ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ସରଗରମ; ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ଦେଲା ବିଜେପି

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ନାରୀ ନିର୍ଯାତନା ପ୍ରସଙ୍ଗକୁ ସୋମବାର ବିଧାନସଭା ସରଗରମ ରହିଛି। ବିରୋଧୀମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଶୂନ୍ୟ କାଳରେ ନାରୀ ନିର୍ଯାତନା କଥା ଉଠାଇ କଂଗ୍ରେସ ବିଧାୟକ ଅଶୋକ ଦାସ ଗୃହ କମିଟି ଗଠନ ଦାବି କରିଥିବାବେଳେ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମହିଳା ଏବଂ ଶିଶୁ ନିର୍ଯାତନା ଉପରେ ଶ୍ବେତ ପତ୍ର ଦେବା କଥା କହିଥିଲେ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଆସିପାରିଲା ନାହିଁ। ଶୂନ୍ୟକାଳରେ ନାରୀ ନିର୍ଯାତନା କଥା ଉଠାଇ କଂଗ୍ରେସ ବିଧାୟକ ଅଶୋକ ଦାସ, ୨୦୦୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ୪୪ ହଜାର ୮୨୩ ମହିଳା ନିଖୋଜ ହୋଇଥିବା କଥା କହିଛନ୍ତି। ସେ ଆହୁରି କହିଛନ୍ତି ଏହି ତଥ୍ୟ ପୂର୍ବ ସରକାରଙ୍କ ସମୟର। ହେଲେବି ନୂଆ ସରକାରର ୯ ମାସରେ ଅର୍ଥାତ୍ ଜୁନ ୨୦୨୪ ପରେ ୧୮ ହଜାର ନାରୀ ନିର୍ଯ୍ୟାତନା ମାମଲା ପଞ୍ଜିକରଣ ହୋଇଛି। ୫୪ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦିନ ଦିପହରରେ ହତ୍ୟାକାଣ୍ଡ ହେଉଛି। ହୋଲି ଦିନ ମଦ ଦୋକାନ ଖୋଲା ରହିଲା, ଅନେକ ହତ୍ୟାକାଣ୍ଡ ବି ଘଟିଲା। ଏଭଳି ସ୍ଥିତି ପାଇଁ ଗୃହ କମିଟି ଗଠନ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ । ମୁଲତବି ପ୍ରସ୍ତାବ ଆଲୋଚନା ସମୟରେ ସେ ଆହୁରି କହିଛନ୍ତି, ନାରୀ ନିର୍ଯାତନାକୁ ନେଇ ମୁଖ୍ୟମନ୍

ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ସରଗରମ; ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ଦେଲା ବିଜେପି

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ନାରୀ ନିର୍ଯାତନା ପ୍ରସଙ୍ଗକୁ ସୋମବାର ବିଧାନସଭା ସରଗରମ ରହିଛି। ବିରୋଧୀମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଶୂନ୍ୟ କାଳରେ ନାରୀ ନିର୍ଯାତନା କଥା ଉଠାଇ କଂଗ୍ରେସ ବିଧାୟକ ଅଶୋକ ଦାସ ଗୃହ କମିଟି ଗଠନ ଦାବି କରିଥିବାବେଳେ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମହିଳା ଏବଂ ଶିଶୁ ନିର୍ଯାତନା ଉପରେ ଶ୍ବେତ ପତ୍ର ଦେବା କଥା କହିଥିଲେ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଆସିପାରିଲା ନାହିଁ। 

