ନିବନ୍ଧ ଲେଖିବାର ଯୋଜନାଠାରୁ ଆରମ୍ଭ କରି ତଥ୍ୟକୁ ସହଜରେ ଯୋଗାଡ଼ କରିବାରେ କୃତ୍ରିମ ମେଧାର ଭୂମିକା ରହିଛି

ଢେଙ୍କାନାଳ ସଦର: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି। ଏହି ଅବସରରେ ‘କୃତ୍ରିମ ମେଧା, ନୂତନ ଜ୍ଞାନକୌଶଳ ଏବଂ ଓଡ଼ିଆ ସାମ୍ବାଦିକତା’ ବିଷୟ ଉପରେ ଏକ ଅନଲାଇନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ବକ୍ତା ଭାବରେ ଯୋଗ ଦେଇ ସୁଲେଖକ ତଥା ଶିକ୍ଷାବିତ୍ ଡ ମୃଣାଳ ଚାଟାର୍ଜୀ କହିଛନ୍ତି ଯେ ସାମ୍ବାଦିକତାରେ କୃତ୍ରିମ ମେଧାର ପ୍ରୟୋଗ ଯେତିକି ସୁଯୋଗ ଆଣୁଛି ସେତିକି ଆହ୍ବାନ ମଧ୍ୟ ସୃଷ୍ଟି କରୁଛି। […]

ନିବନ୍ଧ ଲେଖିବାର ଯୋଜନାଠାରୁ ଆରମ୍ଭ କରି ତଥ୍ୟକୁ ସହଜରେ ଯୋଗାଡ଼ କରିବାରେ କୃତ୍ରିମ ମେଧାର ଭୂମିକା ରହିଛି

ଢେଙ୍କାନାଳ ସଦର: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି। ଏହି ଅବସରରେ ‘କୃତ୍ରିମ ମେଧା, ନୂତନ ଜ୍ଞାନକୌଶଳ ଏବଂ ଓଡ଼ିଆ ସାମ୍ବାଦିକତା’ ବିଷୟ ଉପରେ ଏକ ଅନଲାଇନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

ଏଥିରେ ବକ୍ତା ଭାବରେ ଯୋଗ ଦେଇ ସୁଲେଖକ ତଥା ଶିକ୍ଷାବିତ୍ ଡ ମୃଣାଳ ଚାଟାର୍ଜୀ କହିଛନ୍ତି ଯେ ସାମ୍ବାଦିକତାରେ କୃତ୍ରିମ ମେଧାର ପ୍ରୟୋଗ ଯେତିକି ସୁଯୋଗ ଆଣୁଛି ସେତିକି ଆହ୍ବାନ ମଧ୍ୟ ସୃଷ୍ଟି କରୁଛି। କୃତ୍ରିମ ମେଧା ଲୋକଙ୍କୁ ଅନେକ ସମୟରେ ବାସ୍ତବତା ଅନୁଭବ କରାଇ ପାରୁଛି। ଗଣମାଧ୍ୟମର ବିଭିନ୍ନ କାର୍ଯ୍ୟ ସମ୍ପାଦନା ପାଇଁ ଏବେ କୃତ୍ରିମ ମେଧାର ବ୍ୟବହାର କରାଯାଉଛି। ନିବନ୍ଧ ଲେଖିବାର ଯୋଜନାଠାରୁ ଆରମ୍ଭ କରି ତଥ୍ୟକୁ ସହଜରେ ଯୋଗାଡ଼ କରିବାରେ କୃତ୍ରିମ ମେଧାର ଭୂମିକା ରହିଛି। ତେବେ ଏହା ଯୋଗୁଁ ସୃଜନଶୀଳତା ଏବଂ ଖବରର ଗୁଣବତ୍ତା ନେଇ ଆଶଙ୍କା ବି ରହିଛି। ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟାର କୁବ୍ୟବହାର ଯୋଗୁଁ ଅନେକ ସମୟରେ ସତ୍ୟ ଓ ମିଥ୍ୟା ଭିତରେ ଥିବା ଫରକ୍ ଜାଣିବା ସହଜ ହେଉନି। ଏଥିପାଇଁ ସାମ୍ବାଦିକଙ୍କୁ ସତ୍ୟତା ସମ୍ପର୍କରେ ଜାଣିବା ଆବଶ୍ୟକ। ଏହାସହ କାର୍ଯ୍ୟରତ ସାମ୍ବାଦିକ ଓ ସାମ୍ବାଦିକତା ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ କୃତ୍ରିମ ମେଧାର ବ୍ୟାବହାରିକ ତାଲିମ ନେବା ଦରକାର। ପ୍ରଯୁକ୍ତି ବିଦ୍ୟା ହେଉଛି ଏକମୁଖୀ ରାସ୍ତା। ଏହାର ବିକାଶ ସମୟ ଅନୁସାରେ ହେଇଥାଏ। ଏଣୁ ଏହାକୁ ମାଲିକ ନୁହେଁ ବରଂ ଭଲ ସହକାରୀ ଭାବେ ବିବେଚିତ କରିବା ଉଚିତ ବୋଲି ଡ ଚାଟାର୍ଜୀ କହିଛନ୍ତି।

