ନିର୍ବାଚନ ପୂର୍ବରୁ ଷ୍ଟେସନରୁ ମିଳିଲା ୪ କୋଟି, ବିଜେପି କର୍ମୀ ଅଟକ
୬ଟି ବ୍ୟାଗ୍ରେ ଏହି ଟଙ୍କା ନେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଅଟକ ୩ ଜଣଙ୍କ ମଧ୍ୟରେ ଜଣେ ବିଜେପି କର୍ମୀ ମଧ୍ୟ ଅଛନ୍ତି।
ନିର୍ବାଚନ ପୂର୍ବରୁ ରେଳଓ୍ୱେ ଷ୍ଟେସନରୁ ମିଳିଲା ପୁଳା ପୁଳା ଟଙ୍କା। ତାମିଲନାଡୁର ରାଜଧାନୀ ଚେନ୍ନାଇର ତାମ୍ବରମ୍ ରେଲଓ୍ୱେ ଷ୍ଟେସନରୁ ନଗଦ ୪ କୋଟି ଟଙ୍କା ଜବତ ହୋଇଛି। ୬ଟି ବ୍ୟାଗ୍ରେ ଏହି ଟଙ୍କା ନେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଅଟକ ୩ ଜଣଙ୍କ ମଧ୍ୟରେ ଜଣେ ବିଜେପି କର୍ମୀ ମଧ୍ୟ ଅଛନ୍ତି।
ଅଟକ ବିଜେପି କର୍ମୀ ଜଣକ ହେଲେ ସତୀଶ। ସେ ଏକ ଘରୋଇ ହୋଟେଲର ମ୍ୟାନେଜର ଭାବେ ମଧ୍ୟ କାମ କରନ୍ତି। ଅନ୍ୟ ଦୁଇ ଜଣେ ହେଲେ ତାଙ୍କ ଭାଇ ନବୀନ ଓ ଡ୍ରାଇଭର ପେରୁମଲ। ଏମାନେ ସମସ୍ତେ ଟ୍ରେନ୍ ଯୋଗେ ଥିରୁନେଲଭେଲି ଯାଉଥିବା ବେଳେ ପୁଲିସର ଏକ ଟିମ୍ ଚଢ଼ାଉ କରି ଏମାନଙ୍କୁ ଅଟକ ରଖିଛି।
ସୂତ୍ରରୁ ପ୍ରକାଶ ଯେ ଥିରୁନେଲଭେଲିରୁ ବିଜେପି ଲୋକସଭା ପ୍ରାର୍ଥୀ ନୈନାୟର ନାଗେନ୍ଦ୍ରନଙ୍କ ଟିମ୍ର ନିର୍ଦ୍ଦେଶ ଅନୁଯାୟୀ ସାତୀଶ କାର୍ଯ୍ୟ କରିଥିବା ସ୍ୱୀକାର କରିଛନ୍ତି। ଆୟକର ବିଭାଗକୁ ଏହି ମାମଲା ହସ୍ତାନ୍ତର କରାଯାଇଛି। ଅଧିକ ତଦନ୍ତ ପାଇଁ ଆୟକର ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି।
କହିରଖୁ ଯେ, ତାମିଲନାଡୁରେ ଆସନ୍ତା ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୩୯ଟି ଆସନରେ ଭୋଟ ଗ୍ରହଣ ହେବ। ଏଥିପାଇଁ ସମସ୍ତ ରାଜନୈତିକ ଦଳର ନେତାମାନେ ଜୋରସୋରରେ ଲାଗିପଡିଛନ୍ତି। ଉଠୁଛୁ ପଡୁଛି ପ୍ରଚାର ମୈଦାନ। ୧୯ ତାରିଖରେ ଭୋଟିଂ ପରେ ଜୁନ୍ ୪ ତାରିଖରେ ଫଳାଫଳ ଘୋଷଣା ହେବ।