ଦେଢ଼ବର୍ଷ ଅପେକ୍ଷାର ହେଲା ଅନ୍ତ...ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ...

ଦେଢ଼ବର୍ଷ ପରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ...ଏଣିକି କମନ୍ ଏରିଆର ମାଲିକ ବି ହେବେ ବାସଗୃହ କ୍ରେତା...ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଣିଲା ନୂଆ ନିୟମ...

ଦେଢ଼ବର୍ଷ ଅପେକ୍ଷାର ହେଲା ଅନ୍ତ...ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ...

ହଟିଲା ଆପାର୍ଟମେଣ୍ଟ ରେଜିଷ୍ଟ୍ରସନ କଟକଣା । ଆପାର୍ଟମେଣ୍ଟ ମାଲିକାନାସ୍ବତ୍ବ ଓ ପରିଚାଳନା ନିୟମ-୨୦୨୪ ନେଇ ଆସିଲା ବିଜ୍ଞପ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏ ନିୟମରେ, ଆପାର୍ଟମେଣ୍ଟରେ କିଭଳି ବାସଗୃହ କ୍ରେତାଙ୍କ ଆସୋସିଏସନ ଗଠନ ଓ ପଞ୍ଜୀକରଣ ହେବ, ପ୍ରକଳ୍ପର କମନ ଏରିଆ ବା  ସର୍ବସାଧାରଣ ବ୍ୟବହୃତ ଅଞ୍ଚଳ କିଭଳି ଆସୋସିଏସନ ନାମରେ ପଞ୍ଜୀକରଣ ହେବ, ସେନଇ ବିସ୍ତୃତ ସୂଚନା ସହ ଆବଶ୍ୟକ ଫର୍ମାଟ ଦିଆଯାଇଛି । 

ରାଜ୍ୟରେ ଏକ ରେରା ଅନୁକୂଳ ଆପାର୍ଟମେଣ୍ଟ ମାଲିକାନା ନିୟମ ନଥିବାରୁ ୨୦୨୨ ମେ’୧୨ରୁ ଆପାର୍ଟମେଣ୍ଟ ପଞ୍ଜୀକରଣ ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ । ୨୦୨୩ ଜୁନରେ ସରକାର ଆପାର୍ଟମେଣ୍ଟ ମାଲିକାନା ଆଇନ ଆଣିବାକୁ ଅଧ୍ୟାଦେଶ ଜାରି କରିଥିଲେ ବି ନିୟମ ଆସି ନଥିବାରୁ ବନ୍ଦ ରହିଥିଲା ଆପାର୍ଟମେଣ୍ଟ ପଞ୍ଜୀକରଣ। ଫଳରେ କଷ୍ଟ ଅର୍ଜିତ ଧନ ଖଟାଇ କିଣିଥିବା ଘର ପାଇବାରୁ ବଞ୍ଚିତ ହେଉଥିଲେ ହଜାର ହଜାର ବାସଗୃହ କ୍ରେତା । ଏବେ ନିୟମ ଆସିଥିବାରୁ, ଖୁବ୍‌ଶୀଘ୍ର ଆପାର୍ଟମେଣ୍ଟ ପଞ୍ଜୀକରଣ ଆରମ୍ଭ ସହ ସେମାନେ ଆଇନଗତ ଭାବେ ନିଜ ସ୍ବପ୍ନର ଘରର ମାଲିକ ହୋଇପାରିବେ ବୋଲି ଆଶା ରଖିଛନ୍ତି । ରିଅଲ ଇଷ୍ଟେଟ୍ ବିଶେଷଜ୍ଞ କହିଛନ୍ତି, ରାଜ୍ୟରେ ୪୦ ବର୍ଷ ହେଲା ଆପାର୍ଟମେଣ୍ଟ କିଣାବିକା ଭୁଲ ବାଟରେ ଚାଲିଥିଲା । ଏହି ନିୟମ ଏସବୁରେ ଅନ୍ତ ଘଟାଇଛି ।

ଆପାର୍ଟମେଣ୍ଟ ପଞ୍ଜୀକରଣ ହୋଇପାରୁ ନଥିବାରୁ ଗତ ଦେଢ଼ ବର୍ଷ ହେଲା ଢେର କ୍ଷତି ସହିଛି ରିଅଲ ଇଷ୍ଟେଟ୍ ସଂଘ। ରାଜ୍ୟରେ ପ୍ରାୟ ୧୦ ହଜାରରୁ ଅଧିକ ଆପାର୍ଟମେଣ୍ଟ ନିର୍ମାଣ ସରିଥିଲେ ପଞ୍ଜୀକରଣ ହୋଇ ନ ପାରିବାରୁ ବାସଗୃହ କ୍ରେତାଙ୍କୁ ହସ୍ତାନ୍ତର ହୋଇପାରିନି । ଏହି କାରଣରୁ ରିଅଲ ଇଷ୍ଟେଟରେ ନିବେଶ ହଜାର ହଜାର କୋଟି ଟଙ୍କା ଅଟକି ରହିଛି । ଏବେ ନିୟମ ପ୍ରଚଳନ ହୋଇଥିବାରୁ ଆପାର୍ଟମେଣ୍ଟର ସୋସାଇଟି ପଞ୍ଜୀକରଣ ହୋଇପାରିବ। ତା ସହିତ ଆପାର୍ଟମେଣ୍ଟ ପଞ୍ଜୀକରଣ ଆରମ୍ଭ ସହ ରିଅଲ ଇଷ୍ଟେଟ୍ ଶିଳ୍ପ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି। ହେଲେ ପୂର୍ବରୁ ଯେଉଁସବୁ ପ୍ରକଳ୍ପରେ କିଛି ବାସଗୃହ କ୍ରେତାଙ୍କୁ ଆପାର୍ଟମେଣ୍ଟ ପଞ୍ଜୀକରଣ କରି ହସ୍ତାନ୍ତର କରାଯାଇସାରିଛି, ସେଗୁଡ଼ିକର ସ୍ଥିତି କ’ଣ ହେବ, ତାହା ଏବେ ଦ୍ବନ୍ଦ୍ବରେ। 

 

ନୂଆ ଆପାର୍ଟମେଣ୍ଟ ନିୟମରେ ସବୁ କିଛିକୁ ସୁବ୍ୟବସ୍ଥିତ କରାଯାଇଛି । ହେଲେ ବାସ୍ତବ କ୍ଷେତ୍ରରେ ଏହାର କାର୍ଯ୍ୟକାରିତା କେତେ ସରଳ ହେଉଛି, ତାହା ଦେଖିବାକୁ ବାକି ରହିଛି ।