ନିର୍ବାଚନ ନାହିଁ, ତଥାପି ରାଜନୀତି ଗରମ

ଓଡ଼ିଶାରେ ରାଜନୈତିକ ରଙ୍ଗମଂଚରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଦଳ ପକ୍ଷରୁ ଜୁଲାଇ ୧୧ ତାରିଖ ଶୁକ୍ରବାର ଦିନ ସମ୍ବିଧାନ ବଂଚାଅ ନାମରେ ଏକ ବଡ଼ ଧରଣର ରାଜନୈତିକ ସମାବେଶ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ପରେ ଓଡ଼ିଶାରେ ପ୍ରମୁଖ ଦଳମାନଙ୍କ ପକ୍ଷରୁ ବଡ଼ ଧରଣର ସଜବାଜ ପର୍ବ ଆରମ୍ଭ ହୋଇଛି।

ନିର୍ବାଚନ ନାହିଁ, ତଥାପି ରାଜନୀତି ଗରମ

ରବି ଦାସ

ଓଡ଼ିଶାରେ ରାଜନୈତିକ ରଙ୍ଗମଂଚରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଦଳ ପକ୍ଷରୁ ଜୁଲାଇ ୧୧ ତାରିଖ ଶୁକ୍ରବାର ଦିନ ସମ୍ବିଧାନ ବଂଚାଅ ନାମରେ ଏକ ବଡ଼ ଧରଣର ରାଜନୈତିକ ସମାବେଶ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ପରେ ଓଡ଼ିଶାରେ ପ୍ରମୁଖ ଦଳମାନଙ୍କ ପକ୍ଷରୁ ବଡ଼ ଧରଣର ସଜବାଜ ପର୍ବ ଆରମ୍ଭ ହୋଇଛି।

ଏହି ସମାବେଶ ପୂର୍ବରୁ ରାଜ୍ୟ ବିଜେପିର ଆନୁଷ୍ଠାନିକ ସଭାପତି ନିର୍ବାଚନ କାର୍ଯ୍ୟ ଶେଷ ହୋଇ ମନମୋହନ ସାମଲ ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପିର ସଭାପତି ଆସନ ଗ୍ରହଣ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆ ସଭାପତିଙ୍କୁ ସମ୍ବର୍ଦ୍ଧନା ଜଣାଇବା ଅବସରରେ ସ୍ପଷ୍ଟ ଭାବେ କହିଦେଲେ ଯେ, ‘ଯୋଡ଼ାକୁ ଘୋଡ଼ା ସରି ନୁହେଁ।’ ଯଦିଓ ଯୋଡ଼ା ଶବ୍ଦର ଅର୍ଥ ଠିକ୍ ଭାବରେ ବୁଝି ହେଉଛି, କିନ୍ତୁ ଘୋଡ଼ା କଥା ସେ କେଉଁମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ତାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ହେଲେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଯଦି ବିରୋଧୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥାଏ ତେବେ ବୁଝିବାକୁ ପଡ଼ିବ ଯେ, ବିଜେପିର ସରକାର ସବୁ ଦୃଷ୍ଟିରୁ ସରକାର ଓ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ଅବଶ୍ୟ ଏହାକୁ କେହି କେହି ବିଜେପିରେ ଥିବା ଗୋଷ୍ଠିକୁ ଲକ୍ଷ୍ୟ କରି କୁହାଯାଇଥିବା ଚର୍ଚ୍ଚା ହେଉଛି।