ସେହିପରି ସମ୍ମାନିତ ବକ୍ତା ଟିପିଏସଓଡିଏଲର ଯୋଗାଯୋଗ ମୁଖ୍ୟ ଡ ଜ୍ୟୋତି ପ୍ରକାଶ ମହାପାତ୍ର କହିଛନ୍ତି, କ୍ରୀଡ଼ା, ବିପର୍ଯ୍ୟୟ ଆଦି କେତୋଟି ବିଷୟର ଖବର ପ୍ରସ୍ତୁତି, ଉପସ୍ଥାପନା ଓ ପରିବେଷଣ କରିବାରେ କିଛି ଗଣମାଧ୍ୟମ କୃତ୍ରିମ ମେଧାର ସାହାଯ୍ୟ ନେଉଛନ୍ତି। କୃତ୍ରିମ ମେଧା ଦ୍ଵାରା ଟାଇପ୍ କରିବା ଓ ଫଟୋ ଭିଡିଓ ଆଦି ସମ୍ପାଦନା ମଧ୍ୟ ଭଲ ହୋଇପାରୁଛି। କିନ୍ତୁ ଯେଉଁଠି ସୃଜନଶୀଳତାର କଥା ଆସୁଛି, ଯେଉଁଠି ଭଲ ଅନୁବାଦର କଥା ଆସୁଛି, ସେଠି କୃତ୍ରିମ ମେଧା ଏତେଟା ସଫଳ ହୋଇପାରୁନି କି ଭଲ ପ୍ରଦର୍ଶନ ଦେଖେଇପାରୁନି। ଲୋକସମ୍ପର୍କ କ୍ଷେତ୍ରରେ ମଧ୍ୟ କୃତ୍ରିମ ମେଧାର ପ୍ରୟୋଗ ବଢ଼ିବାରେ ଲାଗିଛି ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହିତ ଓଡ଼ିଶାରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କିପରି ଆରମ୍ଭ ହେଇଥିଲା ଓ ଏହା ପଛର ଉଦ୍ଦେଶ୍ୟ ସମ୍ପର୍କରେ ମଧ୍ୟ ଡ ମହାପାତ୍ର ଉଲ୍ଲେଖ କରିଛନ୍ତି।

ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ ଆନନ୍ଦ ପ୍ରଧାନ ସ୍ବାଗତ ସମ୍ଭାଷଣ ପ୍ରଦାନ କରି କହିଛନ୍ତି, ୧୮୬୬ ଅଗଷ୍ଟ ୪ରେ ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ର ପ୍ରକାଶନ ଆରମ୍ଭ ହେଇଥିଲା। ଏହା ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଏକ ସ୍ମରଣୀୟ ଦିନ। ଏହା ଭିତରେ ବହୁ ସାମ୍ବାଦିକ ଓଡ଼ିଶାର ବିଭିନ୍ନ ସମସ୍ୟା ତଥା ଓଡ଼ିଶାବାସୀଙ୍କ କଥା ଉପସ୍ଥାପିତ କରିଛନ୍ତି। ଆଜି ଓଡ଼ିଆ ସାମ୍ବାଦିକତା ବିଶେଷକରି ଭାଷାଭିତ୍ତିକ ସାମ୍ବାଦିକତାର ଗୁରୁତ୍ଵ ବହୁତ ଅଛି। ବିଭିନ୍ନ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ମଧ୍ୟ ଗଣମାଧ୍ୟମରେ ହେଉଛି। ଏଣୁ ସାମ୍ବାଦିକତା ପାଠ୍ୟକ୍ରମ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀ ଏହାର ସଠିକ ବ୍ୟବହାର ନେଇ ସଚେତନ ରହିବା ଦରକାର ବୋଲି ସେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥାନର ସହକାରୀ ପ୍ରଫେସର ଡ ବିରଞ୍ଚି ନାରାୟଣ ସେଠ୍ ଓ ଚିରସ୍ରୋତା ଜେନା ଯୋଗଦେଇ କୃତ୍ରିମ ମେଧା ଓ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଏକାଡେମିକ ଅସୋସିଏଟ ସୌମ୍ୟ ରଞ୍ଜନ ବିହାରା ଏହି ଆଲୋଚନାଚକ୍ରର ସଂଯୋଜନା କରିଥିବାବେଳେ ଧନ୍ୟବାଦ ଦେଇଛନ୍ତି ହରପ୍ରିୟା ଷଡ଼ଙ୍ଗୀ।