ନୂଆ ଓଡ଼ିଶା ଗଠନ ଦିଗରେ କେନ୍ଦ୍ରର ସହାୟତା ନୂଆ ଅଧ୍ୟାୟ ସୃଷ୍ଟି କରିବ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆ ଦିଲ୍ଲୀ ଠାରେ ଲୋକ ସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବା ସହ ଓଡିଶାକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ରୂପେ ବିକଶିତ କରିବା […]

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆ ଦିଲ୍ଲୀ ଠାରେ ଲୋକ ସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବା ସହ ଓଡିଶାକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ରୂପେ ବିକଶିତ କରିବା ଦିଗରେ ସହଯୋଗ ପାଇଁ ଅନୁରୋଧ କରିଥିଲେ।
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ଭେଟି ଓଡ଼ିଶାର ଜନଜାତିଙ୍କ ଉନ୍ନତି ଓ ପ୍ରଗତି ପାଇଁ ସହଯୋଗ କାମନା କରିଥିଲେ। ଜନଜାତିଙ୍କ ଦୀର୍ଘଦିନର ମୌଳିକ ସମସ୍ୟା ଓ ସେଗୁଡିକର ଆଶୁ ସମାଧାନ ଦିଗରେ ଓଡିଶା ସରକାର ବଦ୍ଧ ପରିକର ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ କେନ୍ଦ୍ର ସହ ସହଯୋଗ ଭିତ୍ତିରେ ଓଡିଶା ସରକାର ଜନହିତକର କାର୍ଯ୍ୟ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହାପରେ ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଓଡ଼ିଶାରେ ରେଳ ପଥ ସମ୍ପ୍ରସାରଣ ଓ ଅଧିକ ଅପହଞ୍ଚ ସ୍ଥାନକୁ ରେଳ ସଂଯୋଗ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ରଥ ଯାତ୍ରା ଅବସରରେ ଓଡ଼ିଶାକୁ ସ୍ଵତନ୍ତ୍ର ଟ୍ରେନ ର ବ୍ୟବସ୍ଥା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରେଳ ମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ ଏ ବର୍ଷ ରଥ ଯାତ୍ରାକୁ ୩୧୫ ଟି ସ୍ଵତନ୍ତ୍ର ଟ୍ରେନ ର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି କରାଯାଇଥିଲା । ଏହା ଗତ ବର୍ଷ ଠାରୁ ବହୁତ୍ ଅଧିକ ଏବଂ ଏହା ଦେଶର ପ୍ରାୟ ସବୁ ଅଞ୍ଚଳକୁ ସଂଯୋଗ କରିବ। ଏହା ସହିତ ୧୫ ହଜାର ଲୋକଙ୍କ ପାଇଁ ରହିବାର ବ୍ୟବସ୍ଥା ମଧ୍ୟ କରାଯିବ। ଏହି ସ୍ବତନ୍ତ୍ର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଥିଲେ।
ସେହିପରି ଲୋକସଭା ମାନ୍ୟବର ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ୍ ଓ କେନ୍ଦ୍ର ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପିନ୍ଦର ସିଂ ଯାଦବ ଙ୍କୁ ସାକ୍ଷାତ କରି ଓଡ଼ିଶାର ବିଭିନ୍ନ ଗ୍ରୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ଉପସ୍ଥାପନ କରିବା ସହ ସଶକ୍ତ ଓ ପ୍ରଗତିଶୀଳ ଓଡିଶା ଗଠନ ଦିଗରେ ଆନ୍ତରିକ ସହଯୋଗ କାମନା କରିଥିଲେ।
ସବୁ କେନ୍ଦ୍ର ମନ୍ତ୍ରୀ ଗଣ ଓଡ଼ିଶାକୁ ଅଧିକ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖୁସି ପ୍ରକାଶ କରି କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏକ ନୂଆ ଓଡ଼ିଶା, ଏକ ବିକଶିତ ଓଡିଶା ଗଠନ ଦିଗରେ କେନ୍ଦ୍ରର ସହଯୋଗ ଖୁବ୍ ସହାୟକ ହେବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠୁ ଶ୍ରୀ ମୋହନ ଚରଣ ମାଝୀ ହଜାର ହଜାର ଜନସାଧାରଣଙ୍କୁ ସିଧାସଳଖ ଭେଟିବା ଓ ସେମାନଙ୍କ ସମସ୍ୟାକୁ ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ତାଙ୍କୁ ସାଧାରଣ ଲୋକଙ୍କ ନେତା ଭାବେ ପ୍ରସିଦ୍ଧି ଆଣି ଦେଇଛି। ତାଙ୍କ ସରକାର ଲୋକଙ୍କ ସରକାର ଭାବରେ ସୁନାମ ମଧ୍ୟ କରିଛି।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶାର ତ୍ୱରିତ ବିକାଶ ଦିଗରେ ଅତ୍ୟନ୍ତ ମହତ୍ତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଓ ସହଭାଗିତା ବୃଦ୍ଧି ପାଇବାର ସମ୍ଭାବନା ଉଜ୍ଜଳ ହୋଇଛି।