ଶୂନ୍ୟକାଳରେ ନାରୀ ନିର୍ଯାତନା କଥା ଉଠାଇ କଂଗ୍ରେସ ବିଧାୟକ ଅଶୋକ ଦାସ, ୨୦୦୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ୪୪ ହଜାର ୮୨୩ ମହିଳା ନିଖୋଜ ହୋଇଥିବା କଥା କହିଛନ୍ତି। ସେ ଆହୁରି କହିଛନ୍ତି ଏହି ତଥ୍ୟ ପୂର୍ବ ସରକାରଙ୍କ ସମୟର। ହେଲେବି ନୂଆ ସରକାରର ୯ ମାସରେ ଅର୍ଥାତ୍ ଜୁନ ୨୦୨୪ ପରେ ୧୮ ହଜାର ନାରୀ ନିର୍ଯ୍ୟାତନା ମାମଲା ପଞ୍ଜିକରଣ ହୋଇଛି। ୫୪ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦିନ ଦିପହରରେ ହତ୍ୟାକାଣ୍ଡ ହେଉଛି। ହୋଲି ଦିନ ମଦ ଦୋକାନ ଖୋଲା ରହିଲା, ଅନେକ ହତ୍ୟାକାଣ୍ଡ ବି ଘଟିଲା। ଏଭଳି ସ୍ଥିତି ପାଇଁ ଗୃହ କମିଟି ଗଠନ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ । ମୁଲତବି ପ୍ରସ୍ତାବ ଆଲୋଚନା ସମୟରେ ସେ ଆହୁରି କହିଛନ୍ତି, ନାରୀ ନିର୍ଯାତନାକୁ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଏବଂ ଆଇନ ମନ୍ତ୍ରୀଙ୍କ ବିବୃତ୍ତିରେ ଆକାଶ ପାତାଳ ଫରକ ରହିଛି। ମୁଖ୍ୟମନ୍ତ୍ରୀ କହିଲେ ୮ ପ୍ରତିଶତ ନାରୀ ନିର୍ଯାତନା ବୃଦ୍ଧି ପାଇଛି, ଅନ୍ୟପଟେ ଆଇନ ମନ୍ତ୍ରୀ କହୁଛନ୍ତି କମିଛି । ବେଟି ବଚାଓ ବେଟି ପଢ଼ାଓ ସ୍ଲୋଗାନ ଏବେ କୁଆଡେ ଗଲା ? ଡବଲ ଇଞ୍ଜିନ ସରକାରରେ ଆଠ ମାସରେ ୧୮ ହଜାର ମାମଲା ହୋଇଛି । ନାରୀଙ୍କ ବିକାଶ ଏବେ କାଗଜ କଲମରେ ସୀମିତ । ନାରୀଙ୍କୁ ଉପହାସ କରାଯାଉଛି। ଏହା ସହ ହୋମ ଗାର୍ଡ ପ୍ରସଙ୍ଗ, ଆବାସିକ ବିଦ୍ୟାଳୟ ପ୍ରସଙ୍ଗ, ନକଲି ସିବିଆଇ ଅଫିସର, ମୟୁରଭଞ୍ଜରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ପ୍ରସଙ୍ଗ ଉଠାଇ, ପେପର କଟିଙ୍ଗ ଦେଖାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଦସ୍ୟ । 

କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏହି ପ୍ରସଙ୍ଗରେ କହିଛନ୍ତି ‘ମନ୍ତ୍ରୀ କହିଛନ୍ତି ଅପରାଧୀଙ୍କ ଉପରେ ଆକ୍ସନ ନିଆଯାଇଛି। ହେଲେ ରାଜ୍ୟପାଳଙ୍କ ପୁଅ ଜଣେ ଏଏସଓଙ୍କୁ ମାଡ଼ ମାରିବା ଘଟଣା ଏବଂ ଭରତପୁର ଘଟଣାରେ କି’ ଆକ୍ସନ ନିଆଯାଇଛି ? ବାଲେଶ୍ଵରରେ ନିଜ ଘରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଗଲା। ୨୪ ବର୍ଷରେ ଅପରାଧ ଅଧିକ ଥିଲା। ଆଉ ଏବେ ନୂଆ ସରକାରରେ ୫୪ଟି ଗଣଧର୍ଷଣ, ୯ଟି ଏସିଡ୍ ଆକ୍ରମଣ ଘଟିଲାଣି।

ସେହିଭଳି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ସମାନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି ଏ ସରକାର ମହିଳା, ଛାତ୍ରଛାତ୍ରୀ ବିରୋଧୀ ଏବଂ ଦଳିତ ବିରୋଧୀ । ମହିଳାଙ୍କୁ ସୁରକ୍ଷା ଦେବାକୁ ଏମାନେ ପ୍ରସ୍ତୁତ ନୁହନ୍ତି । ୨୭୦ ଦିନରେ ୩୦୫୪ ମହିଳା ନିର୍ଯାତନା ମାମଲା ହୋଇଛି । ପିହୁ କେସ୍‌କୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରମିଳା। ସେ କହିଛନ୍ତି ବିଜେପି ବିରୋଧୀ ଦଳରେ ଥିବା ସମୟରେ ପିହୁ ପ୍ରସଙ୍ଗ ଉଠାଉଥିଲେ, ସରକାର ଆସିବା ପରେ ପିହୁ ପ୍ରସଙ୍ଗରେ କ’ଣ ପଦକ୍ଷେପ ନେଇଛନ୍ତି ? ମୁଖ୍ୟମନ୍ତ୍ରୀ କହିଲେ ମହିଳା ଏବଂ ଶିଶୁ ନିର୍ଯାତନା ଉପରେ ଶ୍ୱେତ ପତ୍ର ଦେବେ। ହେଲେ ସେ ଶ୍ବେତ ପତ୍ର କୁଆାଡ଼େ ଗଲା ? ବିଞ୍ଝାରପୁରରେ ଜଣେ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଲା । ହେଲେ ଘଟଣାକୁ ରଫା ଦଫା କରିବାକୁ ପରିବାର ଉପରେ ଚାପ ପ୍ରୟୋଗ କରୁଛନ୍ତି ବିଜେପି କର୍ମୀ । ବିଜେପି କର୍ମୀମାନେ ଥାନାକୁ ଲିଜରେ ନେଇଛନ୍ତି । ପୋଲିସ ଉପରେ ଚାପ ପ୍ରୟୋଗ ହେଉଛି। ସରକାର ନାରୀଙ୍କୁ ସମ୍ମାନ ଦେବା ଶିଖନ୍ତୁ।

