ଦୁର୍ଦ୍ଦିନରେ ବିସ୍ଥାପିତ ଗାଡ଼ି ମାଲିକ
ଯାଜପୁର,୨୪।୭(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସୁକିନ୍ଦା ଖଣି ଅଞ୍ଚଳରେ ରାଜ୍ୟ ବାହାର ପରିବହନ ଠିକାସଂସ୍ଥାକୁ ଅଧିକ ପ୍ରାଧାନ୍ୟ ମିଳିଥିବାରୁ ସ୍ଥାନୀୟ ତଥା ଶିଳ୍ପ ବିସ୍ଥାପିତ ଟ୍ରକ ମାଲିକମାନେ ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ସ୍ଥାନୀୟ ଗାଡ଼ି ମାଲିକଙ୍କ ରୋଜଗାରକୁ ବନ୍ଦ କରିବାର ଚକ୍ରାନ୍ତ ଏଠାରେ ଏକ ପ୍ରକାର ସଫଳ ହୋଇଛି। ଏଥିରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ଅଭିଯୋଗ କରାଯାଇଛି। ଯାଜପୁର ଜିଲାର କଳିଙ୍ଗନଗର ଅଞ୍ଚଳରେ ହୋଇଥିବା ଶିଳ୍ପାୟନରୁ ବହୁ ପରିବାର ବିସ୍ଥାପିତ ଜମିହରା ହୋଇଛନ୍ତି […] The post ଦୁର୍ଦ୍ଦିନରେ ବିସ୍ଥାପିତ ଗାଡ଼ି ମାଲିକ appeared first on Dharitri Odia News.
ଯାଜପୁର,୨୪।୭(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସୁକିନ୍ଦା ଖଣି ଅଞ୍ଚଳରେ ରାଜ୍ୟ ବାହାର ପରିବହନ ଠିକାସଂସ୍ଥାକୁ ଅଧିକ ପ୍ରାଧାନ୍ୟ ମିଳିଥିବାରୁ ସ୍ଥାନୀୟ ତଥା ଶିଳ୍ପ ବିସ୍ଥାପିତ ଟ୍ରକ ମାଲିକମାନେ ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ସ୍ଥାନୀୟ ଗାଡ଼ି ମାଲିକଙ୍କ ରୋଜଗାରକୁ ବନ୍ଦ କରିବାର ଚକ୍ରାନ୍ତ ଏଠାରେ ଏକ ପ୍ରକାର ସଫଳ ହୋଇଛି। ଏଥିରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ଅଭିଯୋଗ କରାଯାଇଛି। ଯାଜପୁର ଜିଲାର କଳିଙ୍ଗନଗର ଅଞ୍ଚଳରେ ହୋଇଥିବା ଶିଳ୍ପାୟନରୁ ବହୁ ପରିବାର ବିସ୍ଥାପିତ ଜମିହରା ହୋଇଛନ୍ତି । କ୍ଷତିପୂରଣ ପାଇବାରେ ପ୍ରତାରିତ ହେବା ସହ ଥଇଥାନରେ ସେମାନେ ଉପେକ୍ଷିତ ହୋଇଛନ୍ତି । ଶିଳ୍ପ, କାରଖାନା ଓ ଖଣି ଯୋଗୁ ପରିବେଶ ଓ ଚାଷବାଷ କ୍ଷତିଗ୍ରସ୍ତ ହୋଇଛି । ଲୋକଙ୍କ ଦୁଃଖ ନା ଶିଳ୍ପ ସଂସ୍ଥା ଶୁଣିଛନ୍ତି ନା ପ୍ରଶାସନ ସେମାନଙ୍କ ସହାୟ ହୋଇଛି । ଓଲଟା ପ୍ରତିବାଦ କଲେ ପ୍ରଶାସନ ଓ ପୋଲିସ ଶିଳ୍ପ ସଂସ୍ଥା ସପକ୍ଷରେ ଛିଡା ହୋଇଛନ୍ତି । ଫଳରେ ବିସ୍ଥାପିତ ହୋଇ ଯେଉଁ କ୍ଷତିପୂରଣ ଟଙ୍କା ମିଳିଥିଲା ସେଥିରେ ଗାଡ଼ି ଖଣ୍ଡେ କରି ଜୀବିକା ନିର୍ବାହ ଆଶା ମଧ୍ୟ ଫସର ଫାଟିଛି ବୋଲି ମତ ପ୍ରକାଶ ପାଇଛି।
ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ ହୋଇଥିଲା । ସେହି ସମୟରେ ସାଧାରଣ ପ୍ରଜାଙ୍କ ଜମିର ମୂଲ୍ୟ କମ ଆକଳନ କରାଯାଇଥିଲା। ବହୁ ଦାବି ପରେ ସାରଦ-୨ କିସମ ଜମିର ମୂଲ୍ୟ ଏକର ପ୍ରତି ୧ ଲକ୍ଷ ୫୭ ହଜାର ଟଙ୍କା ଓ ପତିତ ଜମିର ମୂଲ୍ୟ ୧ ଲକ୍ଷ ଟଙ୍କା ମାତ୍ର ଚାଷୀ ପାଇଥିଲେ ା ଏହିକ୍ରମରେ ଇଡ୍କୋ ଜରିଆରେ କେବଳ କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ୯ ହଜାରରୁ ଊର୍ଦ୍ଧ୍ୱ ଏକର ଜମି ଆବଣ୍ଟନ କରାଯାଇଛି। ଲୋକଙ୍କ ଜମିରେ ଏକଧିକ ବଡ଼ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଛି। କିନ୍ତୁ ଜମିହରାମାନେ ସର୍ବହରା ହୋଇ ନିଯୁକ୍ତି କିମ୍ବା ଅତିରିକ୍ତ କ୍ଷତିପୂରଣ ପାଇଁ ଅନଶନ, ଧାରଣା, ଆନ୍ଦୋଳନ କରୁଥିଲେ ବି ସରକାର କର୍ଣ୍ଣପାତ କରୁନାହାନ୍ତି। ଲକ୍ଷେରୁ ଦେଢ ଲକ୍ଷ ଟଙ୍କା ମଧ୍ୟରେ ସଂପୃକ୍ତ ଶିଳ୍ପ କମ୍ପାନୀ ଅତିରିକ୍ତ ସହାୟତା ପ୍ରଦାନ କରି ନିଜର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏହା କଳିଙ୍ଗନଗର ଅଞ୍ଚଳରେ ଏବେ ଜମିହରାମାନଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି। ଅନ୍ୟପକ୍ଷେ ଯେଉଁ ଜମିହରାମାନେ ଚାକିରୀ ନ କରି ଟ୍ରକ କିମ୍ବା ଅନ୍ୟ ଗାଡି କିଣି ବ୍ୟବସାୟ କରିବାକୁ ଚାହିଁଲେ ତାହା ବି ହେଲା ନାହିଁ। ଖଣି ଓ ଶିଳ୍ପରେ ପରିବହନ ପାଇଁ ରାଜ୍ୟ ବାହାରର ଟ୍ରକ ମାଲିକମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବିଭିନ୍ନ ସମୟରେ ଟ୍ରକ ମାଲିକମାନେ ଆନ୍ଦୋଳନ ଦାବି କରି ଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ଫଳରେ ୨ ହଜାରରୁ ଊର୍ଦ୍ଧ୍ୱ ଜମିହରା, ବିସ୍ଥାପିତମାନେ ସେମାନଙ୍କ ଟ୍ରକଗୁଡିକୁ ବିକ୍ରୀ କରି ଦେଇଥିବା ଏବେ ସୂଚନା ମିଳିଛି। ସେମାନଙ୍କ ପରିବାରବର୍ଗ ବହୁ ଅଭାବ ଅନଟନରେ କାଳାତିପାତ କରୁଥିବା ମତପ୍ରକାଶ ପାଇଛି। ଏବେ ବି କଳିଙ୍ଗନଗର ଶିଳ୍ପାଞ୍ଚଳରେ ରାଜ୍ୟ ବାହାରର ଗାଡ଼ିଗୁଡିକ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ସ୍ଥାନୀୟ ନିଯୁକ୍ତି ତ ବହୁ ଦୂରର କଥା ବ୍ୟବସାୟ କରିବାକୁ ମଧ୍ୟ ବାହାର ଲୋକଙ୍କୁ ଅଧିକ ସୁବିଧା ମିଳୁଥିବା ମତପ୍ରକାଶ ପାଇଛି। ଜୋରଜବରଦସ୍ତ ଜମି ଅଧିଗ୍ରହଣ ପାଇଁ କଳିଙ୍ଗନଗର ଆଦିବାସୀଙ୍କୁ ବନ୍ଧୁକ ମୁନରେ ହତ୍ୟା ଭଳି ଘଟଣା ଦେଖିବାକୁ ମିଳିଛି।ଏହାକୁ ନେଇ ଦୀର୍ଘଦିନ ଧରି ଲୋକଙ୍କ ମଧ୍ୟରେ ରହିଥିବା ରାଗ ଓ ଆକ୍ରୋଶ ଉଗ୍ରରୂପ ନେବାରେ ଲାଗିଛି। ନିକଟରେ କେତେକ କାରଖାନା ଫାଟକରେ ତାଲା ପଡିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆଗକୁ ଏଭଳି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କେତେକ ସଂଗଠନ ପକ୍ଷରୁ ସୂଚନା ମିଳିଛି।
ଏ ସଂକ୍ରାନ୍ତରେ ମା ହିଙ୍ଗୁଳା ଟ୍ରକ ଆସୋସିଏଶନର ସଭାପତି ରାଜେନ୍ଦ୍ର କୁମାର ସାମଲ କୁହନ୍ତି,ରାଜ୍ୟ ବାହାରର ପରିବହନ ସଂସ୍ଥା, କାରଖାନା କର୍ତ୍ତୃପକ୍ଷ, ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ମିଳିତ ଭାବେ ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଇ ସ୍ଥାନୀୟ ଗାଡ଼ି ମାଲିକମାନଙ୍କୁ ଉପେକ୍ଷା କରିଥିଲେ। ଏପରି କି ଆନ୍ଦୋଳନ କରିବାକୁ ଗଲେ ପୋଲିସର ଭୟ ଦେଖାଇଲେ। ଫଳରେ ସ୍ଥାନୀୟ ବିସ୍ଥାପିତ ଗାଡ଼ି ମାଲିକମାନେ କାମଧନ୍ଦା ନ ପାଇ ଗାଡ଼ି ବିକ୍ରୀ କରିବାକୁ ବାଧ୍ୟ ହେଲେ। ଏହାସହ କିସ୍ତୀ ଦେଇ ନ ପାରି କେତେକ ଋଣ ଲଗାଣକାରୀ ସଂସ୍ଥା ଗାଡ଼ିଗୁଡିକୁ ଟାଣି ନେଇଥିଲେ। ଏବେ ଜମିହରା ଓ ବିସ୍ଥାପିତମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି।
The post ଦୁର୍ଦ୍ଦିନରେ ବିସ୍ଥାପିତ ଗାଡ଼ି ମାଲିକ appeared first on Dharitri Odia News.