ନୂଆ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଗୁରୁତ୍ବ, ଗ୍ରାମାଞ୍ଚଳରେ ବାର୍‌କୁ ମିଳିବନି ଅନୁମତି

ନିଶା ନିବାରଣ ପାଇଁ ଆରମ୍ଭ ହେଲା ନିୟନ୍ତ୍ରଣ। ମୋହନ ସରକାରର ପ୍ରଥମ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଦିଆଯାଇଛି ଗୁରୁତ୍ବ।

ନୂଆ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଗୁରୁତ୍ବ, ଗ୍ରାମାଞ୍ଚଳରେ ବାର୍‌କୁ ମିଳିବନି ଅନୁମତି

ଆସିଲା ନୂଆ ଅବକାରୀ ନୀତି । ବନ୍ଦ ହେଲା ଡାନ୍ସ ବାର୍, ଖୋଲିବନି ନୂଆ ମଦ ଦୋକାନ । ଗ୍ରାମାଞ୍ଚଳରେ ବାର୍‌କୁ ମିଳିବନି ଅନୁମତି । କେବଳ ଥ୍ରୀ-ଷ୍ଟାରରୁ ଅଧିକ ହୋଟେଲ୍‌କୁ ବାର୍ ଅନୁମତି ମିଳିବ । ବାର୍‌ରେ ନାଚ ଉପରେ ରୋକ୍ ଲାଗିଥିବା ବେଳେ ମହିଳାମାନେ କିନ୍ତୁ ଗୀତ ପରିବେଷଣ କରିପାରିବେ । ସବୁଠୁ ବଡ଼ କଥା ହେଲା ପ୍ରଥମ ଥର ପାଇଁ ନିଶା ବିରୋଧୀ ସଚେତନତା ପାଇଁ ୧୦୦ କୋଟି ଟଙ୍କାର ପାଣ୍ଠି ଗଠନ କରାଯାଇଛି । ଗାଁରୁ ଆରମ୍ଭ କରି ସହରାଞ୍ଚଳ ଯାଏ ସବୁଠି ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ । ସେହିପରି ଭାଙ୍ଗ, ତାଡ଼ି ଓ ପୋଚ ପାଇଁ ବି ନିୟମ କଡାକଡି କରାଯାଇଛି । ବିନା ଅନୁମତିରେ ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

ଅନ୍ୟପକ୍ଷରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପେସା ଆଇନକୁ କଡାକଡି ଲାଗୁ କରାଯିବାକୁ ନିର୍ଦ୍ଦେଶ ରହିଛି । ଆସନ୍ତାକାଲିଠାରୁ ୨୦୨୫ ମାର୍ଚ୍ଚ ୩୧ ଯାଏ ଏହି ଅବକାରୀ ନୀତି ବଳବତ୍ତର ରହିବ । ନୂଆ ଅବକାରୀ ନୀତିରେ ସରକାର ନିଶା କାରବାରକୁ ନିୟନ୍ତ୍ରଣ କରିବାକୁ ଅନେକ ପଦକ୍ଷେପ ନେଇଥିବା କହିଛନ୍ତି ପୂର୍ବତନ ଅବକାରୀ କମିଶନର ।

ସେପଟେ ଅବକାରୀ ନୀତି ଆସିବା ପରେ ତେଜିଛି ରାଜନୀତି । ବିଜେଡି ଓ କଂଗ୍ରେସ, ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ବିଜେଡି କହିଛି, ବିଜେପି ସରକାର ନିଶା ମୁକ୍ତ ଓଡ଼ିଶା ଗଠନ ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ତାହା ହେଲାନାହିଁ । ସରକାର ଆଗାମୀ ଦିନରେ ମଦର ବନ୍ୟା ସୃଷ୍ଟି କରିବେ । କଂଗ୍ରେସ୍ କହିଛି, ଅବକାରୀ ନୀତିରେ ମଦ ତଥା ଅନ୍ୟ ନିଶା ସାମଗ୍ରୀକୁ ପ୍ରୋତ୍ସାହନ ଦେଇଛନ୍ତି ସରକାର । ଜବାବରେ ବିଜେପି କହିଛି, ନିଶାକୁ ନିୟନ୍ତ୍ରଣ କରିବାକୁ ପଲିସି ଆସିଛି । ଧୀରେ ଧୀରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବେ ସରକାର ।

ବିଧାନସଭାର ତଥ୍ୟ ଅନୁଯାୟୀ, ୧୯୯୨ ରୁ ୨୦୧୯ ଭିତରେ ବିଷାକ୍ତ ମଦ ନେଇଛି ୨୩୧ ମୁଣ୍ଡ । ମଦ ମୃତ୍ୟୁ ରୋକିବାକୁ ଅବକାରୀ ନୀତିରେ ଅନେକ ସଂସ୍କାର ଅଣାଯାଇଛି । ଅନ୍ୟପଟେ ନବୀକରଣ କରି ନଥିବା ୫୦ରୁ ଅଧିକ ବାର୍‌କୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି ସରକାର । ସହରାଞ୍ଚଳରେ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନରୁ ୩୦୦ ମିଟର ଓ ଗ୍ରାମାଞ୍ଚଳରେ ୫୦୦ ମିଟର ପରିଧିରେ ଯେପରି ମଦ ଦୋକାନ ନରହିବ ସେଥିପାଇଁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏହାବ୍ୟତୀତ ରାଜ୍ୟର ୧୬ଟି ସ୍ଥାନରେ ୨୫ଟି ନୂଆ ଅବକାରୀ ଥାନା ଖୋଲିବା ପାଇଁ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖିଛି ଅବକାରୀ ନିର୍ଦ୍ଦେଶାଳୟ ।