ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା ନେଉଛନ୍ତି ନାଇଟ୍‌‌ କୋଚ୍‌‌ ଘରୋଇ ବସ୍‌‌, ସ୍ଲିପର୍‌‌ ସିଟ୍‌‌ରେ ଦୁଇ ଜଣ ଯାତ୍ରୀ

ଭୁବନେଶ୍ୱର : ଆରମ୍ଭ ହୋଇଛି ଦୁର୍ଗାପୂଜା। ଏହା ପରେ ଲକ୍ଷ୍ମୀ ଓ କାଳୀପୂଜା। ଗାଁଠୁ ସହର ଆରମ୍ଭ ହେଲାଣି ପାର୍ବଣ ଋତୁ। ସହରରେ ରହୁଥିବା ଲୋକ ଗାଁ ମୁହାଁ ହେଲେଣି। ଗାଁରେ ରହୁଥିବା ଲୋକ ମେଢ଼ ଦେଖିବାକୁ ସହରଆଡ଼େ ମୁହାଁଇଲେଣି। ଏହି ପାର୍ବଣର ଖୁସି ସମୟରେ ଲୋକଙ୍କ ଯାତାୟାତର ସାହାର ପାଲଟିଥିବା ବସ୍‌‌ ଲୋକଙ୍କୁ ଯନ୍ତ୍ରଣା ଦେଉଛି। ନିର୍ଦ୍ଧାରିତ ଦରଠାରୁ ଅଧିକ ଭଡ଼ା ନେଉଛନ୍ତି। ଏମିତିକି କିଛି ବସ୍‌‌ ପାଟିକୁ ଯାହା ଆସୁଛି ସେତିକି ଟଙ୍କା ଭଡ଼ା […]

ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା ନେଉଛନ୍ତି ନାଇଟ୍‌‌ କୋଚ୍‌‌ ଘରୋଇ ବସ୍‌‌, ସ୍ଲିପର୍‌‌ ସିଟ୍‌‌ରେ ଦୁଇ ଜଣ ଯାତ୍ରୀ
Night coach private buses charging more than the fixed fare

ଭୁବନେଶ୍ୱର : ଆରମ୍ଭ ହୋଇଛି ଦୁର୍ଗାପୂଜା। ଏହା ପରେ ଲକ୍ଷ୍ମୀ ଓ କାଳୀପୂଜା। ଗାଁଠୁ ସହର ଆରମ୍ଭ ହେଲାଣି ପାର୍ବଣ ଋତୁ। ସହରରେ ରହୁଥିବା ଲୋକ ଗାଁ ମୁହାଁ ହେଲେଣି। ଗାଁରେ ରହୁଥିବା ଲୋକ ମେଢ଼ ଦେଖିବାକୁ ସହରଆଡ଼େ ମୁହାଁଇଲେଣି। ଏହି ପାର୍ବଣର ଖୁସି ସମୟରେ ଲୋକଙ୍କ ଯାତାୟାତର ସାହାର ପାଲଟିଥିବା ବସ୍‌‌ ଲୋକଙ୍କୁ ଯନ୍ତ୍ରଣା ଦେଉଛି। ନିର୍ଦ୍ଧାରିତ ଦରଠାରୁ ଅଧିକ ଭଡ଼ା ନେଉଛନ୍ତି। ଏମିତିକି କିଛି ବସ୍‌‌ ପାଟିକୁ ଯାହା ଆସୁଛି ସେତିକି ଟଙ୍କା ଭଡ଼ା ନେଉଥିବା ଅଭିଯୋଗ ହେଉଛି। ଏଥିସହ ସ୍ଲିପର୍‌‌ କୋଚ୍‌‌ ବସ୍‌‌ ଗୁଡ଼ିକରେ ଗୋଟିଏ ସ୍ଲିପର୍‌‌ ସିଟ୍‌‌ରେ ଜଣେ ବ୍ୟକ୍ତି ଯିବା ପାଇଁ ଊଦ୍ଦିଷ୍ଟ ଥିଲେ ହେଁ ଦୁଇ ଜଣ ଯାତ୍ରୀ ଯିବାକୁ ବାଧ୍ୟ କରୁଛନ୍ତି ବସ୍‌‌ କଣ୍ଡକ୍ଟର। ସେହିଭଳି ଏଜେଣ୍ଟମାନେ ମଧ୍ୟ ପାଟିକୁ ଯେତିକି ଟଙ୍କା ଆସୁଛି, ଲୋକଙ୍କ ଉପରେ ଲଦି ଦେଉଛନ୍ତି। ନାଇଟ୍‌‌ କୋଚ୍‌‌ ବସ୍‌‌ଗୁଡ଼ିକ ଯାତ୍ରୀଙ୍କ ଉପରେ ଏଭଳି ଜୁଲମ୍‌‌ କରୁଥିବାବେଳେ ପରିବହନ ବିଭାଗ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ପାର୍ବଣ ଋତୁରେ ସୃଷ୍ଟିରେ ହୋଇଥିବା ମାତ୍ରାଧିକ ଭିଡ଼ର ଫାଇଦା ଉଠାଉଛନ୍ତି କିଛି ଘରୋଇ ବସ୍‌‌। ଅନ୍‌‌ଲାଇନ୍‌‌ ଟିକଟ୍‌‌ରେ ଅଧିକାଂଶ ସମୟରେ ଯାତ୍ରୀଙ୍କଠୁ ଦୁଇଗୁଣା ଭଡ଼ା ନେବାକୁ ପଛାଉନାହାନ୍ତି। ଜାଣିଶୁଣି ଘରୋଇ ବସ୍‌‌ ମାଲିକ ଓ କିଛି ଏଜେଣ୍ଟ ବସ୍‌‌ର ସିଟ୍‌‌ ଅଭାବ ଦେଖାଉଛନ୍ତି। ପରବର୍ତ୍ତୀ ସମୟରେ ଯାତ୍ରୀଙ୍କଠୁ ଅଧିକ ଭଡ଼ା ନେଇ ବସ୍‌‌ରେ ସେହି ସିଟ୍‌‌ ଦେଉଛନ୍ତି। ଦୈନିକ ରାଜ୍ୟର ବିଭିନ୍ନ ସହର ଓ ଗାଁରୁ ଶହ ଶହ ଯାତ୍ରୀ ରାଜଧାନୀକୁ ଆସୁଛନ୍ତି।

