ନେତାଙ୍କ ବୈଠକ ବସିଥିବା ବେଳେ ହେଲା ମିସାଇଲ୍‌ ମାଡ଼, ୫ ମୃତ

ସଂପୂର୍ଣ୍ଣ ଭୁଶୁଡି ପଡିଥିବା କୋଠାର ଆବର୍ଜନା ତଳୁ ବଞ୍ଚିଥିବା ଲୋକଙ୍କୁ ଖୋଜା ଚାଲିଛି।

ନେତାଙ୍କ ବୈଠକ ବସିଥିବା ବେଳେ ହେଲା ମିସାଇଲ୍‌ ମାଡ଼, ୫ ମୃତ

ବସିଥିଲା ଟପ୍‌ ନେତାଙ୍କ ବୈଠକ। ଚାଲିଥିଲା ଗୁରୁତର ଆଲୋଚନା। ଏତିକି ବେଳେ ହଠାତ୍‌ ହେଲା ମିସାଇଲ୍‌ ମାଡ଼। ଏଥିରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୂରା ବିଲ୍ଡିଂଟି ନଷ୍ଟ ହୋଇଯାଇଛି।

ଶନିବାର ଇସ୍ରାଏଲ ପକ୍ଷରୁ ସିରିଆ ଉପରେ ମିସାଇଲ୍‌ ମାଡ କରାଯାଇଛି। ଇସ୍ରାଏଲର ଏହି ଆକ୍ରମଣରେ ଦମ୍ମେସକରେ ଥିବା ଏକ କୋଠା ନଷ୍ଟ ହୋଇଯାଇଛି। ଏଥିସହ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି କୋଠାରେ ଇରାନ୍‌ ସହ ଜଡିତ ନେତାମାନଙ୍କ ବୈଠକ ଚାଲିଥିଲା। ଏହି ଆକ୍ରମଣ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି।

ସିରିଆର ଅବଜରଭେଟରୀ ଫର ହ୍ୟୁମାନ ରାଇଟ୍ସ କହିଛି ଯେ ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣରେ ଏକ ଚାରି ମହଲା ବିଶିଷ୍ଟ କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଯେଉଁଠାରେ ଇରାନ ସମର୍ଥିତ ନେତାମାନଙ୍କ ବୈଠକ ଚାଲିଥିଲା। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।

ଇସ୍ରାଏଲ ପକ୍ଷରୁ ଟାର୍ଗେଟ୍‌ କରାଯାଇ ମିସାଇଲ ମାଡ଼ କରାଯାଇଥିବା ଅଞ୍ଚଳଟି ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଏବଂ ଇରାନ ସମର୍ଥକ ପାଲେଷ୍ଟାଇନ ଗୋଷ୍ଠୀର ନେତାଙ୍କ ପାଇଁ ହାଇ ସିକ୍ୟୁରିଟି ଜୋନ୍‌ ଭାବେ ପରିଚିତ ଥିଲା। ଏହି ଗୋଷ୍ଠୀର ବରିଷ୍ଠ ସଦସ୍ୟଙ୍କୁ ହିଁ ଟାର୍ଗେଟ କରି ଇସ୍ରାଏଲ ମିସାଇଲ୍‌ ମାଡ କରିଥିବା କୁହାଯାଉଛି।

ଏଏଫ୍‌ପିର ରିପୋର୍ଟ ମୁତାବକ, ନଷ୍ଟ ହୋଇଥିବା କୋଠା ପାଖରେ ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ଏବଂ ସିରିଆର ଆରବ ରେଡ କ୍ରେସେଣ୍ଟ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ସଂପୂର୍ଣ୍ଣ ଭୁଶୁଡି ପଡିଥିବା କୋଠାର ଆବର୍ଜନା ତଳେ ବଞ୍ଚିଥିବା ଲୋକଙ୍କୁ ଖୋଜା ଚାଲିଛି।