ଧାରା ୩୭୦କୁ ନେଇ କଂଗ୍ରେସ ମେଣ୍ଟ ସହ ମିଶୁଛି ଆମ ମତ: ପାକିସ୍ତାନ ରକ୍ଷାମନ୍ତ୍ରୀ
ଖ୍ୱାଜା ଆସିଫଙ୍କ ମନ୍ତବ୍ୟ ବିଜେପିକୁ କଂଗ୍ରେସ ଉପରେ ଆକ୍ରମଣ କରିବାକୁ ଏକ ନୂଆ ସୁଯୋଗ ଦେଇଛି। ଯେଉଁମାନେ ଭାରତର ସ୍ୱାର୍ଥ ବିରୋଧୀ ସେମାନଙ୍କ ସହ କଂଗ୍ରେସ ସର୍ବଦା ଛିଡ଼ା ହୋଇଛି ବୋଲି ବିଜେପି କହିଛି।
ନିକଟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏକ ବିବୃତିରେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁନରୁଦ୍ଧାର ପ୍ରସଙ୍ଗରେ ଶେହବାଜ ସରିଫ ସରକାର ଏବଂ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଣ୍ଟ ଏକମତ। ୨୦୧୯ରେ ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏଭଳି ମନ୍ତବ୍ୟ ଦିଆଯାଇଛି ପାକିସ୍ତାନ ପକ୍ଷରୁ।
ଜିଓ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଆସିଫ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇ ସରକାର ଗଠନ କରିବାର ସମ୍ଭାବନା ବହୁତ ଅଧିକ। ଏହି ମେଣ୍ଟ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫ଏ ପୁନରୁଦ୍ଧାର ପାଇଁ ପାକିସ୍ତାନ ଓ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ ଏକାଠି ହୋଇଛନ୍ତି।
ନ୍ୟାସନାଲ କନଫରେନ୍ସ ଧାରା ୩୭୦ ପୁନରୁଦ୍ଧାର ପାଇଁ ସଂକଳ୍ପ ନେଇଥିବା ବେଳେ କଂଗ୍ରେସ ଏହାକୁ ନେଇ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିବା ସହ ଇସ୍ତାହାରରେ ମଧ୍ୟ ସାମିଲ କରିନାହିଁ। ତେବେ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି।
ଧାରା ୩୭୦ ଉଚ୍ଛେଦ ଏବଂ ତତ୍କାଳୀନ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ପ୍ରସଙ୍ଗ ଜମ୍ମୁ-କଶ୍ମୀରବାସୀ, ବିଶେଷ କରି ଉପତ୍ୟକା ପାଇଁ ସମ୍ବେଦନଶୀଳ ହୋଇଛି। ନ୍ୟାସନାଲ କନଫରେନ୍ସ ଏବଂ ମେହବୁବା ମୁଫତିଙ୍କ ପିଡିପିର ଇସ୍ତାହାରରେ ଧାରା ୩୭୦ ପୁନରୁଦ୍ଧାର ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି।
ଖ୍ୱାଜା ଆସିଫଙ୍କ ମନ୍ତବ୍ୟ ବିଜେପିକୁ କଂଗ୍ରେସ ଉପରେ ଆକ୍ରମଣ କରିବାକୁ ଏକ ନୂଆ ସୁଯୋଗ ଦେଇଛି। ଯେଉଁମାନେ ଭାରତର ସ୍ୱାର୍ଥ ବିରୋଧୀ ସେମାନଙ୍କ ସହ କଂଗ୍ରେସ ସର୍ବଦା ଛିଡ଼ା ହୋଇଛି ବୋଲି ବିଜେପି କହିଛି।
ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଟ୍ୱିଟ୍ କରି କହିଛନ୍ତି, ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସର ଆଭିମୁଖ୍ୟକୁ ସମର୍ଥନ କରୁଛି। ଏହା କେମିତି ସମ୍ଭବ ଯେ (ଗୁରପତୱନ୍ତ) ପନ୍ନୁଙ୍କଠାରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ରାହୁଲ ଗାନ୍ଧି ଏବଂ ତାଙ୍କ କଂଗ୍ରେସ ସବୁବେଳେ ଭାରତର ସ୍ୱାର୍ଥ ବିରୋଧରେ ଏକାଠି ହୋଇଥିବା ଦେଖାଯାଉଛି।
ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ମଧ୍ୟ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ସତ ସାମ୍ନାକୁ ଆସିଛି। ଏହାକୁ ନେଇ କେବେ ସନ୍ଦେହ ଥିଲା କି? ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରିବା ପାଇଁ ସେମାନେ ପାକିସ୍ତାନ ସହ ଛିଡା ହୋଇପାରନ୍ତି।