ବାଲେଶ୍ୱର, ବାରିପଦା, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼଼ା, କଳାହାଣ୍ଡି, ଫୁଲବାଣୀ, ସମ୍ବଲପୁର, ବଲାଙ୍ଗିର ଆଦି ସହରକୁ ରାଜଧାନୀରୁ ଦୈନିକ ପାଖାପାଖି ୧ହଜାରରୁ ଅଧିକ ଘରୋଇ ନାଇଟ୍‌‌ କୋଚ୍‌‌ ବସ୍‌‌ ଯାତାୟତ କରୁଛି। ବିଶେଷକରି ଦୁର୍ଗା, ଲକ୍ଷ୍ମୀ ଓ କାଳୀ ପୂଜା ସମୟରେ ଦୁଇଗୁଣା ଯାତ୍ରୀ ଯାତାୟତ କରୁଛନ୍ତି। କାଳୀପୂଜା ଓ ଲକ୍ଷ୍ମୀପୂଜା ପାଇଁ ରାଜଧାନୀରୁ ଅନେକ ଯାତ୍ରୀ ନିଜ ଗାଁକୁ ଯାଇଥାନ୍ତି। ରାଜଧାନୀର ପ୍ରସିଦ୍ଧ ଦୁର୍ଗାପୂଜା ଦେଖିବାକୁ ମଧ୍ୟ ରାଜ୍ୟ ବିଭିନ୍ନ ସହର ଓ ଗାଁରୁ ଶହ ଶହ ଯାତ୍ରୀ ରାଜଧାନୀକୁ ଆସିଥାନ୍ତି। ଏଥିପାଇଁ ବହୁ ପୂର୍ବରୁ ଟିକେଟ୍‌‌ ବୁକିଂ ହୋଇଛି। ଯେଉଁମାନେ ଶେଷ ମୁହୂର୍ତ୍ତରେ ଟିକେଟ୍‌‌ କାଟନ୍ତି, ସେମାନେ ପାଆନ୍ତି। ଏହି ମଉକାର ଫାଇଦା ଉଠାଉଛନ୍ତି କାଉଣ୍ଟର ଖୋଲି ବସିଥିବା କିଛି ଏଜେଣ୍ଟ ଓ ବସ୍‌‌ ମାଲିକ।

ବିଶେଷକରି ଗ୍ରାମାଞ୍ଚଳକୁ ଯାତାୟତ କରୁଥିବା ବସ୍‌‌ରେ ଅଧିକ ଭିଡ଼ ପରିଲକ୍ଷିତ ହୋଇଥାଏ। ଏହି ଅଞ୍ଚଳକୁ ଯାଉଥିବା ବସ୍‌‌ରେ ଯାତ୍ରୀଙ୍କଠୁ ଭଡ଼ା ଅଧିକ ଆଦାୟ ହେଉଛି। ଅନ୍‌‌ଲାଇନ୍‌‌ରେ ବୁକିଂ ହେଉଥିବା ଟିକଟ୍‌‌ରେ ଅଫ୍‌‌ଲାଇନ୍‌‌ ଟିକେଟ୍‌‌ ଠାରୁ ଢେର ଅଧିକ ଯାତ୍ରୀଙ୍କଠୁ ନିଆଯାଉଛି। ବେଳେବେଳେ ଦୁଇଗୁଣା ଭଡ଼ା ମଧ୍ୟ ନିଆଯାଉଛି। ନିୟମିତ ବ୍ୟବଧାନରେ ବସ୍‌‌ଗୁଡ଼ିକ ଯାଞ୍ଚ କରାଯାଉ ନଥିବାରୁ କିଛି ବସ୍‌‌ ମାଲିକ ମାସ ମାସ ଧରି ଯାତ୍ରୀଙ୍କଠୁ ଲୁଟି ଚାଲିଛନ୍ତି। ଯଦି କୌଣସି ଯାତ୍ରୀ ଶେଷ ମୁହୂର୍ତ୍ତରେ ଟିକଟ୍‌‌ ବାତିଲ କରିବାକୁ ଚାହୁଁଛି, ତାକୁ ତା’ର ଟିକେଟ୍‌‌ ଅର୍ଥ ଫେରସ୍ତ କରାଯାଉ ନାହିଁ। ପାର୍ବଣ ସମୟରେ ଅଧିକ ଭଡ଼ା ନେଉଥିବା ବସ୍‌‌ ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।