ନଭେମ୍ବର ସରିଲା କେବେ ଘୋଷଣା ହେବ ପିସିସି ସଭାପତିଙ୍କ ନାମ…..
ଭୁବନେଶ୍ୱର : ଦେଶରେ କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି। ଶୁକ୍ରବାର ନୂଆଦିଲ୍ଲୀରେ ବସିଥିବା କଂଗ୍ରେସ ୱାର୍କିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍ଗେ ଏହା କହିଛନ୍ତି। ଖଡ୍ଗେଙ୍କ ଏହି ଉକ୍ତି ପରେ ରାଜ୍ୟ କଂଗ୍ରେସ ଓ ପିସିସି ସଭାପତି ଚୟନକୁ ନେଇ ଜାରି ରହିଥିବା ଉତ୍ସୁକତା ଆହୁରି ବଢ଼଼ିଯାଇଛି। କାରଣ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପରେ ରାଜ୍ୟ କଂଗ୍ରେସ ସଭାପତି ନାଁ ଘୋଷଣା ହେବ ବୋଲି ପୂର୍ବରୁ ନିଷ୍ପତ୍ତି […]

ଭୁବନେଶ୍ୱର : ଦେଶରେ କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି। ଶୁକ୍ରବାର ନୂଆଦିଲ୍ଲୀରେ ବସିଥିବା କଂଗ୍ରେସ ୱାର୍କିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍ଗେ ଏହା କହିଛନ୍ତି। ଖଡ୍ଗେଙ୍କ ଏହି ଉକ୍ତି ପରେ ରାଜ୍ୟ କଂଗ୍ରେସ ଓ ପିସିସି ସଭାପତି ଚୟନକୁ ନେଇ ଜାରି ରହିଥିବା ଉତ୍ସୁକତା ଆହୁରି ବଢ଼଼ିଯାଇଛି। କାରଣ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପରେ ରାଜ୍ୟ କଂଗ୍ରେସ ସଭାପତି ନାଁ ଘୋଷଣା ହେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଛି। ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପରେ ଓଡ଼ିଶା ପିସିସି ସଭାପତିଙ୍କ ନାଁ ଘୋଷଣା ହେବ ବୋଲି ପିସିସି ସଭାପତି ଚୟନ ପାଇଁ ନିଯୁକ୍ତ ପ୍ରଭାରୀ କହି ସାରିଛନ୍ତି। ଏବେ ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ସାଙ୍ଗକୁ ଖଡ୍ଗେଙ୍କ ବୟାନ ରାଜ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟ ଉତ୍ସାହ ଭରିଛି।
ଏହି ଗୁରୁତ୍ୱପୂର୍ଣ୍ଣ ସିଡବ୍ଲ୍ୟୁସି ବୈଠକରେ ଏଆଇସିସି ଅଧ୍ୟକ୍ଷ କଂଗ୍ରସରେ ଆମୂଳଚୂଳ ପରିବର୍ତ୍ତନ ସାଙ୍ଗକୁ ନିର୍ବାଚନ ରଣନୀତି, ବିଧାନସଭା ନିର୍ବାଚନ ପାଇଁ ବର୍ଷେ ପୂର୍ବରୁ ରୋଡ୍ମ୍ୟାପ୍ ପ୍ରସ୍ତୁତି ଭଳି ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହିତ ଖଡ୍ଗେ ଦଳୀୟ ନେତାଙ୍କ ମଧ୍ୟରେ ଏକତାକୁ ଗୁରୁତ୍ୱ ଦେଇଥିବା ବେଳେ କଠୋର ଅନୁଶାସନ ଉପରେ ମଧ୍ୟ ମତ ଦେଇଛନ୍ତି। ପୂର୍ବରୁ ରାଜ୍ୟ କଂଗ୍ରେସରେ ଅନେକ ସମୟରେ ଅନୁଶାସନର ଅଭାବ ନେଇ ଅଭିଯୋଗ ହୋଇ ଆସିଛି। ତେଣୁ ନୂଆ ସଭାପତି ଚୟନରେ କିଏ ସମସ୍ତଙ୍କୁ ସାଙ୍ଗରେ ଧରି ଆଗକୁ ବଢ଼ିବେ, ତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ଏଆଇସିସିର ୨ଜଣ ପର୍ଯ୍ୟବେକ୍ଷକ ଚରଣ ଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ ଓଡ଼ିଶା ଆସି କଂଗ୍ରେସର ୨୧ଜଣ ଷ୍ଟିୟରିଂ କମିଟି ସଦସ୍ୟ, ବିଧାୟକ, ସାଂସଦ, ଓ ଜିଲ୍ଲା ସଭାପତିମାନଙ୍କ ସହ ବୈଠକ କରି କାହାକୁ ପିସିସି ସଭାପତି କରାଯିବ ସେନେଇ ମତାମତ ନେଇସାରିଛନ୍ତି। ୫ ମାସ ଧରି ମଙ୍ଗୁଆଳଶୂନ୍ୟ ଥିବା ଓଡ଼ିଶା କଂଗ୍ରେସକୁ କିଏ ସଞ୍ଜୀବନୀ ଦେଇପାରିବ, ସେନେଇ କସରତ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ନେତାଙ୍କ ବୟାନ ମଧ୍ୟ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ ୧୦ ଦିନ ଭିତରେ ହାଇକମାଣ୍ଡ ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ। ସଂଗଠନକୁ ଚଳଚଞ୍ଚଳ କରିପାରୁଥିବା ଜଣେ ଦକ୍ଷ ନେତାଙ୍କୁ ଦଳ ପିସିସି ସଭାପତିର ଗୁରୁ ଦାୟିତ୍ୱ ଦେବାକୁ ଚୂଡ଼ାନ୍ତ କରିଥିବା କାଡ଼ାମ କହିଛନ୍ତି।
ଅନ୍ୟପଟେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ସବୁ କଥାକୁ ବିଚାର କରି ହାଇକମାଣ୍ଡ ପିସିସି ସଭାପତିଙ୍କ ନାଁ ଖୁବଶୀଘ୍ର ଘୋଷଣା କରିବେ। ଓଡ଼ିଶା ସଂଗଠନକୁ ମଜଭୁତ କରିବା ପାଇଁ ହାଇକମାଣ୍ଡ ଫୋକସ କରିଛନ୍ତି ବୋଲି ଜୟଦେବ କହିଛନ୍ତି। ପିସିସି ସଭାପତି ଚୟନ ଚୂଡ଼ାନ୍ତ ତାଲିକାରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ ଓ ଭକ୍ତ ଚରଣ ଦାସଙ୍କ ନାଁ ଚର୍ଚ୍ଚାରେ ରହିଛି। ହେଲେ ଏଆଇସିସି ଏହି ନେତାଙ୍କ ମଧ୍ୟରୁ କାହା ନାଁ ଉପରେ ମୋହମ ମାରିବେ କି ନୂଆ ମୁଁହକୁ ସାମନାକୁ ଆଣିବେ, ତାକୁ ନେଇ ମଧ୍ୟ ଉତ୍କଣ୍ଠା ଲାଗି ରହିଛି। ଅନ୍ୟପଟେ ହରିୟାଣାରେ ଦଳ ଏକ ଆଶ୍ଚର୍ଯ୍ୟଜନକ ପରାଜୟର ସାମନା କରିଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ଦଳକୁ ଶକ୍ତ ଝଟକା ଲାଗିଛି। ତେଣୁ ରାଜ୍ୟଗୁଡ଼ିକରେ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରି କଂଗ୍ରେସ ଆଗକୁ ଜୋରଦାର ଲଢ଼େଇ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।