ ଥିବାରୁ ତାହାର ଗୁରୁତ୍ୱ ମଧ୍ୟ ସେମାନେ ଉପଲବ୍ଧି କରିବା ସହ ଯାତ୍ରାର ମହନୀୟତା ବଜାୟ ରଖିବା ଉଚିତ । ଏହି ପତିତପାବନ ଯାତ୍ରା ସତ୍ତ୍ୱେ ସେମାନଙ୍କ ମନରେ ରହିଥିବା ଶ୍ରୀଜୀଉମାନଙ୍କୁ ରତ୍ନସିଂହାସନରେ ଦର୍ଶନ କରିବାର ଅଦମ୍ୟ ମାନସିକତାକୁ ସାକାର ପାଇଁ ଯଦି ପ୍ରଶାସନ ନିଜର କର୍ତ୍ତବ୍ୟ ଭାବେ ବିବେଚନା କରନ୍ତି ତେବେ ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି। ପ୍ରଶାସନ ଦ୍ବାରା କିଛି ଶାରୀରିକ ବଳିଷ୍ଠ ଏଂ ନିର୍ଦ୍ଧାରିତ ଉଚ୍ଚତାର ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇ ସେମାନଙ୍କ ମାଧ୍ୟମରେ ଏହି ଦର୍ଶନକୁ ସୁଗମ କରାଯାଇପାରିବ। ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଗଲେ ବ୍ୟବସ୍ଥା ଅଧିକ ଶୃଙ୍ଖଳିତ ହୋଇପାରିବ। ଭାରତର ଅନେକ ପୀଠରେ ଏହି ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ପ୍ରଶାସନ ଅତୀତରେ ବହୁ ଅର୍ଥ ବ୍ୟୟ କରି କିଛି ସେବକଙ୍କୁ ଅନୁଭବ ଯାତ୍ରାରେ ପଠାଇଥିଲା। ସେମାନେ କେବଳ ଧାଡ଼ି ଦର୍ଶନକୁ ଗୁରୁତ୍ୱ ଦେଲେ। ମାତ୍ର ସେଇ ଧାଡ଼ି ଦର୍ଶନ ଯେ କେତେ ସଫଳ ହୋଇଛି ତାହା ସମସ୍ତ ଦର୍ଶନାର୍ଥୀ ଅନୁଭବ କରୁଛନ୍ତି। କାରଣ ଶ୍ରୀମନ୍ଦିର ସାତପାହାଚ ପରେ ସମସ୍ତ ଧାଡ଼ି ପ୍ରବଳ ଭିଡ଼କୁ ପରିବର୍ତ୍ତନ ହୋଇଯାଉଛି। ଜଗମୋହନ ତ ଜବରଦଖଲ ହୋଇଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ମନ୍ଦିରରେ ପ୍ରଚଳିତ ସ୍ବେଚ୍ଛାସେବୀ ବ୍ୟବସ୍ଥା ସହ ଦିବ୍ୟାଙ୍ଗମାନଙ୍କୁ ଜଗମୋହନରେ ଦର୍ଶନ ସୁଯୋଗ ସୃଷ୍ଟି କରିବା ଯଥାର୍ଥ ମନେହୁଏ।

– ହରିଶଙ୍କର ମିଶ୍ର
୧୧୩, ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮

The post ଦିବ୍ୟାଙ୍ଗଙ୍କ ଶ୍ରୀଜଗନ୍ନାଥ ଦର୍ଶନ appeared first on Dharitri Odia News.