ନିର୍ବାଚନ ପୂର୍ବରୁ ପଟ୍ଟ ପରିବର୍ତ୍ତନ: ବିଜେଡିରେ ମିଶିଲେ ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା

ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା।ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ଭୃଗୁ ।

ନିର୍ବାଚନ ପୂର୍ବରୁ ପଟ୍ଟ ପରିବର୍ତ୍ତନ: ବିଜେଡିରେ ମିଶିଲେ ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା

ନିର୍ବାଚନ ଯେତିକି ଯେତିକି ପାଖଉଛି, ପ୍ରାର୍ଥୀ ଘୋଷଣା ଓ ଟିକେଟ୍ କସରତ୍ ଭିତରେ ସେତିକି ବଢ଼ି ଚାଲିଛି ନେତାଙ୍କ ଦଳ ଡିଆଁ ପର୍ବ। ନିକଟରେ ବିଜେଡି ଓ ବିଜେପିରେ ଦଳଡିଆଁ ଚାଲିଛି। ଟିକେଟକୁ ନେଇ ବଢୁଥିବା ଅନ୍ତର୍କନ୍ଦଳ ଭିତରେ ଅସନ୍ତୁଷ୍ଟ ନେତା ଦଳ ଛାଡୁଛନ୍ତି। ଏହାରି ଭିତରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା।

ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିଲେ ଭୃଗୁ। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ଭୃଗୁ । ତେବେ ବିଜେପିର ରାଜ୍ୟ ଉପସଭାପତି ଥିଲେ ଭୃଗୁ ବକ୍ସିପାତ୍ର। ଗତଥର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ । ୨୦୧୯ରେ ବିଜେପି ଟିକେଟରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ । ବର୍ତ୍ତମାନ ନିର୍ବାଚନ ସମୟରେ ସେ ଦଳର ସକ୍ରିୟ ଭୂମିକାରେ ନଥିଲେ।

ସେ ନିଜ ଇସ୍ତଫାପତ୍ରରେ ସେ କ୍ଷୋଭ ପ୍ରକାଶ କରି ଦୁଃଖର ସହ ମୁଁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଥିବା ଲେଖିଥିଲେ। କିଛିଦିନ ହେଲା ଦଳରେ ସେବା ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧି କରିବା ପରେ ଆଗକୁ ବଢିବା ପାଇଁ ସ୍ଥିର କଲି ବୋଲି କହି ଇସ୍ତଫା ଦେଇଥିଲେ।

ଅଧିକ ପଢ଼ନ୍ତୁ: ସରଗରମ ରାଜ୍ୟ ରାଜନୀତି; ହେବ ଦମଦାର ଫାଇଟ୍

ସେହିପରି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ମଧ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିରୁ ଇସ୍ତଫା ଦେବା ପରେ ସେ ବିଜେଡିରେ ସାମିଲ ହେଇଛନ୍ତି । ପ୍ରକାଶ ବେହେରା ବିଜେପି ଛାଡି ବିଜେଡିରେ ସାମିଲ ହେବା ପରେ, ସାଲେପୁର ରାଜନୀତି ଏବେ ରୋଚକ ମୋଡ ନେଇଛି । ଏହି ଆସନରୁ ବିଜେଡି ଏବେ କାହାକୁ ଟିକେଟ୍ ଦେଉଛି ତାକୁ ନେଇ ଆରମ୍ଭ ହେଇଛି ଚର୍ଚ୍ଚା ଆଲୋଚନା ।

୨୦୧୪ ମସିହାରେ କଂଗ୍ରେସ ଟିକେଟରୁ ଲଢି ସାଲେପୁର ବିଧାୟକ ହେଇଥିଲେ ପ୍ରକାଶ ବେହେରା । ହେଲେ ଏହାପରେ ୨୦୧୯ ବେଳକୁ ସେ ବିଜେପିରେ ସାମିଲ ହେଇଥିଲେ । ୨୦୧୯ ନିର୍ବାଚନରେ ବିଜେପି ପ୍ରକାଶଙ୍କୁ ସାଲେପୁରରୁ ଟିକେଟ୍ ଦେଇଥିଲା। କିନ୍ତୁ ୨୦୧୯ରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କଠାରୁ ପାଖାପାଖି ୩୦ ହଜାରରୁ ଅଧିକ ଭୋଟରେ ସେ ପରାସ୍ତ ହେଇଥିଲେ । ଆଉ ନିର୍ବାଚନର ଠିକ୍ ପୂର୍ବରୁ ପୁଣିଥରେ ଦଳ ପରିବର୍ତ୍ତନ କରିଛନ୍ତି ପ୍ରକାଶ ।