କିନ୍ତୁ ଗୋଟିଏ କଥା ଏବେ ସ୍ପଷ୍ଟ ଯେ, ବିଜେପି ସରକାରର ଅନେକ କାର୍ଯ୍ୟ ଯାହା ଏପର୍ଯ୍ୟନ୍ତ ସଂଗଠନର ସଭାପତି ନିର୍ବାଚନ ବାରମ୍ବାର ଅଟକିବା ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିଲା ସେଗୁଡ଼ିକ ତ୍ୱରାନ୍ୱିତ ବେଗରେ ଦୂର ହେବ। ଯେପରି ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ବିଭିନ୍ନ ନିଗମ ଗୁଡ଼ିକରେ ଅଧ୍ୟକ୍ଷ ନିଯୁକ୍ତି, ବିଭିନ୍ନ ସଂସ୍ଥା ଗୁଡ଼ିକରେ ସଦସ୍ୟ ନିଯୁକ୍ତି ଯେପରି ଯୋଜନା ବୋର୍ଡ ପ୍ରମୁଖ ସହିତ ରାଜ୍ୟରେ ଥିବା ନ୍ୟାୟପାଳିକାର ବିଭିନ୍ନ ସ୍ତରରେ ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ଏବେ ତ୍ୱରାନ୍ୱିତ ହେବ। ମୋହନ ଚରଣ ମାଝୀଙ୍କ ସରକାର ଏକ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ମନ୍ତ୍ରିମଣ୍ଡଳ ପୂର୍ଣ୍ଣାଙ୍ଗ ହୋଇନାହିଁ। ଯେହେତୁ ବିଜେପି ଏକ ଜାତୀୟ ଦଳ ଏବଂ ଓଡ଼ିଶାରେ ବିଜେପି ଦଳ ଓ ସରକାର ସମସ୍ତ ପ୍ରସଙ୍ଗରେ ଜାତୀୟ ନେତୃତ୍ୱର ଗ୍ରୀନ୍ ସିଗ୍‌ନାଲ୍ ଉପରେ କାର୍ଯ୍ୟ କରିବାକୁ ପଡ଼ିବ।

ଓଡ଼ିଶାରେ ପୂର୍ବରୁ ଥିବା ନବୀନ ପଟ୍ଟନାୟକଙ୍କ ସରକାର ପରି ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ସରକାର ନୁହେଁ। ସେହି ଦୃଷ୍ଟିରୁ ବିଜେପିର ସାଂଗଠନିକ ନିର୍ବାଚନ ଶେଷ ହେବା ଫଳରେ ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ସହଯୋଗ ଓ ସମନ୍ୱୟ ଯଦି ପୁରାମାତ୍ରାରେ ପ୍ରତିଷ୍ଠିତ ହେଲା ତେବେ ସରକାର ଅନେକ କାର୍ଯ୍ୟ ଦକ୍ଷତାର ସହିତ କରିପାରିବେ। ବିଜେପି ଏପରି ଭାବରେ ପ୍ରସ୍ତୁତ ହେଉଥିବା ବେଳେ କଂଗ୍ରେସ ପକ୍ଷରୁ ସମ୍ଭବତଃ ଗତ ୧୦ ବର୍ଷ ଭିତରେ ପ୍ରଥମଥର ପାଇଁ ରାଜଧାନୀରେ ଏକ ବିରାଟ ସମାବେଶ କରିବା ଓ ସେହି ସଭାରେ ଦଳର ପ୍ରମୁଖ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ସମାବେଶରେ ଯୋଗଦେବା ହଠାତ୍ କଂଗ୍ରେସ ଦଳକୁ ସଂକ୍ରିୟ କରିଦେଇଛି। ଓଡ଼ିଶାରେ କଂଗ୍ରେସ ବହୁ ବର୍ଷଧରି ରାଜ୍ୟରେ କ୍ଷମତାରେ ଥିଲେ ମଧ୍ୟ ୨୦୦୦ ମସିହାରୁ ପ୍ରତ୍ୟେକ ନିର୍ବାଚନରେ କେବଳ ପରାଜିତ ହୋଇନାହିଁ ଏହାର ଭୋଟ୍ ଆଧାର ମଧ୍ୟ କମିବାରେ ଲାଗିଛି। ଗତ ନିର୍ବାଚନରେ ଏହା ୧୪ଟି ବିଧାନସଭା ଆସନ ସହିତ ଗୋଟିଏ ଲୋକସଭା ଆସନ ପାଇଥିଲେ ମଧ୍ୟ ଦଳର ଜନାଧାର କମି ଶତକଡ଼ା ୧୩ରେ ପହଂଚିଛି। ଓଡ଼ିଶାର ବହୁ ଅଂଚଳରେ ଓ ବିଶେଷ ଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ଆସନରେ କଂଗ୍ରେସର ପ୍ରାର୍ଥୀମାନେ କୌଣସିଠାରେ ସମ୍ମାନଜନକ ଭୋଟ୍ ହାସଲ କରିନାହାନ୍ତି। ଉପକୂଳ ଓଡ଼ିଶାର କଟକ ସହର ଓ ଭଦ୍ରକ ଜିଲ୍ଲାର ବାସୁଦେବପୁର ଆସନ ବ୍ୟତୀତ ଅନ୍ୟ କୌଣସି ଆସନରେ କଂଗ୍ରେସ ବିଜୟ ହାସଲ କରିନାହିଁ। ଏହିପରି ଏକ ଅବସ୍ଥାରେ କଂଗ୍ରେସ ପକ୍ଷରୁ ସାହସ ସଂଚୟ କରଯାଇ ଭୁବନେଶ୍ୱରରେ ଏକ ମହା ସମାବେଶ କରିବା କଂଗ୍ରେସ ଲୋକମାନଙ୍କୁ ନିଶ୍ଚିତ ଉତ୍ସାହିତ କରିଛି।

