ଦିଲ୍ଲୀରେ କେଜ୍ରିୱାଲଙ୍କୁ ମୋଦିଙ୍କ ଟାର୍ଗେଟ, 'ଆପ୍'କୁ କହିଲେ 'ଆପଦା'
ଆମ୍ ଆଦମୀ ପାର୍ଟି ଖୋଲାଖୋଲି ଦୁର୍ନୀତି କରି ଦିଲ୍ଲୀକୁ ବିପର୍ଯ୍ୟୟକୁ ଠେଲି ଦେଇଛି କହିଲେ ପ୍ରଧାନମନ୍ତ୍ରୀ ମୋଦି। କେଜ୍ରିୱାଲଙ୍କ ପୂର୍ବତନ ବାସଭବନ ନବୀକରଣ ପ୍ରସଙ୍ଗରେ କଲେ ଟାର୍ଗେଟ।
ଆସନ୍ତା ମାସ(ଫେବୃଆରୀ)ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ବିଜେପି ପାଇଁ ଏକ ପ୍ରକାର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଦିଲ୍ଲୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍)କୁ 'ଆପଦା' ବା ବିପର୍ଯ୍ୟୟ ବୋଲି କହିଛନ୍ତି।
ଦୀର୍ଘ ଦିନରୁ କେଜ୍ରିୱାଲଙ୍କ ପୂର୍ବତନ ଆଲିଶାନ ବଙ୍ଗଳାକୁ ନେଇ ବିଜେପି ଓ ଆପ୍ ମଧ୍ୟରେ ଚାଲିଥିବା ବାକ୍-ଯୁଦ୍ଧରେ ଆଜି ପ୍ରଧାନମନ୍ତ୍ରୀ ଜମ୍ପ ମାରିଛନ୍ତି। ମୋଦି କହିଛନ୍ତି ଯେ ସେ ବି ଚାହିଁଥିଲେ ନିଜ ପାଇଁ 'ଶୀଶମହଲ' ବା ଆଲିଶାନ ବଙ୍ଗଳା ନିର୍ମାଣ କରିପାରିଥାଆନ୍ତେ। ହେଲେ ଏହା ନକରି ସେ ୪ କୋଟି ଲୋକଙ୍କୁ ଘର ଯୋଗାଇଛନ୍ତି। ଗରିବ ଲୋକଙ୍କୁ ସ୍ଥାୟୀ ଘର ଦେବା ତାଙ୍କର ସ୍ୱପ୍ନ ଥିଲା ଓ ପୂରଣ ହେଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ସହିତ ଦିଲ୍ଲୀରେ ବିଭିନ୍ନ ଦୁର୍ନୀତି ଓ ଦୁର୍ବଳ ଭିତ୍ତିଭୂମି ପ୍ରସଙ୍ଗ ଉଠାଇ କେଜ୍ରିୱାଲଙ୍କ ଆପ୍ (ଆମ୍ ଆଦମୀ ପାର୍ଟି)କୁ ଆପଦା (ବିପର୍ଯ୍ୟୟ) ବୋଲି କହିଛନ୍ତି ମୋଦି।
ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଆପକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନେ ମଦ ଦୁର୍ନୀତି କଲେ, ସ୍କୁଲ ଦୁର୍ନୀତି କଲେ, ପ୍ରଦୂଷଣ ଦୁର୍ନୀତି ବି କଲେ। ସେମାନେ ଖୋଲାଖୋଲି ଦୁର୍ନୀତି କରି ଦିଲ୍ଲୀକୁ ବିପର୍ଯ୍ୟୟକୁ ଠେଲି ଦେଇଛନ୍ତି। ଏଥର ଦିଲ୍ଲୀବାସୀ କହୁଛନ୍ତି ଯେ ସେମାନେ ଆଉ ଏହି ବପର୍ଯ୍ୟୟକୁ ସହିବେ ନାହିଁ। ସରକାର ବଦଳାଇକି ରହିବେ। ୨୦୨୫ ନିର୍ବାଚନ ଜାତୀୟ ରାଜଧାନୀକୁ ଏକ ସୁସ୍ଥ ଶାସନ ଦିଗକୁ ବାଟ ଦେଖାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଅଶୋକ ବିହାରରେ ବସ୍ତି ଥଇଥାନ ପ୍ରକଳ୍ପ ଅଧୀନରେ 'ଝୁଗି ଝୋପଡି' କ୍ଲଷ୍ଟରରେ ନବନିର୍ମିତ ଫ୍ଲାଟ ଉଦଘାଟନ କରିଛନ୍ତି। ବସ୍ତି ବାସିନ୍ଦାଙ୍କ ପାଇଁ ନବନିର୍ମିତ ୧୬୭୫ଟି ଫ୍ଲାଟକୁ ଉଦଘାଟନ ସହ ପରିଦର୍ଶନ ମଧ୍ୟ କରିଛନ୍ତି। ସରକାରଙ୍କ ‘ସମସ୍ତଙ୍କ ପାଇଁ ଆବାସ’ ଲକ୍ଷ୍ୟ ପୂରଣ ପାଇଁ ଏହି ଯୋଜନା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଦିଲ୍ଲୀର ଆପ୍ ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।