ନିର୍ବାଚନରେ ବଡ଼ ମୁଦ୍ଦା ପାନୀୟ ଜଳ ସଙ୍କଟ, ସାମ୍ନାକୁ ଆସୁଛି ବସୁଧା ଯୋଜନାର ସତ

ଏଥର ନିର୍ବାଚନରେ ବଡ଼ ମୁଦ୍ଦା ପାଲଟିଛି ପିଇବା ପାଣି ଯୋଗାଣରେ ରାଜ୍ୟ ସରକାରଙ୍କ ବିଫଳତା । କାମ କରୁନି ପାଣି ଟାଙ୍କି, ଶୁଖିଲା ପଡିଛି ନଳକୂଅ ।

ନିର୍ବାଚନରେ ବଡ଼ ମୁଦ୍ଦା ପାନୀୟ ଜଳ ସଙ୍କଟ, ସାମ୍ନାକୁ ଆସୁଛି ବସୁଧା ଯୋଜନାର ସତ

ବିଚ୍ ରାସ୍ତାରେ ଗରା, ବାଲଟିର ଲାଗିଛି ଧାଡି । ଡହ ଡହ ଖରାରେ ପାଣି ପାଇଁ ଡହଳବିକଳ ଗ୍ରାମବାସୀ ସିଧା ଓହ୍ଲାଇ ଆସିଛନ୍ତି ରାଜରାସ୍ତାକୁ। ଏକମାତ୍ର ଜିଦ୍, ପାଣି ଦିଅ, ନହେଲେ ରାସ୍ତାରୁ ହଟିବୁନି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ରତ୍ନପୁରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ବ୍ରହ୍ମପୁର ସହରରୁ ପ୍ରାୟ ୬ କିମି ଦୂର । ଏଠି, ପିଇବା ପାଣି ଟୋପେ ପାଇଁ ବର୍ଷସାରା ହନ୍ତସନ୍ତ ହେଉଛନ୍ତି ୩ ଶହରୁ ଅଧିକ ପରିବାର । ଗାଁରେ ଓଭରହେଡ ଟ୍ୟାଙ୍କ ରହିଛି, ହେଲେ ତାହା ଅଚଳ । ବସୁଧା ଯୋଜନାରେ ଘର ଆଗରେ ପାଇପ୍ କନେକ୍ସନ, ହେଲେ ସେଥିରେ ପାଣିର ନାଁ ଗନ୍ଧ ନାହଁ । ଗୋଟିଏ ଶୁଖିଲା ନଳକୂଅ ରହିଛି, ସେଥିରେ ବାଡେଇ ବାଡେଇ ହାତ ବିନ୍ଧୁଛି ସିନା ପାଣି ବାହାରୁନି। ୧୫ ଦିନ ହେଲା ଶୋଷରେ ଛଟପଟ ହେବା ପରେ ଆଜି ରାଜରାସ୍ତାରେ ଦେଖିବାକୁ ମିଳିଥିଲା ଅସନ୍ତୋଷ।

ଚାନ୍ଦବାଲିରେ ବି ପ୍ରହସନ ପାଲଟିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ସ୍ୱଚ୍ଛ ପିଇବା ପାଣି ପ୍ରକଳ୍ପ । ଭଦ୍ରକ ଚାନ୍ଦବାଲି ବ୍ଲକର ଜଗନ୍ନାଥପୁର। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଁରେ ମେଗା ପାନୀୟ ଜଳ ପ୍ରକଳ୍ପ ହୋଇଛି ସତ। ହେଲେ ତାହା କେତେ କାର୍ଯ୍ୟକ୍ଷମ ଚିତ୍ର ସମସ୍ତଙ୍କ ସାମ୍ନାରେ। ପ୍ରକଳ୍ପ ସରିବାର ୨ ବର୍ଷ ହେଲାଣି, ଏଯାଏଁ ଗୋଟିଏ ଘରକୁ ପିଇବା ପାଣି ପହଁଚି ପାରିନି । ବାଧ୍ୟ ହୋଇ ଲୋକେ କେନାଲର ଗୋଳିଆ ପାଣି ଉପରେ ଭରସା କରୁଛନ୍ତି। ସେଥିରେ ରୋଷେଇ, ଲୁଗା ସଫା ଆଉ ଶୋଷ ବି ମେଣ୍ଟୁଛି ।

ରାଜ୍ୟରେ ପିଇବା ପାଣି ସଙ୍କଟକୁ ନେଇ ସରକାରଙ୍କୁ ଘେରିଛି ବିଜେପି । ଦଳ କହିଛି, ଜଳ ଜୀବନ ମିଶନରେ କେନ୍ଦ୍ର, ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ମାତ୍ର ୮୩୪ କୋଟି ଟଙ୍କା ଖର୍ଚ୍ଚ କରି ପାରିଛନ୍ତି । ସେପଟେ ନିର୍ବାଚନ ବେଳରେ ପିଇବା ପାଣି ସମସ୍ୟାକୁ ପ୍ରସଙ୍ଗ କରି ଗତକାଲି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କହିଥିଲେ, ଓଡ଼ିଶାର ୨୬ ଲକ୍ଷ ଘରେ ଆଜିବି ପିଇବା ପାଣି ପହଁଚି ପାରିନି । ରାଜ୍ୟରେ ବିଜେପି ସରକାର ହେଲେ, ୨ ବର୍ଷ ଭିତରେ ସମସ୍ତଙ୍କୁ ଘର ଏବଂ ପିଇବା ପାଣି ମିଳିବ।

କହିବାକୁ ଗଲେ, ରାଜ୍ୟରେ ପିଇବା ପାଣିର ସମସ୍ୟା ଚିରଦିନର। ଖରାଦିନେ ତ ସ୍ଥିତି ସାଂଘାତିକ । ସରକାରଙ୍କ ଯୋଜନା ଠିକରେ କାର୍ଯ୍ୟକାରୀ ହେଉନଥିବାରୁ ଏବେବି ଲୋକେ ଶୁଖିଲା ନଳକୂଅ ନହେଲେ ପୋଖରୀର ଗୋଳିଆ ପାଣି ଉପରେ ଭରସା କରୁଛନ୍ତି ।