କଂଗ୍ରେସର ସମ୍ବିଧାନ ବଂଚାଅ ସମାବେଶରେ ରାହୁଲ ଗାନ୍ଧି ସ୍ପଷ୍ଟ ଭାବରେ କଂଗ୍ରେସ ଦଳ ଓଡ଼ିଶାରେ କେଉଁ ଶ୍ରେଣୀମାନଙ୍କୁ ଆକୃଷ୍ଟ କରିବାକୁ ଚାହୁଁଛି କହିଦେଇଛନ୍ତି। ଯଦିଓ ରାହୁଲ ଭାଷଣ ଜରିଆରେ ରାଜ୍ୟର ଅନେକ ସମସ୍ୟା ଉତ୍‌ଥାପିତ କରିନାହାନ୍ତି। ଭାଷଣ ମଧ୍ୟ ଗୋଟିଏ ଦୃଷ୍ଟିରୁ ବେଶ୍ ସଂକ୍ଷିପ୍ତ ଥିଲା। କିନ୍ତୁ ଏଆଇସିସିର ସଭାପତି ମଲିକାର୍ଜୁନ ଖଡ୍‌ଗେ ଭାଷଣ ଜରିଆରେ ରାଜ୍ୟର ଅନେକ ସମସ୍ୟାକୁ ଓ ଓଡ଼ିଶା ପ୍ରତି କଂଗ୍ରେସ ଦଳ ଅବହେଳା କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ହେଲେ ରାହୁଲ ଗାନ୍ଧି ଭାବରେ ଭାଷଣ ଜରିଆରେ ସ୍ପଷ୍ଟ ଭାବେ କହିଲେ ଯେ, ଓଡ଼ିଶାରେ ଥିବା ବିଜେପି ସରକାର ଲୋକମାନଙ୍କ ସରକାର ନୁହେଁ ଏହା ହେଉଛି ପୁଞ୍ଜିପତିମାନଙ୍କର ସରକାର। ରାଜ୍ୟରେ ଥିବା ବିପୁଳ ଖଣିଜ ସମ୍ପଦକୁ ପୂର୍ବରୁ ଥିବା ବିଜେଡ଼ି ସରକାର ଯେପରି ମୁଷ୍ଟିମେୟ କେତେ ଜଣ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦେଉଥିଲା ଏବେ ବର୍ତମାନର ସରକାର ମଧ୍ୟ ଠିକ ତାହା ହିଁ କରୁଛି। ଏହା ଫଳରେ ରାଜ୍ୟର କୋଟି କୋଟି ଗରିବ ଜନସାଧାରଣ ଓ ବିଶେଷ ଭାବରେ ଆଦିବାସୀମାନେ ସେମାନଙ୍କର ଜମି, ଜଳ ଓ ଜଙ୍ଗଲ ଅଧିକାରରୁ ବଂଚିତ ହୋଇଛନ୍ତି ତାହା ବିରୋଧରେ କଂଗ୍ରେସ ଦଳ ନିଶ୍ଚିତ ଲଢ଼େଇ କରିବ। ଜମି, ଜଳ, ଜଙ୍ଗଲ ଆଦିବାସୀମାନଙ୍କର ଥିଲା ଓ ଏହା ରହିବା ପାଇଁ କଂଗ୍ରେସ ଦଳ କାର୍ଯ୍ୟ କରିବ। ରାଜ୍ୟରେ ପେସା ଆଇନ କାର୍ଯ୍ୟକାରୀ କରାଯାଉନାହିଁ। ଏପରିକି ଜଙ୍ଗଲ ଅଧିକାର ଆଇନ ଜରିଆରେ ଆଦିବାସୀମାନଙ୍କୁ ଜମି ଦିଆଯାଉନାହିଁ।

