ଧରାପଡ଼ିବା ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ, ଏଆଇ ଧରୁଛି ମାଟ୍ରିକ ତ୍ରୁଟି

ଭୁବନେଶ୍ୱର, ୨୬।୨(ଅସମାପିକା ସାହୁ): ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ, ଲିକ୍‌, ବିଭ୍ରାଟ ଘଟଣା ସୋସିଆଲ ମିଡିଆରେ ଘୂରିବୁଲେ। ମାତ୍ର ତାହାର ସତ୍ୟାସତ୍ୟ ଧରାପଡ଼େ ନାହିଁ କି ଜଣାପଡ଼େ ନାହିଁ। ଏପରି କି ଅନେକ ଘଟଣାକୁ ଚପାଇ ଦିଆଯାଉଥିବା ନେଇ ମଧ୍ୟ ବହୁ ସମୟରେ ଅଭିଯୋଗ ଉଠିଛି। କିନ୍ତୁ ଏଥର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଦ୍ୱାରା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି। କପି ଧରିବା ଓ ବିଶୃଙ୍ଖଳା ରୋକିବାରେ ଏଆଇ ବିଷେଶ ଫଳପ୍ରଦ ହୋଇଛି। […] The post ଧରାପଡ଼ିବା ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ, ଏଆଇ ଧରୁଛି ମାଟ୍ରିକ ତ୍ରୁଟି appeared first on Dharitri Odia News.

ଧରାପଡ଼ିବା ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ, ଏଆଇ ଧରୁଛି ମାଟ୍ରିକ ତ୍ରୁଟି

ଭୁବନେଶ୍ୱର, ୨୬।୨(ଅସମାପିକା ସାହୁ): ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ, ଲିକ୍‌, ବିଭ୍ରାଟ ଘଟଣା ସୋସିଆଲ ମିଡିଆରେ ଘୂରିବୁଲେ। ମାତ୍ର ତାହାର ସତ୍ୟାସତ୍ୟ ଧରାପଡ଼େ ନାହିଁ କି ଜଣାପଡ଼େ ନାହିଁ। ଏପରି କି ଅନେକ ଘଟଣାକୁ ଚପାଇ ଦିଆଯାଉଥିବା ନେଇ ମଧ୍ୟ ବହୁ ସମୟରେ ଅଭିଯୋଗ ଉଠିଛି। କିନ୍ତୁ ଏଥର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଦ୍ୱାରା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି। କପି ଧରିବା ଓ ବିଶୃଙ୍ଖଳା ରୋକିବାରେ ଏଆଇ ବିଷେଶ ଫଳପ୍ରଦ ହୋଇଛି। କେଉଁଠି ମାଲ୍‌ ପ୍ରାକ୍ଟିସ୍‌ ରୋକିଛି ତ’ ଆଉ କେଉଁଠି ହଲ୍‌ ଭିତରେ ଅନଧିକାର ପ୍ରବେଶ କରିଥିବା ପୋଲିସ କର୍ମଚାରୀଙ୍କୁ ଧରିଛି ଏହି ଅତ୍ୟାଧୁନିକ ଟେକ୍ନୋଲୋଜି କୃତ୍ରିମ ବୁଦ୍ଧିମତ୍ତା।

ତେବେ ପ୍ରମାଣ ଥାଇ ସତ୍ତ୍ୱେ କାହିଁକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ମନ୍ତ୍ରୀ, ଅଧିକାରୀ ସମସ୍ତେ ଏହାକୁ ଏଆଇର ସଫଳତା ବୋଲି କହୁଥିଲେ ମଧ୍ୟ ବିଭ୍ରାଟ ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ମୁହଁ ଖୋଲୁନାହାନ୍ତି। ଫଳରେ ପରୀକ୍ଷା ବିଭ୍ରାଟ ପାଇଁ ଛାତ୍ରୀଛାତ୍ର, ଅଭିଭାବକ ଆଶଙ୍କା ଭିତରେ ରହିଥିବାବେଳେ ବୋର୍ଡ ଓ ଶିକ୍ଷା ବିଭାଗର ନୀରବତାକୁ ନେଇ ଛାତ୍ରନେତାମାନେ ପ୍ରତିବାଦର ସ୍ବର ଉଠାଇଛନ୍ତି। ରବିବାର ଛାତ୍ର କଂଗ୍ରେସ ଓ ଏବିଭିପି ପକ୍ଷରୁ ପୃଥକ୍‌ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇ ଦୃଢ଼ ପ୍ରତିବାଦ କରାଯାଇଛି।

ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦେଶରେ ପ୍ରଥମ ଥର ପାଇଁ ଏଆଇର ସହାୟତା ନେଇଛି। ରାଜ୍ୟର ପ୍ରାୟ ୧୦୦ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି ଏଆଇ ସର୍ଭେଲାନ୍ସ କ୍ୟାମେରା ଲାଗିଥିବାବେଳେ ଶତାଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ଲାଇଭ୍‌ ଷ୍ଟ୍ରିମିଂ ହେଉଛି। ଏହାଦ୍ୱାରା ବିଭିନ୍ନ କେନ୍ଦ୍ରରେ ହେଉଥିବା ତ୍ରୁଟିକୁ ଏଆଇ ଧରିବା ସହ ସତର୍କ କରାଉଛି। ଯାଜପୁର ଗୋବିନ୍ଦ ଚନ୍ଦ୍ର ହାଇସ୍କୁଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟରେ ପ୍ରଶ୍ନପତ୍ର ଖୋଲାଯାଇଥିଲା। ଭଦ୍ରକର ବନ୍ଧଗାଁ ନୋଡାଲ ହାଇସ୍କୁଲରେ ପ୍ରଶ୍ନପତ୍ରଗୁଡ଼ିକୁ ଲୁହା ବାକ୍ସରେ ରଖାଯାଇ ନ ଥିଲା ଓ ପ୍ରଶ୍ନପତ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ୟାକେଟଗୁଡ଼ିକ ବାହାରେ ରହିଥିଲା। ଯାଜପୁରର ପଲାଇ ହାଇସ୍କୁଲରେ ପରୀକ୍ଷାର୍ଥୀମାନେ ପାଖରେ କିଛି ସନ୍ଦେହଜନକ ସାମଗ୍ରୀ ରଖିଥିବା ନେଇ ଏଆଇ ସୂଚନା ଦେଇଥିଲା।

ସେହିଭଳି ନବରଙ୍ଗପୁର ଡାବୁଗାଁସ୍ଥିତ ସରକାରୀ ୟୁଜି ହାଇସ୍କୁଲ ଓ ଗଜପତି ଆର. ଉଦୟଗିରିର ସରକାରୀ ହାଇସ୍କୁଲରେ ବିଭ୍ରାଟ ହୋଇଥିବା ଦେଖିବାକୁ ମିଳିଥିଲା। ଏତେ ସବୁ ବିଭ୍ରାଟ ସାମ୍ନାକୁ ଆସିବା ପରେ ଏବେ ସବୁଠି ପ୍ରତିବାଦ ଦେଖାଦେଲାଣି। ମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ସ୍ପଷ୍ଟୀକରଣ ଦେବା ପାଇଁ ଛାତ୍ରନେତାମାନେ ଦାବି କରିଛନ୍ତି। ଏ ନେଇ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ପ୍ରତିବର୍ଷ ବୋର୍ଡର ପ୍ରଶ୍ନପତ୍ର ଭାଇରାଲ ହେଉଛି। ତେଣୁ ବୋର୍ଡକୁ ତୁରନ୍ତ ଭାଙ୍ଗି ଦିଆଯାଇ ସିବିଏସ୍‌ଇ ପରି ନୂଆ ପରିଷଦ ଗଠନ କରି ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଉ କିମ୍ବା ସିବିଏସ୍‌ଇ ଦ୍ୱାରା ଆଫିଲିଏଶନ କରି ସବୁ ଇଂଲିଶ ମିଡିୟମରେ ପାଠପଢ଼ା ଯାଇ ପରୀକ୍ଷା, ପରିଚାଳନା ଓ ପାଠ୍ୟକ୍ରମ ପ୍ରସ୍ତୁତି କରାଯାଉ। ନଚେତ ପ୍ରତିବର୍ଷ ଭଳି ଏଇ ଅପାରଗ ବୋର୍ଡ ଦାୟିତ୍ୱହୀନ ଭାବେ ପରୀକ୍ଷା ପରିଚାଳନା କରି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିବା ସହିତ ଅଭିଭାବକଙ୍କୁ ଶଙ୍କାରେ ପକାଇ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭୁଶୁଡ଼େଇ ଦେବ ବୋଲି ମହାସଂଘ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି।

The post ଧରାପଡ଼ିବା ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ, ଏଆଇ ଧରୁଛି ମାଟ୍ରିକ ତ୍ରୁଟି appeared first on Dharitri Odia News.