ନବୀନଙ୍କୁ ପରାମର୍ଶ: ନିର୍ଦ୍ଦିଷ୍ଟ ବରିଷ୍ଠ ନେତାଙ୍କୁ ଜାଣିକି ଦଳରୁ ଦୂରାଅନି

ଭୁବନେଶ୍ୱର, ୨୨ା୪(ସୁନିତ୍‌ ମିଶ୍ର): ବିଜେଡି ସଭାପତି ଭାବେ ନବୀନ ପଟ୍ଟନାୟକ ୯ମ ଥର ଲାଗି ଦାୟିତ୍ୱ ନେବା ପରେ ଦଳର ରାଜ୍ୟ କମିଟିଗୁଡ଼ିକର ରୂପରେଖ କିପରି ହେବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିଛିଦିନ ହେବ ନବୀନଙ୍କୁ ଦଳର ଅନେକ ବରିଷ୍ଠ ନେତା ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ଟାର୍ଗେଟ କରିଆସୁଥିଲେ। ଗଣମାଧ୍ୟମରେ ବାରମ୍ବାର ବରିଷ୍ଠ ନେତାଙ୍କ ଖୋଲାଖୋଲି ଅଭିଯୋଗ ପରେ ନବୀନ ପରୋକ୍ଷରେ ସେମାନଙ୍କୁ ପାଟି ବନ୍ଦ ରଖିବାକୁ କହିଥିଲେ। ହେଲେ ଏ କଥାକୁ ଅନେକ […] The post ନବୀନଙ୍କୁ ପରାମର୍ଶ: ନିର୍ଦ୍ଦିଷ୍ଟ ବରିଷ୍ଠ ନେତାଙ୍କୁ ଜାଣିକି ଦଳରୁ ଦୂରାଅନି appeared first on Dharitri Odia News.

ନବୀନଙ୍କୁ ପରାମର୍ଶ: ନିର୍ଦ୍ଦିଷ୍ଟ ବରିଷ୍ଠ ନେତାଙ୍କୁ ଜାଣିକି ଦଳରୁ ଦୂରାଅନି

ଭୁବନେଶ୍ୱର, ୨୨ା୪(ସୁନିତ୍‌ ମିଶ୍ର): ବିଜେଡି ସଭାପତି ଭାବେ ନବୀନ ପଟ୍ଟନାୟକ ୯ମ ଥର ଲାଗି ଦାୟିତ୍ୱ ନେବା ପରେ ଦଳର ରାଜ୍ୟ କମିଟିଗୁଡ଼ିକର ରୂପରେଖ କିପରି ହେବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିଛିଦିନ ହେବ ନବୀନଙ୍କୁ ଦଳର ଅନେକ ବରିଷ୍ଠ ନେତା ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ଟାର୍ଗେଟ କରିଆସୁଥିଲେ। ଗଣମାଧ୍ୟମରେ ବାରମ୍ବାର ବରିଷ୍ଠ ନେତାଙ୍କ ଖୋଲାଖୋଲି ଅଭିଯୋଗ ପରେ ନବୀନ ପରୋକ୍ଷରେ ସେମାନଙ୍କୁ ପାଟି ବନ୍ଦ ରଖିବାକୁ କହିଥିଲେ। ହେଲେ ଏ କଥାକୁ ଅନେକ ନେତା ଖାତିର ନ କରି ଅଧିକ ପ୍ରତିକ୍ରିୟାଶୀଳ ହୋଇଥିଲେ। ଏହାପରେ ନବୀନଙ୍କ ସଭାପତି ପଦ ଗ୍ରହଣ ସମୟରେ ବହୁ ବରିଷ୍ଠ ନେତା ଉକ୍ତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲେ। ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିବା ନେତାଙ୍କୁ ଦଳଠାରୁ ଦୂରେଇ ରଖିବାକୁ ନବୀନ ନିବାସରୁ କୁଆଡେ ଯୋଜନା କରାଯାଇଥିଲା ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏପରି ନ କରିବାକୁ ଦଳର କେତେଜଣ ବରିଷ୍ଠ ନେତା ସୋମବାର ନବୀନ ନିବାସରେ ପହଞ୍ଚି ଜଣାଇଥିବା ଜଣାପଡିଛି।