ଓଡ଼ିଶାରେ ପୁଞ୍ଜିପତିମାନଙ୍କର ପ୍ରଭାବ ବିଷୟରେ ଉଲ୍ଲେଖ କରିବାକୁ ଯାଇ ଗତ ରଥଯାତ୍ରା ସମୟରେ ଆଦାନୀଙ୍କ ପରିବାର ପାଇଁ କିପରି ରଥ ଅଟକିଥିଲା ତାହା ଉଲ୍ଲେଖ କରିଥିଲେ। ଯଦିଓ ରଥ ଅଟକିବା ଓ ରଥଯାତ୍ରାରେ କିଛି ବିଭ୍ରାଟ ହେବା ସହିତ ଦଳାଚକଟାରେ ୩ ଜଣ ଲୋକଙ୍କର ମୃତ୍ୟୁ ହେବା ଯୋଗୁ ଜଗନ୍ନାଥ ପ୍ରେମୀମାନେ କ୍ଷୁବ୍ଧ ହୋଇଛନ୍ତି, କିନ୍ତୁ ଆଦାନୀଙ୍କ ପାଇଁ ରଥ ଅଟକିବା ନେଇ ସାମାଜିକ ଗଣମାଧ୍ୟମରେ କିଛି ଅଭିଯୋଗ ହେଲେ ମଧ୍ୟ ଏଥିରେ କେତେ ବାସ୍ତବିକତା ଅଛି ତାହା କାହାରିକୁ ଜଣାନାହିଁ। ଏହି ରଥଯାତ୍ରା ବିଭ୍ରାଟ ନେଇ ହେଉଥିବା ପ୍ରଶାସନିକ ତଦନ୍ତରେ ଏହି ତଥ୍ୟ ଆସିବ କି ନାହିଁ ଜଣାନାହିଁ। ହେଲେ ଆଦାନୀଙ୍କ ବିରୋଧରେ ରାହୁଲ ଗାନ୍ଧିଙ୍କର ଅଭିଯାନ ବେଶ୍ ଜଣାଶୁଣା। ତା’ଛଡ଼ା ଓଡ଼ିଶାରେ ଆଦାନୀଙ୍କର ବ୍ୟବସାୟ ସାମ୍ରାଜ୍ୟ ବଢୁଥିବା ଜଣାଅଛି। ବିଶେଷ ଭାବରେ ରାଜ୍ୟରେ ଦୁଇଟି ବନ୍ଦର ସହିତ ବକ୍ସାଇଟ୍ ଓ କୋଇଲା କ୍ଷେତ୍ରରେ ଆଦାନୀଙ୍କର ଓଡ଼ିଶାରେ ବେଶ୍ ଅଗ୍ରଗତି ହୋଇଛି। ମୋଟାମୋଟି ଭାବରେ ବିଜେପି ସରକାର ପୁଞ୍ଜିପତିମାନଙ୍କ ପାଇଁ କାମ କରୁଛି ଓ କଂଗ୍ରେସ ଦଳ ଗରିବ ଓ ଆଦିବାସୀମାନଙ୍କ ପାଇଁ ଲଢୁଛି ବୋଲି କହିବା ରାହୁଲଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ରାହୁଲ ତାଙ୍କ ଭାଷଣରେ ଓଡ଼ିଶାରେ ୪୦,୦୦୦ ମହିଳା ନିଖୋଜ କଥା କହିଥିଲେ ମଧ୍ୟ ଏହା କେଉଁଠାରୁ କେଉଁ ସମୟ ଭିତରେ ତାହା କରିନାହାନ୍ତି। ସମ୍ଭବତଃ ପୂର୍ବ ବିଜେଡ଼ି ସରକାରକୁ ସେ ସିଧାସଳଖ ସମାଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି। କିନ୍ତୁ ଭାଷଣ ଭିତରେ ଆଦିବାସୀମାନଙ୍କ ପାଇଁ ରାହୁଲ ଯେପରି ସ୍ୱର ଉତ୍ତୋଳନ କରିଛନ୍ତି, ସେହିପରି ଭାବରେ ଦଳିତମାନଙ୍କ ସମସ୍ୟା କହିନଥିବାରୁ ଦଳିତ ସଂପ୍ରଦାୟ ଯେଉଁମାନେ କି ଏବେ କଂଗ୍ରେସର ମୁଖ୍ୟ ସମର୍ଥକ ଭାବେ ଅଛନ୍ତି ସେମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଅବଶ୍ୟ ରାଜ୍ୟ କଂଗ୍ରେସର ସଭାପତି ଭାବରେ ଏବେ ଭକ୍ତଚରଣ ଦାସ ଦାୟିତ୍ୱରେ ଅଛନ୍ତି ଓ ସେ ଦଳିତ ସଂପ୍ରଦାୟର ହୋଇଥିବାରୁ ରାହୁଲ ଏ ପ୍ରସଙ୍ଗକୁ ପଛରେ ରଖିଦେଇଛନ୍ତି। କିନ୍ତୁ ଗଞ୍ଜାମ ଜିଲ୍ଲାରେ ଦଳିତମାନଙ୍କ ଉପରେ ଅତ୍ୟାଚାରର ଯେଉଁ ଖବର ସାରାଦେଶରେ ଚର୍ଚ୍ଚିତ ହୋଇଥିଲା ଓ ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କ ଗଣଧର୍ଷଣ ଘଟଣା ଯେପରି ସାରାବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା, ଯାହାଫଳରେ ଆମେରିକା ରାଷ୍ଟ୍ରପତି ଆମେରିକୀୟମାନଙ୍କୁ ଓ ବିଶେଷ ଭାବରେ ମହିଳାମାନଙ୍କୁ ଓଡ଼ିଶା ଗସ୍ତ କରିବା ସମୟରେ ସତର୍କ ହେବାକୁ କହିଥିଲେ ସେ ବିଷୟରେ ରାହୁଲ ମତବ୍ୟକ୍ତ ନ କରିବା ପଛର ରହସ୍ୟ ଜଣାନାହିଁ।