ତେବେ ବିରୋଧୀଙ୍କ ଏହି ଅଭିଯୋଗକୁ ଗ୍ରହଣ କରିନାହାନ୍ତି ଶାସକ ଦଳ। ଶାସକ ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀ, ସନାତନ ବିଜୁଳି, ଅମର ନାୟକ ଓ ସରୋଜ କୁମାର ପାଢ଼ୀ ଏହି ପ୍ରସଙ୍ଗରେ ଯୁକ୍ତି ରଖିଛନ୍ତି। ସେମାନେ କହିଛନ୍ତି ରାଜ୍ୟରେ ନାରୀ ନିର୍ଯାତନାକୁ ନେଇ ହୋଇଥିବା ସବୁ ମାମଲାରେ ପୁଲିସ ତ୍ବରିତ ପଦକ୍ଷେପ ନେଇଛି। କଂଗ୍ରେସ ଓ ବିଜେଡି ଶାସନ ସମୟରେ ମହିଳାଙ୍କ ପ୍ରତି ଅତ୍ୟାଚାର କିପରି ବଢ଼ିଥିଲା, ତାହା ସମସ୍ତେ ଜାଣନ୍ତି। ତେଣୁ ବିରୋଧୀଙ୍କର ନୈତିକ ଅଧିକାର ନାହିଁ ଏହି ପ୍ରସଙ୍ଗରେ କହିବାକୁ। ପୂର୍ବ ସରକାରରେ ପୁଲିସକୁ ତା’ର ଦାୟିତ୍ବ ତୁଲାଇବାକୁ ଦିଆଯାଉନଥିଲା। 

ସେହିଭଳି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ମହିଳା ଓ ଶିଶୁ ଅପରାଧକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। ଆଇନରୁ ଊର୍ଧ୍ବରେ କେହି ନାହାନ୍ତି। ଅପରାଧୀ ଅପରାଧ ଘଟାଇବା ପରେ କୌଣସି ପରିସ୍ଥିତିରେ ଖସିପାରିବ ନାହିଁ। ଅନୁଗୁଳ ଘଟଣା ସମେତ ସବୁ ମାମଲାରେ ସରକାର ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଅପରାଧୀଙ୍କର ଦଣ୍ଡ ପ୍ରତି କିପରି ଭୟ ରହିବ, ସେଥି ପାଇଁ ଦଣ୍ଡବିଧାନ ହାର ଉପରେ ଗୁରୁତ୍ବ ଦିଆଯାଉଛି। ହତ୍ୟା ଓ ପୋକ୍‌ସୋ ଆକ୍ଟ ଲଗାଯାଇ ତଦନ୍ତ କରାଯାଉଛି। ଅତୀତରେ ଘଟଣା ଘଟୁଥିଲା ଓ ତଦନ୍ତ ଚାଲୁଥିଲା। କିନ୍ତୁ ଏବେ ୪୮ ଘଣ୍ଟା ଭିତରେ ଅପରାଧୀଙ୍କୁ ଧରାଯାଉଛି ଓ ଆଇନ ଅନୁଯୟୀ ପଦକ୍ଷେପ ଗ୍ରହଣ କରାଯାଉଛି। କଂଗ୍ରେସ ଓ ବିଜେଡି ସମୟରେ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନା ଏବେବି ଲୋକଙ୍କ ମନରୁ ଯାଇନି। ବିଜେଡି ସରକାର ସମୟ‌‌ରେ ତୃତୀୟ ମହଲାର ବିନା ଅନୁମତିରେ ପୋଲିସ କାହାରିକୁ ଗିରଫ କରିପାରୁନଥିଲା।