ବିଲ୍‌ ପ୍ରସଙ୍ଗରେ ଦଳର ବ୍ୟାପକ କ୍ଷତି ହୋଇଥିବା ବେଳେ ବହୁ କଷ୍ଟରେ ଏକଥା ବନ୍ଦ ହୋଇଛି। ଏହି ପ୍ରସଙ୍ଗରେ ମୁହଁ ଖୋଲିଥିବା ନେତାମାନଙ୍କୁ ବର୍ତ୍ତମାନ ସ୍ଥିତିରେ ଦଳ ଠାରୁ ଦୂରେଇ ରଖିଲେ ଅଧିକ କ୍ଷତି ହେବାର ସମ୍ଭାବନା ରହିଛି। ତେଣୁ ଦଳ ଯେଉଁ ରାଜ୍ୟ କମିଟି କରିବାକୁ ଯାଉଛି, ସେଥିରେ ସମସ୍ତଙ୍କୁ ସ୍ଥାନ ଦିଆଗଲେ ଭଲ ହେବ। ଏହାଦ୍ୱାରା ବହୁ ନେତାଙ୍କ ତୁଣ୍ଡ ବି ବନ୍ଦ ହୋଇଯିବ। ନଚେତ୍‌ ପ୍ରତ୍ୟେକ ଦିନ ବରିଷ୍ଠ ନେତାମାନେ ଗଣମାଧ୍ୟମ ଆଗରେ ଗପିବା ଯୋଗୁ ତଳସ୍ତରରେ କର୍ମୀମାନଙ୍କ ଭରସା ନବୀନଙ୍କ ଉପରୁ ଉଠିଯାଉଛି। ତେଣୁ ଏବକାର ସ୍ଥିତିରେ ନିର୍ଦ୍ଦିଷ୍ଟ ବରିଷ୍ଠ ନେତାମାନଙ୍କୁ ସାଙ୍ଗରେ ନେଇ ଯିବା ଲାଗି ସୋମବାର ବରିଷ୍ଠ ନେତା ତଥା ବିଧାୟକ ଅରୁଣ କୁମାର ସାହୁ, ପ୍ରତାପ ଦେବ, ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାଏକ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ନବୀନ ନିବାସ ଯାଇ ଦଳର ସଭାପତିଙ୍କ ସହିତ ଆଲୋଚନା କରିଛନ୍ତି। ଗୋଷ୍ଠୀ ହୋଇ ନବୀନ ନିବାସ ଯାଇଥିବା ନେତାମାନଙ୍କ ମଧ୍ୟରୁ ଜଣେ ଏହି ସୂଚନା ଦେଇଛନ୍ତି।

ଆସନ୍ତା ୩୦ ଭିତରେ ବିଜେଡିର ରାଜ୍ୟ କମିଟି ଘୋଷଣା ହୋଇଯାଇପାରେ। ତେଣୁ ପର୍ଯ୍ୟାୟକ୍ରମେ ଏହାରି ଭିତରେ ଦଳର ଛାତ୍ର, ଯୁବ ଓ ମହିଳା ସଭାପତିଙ୍କ ନାଁ ମଧ୍ୟ ଦଳ ଘୋଷଣା କରିଦେଇପାରେ। କାରଣ ଦଳର ନିର୍ବାଚନ ପ୍ରକ୍ରିୟାର ରିପୋର୍ଟ ଆସନ୍ତା ୩୦ ତାରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯିବ। ତେଣୁ ଏହା ପୂର୍ବରୁ ଦଳକୁ ନିହାତି କମିଟିଗୁଡ଼ିକ ଘୋଷଣା କରିବାକୁ ପଡ଼ିବ। ଯେପରି ଦଳର ନିର୍ବାଚନ ପ୍ରକ୍ରିୟା ଅନୁଯାୟୀ ରାଜ୍ୟ ସଭାପତି ପଦର ନିର୍ବାଚନ ପୂର୍ବରୁ ୧୭ଟି ଜିଲାର ସଭାପତି ନିହାତି ନିର୍ବାଚିତ ହୋଇସାରିଥିବା ଗୁରୁତ୍ୱପୂର୍ଣ୍ଣ। ସେଥିଲାଗି ଦଳ ପକ୍ଷରୁ ତରବରିଆ ଭାବେ ୧୮ ଜିଲାର ସଭାପତିଙ୍କ ନାଁ ଘୋଷଣା କରିଦିଆଗଲା। ଅନ୍ୟ ୧୫ ସାଙ୍ଗଠନିକ ଜିଲାରେ ସଭାପତି ଚୟନ ନେଇ ଭାଗ ଛିଣ୍ଡିପାରୁ ନ ଥିବାରୁ ଏପର୍ଯ୍ୟନ୍ତ ତାହା ଘୋଷଣା ହୋଇପାରୁ ନାହିଁ ବୋଲି ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।

The post ନବୀନଙ୍କୁ ପରାମର୍ଶ: ନିର୍ଦ୍ଦିଷ୍ଟ ବରିଷ୍ଠ ନେତାଙ୍କୁ ଜାଣିକି ଦଳରୁ ଦୂରାଅନି appeared first on Dharitri Odia News.