ତେବେ, କଂଗ୍ରେସ ଲୋକମାନେ କେଉଁ ଆଧାରରେ ଓଡ଼ିଶାରେ ସେମାନଙ୍କ ଜନସମର୍ଥନ ବଢ଼ାଇପାରିବେ ତାହାର ଧାରାଗୁଡ଼ିକ କହିଛନ୍ତି। ଜାତି ଜନଗଣନା କଥା ଓ ସାମାଜିକ ନ୍ୟାୟ କଥାକୁ ଉତ୍‌ଥାପନ କରିଛନ୍ତି। କିନ୍ତୁ ସଭାରେ ଭାଷଣ ଦେବା ଅପେକ୍ଷା ରାହୁଲ ଗାନ୍ଧି କଂଗ୍ରେସ ଭବନରେ ଯେଉଁ ଆଲୋଚନା ରାଜ୍ୟ ନେତାମାନଙ୍କ ସହିତ କଲେ ସେଥିରେ ଦଳ ଭିତରେ ଥିବା ଗୋଷ୍ଠିବିବାଦ ବିଷୟରେ ସତର୍କ କରାଇଛନ୍ତି। କାରଣ ଗୋଷ୍ଠି ବିବାଦ ହିଁ କଂଗ୍ରେସର ଭିତ୍ତିଭୂମି ହ୍ରାସ କରିବାର ଏକ ମୁଖ୍ୟ କାରଣ। ତା’ଛଡ଼ା ଭକ୍ତ ଦାସଙ୍କ ଅଧ୍ୟକ୍ଷତାରେ ଦଳ ବଡ଼ ସମାବେଶ କରିଥିଲେ ମଧ୍ୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅପସାରଣ ପରେ ଓଡ଼ିଶା କଂଗ୍ରେସରେ ରାଜ୍ୟର ସମସ୍ତଙ୍କ ପାଇଁ ଗ୍ରହଣୀୟ ବ୍ୟକ୍ତିତ୍ୱ ବା ଚେହେରା ନାହିଁ। ଏଣୁ ଦଳ ସବୁ ସ୍ତରରେ ଏକଜୁଟ ହୋଇ ଓ ସବୁ ନେତା ଏକାଠି କାମ କଲେ ହିଁ ଓଡ଼ିଶାରେ ପରିସ୍ଥିତି ବଦଳିବ ବୋଲି ସେ ଠିକ୍ ଭାବରେ ପ୍ରକାଶ କରିଛନ୍ତି। କଂଗ୍ରେସ ଭବନରେ ଏକ ଆଲୋଚନାରେ ବକ୍ସାଇଟ୍ ଖଣି ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ସିଜିମାଳିର ପ୍ରତିନିଧିମାନଙ୍କ ସହିତ କଥାବାର୍ତ୍ତା କରି ଭବିଷ୍ୟତରେ ସେ ସିଜିମାଳି ଯିବାର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା କଂଗ୍ରେସ ଦଳର ଆଭ୍ୟନ୍ତରୀଣ ରାଜନୀତି ସହିତ ସମ୍ପର୍କ ଥିବା ଅନୁମାନ କରାଯାଉଛି।

କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଅନୁମାନ କରୁଛି ଯେ, ଓଡ଼ିଶାରେ ଏବେ ସେମାନଙ୍କ ପାଇଁ ଏକ ସୁଯୋଗ ଆସିଛି। କାରଣ ଏଠାରେ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ କ୍ଷମତାଚ୍ୟୁତ ହୋଇ ବିଜେପି କ୍ଷମତାକୁ ଆସିଛି। ନବୀନଙ୍କ ବୟସ ଓ ସ୍ୱାସ୍ଥ୍ୟବସ୍ଥା ସହିତ ସବୁକ୍ଷେତ୍ରରେ ବିଜେଡ଼ି ନେତୃତ୍ୱର ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହିତ ସମ୍ପର୍କ ଓ ସମର୍ଥନ ଯୋଗୁ ବିଜେଡ଼ିର ଭବିଷ୍ୟତ ଓଡ଼ିଶାରେ ଦୁର୍ବଳ ହେବା କଂଗ୍ରେସ ଅନୁମାନ କରୁଛି। ୱାକଫ୍ ବିଲ୍ ସଂକ୍ରାନ୍ତରେ ବିଜେଡ଼ି ବହୁ ନାଟକ ରଚନା କରି ଶେଷରେ ଏହାର ରାଜ୍ୟସଭାରେ ଥିବା ୭ ଜଣ ସଦସ୍ୟଙ୍କ ଭିତରୁ ଜଣେ ଭୋଟ୍ ନଦେବା ଓ ୫ ଜଣ ବିଲ୍ ସପକ୍ଷରେ ଭୋଟ୍ ଦେବା ଦଳର ବିଜେପି ସହିତ ସମ୍ପର୍କକୁ ପରିଷ୍କାର କରିଦେଇଛି। ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟଗତ କାରଣରୁ ମୁମ୍ବାଇରେ ଯାଇ ଅସ୍ତ୍ରୋପଚାର ପରେ ସୁସ୍ଥହୋଇ ଫେରିଥିଲେ ମଧ୍ୟ ବିଜେପି ସରକାରକୁ ଏହା ନୀତିଗତ ଭାବରେ ବିରୋଧ କରିପାରିବ ନାହିଁ ବୋଲି ଅନୁମାନ କରାଯାଉଛି। ବିଜେପି ସରକାର ଯଦି ବିଭିନ୍ନ କାର୍ଯ୍ୟରେ ବା ଶାସନ କରିବାରେ ବିଫଳ ହୁଏ ତେବେ ହୁଏତ ନବୀନ ତାହାର ଫାଇଦା ନେବେ ବୋଲି ଆଶା କରି ବିଜେଡ଼ି କାର୍ଯ୍ୟ କରୁଛି।

ବିଜେପି ସହିତ ବିକାଶର ଦିଗ ଓ ମୁଖ୍ୟ ନୀତି ଉପରେ ବିଜେଡ଼ିର କୌଣସି ବିରୋଧାଭାସ ଥିବା ଜଣାପଡୁନାହିଁ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ବିଜେଡ଼ିକୁ ସକ୍ରିୟ ରଖିବା ଚାହାନ୍ତି। ସମ୍ଭବତଃ ସେହି କାରଣରୁ ଗତ ସରକାର ସମୟରେ ଯେଉଁ ଅଫିସରମାନଙ୍କ ବିରୋଧରେ ରାଜ୍ୟ ବିଜେପିର ଅଭିଯୋଗ ଥିଲା ସେମାନଙ୍କୁ ସମସ୍ତଙ୍କୁ କେନ୍ଦ୍ରୀୟ ଡେପ୍ୟୁଟେସନ୍‌ରେ ସମ୍ମାନକ୍ରମେ ପଠାଇ ଦିଆଯାଇଛି। ଭି.କେ ପାଣ୍ଡିଆନ୍‌ଙ୍କର ଏହି ଘନିଷ୍ଠ ସହଯୋଗୀମାନଙ୍କର କେନ୍ଦ୍ର ସରକାରରେ ଥଇଥାନ ହୋଇଯିବା ବିଜେଡ଼ି, ବିଜେପିର ଭିତିରି ସମ୍ପର୍କକୁ ପଦାକୁ ଆଣିଛି। ତେଣୁ କଂଗ୍ରେସ ଓଡ଼ିଶାରେ ଏକ ବିକଳ୍ପ ସମ୍ଭାବନା ଦଳ ପାଇଁ ରହିଥିବା ଯଥାର୍ଥରେ ଅନୁମନ କରୁଛି। କିନ୍ତୁ ମାତ୍ର ଶତକଡ଼ା ୧୩ ଭାଗ ଜନାଧାର ଥିବା ଦଳ ରାଜ୍ୟରେ ଏକାକୀ କ୍ଷମତା ହାସଲ କରିବା ସହଜରେ ସମ୍ଭବ ହେବ ବୋଲି କେହି ବି ବିଶ୍ୱାସ କରିବେ ନାହିଁ।

ମୋ- ୮୦୧୮୦୯୪୪୫୫